ରସାୟନ ଓ ସାର ମନ୍ତ୍ରଣାଳୟ

ଔଷଧ କ୍ଷେତ୍ର ପାଇଁ ପିଏଲ୍‍ଆଇ ସ୍କିମ୍‍ ଲାଗୁ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Posted On: 24 FEB 2021 3:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଔଷଧପତ୍ର କ୍ଷେତ୍ର ବା ଫାର୍ମାସ୍ୟୁଟିକାଲ ଉଦ୍ୟୋଗକୁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଏଲ୍‍ଆଇ ଯୋଗାଇଦେବା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ୨୦୨୦-୨୧ ଆର୍ଥିକ ବର୍ଷରୁ ୨୦୨୮-୨୯ ବର୍ଷ ଯାଏଁ ଏହା ଲାଗୁ କରାଯିବ ।

 ଏହି ଯୋଜନା ଦ୍ୱାରା ଘରୋଇ ଉତ୍ପାଦକ ବିଶେଷ ଉପକୃତ ହେବେ । ଏହାଦ୍ୱାରା ନିଯୁକ୍ତି ସୁବିଧା ସୃଷ୍ଟି ହେବା ସହ ଦେଶର ଖାଉଟିଙ୍କ ପାଇଁ ବିଭିନ୍ନ ପ୍ରକାର ଔଷଧପତ୍ର ସୁଲଭ ମୂଲ୍ୟରେ ଯୋଗାଇ ଦେଇହେବ ।  

ଏହି ଯୋଜନା ମାଧ୍ୟମରେ ଦେଶରେ ଉଚ୍ଚମୂଲ୍ୟର ଔଷଧୀୟ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି । ଏହା ମଧ୍ୟ ଏ କ୍ଷେତ୍ରରେ ରପ୍ତାନୀ ବୃଦ୍ଧିରେ ସହାୟକ ହୋଇପାରିବ । ୨୦୨୨-୨୩ରୁ ୨୦୨୭-୨୮ ମଧ୍ୟରେ ଏହି ଉଦ୍ୟୋଗର କାରବାର ୨,୯୪,୦୦୦ କୋଟି ଟଙ୍କା ହେବା ସହିତ ମୋଟ ରପ୍ତାନୀ ପରିମାଣ ୧,୯୬,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଏହି ଯୋଜନାରେ ଉଭୟ କୁଶଳୀ ଓ ଅଣକୁଶଳୀ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ । ଏହାଛଡା ପ୍ରତ୍ୟକ୍ଷଭାବେ ୨୦ ହଜାର ଏବଂ ପରୋକ୍ଷରେ ୮୦ ହଜାର ଲୋକ ଏହି ଉଦ୍ୟୋଗରେ ନିଯୁକ୍ତି ପାଇବାର ସୁଯୋଗ ପାଇବେ । ଏହି ଭେଷଜ ଉଦ୍ୟୋଗର ବିକାଶ ସହିତ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିବ । ଭାରତରେ ଏଭଳି କିଛି ବ୍ୟାଧି ରହିଛି ଯାହାର ଚିକିତ୍ସା ଅତ୍ୟନ୍ତ ଜଟିଳ ଏବଂ ବ୍ୟୟବହୁଳ । ସରକାରୀ ସହାୟତା ବିନା ଏସବୁର ଚିକିତ୍ସା ସମ୍ଭବ ହୁଏ ନାହିଁ । ରୋଜଗାର ନ ଥିବା ଲୋକଙ୍କୁ ରୋଗରୁ ରକ୍ଷା କରିବା ପାଇଁ ଏସବୁ ବ୍ୟୟବହୁଳ ଔଷଧ ଉତ୍ପାଦନ ପାଇଁ ଏହି ଯୋଜନାରେ ଗୁରୁତ୍ୱ ଦିଆଯିବ । ଏହା ଫଳରେ ଭାରତରେ ବହୁ ଲୋକ ଉପକୃତ ହେବେ । ଏହି ଯୋଜନା ଫଳରେ ଭାରତୀୟ ଔଷଧ ଉଦ୍ୟୋଗରେ ୧୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ବୋଲି ଆଶା କରାଯାଉଛି । ଭେଷଜ ଉଦ୍ୟୋଗର ସାମଗ୍ରିକ ବିକାଶ ପାଇଁ ମୁଖ୍ୟତଃ ଏହି ଯୋଜନାଟି ଉଦ୍ଦିଷ୍ଟ । ଏହା ଅଧୀନରେ ପୁଞ୍ଜି ନିବେଶ ବଢାଇ ନାନାବିଧ ଔଷଧ ଉତ୍ପାଦନ ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି । ଭେଷଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହିତ ରପ୍ତାନୀ ବୃଦ୍ଧି କରିବାକୁ ମଧ୍ୟ ଏଥିରେ ଲକ୍ଷ୍ୟ ରଖାଯାଇଛି ।

ପ୍ରୋତ୍ସାହନ ପରିମାଣ

 ଏହି ଯୋଜନାରେ ମୋଟ ୧୫ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଏଥିରେ ପ୍ରଶାସନିକ ଖର୍ଚ୍ଚ ଅନ୍ତର୍ଭୁକ୍ତ । ଏହି ପ୍ରୋତ୍ସାହନ ପାଇବା ପାଇଁ ୩ଟି ବର୍ଗ ତିଆରି କରାଯାଇଛି । ୧୧ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରୁଥିବା ଉଦ୍ୟୋଗୀଙ୍କୁ ଗ୍ରୁପ ରେ ରଖାଯିବ । ସେହିଭଳି ଗ୍ରୁପ୍‍ ବିରେ ୨୨୫୦ କୋଟି ଟଙ୍କା ଏବଂ ଗ୍ରୁପ୍‍ ସିରେ ୧୭୫୦ କୋଟି ଟଙ୍କା ନିବେଶ କରୁଥିବା ନିବେଶକ ରହିବେ । ପ୍ରତ୍ୟେକ ଗୋଷ୍ଠୀକୁ ବିଭିନ୍ନ ପ୍ରକାର ଔଷଧପତ୍ର ଉତ୍ପାଦନ କରିବାକୁ ଅନୁମତି ଦିଆଯିବ । ଗୋଟିଏ ବର୍ଗ ଅନ୍ୟ ବର୍ଗକୁ ଆବଣ୍ଟିତ ହୋଇଥିବା ଔଷଧ ଉତ୍ପାଦିତ କରିପାରିବ ନାହିଁ ।

 

ପ୍ରୋତ୍ସାହନ ବ୍ୟବସ୍ଥା

ପ୍ରଥମ ଗ୍ରୁପ ପାଇଁ କ୍ରମବର୍ଦ୍ଧିଷ୍ଣୁ ବିକ୍ରି ଉପରେ ୧୦ ଶତାଂଶ ପ୍ରୋତ୍ସାହନ ରାଶି ପ୍ରଥମ ଓ ଦ୍ୱିତୀୟ ବର୍ଗଙ୍କୁ ୪ ବର୍ଷ ପାଇଁ ମିଳିବ । ପଞ୍ଚମ ବର୍ଷରୁ ଏହା ୮ ଶତାଂଶ ଏବଂ ଷଷ୍ଠ ବର୍ଷରେ ୬ ଶତାଂଶକୁ ହ୍ରାସ ପାଇବ । ସେହିଭଳି ତୃତୀୟ ବର୍ଗଙ୍କ ପାଇଁ ଏହି ପ୍ରୋତ୍ସାହନ ରାଶି ବର୍ଦ୍ଧିଷ୍ଣୁ ବ୍ୟୟ ଉପରେ ପ୍ରଥମ ୪ ବର୍ଷ ପାଇଁ ୫ ଶତାଂଶ, ପଞ୍ଚମ ବର୍ଷ ପାଇଁ ୪ ଶତାଂଶ ଏବଂ ଷଷ୍ଠ ବର୍ଷ ପାଇଁ ୩ ଶତାଂଶ ମିଳିବ ।

ପୃଷ୍ଠଭୂମି  

ସୂଚନାଯୋଗ୍ୟ ଯେ ଭାରତର ଭେଷଜ ଉଦ୍ୟୋଗ ବିଶ୍ୱର ତୃତୀୟ ସର୍ବବୃହତ୍‍ । ଏହାର ଆକାର ୪୦ ବିଲିୟନ ଡଲାର । ଭାରତ ପ୍ରତିବର୍ଷ ୩.୫ ଶତାଂଶ ଔଷଧପତ୍ର ବିଦେଶକୁ ରପ୍ତାନୀ କରେ । ଆମେରିକା, ବ୍ରିଟେନ, ୟୁରୋପୀୟ ସଂଘ ଓ କାନାଡା ସମେତ ମୋଟ ୨୦୦ ଦେଶକୁ ଭାରତ ଔଷଧ ରପ୍ତାନୀ କରିଥାଏ । ଭାରତରେ ଭେଷଜ ଶିଳ୍ପର ବିକାଶ ପାଇଁ ଉତ୍ତମ ଭିତ୍ତିଭୂମି ରହିଛି । ତାହାର ବିକାଶ କରି ଭାରତ ଭେଷଜ ଶିଳ୍ପକୁ ଅଧିକ ଲାଭଦାୟକ କରିବାକୁ ଉଦ୍ୟମ କରୁଛି ।

 

*****

TKM

 

 



(Release ID: 1700582) Visitor Counter : 175