ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ
ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ (ଏନସିଏସସି)ର ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲେ ବିଜୟ ସାମ୍ପଲା
ପୋଷ୍ଟ କରାଯିବା ଦିନାଙ୍କ:
24 FEB 2021 4:26PM by PIB Bhubaneshwar
ଶ୍ରୀ ବିଜୟ ସାମ୍ପଲା ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗ (ଏନସିଏସସି)ର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ କୃଷ୍ଣପାଲ ଗୁର୍ଜର, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋମ ପ୍ରକାଶ, ଏନସିଏସସିର ପୂର୍ବତନ ଅଧ୍ୟକ୍ଷ, ବିଜେପି ସାଂସଦ ହଂସ ରାଜ ହଂସ ଏବଂ ଆୟୋଗର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ବିଜୟ ସାମ୍ପଲା 2014-19 ବର୍ଷ ମଧ୍ୟରେ ପୂର୍ବତନ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ବିଜୟ ସାମ୍ପଲା ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ଅନୁସୂଚିତ ଜାତି ସମ୍ପ୍ରଦାୟର ସ୍ୱାର୍ଥ ତଥା ଅଧିକାରର ସୁରକ୍ଷା ପାଇଁ ସେ ନିରନ୍ତର କାର୍ଯ୍ୟ କରିବେ । ଶ୍ରୀ ସାମ୍ପଲା ଆହୁରି ମଧ୍ୟ କହିଛନ୍ତି ଯେ, ଅନୁସୂଚିତ ଜାତି ଲୋକଙ୍କୁ କେବଳ ନ୍ୟାୟ ପ୍ରଦାନ କରିବା ପାଇଁ ଆୟୋଗ କାର୍ଯ୍ୟ କରିବ ନାହିଁ ବରଂ ସମ୍ପ୍ରଦାୟ ପ୍ରତି କୌଣସି ପ୍ରକାର ଅନ୍ୟାୟକୁ ରୋକିବା ଦିଗରେ ମଧ୍ୟ ସକ୍ରିୟ ଭାବେ କାର୍ଯ୍ୟ କରିବ । ସେ ଆହୁରି କହିଛନ୍ତି ଯେ, ଅନୁସୂଚିତ ଜାତିର ସାମାଜିକ ଓ ଅର୍ଥନୈତିକ ବିକାଶ ଏବଂ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ଜରୁରି ଯୋଜନା ଲାଗି ସହଭାଗିତା ବଢ଼ାଇବା ଏବଂ ପରାମର୍ଶ ଦେବାର କାର୍ଯ୍ୟ କରିବ।


ଶ୍ରୀ ବିଜୟ ସାମ୍ପଲା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏବଂ ପଞ୍ଜାବ ବିଜେପିର ରାଜ୍ୟ ସଭାପତି ଭାବରେ କାର୍ଯ୍ୟ କରିଛନ୍ତି । ସେ ପଞ୍ଜାବ ଦଳିତ ବିକାଶ ପରିଷଦର ଅଧ୍ୟକ୍ଷ, ଅନୁସୂଚିତ ଜାତି ଆରକ୍ଷଣ ବଚାଓ ମଞ୍ଚର ରାଜ୍ୟ ସଂଯୋଜକ ଏବଂ ଭାରତ ଗୌରବର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ 2009-12 ମଧ୍ୟରେ ପଞ୍ଜାବର ଖଦି ଏବଂ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ପୁରସ୍କାର ପାଇଁ ତାଙ୍କ ନାମ ସୁପାରିସ କରାଯାଇଥିଲା ।
ସେ "ହୋଶିଆରପୁର" ଲୋକସଭା ନିର୍ବାଚନମଣ୍ଡଳୀରୁ 2014 ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଥିଲେ ଏବଂ ନଭେମ୍ବର 09, 2014 ରୁ ମଇ 24, 2019 ପର୍ଯ୍ୟନ୍ତ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ । ସମାଜର ବଞ୍ଚିତ ଶ୍ରେଣୀର ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ତଥା ସେମାନଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟ କରିବାରେ ଶ୍ରୀ ସାମ୍ପଲା ସକ୍ରିୟ ଭାବରେ ଜଡିତ ଥିଲେ । ରାଷ୍ଟ୍ରପତିଙ୍କ ଦ୍ଵାରା ଭାରତ ସରକାରଙ୍କ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ସେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି ।
**********
TRP/
(ରିଲିଜ ଆଡି: 1700565)
ପରିଦର୍ଶକ କାଉଣ୍ଟର : 263