ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତି

Posted On: 12 FEB 2021 3:36PM by PIB Bhubaneshwar

ପାନ୍‍ଗଙ୍ଗ ସୋ ସୀମାନ୍ତରୁ ସୈନ୍ୟ ପ୍ରତ୍ୟାହାର ନେଇ କେତେକ ବିଭ୍ରାନ୍ତିକର ଓ ଅତିରଞ୍ଜିତ ଖବର ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଦୃଷ୍ଟିକୁ ଆସିଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବାସ୍ତବରେ ସେଠାକାର ସ୍ଥିତି ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ସଂସଦର ଉଭୟ ଗୃହରେ ତାଙ୍କ ବିବୃତିରେ ସ୍ପଷ୍ଟ କରିଦେଇଛନ୍ତି । ଏହା ସତ୍ତ୍ୱେ ପ୍ରକୃତ ତଥ୍ୟ ଉପସ୍ଥାପନ ନ କରି ଏବଂ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଭୁଲ ଓ ଅତିରଞ୍ଜିତ ତଥ୍ୟ ପ୍ରକାଶ କରୁଛନ୍ତି । ତାହାକୁ ସଂଶୋଧନ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ପଷ୍ଟୀକରଣ ଦିଆଯାଇଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଫିଙ୍ଗର 4 ପର୍ଯ୍ୟନ୍ତ ଭାରତୀୟ ଅଞ୍ଚଳ ପରିବ୍ୟାପ୍ତ ବୋଲି ଏସବୁ ସମ୍ବାଦରେ ଯାହା ଉଲ୍ଲେଖ କରାଯାଇଛି ତାହା ଠିକ୍‍ ନୁହେଁ । ଏହି ଦାବି ବିଭ୍ରାନ୍ତିକର । ଭାରତୀୟ ଅଞ୍ଚଳର ସୀମା ସରହଦ ଦେଶର ମାନଚିତ୍ରରେ ଦର୍ଶାଯାଇଥିବା ଅନୁରୂପ ରହିଛି । ସେଥିରେ ଚୀନ ଦ୍ୱାରା 1962ରୁ ବେଆଇନଭାବେ ଦଖଲରେ ରହିଥିବା 43ହଜାର ବର୍ଗ କିମି ଅଞ୍ଚଳ ଅନ୍ତର୍ଭୁକ୍ତ ।

ଏପରିକି ପ୍ରକୃତ ନିୟନ୍ତ୍ରଣରେଖା ବା ଏଲ୍‍ଏସି ଭାରତର ଧାରଣା ମୁତାବକ ଫିଙ୍ଗର 8ରେ ଅବସ୍ଥିତ ଏବଂ ଏହା ଫିଙ୍ଗର 4ରେ ନୁହେଁ । ସେଥିପାଇଁ ଭାରତ ନିରନ୍ତରଭାବେ ଫିଙ୍ଗର 8 ପର୍ଯ୍ୟନ୍ତ ଥିବା ଅଞ୍ଚଳରେ ନିଜର ସୁରକ୍ଷା ଓ ପଇଁତରା ଅଧିକାର ଜାରି ରଖିଆସିଛି । ଚୀନ ସହିତ ଏ ନେଇ ଯେଉଁ କଥାବାର୍ତ୍ତା ଚାଲିଛି ସେଥିରେ ମଧ୍ୟ ଏହି ପ୍ରସଙ୍ଗ ରହିଛି ।

ପାନ୍‍ଗଙ୍ଗ ସୋ ଉତ୍ତରପାଶ୍ୱର୍ର ଉଭୟ ପଟରେ ଥିବା ସ୍ଥାୟୀ ଘାଟି ଦ୍ୱୟ ଦୀର୍ଘସ୍ଥାୟୀ ଏବଂ ସୁଦୃଢ । ଭାରତୀୟ ପାଶ୍ୱର୍ରେ ଫିଙ୍ଗର 3 ନିକଟରେ ଭାରତର ଧନ୍‍ସିଂହ ଥାପ୍ପା ଘାଟି ରହିଛି । ଏହା ଫିଙ୍ଗର 8 ପୂର୍ବକୁ ଚୀନ ସୀମାନ୍ତରେ ଅବସ୍ଥିତ । ସାଂପ୍ରତିକ ବୁଝାମଣା ଅନୁସାରେ ଉଭୟ ପକ୍ଷ ନିଜ ନିଜର ସୀମାର ଆଗୁଆ ଅଞ୍ଚଳରେ ସୈନ୍ୟ ମୁତୟନ ବନ୍ଦ ରଖିବେ ଏବଂ ନିଜ ନିଜର ସ୍ଥାୟୀ ଘାଟି ପାଖରେ ସେମାନଙ୍କର ସେନା ମୁତୟନ ସୀମିତ ରହିବ ।

ଏଥିରେ ଆହୁରି କୁହାଯାଇଛି ଯେ ଚୀନ ସହିତ ଏହି ବୁଝାମଣାରେ ଭାରତ କୌଣସି ଅଞ୍ଚଳ ବା ଭୂମି ଛାଡି ନାହିଁ । ଅପରପକ୍ଷରେ ଏଲ୍‍ଏସିକୁ ସମ୍ମାନ ଦେବା ପାଇଁ ଭାରତ ଚାପ ପକାଇଛି ଏବଂ ଏହାର ସ୍ଥିତାବସ୍ଥାରେ ଯେକୌଣସି ଏକତରଫା ପରିବର୍ତ୍ତନକୁ ଏଯାବତ୍‍ ପଣ୍ଡ କରିବାରେ ସଫଳ ହୋଇଛି ।

ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତିରେ ଆହୁରି ସ୍ପଷ୍ଟ କରାଯାଇଛି ଯେ ଦୁଇଦେଶ ମଧ୍ୟରେ ଯେଉଁ ପୁରୁଣା ବିବାଦ ରହିଛି ତାହାର ସମାଧାନ କରାଯିବ । ସେଥିମଧ୍ୟରେ ହଟ୍‍ସ୍ପ୍ରିଙ୍ଗ, ଗୋଗରା ଏବଂ ଦେପସାଙ୍ଗ ଅନ୍ତର୍ଭୁକ୍ତ । ପାନ୍‍ଗଙ୍ଗ ସୋ ସୀମାନ୍ତରୁ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର କରିବା ପରେ ଅନ୍ୟାନ୍ୟ ପୁରୁଣା ବିବାଦର ସମାଧାନ ପାଇଁ 48 ଘଣ୍ଟା ମଧ୍ୟରେ ଉଦ୍ୟମ ଆରମ୍ଭ କରାଯିବ ।

ପୂର୍ବ ଲଦାଖ ସେକ୍ଟରରେ ଆମର ଜାତୀୟ ସ୍ୱାର୍ଥ ଓ ଆଞ୍ଚଳିକ ଅଖଣ୍ଡତାର ସଫଳ ସୁରକ୍ଷା ପାଇଁ ଆମ ସରକାର ଦେଶର ପ୍ରତିରକ୍ଷାବାହିନୀର ଦକ୍ଷତା ଉପରେ ସଂପୂର୍ଣ୍ଣ ଆସ୍ଥା ଓ ଭରସା ରଖିଛନ୍ତି । ଆମର ଯବାନ ଓ ସାମରିକ କର୍ମଚାରୀମାନଙ୍କର ବଳିଦାନ ମାଧ୍ୟମରେ ଯେଉଁ ସଫଳତା ଆମକୁ ମିଳିଛି ତାହାକୁ ଯଦି କେହି ସନ୍ଦେହ ଚକ୍ଷୁରେ ଦେଖେ ତାହାହେଲେ ବୁଝିବାକୁ ହେବ ଯେ ଆମ ଯବାନମାନଙ୍କ ସଂଗ୍ରାମ ଓ ବଳିଦାନକୁ ସେମାନେ ବାସ୍ତବରେ ଅସମ୍ମାନିତ କରୁଛନ୍ତି ।

ଡିଜିଲକର ମାଧ୍ୟମରେ ଡିଜିଟାଲ ଇନ୍‍ସ୍ୟୁରାନ୍ସ ପଲିସି ପ୍ରଦାନ କରିବାକୁ ସବୁ ବୀମା କଂପାନୀକୁ ଆଇଆରଡିଏଆଇର ପରାମର୍ଶ

ଏହାଦ୍ୱାରା ଗ୍ରାହକ ଅଧିକ ସୁବିଧା ପାଇବେ ଏବଂ ସେମାନଙ୍କର କ୍ଲେମ ପରିଶୋଧ କାର୍ଯ୍ୟ ସହଜ ଓ ଶୀଘ୍ର ହୋଇପାରିବ

******

TM



(Release ID: 1697687) Visitor Counter : 277