ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
azadi ka amrit mahotsav

ଶ୍ରୀ ଶିବରାଜ ସିଂହ ଚୌହାନ ଏବଂ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ‘ନବ ଚେତନା ୫.୦’ର ଶୁଭାରମ୍ଭ


ମହିଳା ସୁରକ୍ଷା, ସମାନତା ଓ ସଶକ୍ତୀକରଣ ପାଇଁ ୧୫ ମନ୍ତ୍ରଣାଳୟ ଏକଜୁଟ

ହିଂସାମୁକ୍ତ ଗ୍ରାମ ଗଠନ ପାଇଁ ଐତିହାସିକ ବୁଝାମଣାପତ୍ର ସ୍ୱାକ୍ଷରିତ

ନଭେମ୍ବର ୨୫ରୁ ଡିସେମ୍ବର ୨୩ ଯାଏଁ ଦେଶବ୍ୟାପୀ ମାସବ୍ୟାପୀ ସଚେତନତା ଅଭିଯାନ

ପୋଷ୍ଟ କରାଯିବା ଦିନାଙ୍କ: 25 NOV 2026 5:48PM by PIB Bhubaneswar

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଆଜି ନୂଆଦିଲ୍ଲୀର ପୁସା ସ୍ଥିତ ଏନ୍‌ଏଏସ୍‌ସି କମ୍ପ୍ଲେକ୍ସଠାରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ସମ୍ବନ୍ଧୀୟ ଜାତୀୟ ଅଭିଯାନ “ନବ ଚେତନା: ପରିପର୍ତ୍ତନର ପଦକ୍ଷେପ”ର ପଞ୍ଚମ ସଂସ୍କରଣକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଶ୍ରୀ ରୋହିତ କଂସଲ; ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଅନୀଲ ମଲିକ; ଏବଂ ନ୍ୟାୟ ବିଭାଗର ସଚିବ ଶ୍ରୀ ନୀରଜ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏମାନଙ୍କ ସହିତ ଅଂଶଗ୍ରହଣକାରୀ ମନ୍ତ୍ରଣାଳୟ, ରାଜ୍ୟ ସରକାର, ବିକାଶ ସହଯୋଗୀ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳା ନେତୃବୃନ୍ଦଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ହିଂସାମୁକ୍ତ ଗ୍ରାମ ପଦକ୍ଷେପ ସମ୍ପର୍କରେ ଏକ ଐତିହାସିକ ଚତୁଃପକ୍ଷୀୟ ବୁଝାମଣାପତ୍ର, ଯେଉଁଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ନ୍ୟାୟ ବିଭାଗ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ସ୍ୱାକ୍ଷର କରିଛନ୍ତି। ଏହି ବୁଝାମଣାପତ୍ର ଦୀନଦୟାନ ଅନ୍ତୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବୀକା ମିଶନର ଲିଙ୍ଗୀୟ ସମ୍ପଦ କେନ୍ଦ୍ରଗୁଡ଼ିକୁ ୱାନ ଷ୍ଟପ ସେଣ୍ଟର, ମହିଳା ହେଲ୍ପଲାଇନ ୧୮୧, ଦିଶା ୨.୦ ଏବଂ ଆଇନଗତ ସହାୟତା ସେବା ସହିତ ଏକକ ସହାୟତା ଶୃଙ୍ଖଳରେ ଯୋଡ଼। ଏହା ପ୍ରତିରୋଧ ଏବଂ ସୁରକ୍ଷାଠାରୁ ଆରମ୍ଭ କରି ଆଇନଗତ ସହାୟତା ଏବଂ ଥଇଥାନ ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି। ୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପାଇଲଟ ଭିତ୍ତିରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପଦକ୍ଷେପ ଏକ ସରଳ ପ୍ରତିଶ୍ରୁତି ଉପରେ ଆଧାରିତ: ହିଂସାର ସମ୍ମୁଖୀନ ହେଉଥିବା କୌଣସି ମହିଳାଙ୍କୁ ସହାୟତା ପାଇବା ରାସ୍ତାରେ ଏକୁଟିଆ ଛଡ଼ାଯିବ ନାହିଁ।

ସଭାକୁ ସମ୍ବୋଧିତ କରି ଶ୍ରୀ ଶିବରାଜ ସିଂହ ଚୌହାନ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ମହିଳା ସଶକ୍ତୀକରଣ, ମର୍ଯ୍ୟାଦା ଏବଂ ସମ୍ମାନ ବିକଶିତ ଭାରତର ପରିକଳ୍ପନାର ମୂଳରେ ରହିଛି ଏବଂ ଗ୍ରାମୀଣ ଅର୍ଥନୀତିରେ ପ୍ରାୟ ୩.୭୫ କୋଟି ଲକ୍ଷପତି ଦିଦିଙ୍କ ଅବଦାନକୁ ପ୍ରଶଂସା କରିଥିଲେ। ଅର୍ଥନୈତିକ ସ୍ୱାବଲମ୍ବନ ସହିତ ମର୍ଯ୍ୟାଦା, ସୁରକ୍ଷା ଏବଂ ସମାନ ସୁଯୋଗ ନିଶ୍ଚିତ ଭାବରେ ଏକାଠି ଚାଲିବା ଉଚିତ ବୋଲି ମତବ୍ୟକ୍ତ କରି ସେ ପିତୃସତ୍ତା ମାନସିକତାକୁ ଚ୍ୟାଲେଞ୍ଜ କରିବା ପାଇଁ ସାମୂହିକ ପ୍ରୟାସର ଆହ୍ୱାନ ଦେଇଥିଲେ। ଏହି ବୁଝାମଣାପତ୍ରକୁ ସୁରକ୍ଷା, ନ୍ୟାୟ, ଥଇଥାନ ଏବଂ ଜୀବିକା ସହାୟତାକୁ ଏକତ୍ର କରୁଥିବା ଏକ ଢାଞ୍ଚା ଭାବରେ ବର୍ଣ୍ଣନା କରି ସେ ରାଜ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡି ନେଟୱାର୍କ ଏବଂ ସମୁଦାୟଗୁଡ଼ିକୁ ଏହି ଅଭିଯାନକୁ ନିରନ୍ତର ତୃଣମୂଳ ସ୍ତରର କାର୍ଯ୍ୟାନ୍ୱୟରେ ପରିଣତ କରିବା ଏବଂ ନିଶା-ମୁକ୍ତ ଓ ହିଂସା-ମୁକ୍ତ ଗ୍ରାମ ଦିଗରେ ନିଶା ମୁକ୍ତ ଭାରତ ଅଭିଯାନକୁ ସମନ୍ୱିତ କରିବାକୁ ଅନୁରୋଧ କରିଥିଲେ।

ପ୍ରତ୍ୟେକ ଘରକୁ ଏହି ଅଭିଯାନ ପହଞ୍ଚାଇବାରେ ଗୋଷ୍ଠୀ ପ୍ରତିଷ୍ଠାନଗୁଡ଼ିକର ଭୂମିକା ଉପରେ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଆଲୋକପାତ କରିଥିଲେ। ସହାୟତା ସେବାଗୁଡ଼ିକର ବ୍ୟାପକ ବ୍ୟବହାର ପାଇଁ ଆହ୍ୱାନ ଜଣାଇ ସେ ନାଗରିକମାନଙ୍କୁ ମହିଳା ହେଲ୍ପଲାଇନ ୧୮୧ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ନମ୍ବର ୧୧୨କୁ ମନେ ରଖିବା, ସେଭ କରିବା  ଏବଂ ଶେୟାର କରିବାକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ବିପଦରେ ଥିବା କୌଣସି ମହିଳା ସମୟୋଚିତ ସହାୟତାରୁ ବଞ୍ଚିତ ନ ହୁଅନ୍ତି।

ଶ୍ରୀ ରୋହିତ କଂସଲ ନବ ଚେତନାର ଏକ ସଚେତନତା ଅଭିଯାନରୁ ଗୋଷ୍ଠୀ-ନେତୃତ୍ୱାଧୀନ ଆନ୍ଦୋଳନରେ ପରିଣତ ହେବାର ଯାତ୍ରାକୁ ବର୍ଣ୍ଣନା କରିଥିଲେ, ଯେଉଁଥିରେ ଏପର୍ଯ୍ୟନ୍ତ ୫.୩ କୋଟି ଅଂଶଗ୍ରହଣକାରୀ ସାମିଲ ହୋଇଛନ୍ତି ଏବଂ ପ୍ରାୟ ୭,୦୦୦ ଜେଣ୍ଡର ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ସେ କହିଥିଲେ ଯେ ଏହି ପଞ୍ଚମ ସଂସ୍କରଣ ସେହି ସଚେତନତା ଏବଂ ଗୋଷ୍ଠୀ ବିଶ୍ୱାସକୁ ପ୍ରଭାବଶାଳୀ ସହାୟତା, ଆଇନଗତ ସହାୟତା ଏବଂ ସମୟୋଚିତ ନ୍ୟାୟ ପ୍ରାପ୍ତିରେ ପରିଣତ କରିବ।

ଶ୍ରୀ ଅନୀଲ ମଲିକ ସମୟୋଚିତ ପ୍ରତିକ୍ରିୟା ଏବଂ ନିରନ୍ତର ଫଲୋ-ଅପ୍ ଦ୍ୱାରା ସକ୍ଷମ ହେଲ୍ପଲାଇନ, ଆଇନଗତ ସେବା ଏବଂ ସହାୟତା ପ୍ରତିଷ୍ଠାନଗୁଡ଼ିକର ନିର୍ବିଘ୍ନ ସମନ୍ୱୟ ପାଇଁ ଆହ୍ୱାନ ଦେଇଥିଲେ। ୧୬-ଦିନିଆ କାର୍ଯ୍ୟ ଏଜେଣ୍ଡା ଉପରେ ଆଲୋକପାତ କରି ସେ ମହିଳା ସୁରକ୍ଷା ପ୍ରତି ପରିବାର, ସମୁଦାୟ ଏବଂ ପ୍ରତିଷ୍ଠାନଗୁଡ଼ିକର ସାମୂହିକ ଦାୟିତ୍ୱକୁ ରେଖାଙ୍କିତ କରିଥିଲେ।

ଶ୍ରୀ ନୀରଜ ବର୍ମା ବିଦ୍ୟମାନ ଆଇନଗତ ସୁରକ୍ଷା ବ୍ୟବସ୍ଥାଗୁଡ଼ିକୁ ଏପରି ସେବାରେ ପରିଣତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ମହିଳାମାନେ ପ୍ରକୃତରେ ପାଇପାରିବେ, ବିଶେଷ କରି ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ। ସେ ଆଇନଗତ ସଚେତନତା, ରେଫରାଲ ଏବଂ ମାଗଣା ଆଇନଗତ ସହାୟତାକୁ ସୁଦୃଢ଼ କରିବାରେ ଜାତୀୟ ଆଇନ ସେବା ପ୍ରାଧିକରଣ, ଟେଲି-ଲ, ନ୍ୟାୟ ବନ୍ଧୁ, ପାରାଲିଗାଲ ସ୍ୱେଚ୍ଛାସେବୀ ଏବଂ ଜେଣ୍ଡର ରିସୋର୍ସ ସେଣ୍ଟରଗୁଡ଼ିକର ଭୂମିକାକୁ ଉଲ୍ଲେଖ କରିଥିଲେ।

ଲିଙ୍ଗଗତ ଭେଦଭାବ ଏବଂ ହିଂସାର ମୁକାବିଲା ତଥା ମହିଳାମାନଙ୍କ ଅର୍ଥନୈତିକ ସଶକ୍ତୀକରଣକୁ ଆଗେଇ ନେବା ପାଇଁ ସମଗ୍ର-ସରକାର ଆଭିମୁଖ୍ୟକୁ ସମ୍ପ୍ରସାରିତ କରି ଏକ ଆନ୍ତଃ-ମନ୍ତ୍ରଣାଳୟ ମିଳିତ ପରାମର୍ଶଦାତା ମଣ୍ଡଳୀ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହଯୋଗୀ ମନ୍ତ୍ରଣାଳୟ ତଥା ବିଭାଗଗୁଡ଼ିକ ହେଉଛି: ଗ୍ରାମ୍ୟ ଉନ୍ନୟନ; ମହିଳା ଓ ଶିଶୁ ବିକାଶ; ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା; ଗୃହ; ପଞ୍ଚାୟତି ରାଜ; କୃଷି ଏବଂ କୃଷକ କଲ୍ୟାଣ; ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ; ଯୁବ ବ୍ୟାପାର ଏବଂ କ୍ରୀଡ଼ା; ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ; ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ; ସୂଚନା ଏବଂ ପ୍ରସାରଣ; ନ୍ୟାୟ; ଶ୍ରମ ଏବଂ ନିଯୁକ୍ତି; ରାଜସ୍ୱ; ଏବଂ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ।

ଡିଏୱାଇ-ଏନଆରଏଲଏମ୍‍ ନେତୃତ୍ୱରେ ଏହି ଅଭିଯାନ ୨୩ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିବ, ଯାହା ଚାରୋଟି ବିଷୟବସ୍ତୁ ଉପରେ ଆଧାରିତ: ପରିଚୟ, ସମ୍ପତ୍ତି ସୃଷ୍ଟି, ଗତିଶୀଳତା, ଏବଂ ଅବୈତନିକ ଯତ୍ନ କାର୍ଯ୍ୟର ପୁନଃବଣ୍ଟନ। ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗୋଷ୍ଠୀ ପ୍ରତିଷ୍ଠାନ ମାଧ୍ୟମରେ ଏହା ସଚେତନତା ଅଭିଯାନ, ଶୋଭାଯାତ୍ରା, ଗୋଷ୍ଠୀ ବୈଠକ, ପଥପ୍ରାନ୍ତ ନାଟକ ଏବଂ ପୁରୁଷ ଓ ଯୁବପିଢ଼ିଙ୍କ ସହିତ ଆଲୋଚନା ମାଧ୍ୟମରେ ଗ୍ରାମୀଣ ଭାରତରେ ପହଞ୍ଚିବ।

ଏହି କାର୍ଯ୍ୟକ୍ରମରେ ନବ ଚେତନା ୪.୦ ମୂଲ୍ୟାଙ୍କନ ରିପୋର୍ଟ ଏବଂ ନବ ଚେତନା ଆନ୍ଥେମ୍ ମଧ୍ୟ ଉନ୍ମୋଚନ କରାଯାଇଥିଲା, ଏବଂ ଜେଣ୍ଡର ଚାମ୍ପିଅନ୍ ଏବଂ ୱାନ ଷ୍ଟପ ସେଣ୍ଟର ପ୍ରଶାସକମାନେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଶେୟାର କରିଥିଲେ। ଏସ୍‌ଏଚ୍‌ଜି ମହିଳା, ଅଙ୍ଗନୱାଡି କର୍ମୀ, ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ଏବଂ ନାଗରିକ ସମାଜ ସହଯୋଗୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ, ଯାହା ଲିଙ୍ଗଗତ ସମାନତା ପାଇଁ ନୟୀ ଚେତନାକୁ ଏକ ପ୍ରକୃତ ଜନ ଆନ୍ଦୋଳନ ଭାବରେ ପୁନଃପ୍ରତିଷ୍ଠିତ କରିଛି।

--

 


(ରିଲିଜ ଆଡି: 2341600) ପରିଦର୍ଶକ କାଉଣ୍ଟର : 5
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Gujarati