ପୋଷ୍ଟ କରାଯିବା ଦିନାଙ୍କ:
21 NOV 2026 1:02PM by PIB Bhubaneswar
ପଶ୍ଚିମବଙ୍ଗର ରାଜ୍ୟପାଳ ଆର୍. ଏନ୍. ରବି ଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସୁବେନ୍ଦୁ ଅଧିକାରୀ , କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ସୁକାନ୍ତ ମଜୁମଦାର , ରାଜ୍ୟ ସରକାରଙ୍କ ମନ୍ତ୍ରୀ ଭାଇ ଜଗନ୍ନାଥ ଚଟ୍ଟୋପାଧ୍ୟାୟ , ଆଇଆଇଟି ଖଡ଼ଗପୁରର ସମ୍ମାନନୀୟ ଟି. ଭି. ନରେନ୍ଦ୍ରନ , ସୁମନ ଚକ୍ରବର୍ତ୍ତୀ , ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଅନ୍ୟ ବିଶିଷ୍ଟ ଅତିଥିବୃନ୍ଦ, ଭାଇ ଓ ଭଉଣୀମାନେ।
ସର୍ବପ୍ରଥମେ, ମୁଁ ଆପଣମାନଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛି, କାରଣ ଏଠାରେ ପହଞ୍ଚିବାରେ ମୋତେ ବିଳମ୍ବ ହୋଇଗଲା। ପାଣିପାଗ ଖରାପ ଥିବାରୁ ମୁଁ ଠିକ୍ ସମୟରେ ପହଞ୍ଚିପାରିଲି ନାହିଁ। ଏହାପରେ ଆମେ ସଡ଼କପଥରେ ଯାତ୍ରା କଲୁ, ତଥାପି ବିଳମ୍ବ ହୋଇଗଲା। ଆପଣମାନଙ୍କୁ ମୋ ପାଇଁ ଅପେକ୍ଷା କରିବାକୁ ପଡ଼ିଲା। ଏଥିପାଇଁ ଆପଣମାନଙ୍କୁ ହୋଇଥିବା ଅସୁବିଧା ନିମନ୍ତେ ମୁଁ ଆନ୍ତରିକତାର ସହ କ୍ଷମା ମାଗୁଛି।
ବନ୍ଧୁଗଣ,
ଆଇଆଇଟି ଖଡ଼ଗପୁରର ଏହି ପ୍ଲାଟିନମ୍ ଜୟନ୍ତୀ ଉତ୍ସବରେ ମୁଁ ମୋ ସମ୍ମୁଖରେ ଭାରତର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଏକାଠି ଯୋଡ଼ି ହୋଇଥିବା ଦେଖୁଛି। ଏଠାରେ ଏକ ଅତ୍ୟନ୍ତ ପ୍ରତିଭାସମ୍ପନ୍ନ ଏବଂ ଉଚ୍ଚ ଆକାଂକ୍ଷା ରଖୁଥିବା ପିଢ଼ି ଉପସ୍ଥିତ ଅଛନ୍ତି। ଆଜି ଆମେ ସମସ୍ତେ ଏହି ଅନୁଷ୍ଠାନର ୭୫ ବର୍ଷର ଯାତ୍ରାକୁ ଉତ୍ସବ ଭାବେ ପାଳନ କରିବା ସହ ଏହାର ଗୌରବମୟ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ଏକତ୍ରିତ ହୋଇଛୁ। ପ୍ରତିଷ୍ଠା ହେବାର ଏହି ୭୫ ବର୍ଷ ମଧ୍ୟରେ ଆଇଆଇଟି ଖଡ଼ଗପୁର ଅନେକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ୭୫ ବର୍ଷ ମଧ୍ୟରେ ଭାରତ ମଧ୍ୟ ବଳଦଗାଡ଼ିରୁ ବୁଲେଟ୍ ଟ୍ରେନ୍ ଏବଂ ଡାକଚିଠିରୁ ସୋସିଆଲ୍ ମିଡିଆ ବାର୍ତ୍ତା ପର୍ଯ୍ୟନ୍ତ ପରିବର୍ତ୍ତନର ସାକ୍ଷୀ ହୋଇଛି। ଏହି ପରିବର୍ତ୍ତନର ପ୍ରତ୍ୟେକ ପର୍ଯ୍ୟାୟରେ ଦେଶର ପ୍ରଥମ ଆଇଆଇଟି ଭାବେ ଆଇଆଇଟି ଖଡ଼ଗପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହି ଅବସରରେ ଆଇଆଇଟି ଖଡ଼ଗପୁରର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି।
ବନ୍ଧୁଗଣ,
ଆଇଆଇଟି ଖଡ଼ଗପୁରରେ ବିତାଇଥିବା ଜୀବନର କିଛି ସ୍ମୃତି ସବୁଦିନ ପାଇଁ ମନରେ ରହିଯାଏ। ମୋର ବିଶ୍ୱାସ, ଏଠାରେ ଉପସ୍ଥିତ ଅନେକ ପୂର୍ବତନ ଛାତ୍ରଛାତ୍ରୀ ଦଶନ୍ଧି ପରେ ମଧ୍ୟ ଚେଡିସ୍ଠାରେ ଚା’ ପିଇବା ସମୟରେ ହେଉଥିବା ଆଲୋଚନାକୁ ଆଜି ବି ଆନନ୍ଦର ସହ ମନେ ପକାଉଥିବେ। ଅନ୍ୟ ଅନୁଷ୍ଠାନଗୁଡ଼ିକରେ ହଷ୍ଟେଲ୍ ଥାଏ, କିନ୍ତୁ ଏଠାରେ ଆପଣମାନଙ୍କର ରହିଛି ‘ହଲ୍’। ମୁଁ ଜାଣେ, ପ୍ରତ୍ୟେକ ଛାତ୍ର ନିଜ ହଲ୍କୁ ନେଇ କେତେ ଗର୍ବ ଅନୁଭବ କରନ୍ତି। ଏଠାକୁ ଆସିବା ପୂର୍ବରୁ ମୋତେ ଦୀପାବଳିର କିଛି ଫଟୋ ଦେଖାଯାଇଥିଲା। ଆପଣମାନେ ନିକଟରେ ଦୀପାବଳି ପାଳନ କରିଛନ୍ତି। ମୋତେ କୁହାଯାଇଛି ଯେ ଆଇଆଇଟି ଖଡ଼ଗପୁରରେ ଦୀପାବଳିର ଉତ୍ସାହ ଓ ଆନନ୍ଦ କିଛି ନିଆରା। ଏଠାକାର ଆଲୋକସଜ୍ଜାର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି ଏବଂ ବିଭିନ୍ନ ହଲ୍ ମଧ୍ୟରେ ହେଉଥିବା ପ୍ରତିଯୋଗିତା ଏହାକୁ ଆହୁରି ଆକର୍ଷଣୀୟ କରିଥାଏ। ଚଳିତ ବର୍ଷ କେଉଁ ହଲ୍ ବିଜୟୀ ହୋଇଛି? ଦେଖନ୍ତୁ, ସେମାନେ କେତେ ଗର୍ବର ସହ ନିଜ ବିଜୟର କଥା କହୁଛନ୍ତି। ବିଜୟୀମାନଙ୍କୁ ଅଭିନନ୍ଦନ। ଯଦି ବିଜୟୀମାନେ ନିଜ ପାଇଁ ତାଳି ନମାରିବେ, ତେବେ ଆଉ କିଏ ମାରିବେ?
ବନ୍ଧୁଗଣ,
ବଙ୍ଗଳାର ଏହି ମାଟି ହେଉଛି ସେହି ଭୂମି, ଯେଉଁଠାରେ ବିଚାରଧାରା ଶକ୍ତି ପାଇଥିଲା ଏବଂ ଜାତୀୟ ଆନ୍ଦୋଳନର ଜନ୍ମ ହୋଇଥିଲା। ଏହି ଅନୁଷ୍ଠାନ ଯେଉଁ ସ୍ଥାନରେ ଗଢ଼ି ଉଠିଛି, ସେହି ସ୍ଥାନ ଏକଦା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ବନ୍ଦୀ ଶିବିର ଥିଲା। ଟିକିଏ କଳ୍ପନା କରନ୍ତୁ, ଏଠାରେ ବନ୍ଦୀ ଥିବା ସେହି ସ୍ୱାଧୀନତା ସଂଗ୍ରାମୀମାନେ ଦିନସାରା କେଉଁସବୁ ବିଷୟରେ ଆଲୋଚନା କରୁଥିବେ? ସେମାନଙ୍କ ମନରେ କେଉଁସବୁ ଚିନ୍ତାଧାରା ଉଙ୍କି ମାରୁଥିବ? ସେହି ସମୟରେ ସେମାନଙ୍କ ଜୀବନ, ଚିନ୍ତାଧାରା ଏବଂ କାର୍ଯ୍ୟକଳାପର ପ୍ରତିଧ୍ୱନି ଆଜି ମଧ୍ୟ ଏଠାକାର ପରିବେଶରେ ଏକ ମନ୍ତ୍ର ପରି ଗୁଞ୍ଜରିତ ହୋଇ ଆପଣମାନଙ୍କୁ ପ୍ରେରଣା ଯୋଗାଉଥିବ। ଦଶନ୍ଧି ପୂର୍ବେ ଏହି ବନ୍ଦୀ ଶିବିରଗୁଡ଼ିକ ସ୍ୱଶାସନ ଏବଂ ଭାରତକୁ ଉଚ୍ଚତାର ଶିଖରରେ ଦେଖିବାକୁ ଚାହୁଁଥିବା ଭାରତୀୟମାନଙ୍କ ଅଦମ୍ୟ ମନୋବଳ ଓ ସାହସର ସାକ୍ଷୀ ଥିଲା। ଆଜି ସେହି ମାଟିରେ ଏକ ନୂତନ ଓ ଜୀବନ୍ତ ଅନୁଷ୍ଠାନରେ ପରିଣତ ହୋଇଥିବା ଆମର ଏହି ଆଇଆଇଟି ଏପରି ଯୁବପିଢ଼ି ସୃଷ୍ଟି କରୁଛି, ଯେଉଁମାନଙ୍କର ନବସୃଜନ ଓ ଚିନ୍ତାଧାରା ଆତ୍ମନିର୍ଭର ଭାରତର ଶକ୍ତି ପାଲଟୁଛି। ଯେଉଁ ମାଟି ଏକଦା ସ୍ୱଶାସନର ସ୍ୱପ୍ନ ଦେଖିଥିଲା, ଆଜି ସେହି ମାଟି ଆତ୍ମନିର୍ଭରଶୀଳତାର ସଂକଳ୍ପକୁ ପ୍ରତିଫଳିତ କରୁଛି। ସେତେବେଳେ ଥିଲା ସ୍ୱାଧୀନତାର ସ୍ୱପ୍ନ, ଆଜି ରହିଛି ଭବିଷ୍ୟତ ଗଢ଼ିବାର ସୁଯୋଗ। ଆକାଂକ୍ଷାରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ ଏହି ଯାତ୍ରା ହିଁ ବିକଶିତ ଭାରତ ନିର୍ମାଣର ପ୍ରକୃତ ଶକ୍ତି।
ବନ୍ଧୁଗଣ,
ଯେତେବେଳେ ଆଇଆଇଟି ଖଡ଼ଗପୁର ନିଜର ଯାତ୍ରା ଆରମ୍ଭ କରିଥିଲା, ସେତେବେଳେ ଭାରତ ସ୍ୱାଧୀନତା ଲାଭ କରିବାର ଅଳ୍ପ କିଛି ବର୍ଷ ହୋଇଥିଲା। ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ମଧ୍ୟ ହୋଇନଥିଲା। ସେହି ସମୟରେ ଭାରତକୁ ଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ର ପାଇଁ ଇଞ୍ଜିନିୟରମାନଙ୍କର ଆବଶ୍ୟକତା ଥିଲା। ଦେଶର ବୈଜ୍ଞାନିକ କ୍ଷମତାର ବିସ୍ତାର ହେବା ସହିତ ଏଠାକାର ସ୍ନାତକମାନେ ଆମର ମହାକାଶ ଏବଂ ପରମାଣୁ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲେ। ଏହାପରେ ସୂଚନା ପ୍ରଯୁକ୍ତିବିଦ୍ୟାର ଯୁଗ ଆସିଲା ଏବଂ ବିଶ୍ୱ ଅର୍ଥନୀତିରେ ନୂତନ ସୁଯୋଗ ସୃଷ୍ଟି ହେଲା। ଏହି ଅନୁଷ୍ଠାନରୁ ବାହାରିଥିବା ଯୁବପିଢ଼ି ଭାରତର ସଫ୍ଟୱେର୍ ଶିଳ୍ପକୁ ସୁଦୃଢ଼ କରିବା ସହ ବିଶ୍ୱର ବହୁ ପ୍ରମୁଖ କମ୍ପାନୀର ନେତୃତ୍ୱ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରତ୍ୟେକ ଯୁଗରେ ଏହି ଅନୁଷ୍ଠାନ ଆଗକୁ ଆସି ରାଷ୍ଟ୍ର ନିର୍ମାଣର ନିଜର ଦାୟିତ୍ୱ ପୂରଣ କରିଛି। ଆଜି ଯେତେବେଳେ ଆମେ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ, ସେତେବେଳେ ଆଇଆଇଟି ଖଡ଼ଗପୁରର ୭୫ ବର୍ଷର ଅଭିଜ୍ଞତା ଦେଶର ବିକାଶ ଓ ନବସୃଜନ କ୍ଷେତ୍ରରେ ଏକ ବଡ଼ ଭୂମିକା ଗ୍ରହଣ କରିବ। ମୋର ବିଶ୍ୱାସ, ଆପଣମାନେ ଆଜିର ଆକାଂକ୍ଷୀ ଭାରତର ସ୍ୱପ୍ନ ପୂରଣ କରିବାରେ କୌଣସି ସୁଯୋଗ ହାତଛଡ଼ା କରିବେ ନାହିଁ।
ବନ୍ଧୁଗଣ,
ଆମର ପ୍ରକୃତ ସାମର୍ଥ୍ୟ ଏହା ଉପରେ ନିର୍ଭର କରେ ଯେ ଆମେ କେତେ ସାହସର ସହିତ ସମସ୍ୟାଗୁଡ଼ିକର ମୁକାବିଲା କରୁଛୁ। ଲୋକମାନେ ପ୍ରାୟତଃ ମୋତେ ସମସ୍ୟା ସମ୍ପର୍କରେ ପଚାରନ୍ତି। ମୁଁ ସେମାନଙ୍କୁ କୁହେ ଯେ, କୌଣସି ସମସ୍ୟାର ସାମ୍ନା ନ କରି ରହିପାରିବା ମୋ ସ୍ୱଭାବରେ ନାହିଁ।
ବନ୍ଧୁଗଣ,
ପ୍ରଶ୍ନ ହେଉଛି, ଆମେ ସମସ୍ୟାଗୁଡ଼ିକର ସମାଧାନ କରୁଛୁ ନା ଖୁବ୍ ଶୀଘ୍ର ସନ୍ତୁଷ୍ଟ ହୋଇ ଚୁପ୍ଚାପ୍ ବସିପଡ଼ୁଛୁ? ଅନେକ ସମୟରେ କିଛି ଲୋକ ନିଜ ଚିନ୍ତାଧାରା ଉପରେ ନିଜେ ସୀମା ନିର୍ଦ୍ଧାରଣ କରିଦିଅନ୍ତି। ନିଜ ପାଇଁ ସୀମାରେଖା ଟାଣି ଦିଅନ୍ତି। ଏହାକୁ ‘ସୀମିତ ବିଶ୍ୱାସ’ ବୋଲି କୁହାଯାଏ। ଏହି ସୀମିତ ବିଶ୍ୱାସ କ’ଣ? ଏହା ଆପଣଙ୍କ ସ୍ୱପ୍ନକୁ ସୀମିତ କରେ। ଆପଣଙ୍କ ପ୍ରତିଭାକୁ ସୀମିତ କରେ। ଆପଣଙ୍କ ଦେଶର ସାମର୍ଥ୍ୟକୁ ମଧ୍ୟ ସୀମିତ କରେ। କ’ଣ ସମ୍ଭବ ଏବଂ କ’ଣ ଅସମ୍ଭବ, ତାହା ଆମେ ନିଜେ ସ୍ଥିର କରିଥାଉ। ଅଧିକାଂଶ ଲୋକ ଆରମ୍ଭରୁ ହିଁ କହିଦିଅନ୍ତି, “ନା, ଏହା ହୋଇପାରିବ ନାହିଁ।” ଏପରି ମୃତପ୍ରାୟ ଚିନ୍ତାଧାରା ନେଇ ବଞ୍ଚୁଥିବା ଲୋକମାନେ ପ୍ରକୃତ ଜୀବନ ଜିଇଁ ପାରନ୍ତି ନାହିଁ, ବନ୍ଧୁଗଣ। ଆମେ ନିଜ ଚିନ୍ତାଧାରାର ସୀମାକୁ ହିଁ ଆମ ଦୁନିଆର ସୀମା ବୋଲି ଧରିନେଉ।
ବନ୍ଧୁଗଣ,
ଏକ ରାଷ୍ଟ୍ର ମଧ୍ୟ ନିଜ ଚିନ୍ତାଧାରାର ସୀମାକୁ ଅତିକ୍ରମ କଲେ ହିଁ ନିଜର ସାମର୍ଥ୍ୟକୁ ଚିହ୍ନିପାରେ। ନିକଟ ଅତୀତରେ ଭାରତ ଠିକ୍ ଏହା ହିଁ କରି ଦେଖାଇଛି। ଭାରତ ଦୃଢ଼ତାର ସହ ଘୋଷଣା କରିଛି“ସୀମା ଭାଙ୍ଗନ୍ତୁ, ସମ୍ଭାବନାକୁ ସାକାର କରନ୍ତୁ” । ମୁଁ ଆପଣମାନଙ୍କୁ ଏହାର କିଛି ଉଦାହରଣ ଦେଉଛି। ଟିକିଏ ଚିନ୍ତା କରନ୍ତୁ, ପ୍ରାୟ ୨୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ଆମ ଦେଶରେ ଦାରିଦ୍ର୍ୟକୁ ଏକ ସ୍ଥାୟୀ ସମସ୍ୟା ବୋଲି ବିବେଚନା କରାଯାଉଥିଲା। ପାଞ୍ଚ ଦଶନ୍ଧି ପୂର୍ବେ ଲାଲକିଲ୍ଲାରୁ ଦାରିଦ୍ର୍ୟ ଦୂରୀକରଣର ସ୍ଲୋଗାନ୍ ଦିଆଯାଇଥିଲା। କିନ୍ତୁ ଏହାପରେ ଯେତେବେଳେ ନୀତିଗତ ସ୍ତରରେ କିଛି କରିବାର ଆବଶ୍ୟକତା ପଡ଼ୁଥିଲା, ସମଗ୍ର ବ୍ୟବସ୍ଥା କେବଳ ଫାଇଲ୍ ପ୍ରସ୍ତୁତ କରି ତାହାକୁ ପକାଇ ରଖୁଥିଲା।
ବନ୍ଧୁଗଣ,
ଏପରି ହେଉଥିଲା କାରଣ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଦାରିଦ୍ର୍ୟ କେବେ ଦୂର ହୋଇପାରିବ ନାହିଁ। ସେମାନେ ଭାବୁଥିଲେ, “ଜନସଂଖ୍ୟା ଏତେ ଅଧିକ, ପରିସ୍ଥିତି ସବୁବେଳେ ଏମିତି ହିଁ ରହିବ।” ଦାରିଦ୍ର୍ୟ ଦୂର କରିବା ପାଇଁ ଉପଯୁକ୍ତ ନୀତି ଲାଗୁ କରିବାର ସାହସ ମଧ୍ୟ କେହି ଦେଖାଇନଥିଲେ।
ବନ୍ଧୁଗଣ,
ଆମେ ସରକାରକୁ ଆସିବା ସମୟରେ ମଧ୍ୟ ପରିସ୍ଥିତି ସେହିପରି ଥିଲା। ମୁଁ ଲାଲକିଲ୍ଲାରୁ ଘୋଷଣା କରିଥିଲି ଯେ ଗରିବମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବି। ସଂସଦରେ କିଛି ଲୋକ ଏହାକୁ ନେଇ ଉପହାସ କରିଥିଲେ। ସେମାନେ କହିଥିଲେ, “କି ଏପରି ପ୍ରଧାନମନ୍ତ୍ରୀ, ଯିଏ ଲାଲକିଲ୍ଲାରୁ ଶୌଚାଳୟ ନିର୍ମାଣ କଥା କହୁଛନ୍ତି?” ଏପରି ଚିନ୍ତାଧାରା ରଖୁଥିବା ଲୋକମାନେ ଗରିବ ପରିବାର, ଗରିବ ମାଆ ଓ ଭଉଣୀମାନଙ୍କ ପାଇଁ ଶୌଚାଳୟର ଗୁରୁତ୍ୱ କେତେ ଅଧିକ, ତାହା ବୁଝିପାରିନଥିଲେ। ଏପରି ଚିନ୍ତାଧାରା ଯୋଗୁଁ ସମଗ୍ର ଦେଶ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହିଥିଲା। ଗତ ୧୨ ବର୍ଷ ମଧ୍ୟରେ ଆମେ ଏହି ମାନସିକତାରେ ପରିବର୍ତ୍ତନ ଆଣିଛୁ। ଆମେ ଗରିବମାନଙ୍କୁ ସଶକ୍ତ କରିଛୁ। ‘ସଶକ୍ତ କରିବା ପାଇଁ ଶକ୍ତି ପ୍ରଦାନ’ ମୋ ଜୀବନର ମାର୍ଗଦର୍ଶକ ସିଦ୍ଧାନ୍ତ ରହିଆସିଛି। ଆମେ ସେମାନଙ୍କୁ ସଶକ୍ତ କରିଛୁ। ସେମାନଙ୍କ ଜୀବନକୁ ସହଜ କରିବା ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଛୁ। ଆଜି ଦେଶ ଏହାର ପରିଣାମ ଦେଖୁଛି। ଆପଣମାନେ ନିଶ୍ଚିତ ଭାବେ ବିଶ୍ୱବ୍ୟାଙ୍କର ସଦ୍ୟତମ ରିପୋର୍ଟ ବିଷୟରେ ପଢ଼ିଥିବେ କିମ୍ବା ଶୁଣିଥିବେ। ବିଶ୍ୱବ୍ୟାଙ୍କ କହିଛି ଯେ ମାତ୍ର ୧୨ରୁ ୧୩ ବର୍ଷ ମଧ୍ୟରେ ଭାରତର ୫୦ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି।
ବନ୍ଧୁଗଣ,
ଏହା କୌଣସି ଛୋଟ ପରିବର୍ତ୍ତନ ନୁହେଁ। ଏହା ସେହି ମାନସିକତାର ପରିଣାମ, ଯାହା କହେ “ସୀମା ଭାଙ୍ଗନ୍ତୁ।”
ବନ୍ଧୁଗଣ,
ଆଉ ଏକ ଉଦାହରଣ ଦେଉଛି। ଯେତେବେଳେ ମୁଁ ସେମିକଣ୍ଡକ୍ଟର ମିଶନ୍ ଆରମ୍ଭ କଲି, ସେତେବେଳେ ଅନେକ ପ୍ରଶ୍ନ ଉଠିଥିଲା। “ଆମକୁ ଏବେ ଏହି ମିଶନ୍ର ଆବଶ୍ୟକତା କ’ଣ? ଅନ୍ୟ ଦେଶଗୁଡ଼ିକ ତ ଆଗରୁ ସେମିକଣ୍ଡକ୍ଟର ଉତ୍ପାଦନ କରୁଛନ୍ତି। ସାରା ବିଶ୍ୱରେ ଗତ ୫୦ ବର୍ଷ ଧରି ସେମିକଣ୍ଡକ୍ଟର ତିଆରି ହେଉଛି। ଏବେ ଆମେ ସେମିକଣ୍ଡକ୍ଟର ଉତ୍ପାଦନ କଲେ ଆମର କ’ଣ ଲାଭ ହେବ?” ଏହା ହେଉଛି ସୀମିତ ଚିନ୍ତାଧାରାର ଉଦାହରଣ।
ବନ୍ଧୁଗଣ,
ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରାୟ ୫୦ ବର୍ଷ ପୂର୍ବେ ଏକ କମ୍ପାନୀ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ କରିବାକୁ ଆସିଥିଲା। କିନ୍ତୁ ତାକୁ ଲାଲ୍ ସଙ୍କେତ ଦେଖାଇ ପ୍ରାୟତଃ ଫେରାଇ ଦିଆଯାଇଥିଲା। ମୁଁ ଜାଣେ, ଏହି କଥା ପାଇଁ କେହି ତାଳି ମାରିବେ ନାହିଁ। ଏହା ଲାଲ୍ ପତାକା ଦେଖାଉଥିବା ଲୋକମାନଙ୍କର କାର୍ଯ୍ୟ ଥିଲା। ଆଉ ଯେତେବେଳେ ମୁଁ ସେମିକଣ୍ଡକ୍ଟର ମିଶନ୍ ବିଷୟରେ କହିଲି, ସେତେବେଳେ ମଧ୍ୟ ଲୋକମାନେ କହିଲେ ଯେ ବହୁତ ବିଳମ୍ବ ହୋଇଗଲାଣି।
ବନ୍ଧୁଗଣ,
କିନ୍ତୁ ମୁଁ ଦୃଢ଼ ସଂକଳ୍ପବଦ୍ଧ ଥିଲି। ମୁଁ କହିଲି, “ବିଳମ୍ବ ହୋଇଥାଇପାରେ, କିନ୍ତୁ ଭାରତ କ’ଣ ଏମିତି ହାତବାନ୍ଧି ବସି ରହିବ?” ଆମେ କାର୍ଯ୍ୟ ଆରମ୍ଭ କଲୁ। ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଁ ନିଜେ ଅଧିକାରୀମାନଙ୍କ ସହ କାମ କରିଥିଲି। ଆଜି ମାତ୍ର ଚାରି ବର୍ଷ ମଧ୍ୟରେ ଦେଶରେ ଅନେକ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହୋଇଛି। ଭାରତ ଚିପ୍ ରପ୍ତାନି ମଧ୍ୟ ଆରମ୍ଭ କରିଛି। ଆପଣମାନଙ୍କ ମଧ୍ୟରୁ ଅନେକ ପୂର୍ବତନ ଛାତ୍ରଛାତ୍ରୀ ଏହି ଉତ୍ପାଦନ କେନ୍ଦ୍ରଗୁଡ଼ିକର ପରିଚାଳନା ଓ ନେତୃତ୍ୱ ନେଉଛନ୍ତି। ସେମାନେ ନେତୃତ୍ୱ ଦେବା ସହ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି। ମୋର ବିଶ୍ୱାସ କରନ୍ତୁ, ଆପଣମାନଙ୍କ ପାଇଁ ସବୁଠି ସୁଯୋଗ ରହିଛି। ଚିପ୍ଠାରୁ ଆରମ୍ଭ କରି ଜାହାଜ ପର୍ଯ୍ୟନ୍ତ ସବୁକିଛି ଏଠାରେ ନିର୍ମାଣ ହେବ ଏବଂ ଆପଣମାନଙ୍କ ପରି ଯୁବପିଢ଼ି ହିଁ ଏହା କରି ଦେଖାଇବେ। କିନ୍ତୁ ଟିକିଏ ଚିନ୍ତା କରନ୍ତୁ, ଯଦି ଆମେ ଏହା ଭାବିଥାଆନ୍ତୁ ଯେ ଅନ୍ୟ ଦେଶଗୁଡ଼ିକ ଆଗରୁ ଏହା କରୁଛନ୍ତି, ତେଣୁ ଆମେ ଚେଷ୍ଟା ମଧ୍ୟ କରିବା ଉଚିତ ନୁହେଁ, ତେବେ ଆଜି ଏସବୁ ସମ୍ଭବ ହୋଇପାରିନଥାନ୍ତା।
ବନ୍ଧୁଗଣ,
ଆଉ ଏକ ଶକ୍ତିଶାଳୀ ଉଦାହରଣ ହେଉଛି ମହାକାଶ କ୍ଷେତ୍ର। ପୂର୍ବରୁ ଇସ୍ରୋରେ ଏକ ସୀମିତ ବ୍ୟବସ୍ଥା ଥିଲା, ଯେଉଁଠାରେ ପ୍ରବେଶ କରିବା ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। କୌଣସି ଉତ୍କ୍ଷେପଣ କିମ୍ବା ନୂତନ ଅଭିଯାନ ପାଇଁ ଏକ କଠୋର ବ୍ୟବସ୍ଥା ମଧ୍ୟରେ ଗତି କରିବାକୁ ପଡ଼ୁଥିଲା। ଇସ୍ରୋ ବାହାରେ ଥିବା ଯୁବପିଢ଼ିଙ୍କୁ ମଧ୍ୟ ସୁଯୋଗ ମିଳୁନଥିଲା। ମୁଁ ମନ୍ତ୍ରଣାଳୟକୁ କହିଥିଲି ଯେ ଆମର ଯୁବ ନବସୃଜନକାରୀମାନଙ୍କୁ ଏହି କ୍ଷେତ୍ରରେ ସୁଯୋଗ ମିଳିବା ଉଚିତ। ଆମେ ଭାରତର ମହାକାଶ କ୍ଷେତ୍ରକୁ ଦେଶର ଯୁବପିଢ଼ିଙ୍କ ପାଇଁ ଉନ୍ମୁକ୍ତ କରିଦେଲୁ। ଆଜି ଏହାର ପରିଣାମ ଦେଖନ୍ତୁ। ଆଇଆଇଟି ଖଡ଼ଗପୁରର ପୂର୍ବତନ ଛାତ୍ର ପବନ, ତାଙ୍କର କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ମାଧ୍ୟମରେ ଭାରତକୁ ପ୍ରଥମ ଘରୋଇ ରକେଟ୍ ଉତ୍କ୍ଷେପଣ କରିବାର ଗୌରବ ପ୍ରଦାନ କରିଛନ୍ତି। ଆଜି ଏପରି ଅନେକ ମହାକାଶ ଷ୍ଟାର୍ଟଅପ୍ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ଗତି ପ୍ରଦାନ କରୁଛନ୍ତି। ଏକଦା ଯାହା ଅସମ୍ଭବ ମନେ ହେଉଥିଲା, ଆଜି ତାହା ସମ୍ଭବ ହୋଇଛି। ଆଜି ତାହା ବାସ୍ତବତାରେ ପରିଣତ ହୋଇଛି। ମୁଁ ଗର୍ବର ସହ କହିପାରେ ଯେ ଅସମ୍ଭବକୁ ସମ୍ଭବ କରିବାରେ ଆପଣମାନଙ୍କ ପୂର୍ବତନ ଛାତ୍ରଛାତ୍ରୀମାନେ ବଡ଼ ଯୋଗଦାନ ଦେଇଛନ୍ତି।
ବନ୍ଧୁଗଣ,
ଦେଶର ଆପଣମାନଙ୍କଠାରୁ ବହୁତ ଆଶା ରହିଛି। ଆଗାମୀ ଦୁଇ ଦଶନ୍ଧି ଆପଣମାନଙ୍କ ଜୀବନର ସବୁଠାରୁ ଉତ୍ପାଦନଶୀଳ ବର୍ଷ ମଧ୍ୟରୁ ଅନ୍ୟତମ ହେବ। ୨୦୪୭ ମସିହା ସୁଦ୍ଧା ଆପଣମାନଙ୍କ ମଧ୍ୟରୁ ଅନେକ ନେତୃତ୍ୱଦାୟୀ ପଦବୀରେ ରହିଥିବେ। ଏହି ବର୍ଷଗୁଡ଼ିକ ଭାରତର ବିକାଶ ପାଇଁ ମଧ୍ୟ ସବୁଠାରୁ ନିର୍ଣ୍ଣାୟକ ସମୟ ହେବ। ତେଣୁ ଆପଣମାନଙ୍କର ପ୍ରତ୍ୟେକ ସଫଳତା ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଆପଣମାନେ ନିଜକୁ ସବୁବେଳେ ଏହି ପ୍ରଶ୍ନ ପଚାରନ୍ତୁ,ଦେଶ ସମ୍ମୁଖରେ ଥିବା କେଉଁ ଆହ୍ୱାନର ସମାଧାନ କରିବାରେ ଆପଣମାନେ ଯୋଗଦାନ ଦେବାକୁ ଚାହୁଁଛନ୍ତି? ମୋର ମନ୍ତ୍ରକୁ ମନେ ରଖନ୍ତୁ, ବନ୍ଧୁଗଣ—‘ରାଷ୍ଟ୍ର ସର୍ବପ୍ରଥମ’ । ଆପଣମାନେ ଯେତେବେଳେ ଏହି ମାନସିକତା ନେଇ ଆଗକୁ ବଢ଼ିବେ, ତାହା ନିଶ୍ଚିତ ଭାବେ ଆପଣମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ସହ ଦେଶକୁ ମଧ୍ୟ ବହୁତ ଲାଭ ପହଞ୍ଚାଇବ।
ବନ୍ଧୁଗଣ,
ବିଗତ ୭୫ ବର୍ଷ ମଧ୍ୟରେ ଆପଣମାନେ ଅସାଧାରଣ କାର୍ଯ୍ୟ କରିଛନ୍ତି। ଏବେ ଆପଣମାନେ ଏହି ସଂକଳ୍ପ ନେଇ ଆଗକୁ ବଢ଼ିବା ଉଚିତ ଯେ, ଯେତେବେଳେ ଆଇଆଇଟି ଖଡ଼ଗପୁର ନିଜର ୧୦୦ତମ ବର୍ଷ ପାଳନ କରିବ, ସେତେବେଳେ ତାହା ଏକ ବିକଶିତ ଭାରତରେ ଅନୁଷ୍ଠିତ ହେବ। ୧୯୨୫ରୁ ୧୯୨୭ ମସିହା ମଧ୍ୟରେ ଏହି ମାଟିରେ ବନ୍ଦୀ ଥିବା ସ୍ୱାଧୀନତା ସଂଗ୍ରାମୀମାନେ ଦେଶକୁ ସ୍ୱାଧୀନ କରିବାର ସଂକଳ୍ପ ନେଇଥିଲେ ଏବଂ ମାତ୍ର ୨୦ ବର୍ଷ ମଧ୍ୟରେ ସେମାନେ ଏହାକୁ ସାକାର କରିଥିଲେ। ଆଜି ଆସନ୍ତୁ, ଆମେ ମଧ୍ୟ ଏହି ସ୍ଥାନରୁ ଏକ ସଂକଳ୍ପ ନେବା ଯେ ଆଗାମୀ ୨୦ ବର୍ଷ ମଧ୍ୟରେ ଆମେ ଏକ ବିକଶିତ ଭାରତ ଗଢ଼ିବା। ଆମେ ଏହା ନିଶ୍ଚିତ ଭାବେ କରି ଦେଖାଇବା। ଏଥିପାଇଁ ଆମେ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିବା ଏବଂ ନିରନ୍ତର ପରିଶ୍ରମ କରିବା। ଆଜି ମୁଁ ବଙ୍ଗଳାର ମାଟିରେ ଉପସ୍ଥିତ ଥିବାରୁ ସ୍ୱାମୀ ବିବେକାନନ୍ଦଙ୍କ ଏହି ମହାନ ବାଣୀ ସହିତ ମୋର ଅଭିଭାଷଣ ଶେଷ କରିବାକୁ ଚାହୁଁଛି—“ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଅଟକି ରୁହ ନାହିଁ।” ଏହି ବିଶେଷ ଅବସରରେ ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।
ବହୁତ ବହୁତ ଧନ୍ୟବାଦ।
ନମସ୍କାର।
ଅସ୍ୱୀକରଣ: ଏହା ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଏକ ଆନୁମାନିକ ଅନୁବାଦ। ମୂଳ ଅଭିଭାଷଣ ହିନ୍ଦୀ ଭାଷାରେ ପ୍ରଦାନ କରାଯାଇଥିଲା।
******
SPD