ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ଯୁବ ମନ ଯାହା ହାସଲ କରିପାରେ, ତାହାର କୌଣସି ସୀମା ନାହିଁ : ପ୍ରଧାନମନ୍ତ୍ରୀ

ଆଜି ଆମେ ବିକଶିତ ଭାରତର ଲକ୍ଷ୍ୟ ଆଡ଼କୁ ଆଗେଇ ଚାଲିବା ବେଳେ ଆଇଆଇଟି ଖଡ଼ଗପୁରର ୭୫ ବର୍ଷର ଅଭିଜ୍ଞତା ଦେଶର ବିକାଶ ଓ ଉଦ୍ଭାବନ ପରିଚୟରେ ବହୁତ ବଡ଼ ଭୂମିକା ଗ୍ରହଣ କରିବ : ପ୍ରଧାନମନ୍ତ୍ରୀ

ରାଷ୍ଟ୍ରଗୁଡ଼ିକ ସେମାନଙ୍କର ପ୍ରକୃତ ସାମର୍ଥ୍ୟ ସେତେବେଳେ ଅନୁଭବ କରନ୍ତି ଯେତେବେଳେ ସେମାନେ ସେମାନଙ୍କର ଚିନ୍ତାଧାରାର ସୀମା ଭାଙ୍ଗିଥାନ୍ତି ; ଗତ କିଛି ବର୍ଷ ଧରି, ଭାରତ ସ୍ପଷ୍ଟ ଭାବରେ ଘୋଷଣା କରିଛି, "ସୀମା ଭାଙ୍ଗନ୍ତୁ , ସମ୍ଭାବନାର ଦ୍ଵାର ଖୋଲି ଦିଅନ୍ତୁ" : ପ୍ରଧାନମନ୍ତ୍ରୀ

ଯେତେବେଳେ ଆପଣ 'ରାଷ୍ଟ୍ର ପ୍ରଥମ' ମନୋଭାବ ନେଇ ଆଗେଇବେ, ଏହା ନିଶ୍ଚିତ ଭାବେ ଆପଣଙ୍କ ପାଇଁ ନୂଆ ସୁଯୋଗ ଖୋଲିବ ଏବଂ ଦେଶକୁ ମଧ୍ୟ ଅପାର ଲାଭ ଦେବ : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 NOV 2026 1:36PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ସ୍ଥିତ ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସମ୍ମୁଖରେ ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହ ଜଡ଼ିତ ଏକ ପ୍ରତିଭାବାନ, ଆକାଂକ୍ଷୀ ପିଢ଼ି ଉପସ୍ଥିତ ଅଛନ୍ତି। ସେମାନେ ଏହି ପ୍ରତିଷ୍ଠାନର ୭୫ ବର୍ଷର ଯାତ୍ରାର ଉତ୍ସବକୁ ପାଳନ କରିବା ଓ ଏହାର ଐତିହ୍ୟକୁ ସମ୍ମାନ ଦେବାକୁ ଏକତ୍ର ହୋଇଛନ୍ତି। ୭୫ ବର୍ଷ ମଧ୍ୟରେ ଆଇଆଇଟି ଖଡ଼ଗପୁର ସୃଷ୍ଟି କରିଥିବା ଅନେକ ମାଇଲଖୁଣ୍ଟ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ଏହି ସମୟରେ ଭାରତ ଶଗଡଗାଡ଼ିରୁ ବୁଲେଟ୍ ଟ୍ରେନ୍ ଏବଂ ଡାକ ଚିଠିରୁ ସୋସିଆଲ୍ ମିଡିଆ ବାର୍ତ୍ତା ପର୍ଯ୍ୟନ୍ତ ବ୍ୟାପକ ପରିବର୍ତ୍ତନ ଦେଖିଛି। ଦେଶର ପ୍ରଥମ ଆଇଆଇଟି ଭାବେ ଏହି ପ୍ରତିଷ୍ଠାନ ପ୍ରତ୍ୟେକ ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ଏଠାରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ସମସ୍ତ କର୍ମଚାରୀ ଏବଂ ଆଇଆଇଟି ଖଡ଼ଗପୁରର ସମସ୍ତ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ହୃଦୟର ସହ ଅଭିନନ୍ଦନ ଜଣାଇଥିଲେ।

କ୍ୟାମ୍ପସ୍ ଜୀବନର କିଛି ସ୍ମୃତି ସବୁଦିନ ପାଇଁ ରହିଯାଏ ବୋଲି ମନେ ପକାଇ ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ଅନେକ ପୂର୍ବତନ ଛାତ୍ର ଦଶନ୍ଧି ପରେ ମଧ୍ୟ ଚେଦିଜ୍ ରେ ଚା' ପିଉ ପିଉ ହୋଇଥିବା ଆଲୋଚନାକୁ ଶ୍ରଦ୍ଧାର ସହ ମନେ ପକାନ୍ତି। ଏବଂ ଅନ୍ୟ ପ୍ରତିଷ୍ଠାନର ହଷ୍ଟେଲ ପରି, ଆଇଆଇଟି ଖଡ଼ଗପୁରରେ ହଲ୍ ଅଛି ଯାହାକୁ ନେଇ ପ୍ରତ୍ୟେକ ଛାତ୍ର ଗର୍ବିତ ବୋଲି ସେ ଉଲ୍ଲେଖ କରିଥିଲେ। ନିକଟରେ ହୋଇଥିବା ଦୀପାବଳି ଉତ୍ସବ ପ୍ରସଙ୍ଗରେ ସେ କହିଥିଲେ ଯେ , ଆଇଆଇଟି ଖଡ଼ଗପୁରରେ ଦୀପାବଳିର ଉତ୍ସାହ ଅନନ୍ୟ ବୋଲି ତାଙ୍କୁ ସୂଚନା ମିଳିଛି। ଏଠାକାର ଆଲୋକସଜ୍ଜାର ନିଜସ୍ୱ ଆକର୍ଷଣ ଅଛି ଯାହା ବିଭିନ୍ନ ହଲ୍ ମଧ୍ୟରେ ପ୍ରତିଯୋଗିତା ଯୋଗୁଁ ଆହୁରି ବିଶେଷ ହୋଇଯାଏ। "ଏଥର ଏହି ପ୍ରତିଯୋଗିତାରେ କେଉଁ ହଲ୍ ଜିତିଥିଲା?" ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପଚାରିଥିଲେ।

ବଙ୍ଗ ହେଉଛି ସେହି ଭୂମି  ଯେଉଁଠି ଚିନ୍ତାଧାରା ଶକ୍ତି ପାଇଥିଲା ଓ ଜାତୀୟ ଆନ୍ଦୋଳନ ଜନ୍ମ ନେଇଥିଲା ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ। ଆଇଆଇଟି ଖଡ଼ଗପୁର ସେହି ସ୍ଥାନରେ ଅବସ୍ଥିତ, ଯେଉଁଠାରେ ପୂର୍ବେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ବନ୍ଦୀ ଶିବିର ରହିଥିଲା। ଅନେକ ଦଶନ୍ଧି ପୂର୍ବେ ଏହି ସ୍ଥାନ ଭାରତୀୟମାନଙ୍କର ସେହି ଅଦମ୍ୟ ସାହସର ସାକ୍ଷୀ ହୋଇଥିଲା, ଯେଉଁମାନେ ସ୍ୱରାଜ ଚାହୁଁଥିଲେ ଏବଂ ଭାରତକୁ ଶିଖରରେ ଦେଖିବାକୁ ଆଶା ରଖିଥିଲେ। ଏହି  କ୍ୟାମ୍ପସ୍ ଆଜି ଏପରି ଯୁବ ପ୍ରତିଭାଙ୍କୁ ପ୍ରସ୍ତୁତ କରୁଛି ଯେଉଁମାନଙ୍କର ଉଦ୍ଭାବନ ଓ ଚିନ୍ତାଧାରା ଭାରତକୁ ଆତ୍ମନିର୍ଭର କରିବାର ଶକ୍ତି ପାଲଟୁଛି । ସେ ଅତୀତର ସ୍ୱରାଜର ଆକାଂକ୍ଷା ଓ ସ୍ୱାଧୀନତାର ସ୍ୱପ୍ନକୁ ଆଜିର ଆତ୍ମନିର୍ଭରତାର ସଂକଳ୍ପ ଓ ଭବିଷ୍ୟତ ଗଢ଼ିବାର ସୁଯୋଗ ସହ ତୁଳନା କରିଥିଲେ। ଆକାଂକ୍ଷାରୁ ଆତ୍ମନିର୍ଭରତା ପର୍ଯ୍ୟନ୍ତ ଏହି ଯାତ୍ରା ହିଁ ବିକଶିତ ଭାରତ ନିର୍ମାଣର ପ୍ରକୃତ ଶକ୍ତି ବୋଲି ଶ୍ରୀ ମୋଦୀ ଦୃଢ଼ତାର ସହ କହିଥିଲେ।

ନୂତନ ଭାବେ ସ୍ୱାଧୀନ ହୋଇଥିବା ଭାରତରେ, ପ୍ରଥମ ସାଧାରଣ ନିର୍ବାଚନ ହେବା ପୂର୍ବରୁ, ଯେତେବେଳେ ଦେଶକୁ ଶିଳ୍ପ ଓ ଭିତ୍ତିଭୂମି ପାଇଁ ଇଞ୍ଜିନିୟରଙ୍କ ଆବଶ୍ୟକତା ଥିଲା, ସେତେବେଳେ ଆଇଆଇଟି ଖଡ଼ଗପୁର ପ୍ରତିଷ୍ଠା ହୋଇଥିଲା। ଏହାର ସ୍ଥାପନା ଠାରୁ ଆରମ୍ଭ କରି ଏହାର ଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତର ବୈଜ୍ଞାନିକ କ୍ଷମତା ବଢ଼ିବା ସହ ଏହାର ସ୍ନାତକମାନେ ମହାକାଶ ଓ ପରମାଣୁ ଶକ୍ତି କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି। ଏବଂ ପରେ ଭାରତର ସଫ୍ଟୱେର୍ ଶିଳ୍ପକୁ ସୁଦୃଢ଼ କରିଛନ୍ତି ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଓ ବିଶ୍ୱ ଅର୍ଥନୀତିରେ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକର ନେତୃତ୍ୱ ନେଇଛନ୍ତି। ପ୍ରତିଷ୍ଠାନ ପ୍ରତ୍ୟେକ ସମୟରେ ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ନିର୍ବାହ କରିବାକୁ ଲଗାତାର ଆଗକୁ ଆସିଛି। ଦେଶ ବିକଶିତ ଭାରତ ଆଡ଼କୁ ଆଗେଇ ଚାଲିଥିବା ବେଳେ ଏହାର ୭୫ ବର୍ଷର ଅଭିଜ୍ଞତା ଦେଶର ବିକାଶ ଓ ଉଦ୍ଭାବନ ପରିଚୟରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଗୁରୁତ୍ୱାରୋପ କରି ସେ ଛାତ୍ରଛାତ୍ରୀଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକାଶ କରିଥିଲେ। “ଆଜିର ଆକାଂକ୍ଷୀ ଭାରତର ସ୍ୱପ୍ନ ପୂରଣ କରିବାରେ ଛାତ୍ରଛାତ୍ରୀମାନେ କୌଣସି ଅଭାବ ରଖିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ ଭାବେ କହିଥିଲେ”।

ଜଣେ କେତେ ଶୀଘ୍ର ସନ୍ତୁଷ୍ଟ ହୋଇ ବସିଯାଏ ସେଥିରୁ ନୁହେଁ, ବରଂ ପ୍ରତିବନ୍ଧକଗୁଡ଼ିକୁ ମୁକାବିଲା କରିବାର ସାହସ ଦ୍ୱାରା ଜଣେ ବ୍ୟକ୍ତିର କ୍ଷମତା ନିର୍ଣ୍ଣୟ କରାଯାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଲୋକମାନେ ପ୍ରାୟତଃ ନିଜ ଚିନ୍ତାଧାରାକୁ ସୀମାବଦ୍ଧ କରନ୍ତି, ଯାହାକୁ ସୀମିତ ବିଶ୍ୱାସ କୁହାଯାଏ। ଯାହା ସେମାନଙ୍କର ସ୍ୱପ୍ନ, ପ୍ରତିଭା ଏବଂ ସେମାନଙ୍କ ଦେଶର କ୍ଷମତାକୁ ସୀମିତ କରିଥାଏ, ଏହି  ସୀମିତ  ଚିନ୍ତାଧାରା ମଧ୍ୟ ସେମାନଙ୍କୁ କ’ଣ ସମ୍ଭବ ଏବଂ କ’ଣ ନୁହେଁ ତାହା ନିଜେ ନିଷ୍ପତ୍ତି ନେବାକୁ ପ୍ରବର୍ତାଇ ଥାଏ। "ଆମେ ଶେଷରେ ଆମ ନିଜ ଚିନ୍ତାଧାରାର ସୀମାକୁ ହିଁ ବିଶ୍ୱର ସୀମା ବୋଲି ମାନିନେଉ," ବୋଲି ଶ୍ରୀ ମୋଦୀ ମତ ଦେଇଥିଲେ।

ଭାରତ ଯେପରି ନିକଟ ଅତୀତରେ ଦର୍ଶାଇଛି, ସେହି ଅନୁସାରେ ରାଷ୍ଟ୍ରଗୁଡ଼ିକ କେବଳ ନିଜ ଚିନ୍ତାଧାରାର ସୀମା ଅତିକ୍ରମ କଲେ ହିଁ ନିଜର ପ୍ରକୃତ କ୍ଷମତାକୁ ହୃଦୟଙ୍ଗମ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ, "ଭାରତ ସାହସର ସହ ଘୋଷଣା କରିଛି : ସୀମାଗୁଡ଼ିକୁ ଭାଙ୍ଗି ଦିଅନ୍ତୁ ଏବଂ ସମ୍ଭାବନାଗୁଡ଼ିକ ପାଇଁ ଦ୍ୱାର ଖୋଲି ଦିଅନ୍ତୁ।"

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୧୨ ବର୍ଷ ମଧ୍ୟରେ ସରକାର ଗରିବଙ୍କୁ ସୁଦୃଢ଼ ଓ ସଶକ୍ତ କରି ଏବଂ ସେମାନଙ୍କର ଜୀବନଯାପନର ସୁବିଧା ପାଇଁ ଯୋଜନା ଆରମ୍ଭ କରି ସେହି ମାନସିକତାକୁ ବଦଳାଇଛନ୍ତି, ଯାହାର ଫଳ ଆଜି ଦୃଶ୍ୟମାନ। ବିଶ୍ୱ ବ୍ୟାଙ୍କର ସାମ୍ପ୍ରତିକ ରିପୋର୍ଟ, ଯେଉଁଥିରେ କୁହାଯାଇଛି ଯେ ଭାରତରେ ମାତ୍ର ୧୨ ରୁ ୧୩ ବର୍ଷରେ ୫୦ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଛନ୍ତି ତାହାକୁ ଉଲ୍ଲେଖ କରି ସେ ଏହି ସଫଳତାର ଗୁରୁତ୍ୱକୁ ରେଖାଙ୍କିତ କରିଥିଲେ। "ଏହା କୌଣସି ଛୋଟ ପରିବର୍ତ୍ତନ ନୁହେଁ ; ଏହା ସେହି ମାନସିକତାର ପରିଣାମ, ଯାହା କୁହେ ଯେ ସୀମାକୁ  ଭାଙ୍ଗି ଦିଅନ୍ତୁ” ।

ସେମିକଣ୍ଡକ୍ଟର ମିଶନକୁ ଆଉ ଏକ ଉଦାହରଣ ଭାବେ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏହା ଆରମ୍ଭ ହେବା ବେଳେ ଅନେକ ପ୍ରଶ୍ନ ଉଠିଥିଲା। ଯେପରିକି ଅନ୍ୟ ଦେଶ ୫୦ ବର୍ଷ ଧରି ସେମିକଣ୍ଡକ୍ଟର ତିଆରି କରୁଛନ୍ତି, ତେବେ ଏବେ ଏଠାରେ ତିଆରି କରିବାର ଆବଶ୍ୟକତା କ'ଣ, ଏବଂ ଭାରତ ଏବେ କ'ଣ ହାସଲ କରିପାରିବ। "ସେଥିପାଇଁ, ଯେତେବେଳେ ମୁଁ ସେମିକଣ୍ଡକ୍ଟର ମିଶନ ବିଷୟରେ କହିଲି, ଲୋକେ କହିଲେ ଏବେ ବହୁତ ଡେରି ହୋଇଗଲା" ବୋଲି ଶ୍ରୀ ମୋଦୀ କହିଥିଲେ।

ସେ ଦୃଢ଼ ସଂକଳ୍ପରେ ଅଟଳ ରହିଥିଲେ ବୋଲି ମତ ଦେଇଥିଲେ।  ପୂର୍ବରୁ ବିଳମ୍ଵ ହୋଇଥିବାରୁ ଭାରତ ହାତ ଉପରେ ହାତ ରଖି ବସିରହିବା ଉଚିତ କି ବୋଲି ପ୍ରଶ୍ନ କରି ପ୍ରଧାନମନ୍ତ୍ରୀ ନିଜେ ଅଧିକାରୀମାନଙ୍କୁ ଏକତ୍ର କରିବା ସହିତ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିବାର କଥା ମନେ ପକାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଚାରି ବର୍ଷ ମଧ୍ୟରେ ଦେଶ ସାରା ଅନେକ ସେମିକଣ୍ଡକ୍ଟର ୟୁନିଟ୍ ଆରମ୍ଭ ହୋଇଛି । ଭାରତ ଚିପ୍ ରପ୍ତାନି ଆରମ୍ଭ କରିଛି, ଏବଂ ଆଇଆଇଟି ଖଡ଼ଗପୁରର ପୂର୍ବତନ ଛାତ୍ରମାନେ ଏହି ଅନେକ ୟୂନିଟ୍ ର ନେତୃତ୍ୱ ନେଉଛନ୍ତି ଓ ସେଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି। "କିନ୍ତୁ ଭାବନ୍ତୁ, ଯଦି ଆମେ ଏହା ମାନି ନେଇଥାନ୍ତୁ ଯେ 'ଅନ୍ୟ ସ୍ଥାନରେ ତ କାମ ହୋଇସାରିଛି, ତେବେ ଆମେ ବର୍ତ୍ତମାନ କାହିଁକି ସେମିକଣ୍ଡକ୍ଟର ତିଆରି କରିବା?' - ତେବେ କିଛି ବି ହୋଇପାରି ନଥାନ୍ତା," ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

ମହାକାଶ କ୍ଷେତ୍ରକୁ ଆଉ ଏକ ଶକ୍ତିଶାଳୀ ଉଦାହରଣ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ମହାକାଶ ବ୍ୟବସ୍ଥା ପୂର୍ବରୁ ଇସ୍ରୋ ମଧ୍ୟରେ ସୀମିତ ଥିଲା। ଯେଉଁଠାରେ ପ୍ରବେଶ ପ୍ରାୟତଃ ସୀମିତ ଥିଲା ଏବଂ ପ୍ରତ୍ୟେକ ଉତକ୍ଷେପଣ ବା ମିଶନ ନିଜସ୍ୱ ଭିନ୍ନ ବ୍ୟବସ୍ଥା ଅନୁସରଣ କରୁଥିଲା। ଫଳରେ ସଂସ୍ଥା ବାହାରେ ଥିବା ଯୁବ ପ୍ରତିଭାଙ୍କ ପାଇଁ ବହୁତ କମ୍ ସୁଯୋଗ ଥିଲା। ଯୁବ ଉଦ୍ଭାବକମାନଙ୍କୁ ସୁଯୋଗ ମିଳିବା ଉଚିତ ବୋଲି ସେ ମନ୍ତ୍ରଣାଳୟକୁ କହିଥିବା ଏବଂ ଭାରତର ମହାକାଶ କ୍ଷେତ୍ରକୁ ଯୁବକମାନଙ୍କ ପାଇଁ ଖୋଲିଦେଇଥିବା କଥା ମନେ ପକାଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଆଇଆଇଟି ଖଡ଼ଗପୁରର ପୂର୍ବତନ ଛାତ୍ର ପବନ ସ୍କାଏରୁଟ୍ ଏରୋସ୍ପେସ୍ ଗଢ଼ି ଭାରତକୁ ଏହାର ପ୍ରଥମ ବେସରକାରୀ ରକେଟ୍ ଉତକ୍ଷେପଣର ଗୌରବ ଦେଇଛନ୍ତି। ଏବଂ ଆହୁରି ଅନେକ ମହାକାଶ ଷ୍ଟାର୍ଟଅପ୍ ଆଜି ଭାରତର ମହାକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛନ୍ତି ଏବଂ ଯାହା ଥରେ ଅସମ୍ଭବ ଲାଗୁଥିଲା ତାହାକୁ ବାସ୍ତବ କରୁଛନ୍ତି। "ମୁଁ ଗର୍ବର ସହ କହିପାରେ ଯେ ଏହି ଅସମ୍ଭବକୁ ସମ୍ଭବ କରିବାରେ ଏହି ଅନୁଷ୍ଠାନର ପୂର୍ବତନ ଛାତ୍ରମାନେ ବହୁତ ବଡ଼ ଅବଦାନ ଦେଇଛନ୍ତି"।

ଆଗାମୀ ଦୁଇ ଦଶକ ସେମାନଙ୍କ ଜୀବନର ସବୁଠାରୁ ଉତ୍ପାଦକ ବର୍ଷ ଏବଂ ଭାରତର ବିକାଶର ସବୁଠାରୁ ନିର୍ଣ୍ଣାୟକ ବର୍ଷମାନଙ୍କ ମଧ୍ୟରେ ରହିବ। ତେଣୁ ଦେଶର ଛାତ୍ରଛାତ୍ରୀଙ୍କ ଠାରୁ ବହୁତ ଆଶା ଅଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସେମାନଙ୍କ ମଧ୍ୟରୁ ଅନେକେ ୨୦୪୭ ସୁଦ୍ଧା ନେତୃତ୍ୱ ପଦବୀରେ ରହିବେ। ତେଣୁ ସେମାନଙ୍କର ପ୍ରତ୍ୟେକ ସଫଳତା ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ସେମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ସବୁବେଳେ ନିଜକୁ ପଚାରନ୍ତୁ କେଉଁ ଜାତୀୟ ଆହ୍ବାନର ସମାଧାନରେ ସେମାନେ ଅବଦାନ ଦେବାକୁ ଚାହିଁବେ।ଏବଂ ତାଙ୍କର ମନ୍ତ୍ର 'ରାଷ୍ଟ୍ର ପ୍ରଥମ' କୁ ମନେ ରଖନ୍ତୁ। "ଯେତେବେଳେ ଆପଣ ଏହି ମନୋଭାବ ନେଇ ଆଗେଇବେ, ସେତେବେଳେ ନିଶ୍ଚିତ ଭାବେ ଏହା ଆପଣଙ୍କ ପାଇଁ ମଧ୍ୟ ନୂଆ ସୁଯୋଗ ଆଣିବ ଏବଂ ଦେଶ ମଧ୍ୟ ଅପାର ଲାଭବାନ ହେବ"।

ଗତ ୭୫ ବର୍ଷର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରି ଏବଂ କଠିନ ପରିଶ୍ରମ କରିବାର ଦୃଢ଼ ସଂକଳ୍ପ ସହ ଆଗେଇ ବିକଶିତ ଭାରତରେ ପ୍ରତିଷ୍ଠାନର ୧୦୦ ବର୍ଷର ଉତ୍ସବ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସେ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ 'ଉଠ, ଜାଗ୍ରତ ହୁଅ, ଏବଂ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଅଟକି ଯାଅ ନାହିଁ' ବୋଲି କହିବା ହହିତ ନିଜ ଭାଷଣ ସମାପ୍ତ କରିଥିଲେ।

*****

SSP


 

 


(ରିଲିଜ ଆଡି: 2339812) ପରିଦର୍ଶକ କାଉଣ୍ଟର : 5