ପୋଷ୍ଟ କରାଯିବା ଦିନାଙ୍କ:
05 NOV 2026 6:22PM by PIB Bhubaneswar
ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ମନସୁଖ ମାଣ୍ଡଭିୟ , ରକ୍ଷା ଖଡସେ , ଭାରତୀୟ ପାରାଲିମ୍ପିକ୍ କମିଟି ଏବଂ ଜାତୀୟ କ୍ରୀଡ଼ା ମହାସଂଘର ସମସ୍ତ ପ୍ରତିନିଧି, ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି, ପଦକ ବିଜେତା ସମସ୍ତ କ୍ରୀଡ଼ାବିତ୍, ମହିଳା ଏବଂ ସଜ୍ଜନ।
ଆପଣମାନଙ୍କ ସମସ୍ତଙ୍କୁ ଭେଟିବା ପାଇଁ ମୁଁ ଅତ୍ୟନ୍ତ ଉତ୍ସୁକ ଥିଲି। ମାତ୍ର କିଛି ସପ୍ତାହ ପୂର୍ବରୁ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଖେଳାଳିମାନଙ୍କୁ ଭେଟିଥିଲି। ଏବେ ଏସୀୟ ପାରା କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଆପଣମାନଙ୍କ ଭଳି ଉତ୍ସାହୀ ସାଥୀମାନଙ୍କୁ ଭେଟିବାର ସୁଯୋଗ ପାଇଛି। ଆପଣମାନଙ୍କ ଚମତ୍କାର ପ୍ରଦର୍ଶନ ପ୍ରମାଣିତ କରୁଛି ଯେ ଆଜି କ୍ରୀଡ଼ା ଜଗତରେ ଭାରତ ଏକ ବଡ଼ ଶକ୍ତି ଭାବେ ଦ୍ରୁତ ଗତିରେ ଉଭା ହେଉଛି। ଏତେ ବଡ଼ ମଞ୍ଚରେ ଆପଣମାନେ କେବଳ ପଦକ ଜିତିନାହାନ୍ତି, ବରଂ କୋଟି କୋଟି ଦେଶବାସୀଙ୍କ ହୃଦୟ ମଧ୍ୟ ଜିତିଛନ୍ତି। ଆପଣ ସମସ୍ତ ପାରା କ୍ରୀଡ଼ାବିତ୍ ପୁଣିଥରେ ପ୍ରମାଣ କରିଦେଇଛନ୍ତି ଯେ ସବୁଠାରୁ ଉଚ୍ଚ ଉଡ଼ାଣ ଦୃଢ଼ ମନୋବଳ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ମୁଁ ୧୪୦ କୋଟି ଦେଶବାସୀଙ୍କ ପକ୍ଷରୁ ଆପଣ ସମସ୍ତ ଖେଳାଳିଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି।
ଆପଣମାନଙ୍କ ଏହି ସଫଳତା ପଛରେ ଆପଣଙ୍କ ପରିବାର, ପ୍ରଶିକ୍ଷକ ଏବଂ କୋଚ୍ମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୁଁ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି। ମୁଁ ପୂର୍ବରୁ ମଧ୍ୟ କହିଛି ଯେ ଜଣେ ସାଧାରଣ କ୍ରୀଡ଼ାବିତ୍ଙ୍କ ପାଇଁ ଯେତିକି ପରିଶ୍ରମ ଜଣେ କୋଚ୍ଙ୍କୁ କରିବାକୁ ପଡ଼େ, ପାରାଲିମ୍ପିକ୍ କ୍ରୀଡ଼ାବିତ୍ଙ୍କୁ ପ୍ରସ୍ତୁତ କରିବା ପାଇଁ ତା’ଠାରୁ ଅନେକ ଗୁଣ ଅଧିକ ପରିଶ୍ରମ କରିବାକୁ ପଡ଼େ। ସେତେବେଳେ ଯାଇ ସଫଳତାର ରଙ୍ଗ ବିଛୁରିତ ହୁଏ। ତେଣୁ ମୁଁ ସେମାନଙ୍କୁ ବିଶେଷ ଭାବେ ଅଭିନନ୍ଦନ ଓ ସମ୍ମାନ ଜଣାଉଛି।
ବନ୍ଧୁଗଣ,
ଏକ ସମୟ ଥିଲା, ଯେତେବେଳେ ଅଧିକାଂଶ କ୍ରୀଡ଼ାରେ ଭାରତର ଅଂଶଗ୍ରହଣକୁ କେବଳ ଏକ ଔପଚାରିକତା ବୋଲି ବିବେଚନା କରାଯାଉଥିଲା। ପାରା କ୍ରୀଡ଼ା କ୍ଷେତ୍ରରେ ତ ଆମ ଦେଶର ସ୍ଥିତି ଆହୁରି ପଛରେ ଥିଲା। ୨୦୧୦ ମସିହାର ଏସୀୟ ପାରା କ୍ରୀଡ଼ାରେ ଭାରତ ମାତ୍ର ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିଲା। ସମୁଦାୟ ମାତ୍ର ୧୪ଟି ପଦକ ଆମକୁ ମିଳିଥିଲା। କିନ୍ତୁ ଏଥର ଆମ ଖେଳାଳିମାନେ ୧୧୪ଟି ପଦକ ଜିତି ଫେରିଛନ୍ତି। ଚିନ୍ତା କରନ୍ତୁ, ୧୪ରୁ ୧୧୪ ପଦକ ପର୍ଯ୍ୟନ୍ତ ଏହି ଯାତ୍ରା ଆପଣମାନଙ୍କ ଅକ୍ଳାନ୍ତ ପରିଶ୍ରମର ସର୍ବୋଚ୍ଚ ପରିଣାମ। କ୍ରୀଡ଼ା ପ୍ରତି ଆପଣମାନଙ୍କ ସମର୍ପଣ ଏବଂ ଏହା ସହିତ ବିକଶିତ ହୋଇଥିବା ସମ୍ପୂର୍ଣ୍ଣ କ୍ରୀଡ଼ା ବ୍ୟବସ୍ଥା ଯୋଗୁଁ ଏହି ସଫଳତା ମିଳିପାରିଛି।
ଏଥର ଆପଣମାନେ ୩୦ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଏବଂ ୪୯ଟି କାଂସ୍ୟ ପଦକ ସହିତ ୫ଟି ନୂଆ ବିଶ୍ୱ ରେକର୍ଡ ଓ ୯ଟି ଏସୀୟ ରେକର୍ଡ ସୃଷ୍ଟି କରି ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ୫୬ ଜଣ ମହିଳା ଖେଳାଳିଙ୍କ ମଧ୍ୟରୁ ୩୪ ଜଣ ଆମ ଝିଅ ପଦକ ବିଜେତା ହୋଇଛନ୍ତି। ଚାରିଟି କ୍ରୀଡ଼ା ବିଭାଗରେ ତ ପୋଡିୟମ୍ର ତିନୋଟି ସ୍ଥାନରେ ଭାରତୀୟ ଖେଳାଳିମାନେ ହିଁ ରହିଥିଲେ। ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ସବୁ ପଦକ ଭାରତ ଜିତିଥିଲା। ପ୍ରତିଯୋଗିତାର ଶେଷ ଦିନରେ ମଧ୍ୟ ଆପଣମାନେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଥିଲେ। ସେହି ଦିନ ୯ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଲାଗୁଥିଲା, ଯେପରି ଆପଣମାନେ ସ୍ଥିର କରିନେଇଥିଲେ ଯେ ଖେଳ ଶେଷ ନ ହେବା ପର୍ଯ୍ୟନ୍ତ ପଦକ ଜିତିବାର ଧାରା ବନ୍ଦ ହେବ ନାହିଁ।
ବନ୍ଧୁଗଣ,
ଏଥର ଆମ ଖେଳାଳିମାନେ ଏପରି କେତେକ କ୍ରୀଡ଼ା ବିଭାଗରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି, ଯେଉଁଥିରେ ପୂର୍ବରୁ ଭାରତ କେବେ ସଫଳତା ପାଇନଥିଲା। ମୋନା ଅଗ୍ରୱାଲ ପାରା ସୁଟିଂରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ହନି ମଧ୍ୟ ନିଜର ପୂର୍ବ ବିଶ୍ୱ ରେକର୍ଡ ଭାଙ୍ଗି ଫେରିଛନ୍ତି। ହିମାଂଶୁ, ରବି ଓ ଜେହାନ ନିଜର ପ୍ରଦର୍ଶନ ମାଧ୍ୟମରେ ସମଗ୍ର ବିଶ୍ୱକୁ ଦେଖାଇଛନ୍ତି ଯେ ଶାରୀରିକ ଆହ୍ୱାନକୁ କିପରି ପରାସ୍ତ କରାଯାଇପାରେ।
ବନ୍ଧୁଗଣ,
ଜଣେ ଖେଳାଳିଙ୍କ ବ୍ୟକ୍ତିଗତ ସଫଳତା ହେଉ କିମ୍ବା ଦେଶର ସାମୂହିକ ବିଜୟ, ଏହାର ସଫଳତା ସମଗ୍ର ବିଶ୍ୱ ଦେଖିଥାଏ। କିନ୍ତୁ ସେହି ମୁହୂର୍ତ୍ତ ପଛରେ ଥିବା ବର୍ଷ ବର୍ଷର ପରିଶ୍ରମ, ଦିନରାତି ଝାଳ ବୁହାଇବା, ଅଟଳ ନିଷ୍ଠା ଓ ସମର୍ପଣର ସାଧନା ହିଁ ବିଜୟର ଭବ୍ୟ ଅଟ୍ଟାଳିକାର ମୂଳଦୁଆ ହୋଇଥାଏ। ଯେପରିକି ରିଙ୍କୁ ଏସୀୟ ପାରା କ୍ରୀଡ଼ା ଆରମ୍ଭ ହେବାର ଦୁଇ ମାସ ପୂର୍ବରୁ ନିଜ ମାଆଙ୍କୁ ହରାଇଥିଲେ। ଏତେ ବଡ଼ ଦୁଃଖ ମଧ୍ୟରେ ମଧ୍ୟ ସେ ନିଜର ମନୋବଳ ହରାଇ ନଥିଲେ। ଯେତେବେଳେ ସେ ସ୍ୱର୍ଣ୍ଣ ପଦକ ଜିତିଲେ, ସେତେବେଳେ ନିଜ ମାଆଙ୍କ ଫଟୋ ଉଠାଇ ସେହି ପଦକ ତାଙ୍କୁ ସମର୍ପଣ କରିଥିଲେ। ସେହି ମୁହୂର୍ତ୍ତ ସମସ୍ତ ଦେଶବାସୀଙ୍କୁ ଭାବବିହ୍ୱଳ କରିଦେଇଥିଲା।
ବନ୍ଧୁଗଣ,
ଆପଣମାନଙ୍କ ସଂଘର୍ଷ ଓ ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଉଛି। ଏହି ଯାତ୍ରାରେ ଆପଣମାନଙ୍କ ଯାତ୍ରା ଏବଂ ଦେଶର ଯାତ୍ରା ପରସ୍ପର ସହିତ ସମାନ। ସେଥିପାଇଁ ଆଜି ଆପଣମାନଙ୍କ ଓ ଦେଶର ପ୍ରୟାସ ଏକାଠି ହୋଇ ଏକ ଓ ଏକ ମିଶି ଏଗାର ହୋଇଯାଇଛି।
ବନ୍ଧୁଗଣ,
୨୦୧୪ ପରେ ଯେତେବେଳେ ଦେଶ ବଡ଼ ବଡ଼ ଲକ୍ଷ୍ୟ ନେଇ ଆଗକୁ ବଢ଼ିବା ଆରମ୍ଭ କଲା, ସେତେବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଅଧିକାଂଶ ଅଭିଭାବକ ନିଜ ପିଲାମାନଙ୍କୁ କ୍ରୀଡ଼ା କ୍ଷେତ୍ରକୁ ପଠାଇବାକୁ ଭୟ କରୁଥିଲେ। ବ୍ୟବସ୍ଥାରେ ଅବ୍ୟବସ୍ଥା, ସମ୍ବଳର ଅଭାବ, ସହଯୋଗର ଅଭାବ ଏବଂ ସ୍ୱଚ୍ଛତାର ଅଭାବ ଥିଲା। ଲୋକମାନେ କହୁଥିଲେ, ଏହି ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହୋଇପାରିବ ନାହିଁ, ଏହା ଏମିତି ହିଁ ଚାଲିବ। ଲୋକମାନେ ଏହାକୁ ହିଁ ଗ୍ରହଣ କରିନେଇଥିଲେ। କିନ୍ତୁ, ଆପଣମାନେ ଯେପରି କୌଣସି କଠିନ ପରିସ୍ଥିତି ଆଗରେ ହାର ମାନିନାହାନ୍ତି, ସେହିପରି ଦେଶ ମଧ୍ୟ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେଇଛି। ଆମେ ସଂକଳ୍ପ ନେଇଥିଲୁ ଯେ ଆମ ଯୁବପିଢ଼ିର ପ୍ରତିଭାକୁ ନଷ୍ଟ ହେବାକୁ ଦେବୁ ନାହିଁ। ତେଣୁ ଯେଉଁ ବ୍ୟବସ୍ଥା ଆପଣମାନଙ୍କ ଭଳି ଯୁବ ପ୍ରତିଭାଙ୍କୁ ଆଗକୁ ବଢ଼ିବାରେ ବାଧା ଦେଉଥିଲା, ସେହି ବ୍ୟବସ୍ଥାକୁ ହିଁ ବଦଳାଇବା ପାଇଁ ଆମେ ସଂକଳ୍ପ ନେଇଥିଲୁ। ଏହାର ପରିଣାମ ସ୍ୱରୂପ କ୍ରୀଡ଼ା କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ହୋଇଛି। ଆଜି ଜଣେ ଯୁବକ ବା ଯୁବତୀଙ୍କର ନିଜ ପ୍ରତିଭା ଉପରେ ଭରସା ଥିଲେ, ଦେଶ ମଧ୍ୟ ତାଙ୍କ ସହିତ ଠିଆ ହୋଇଛି ବୋଲି ତାଙ୍କର ବିଶ୍ୱାସ ରହୁଛି। ଆମର ପାରା କ୍ରୀଡ଼ା ଏହାର ସବୁଠାରୁ ବଡ଼ ଉଦାହରଣ। ଯେଉଁ କ୍ରୀଡ଼ାରେ ପୂର୍ବରୁ ଭାରତର ଅଂଶଗ୍ରହଣ ଅତ୍ୟନ୍ତ ସୀମିତ ଥିଲା, ଆଜି ସେହି କ୍ରୀଡ଼ାଗୁଡ଼ିକରେ ଆମର ପ୍ରଭାବ ବଢ଼ିବାରେ ଲାଗିଛି। ତୀରନ୍ଦାଜୀ, ଆଥଲେଟିକ୍ସ, ସୁଟିଂ, ପହଁରିବା, ଟେବୁଲ୍ ଟେନିସ୍, ବ୍ୟାଡମିଣ୍ଟନ୍, ଜୁଡୋ, ପାୱାରଲିଫ୍ଟିଂ ଭଳି ଅନେକ କ୍ରୀଡ଼ାରେ ନୂଆ ନୂଆ ଯୁବ ଖେଳାଳି ସାମ୍ନାକୁ ଆସୁଛନ୍ତି। ଆମକୁ ନୂଆ ନୂଆ ଚାମ୍ପିୟନ୍ ମିଳୁଛନ୍ତି। ଏଥର ମଧ୍ୟ ଏସୀୟ ପାରା କ୍ରୀଡ଼ାରେ ଆମର ୬୧ ଜଣ ଖେଳାଳି ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୬ ଜଣ ଯୁବ ଖେଳାଳି ପଦକ ଜିତି ଫେରିଛନ୍ତି। ସନ୍ଦୀପ ତ ପ୍ରଥମ ଥର ଅଂଶଗ୍ରହଣ କରି ହିଁ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଯୁବପିଢ଼ିଙ୍କ ଏହି ଅଂଶଗ୍ରହଣ ଆଜିର ଭାରତର ଚିତ୍ର ହେବା ସହିତ ଭବିଷ୍ୟତର ଭାରତ ପାଇଁ ଏକ ନୂତନ ଆଶାର ସଙ୍କେତ ମଧ୍ୟ ଦେଉଛି।
ବନ୍ଧୁଗଣ,
ଆମେ କ୍ରୀଡ଼ାକୁ କେବଳ କିଛି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଭାବେ ଦେଖୁନାହୁଁ। ଆମ ପାଇଁ କ୍ରୀଡ଼ା ବ୍ୟକ୍ତିତ୍ୱ ଗଠନ ଏବଂ ରାଷ୍ଟ୍ର ନିର୍ମାଣର ଏକ ଶକ୍ତିଶାଳୀ ମାଧ୍ୟମ। କ୍ରୀଡ଼ା ହିଁ ଯୁବପିଢ଼ିଙ୍କୁ ପରାଜୟ ପରେ ବିଜୟ ହାସଲ କରିବା ଶିଖାଏ। ଶୃଙ୍ଖଳା ଏବଂ ଦଳଗତ ଭାବନାର ପ୍ରକୃତ ଅର୍ଥ ବୁଝାଇଥାଏ।
ବନ୍ଧୁଗଣ,
ଏହି ଦୃଷ୍ଟିକୋଣ ସହିତ ଆମେ ଦେଶରେ ଏକ ଆଧୁନିକ କ୍ରୀଡ଼ା ବ୍ୟବସ୍ଥା ଗଢ଼ି ତୋଳୁଛୁ। ବିଦ୍ୟାଳୟ ଏବଂ ତୃଣମୂଳ ସ୍ତରରେ ବିଭିନ୍ନ କ୍ରୀଡ଼ା ଅଭିଯାନ ଚାଲିଛି। ବହୁ ସଂଖ୍ୟାରେ ଖେଲୋ ଇଣ୍ଡିଆ କେନ୍ଦ୍ର ସ୍ଥାପନ କରାଯାଇଛି। ଖେଳାଳିମାନଙ୍କୁ ଅଲିମ୍ପିକ୍ସ ସ୍ତରର ପ୍ରଶିକ୍ଷଣ ଦେବା ପାଇଁ ଆମେ ଟପ୍ସ ଯୋଜନା ମଧ୍ୟ ଆରମ୍ଭ କରିଛୁ। ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏଥର ଲାଲକିଲ୍ଲାରୁ ମୁଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନରେ ଯୁବପିଢ଼ିଙ୍କୁ ଆଗକୁ ଆସିବା ପାଇଁ ଆହ୍ୱାନ କରିଛି।
ବନ୍ଧୁଗଣ,
ଏହି ପ୍ରୟାସଗୁଡ଼ିକରେ ପାରା କ୍ରୀଡ଼ାକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି। ଏହାର ଫଳରେ ଆପଣମାନଙ୍କ ଭଳି ଖେଳାଳିମାନେ ନିଜ ପ୍ରତିଭାର ବିକାଶ କରି ଆଗକୁ ଆସୁଛନ୍ତି ଏବଂ ବଡ଼ ବଡ଼ ପ୍ରତିଯୋଗିତାରେ ଦେଶର ଗୌରବ ବଢ଼ାଉଛନ୍ତି। ଏଥର ପାରା କ୍ରୀଡ଼ାରେ ମଧ୍ୟ ଆମେ ଏହାର ଉଦାହରଣ ଦେଖିବାକୁ ପାଇଛୁ। ଏହି ପ୍ରତିଯୋଗିତାରେ ଟପ୍ସ ଯୋଜନାରୁ ସହାୟତା ପାଇଥିବା ଖେଳାଳିମାନେ ୪୧ଟି ପଦକ ଜିତିଛନ୍ତି। ସେହିପରି ଖେଲୋ ଇଣ୍ଡିଆର ଖେଳାଳିମାନେ ୧୯ଟି ପଦକ ଜିତିଛନ୍ତି। ଏହା ପ୍ରମାଣିତ କରୁଛି ଯେ ଆମର ପ୍ରୟାସ ସଠିକ୍ ଦିଗରେ ଆଗକୁ ବଢ଼ୁଛି।
ବନ୍ଧୁଗଣ ,
ଆଜି ଭାରତରେ କ୍ରୀଡ଼ାକୁ ନେଇ ଆଧୁନିକ ନୀତି ଏବଂ ପଦକ୍ଷେପ କେବଳ ଖେଳ ପଡ଼ିଆ ମଧ୍ୟରେ ସୀମିତ ନାହିଁ। ଏହା ଖେଳ ପଡ଼ିଆ ବାହାରେ ମଧ୍ୟ ଯୁବପିଢ଼ିଙ୍କ ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି କରୁଛି। କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ, କ୍ରୀଡ଼ା ଉପକରଣ ଉତ୍ପାଦନ, ପ୍ରସାରଣ ଅର୍ଥନୀତି ଆଦି ସବୁ କ୍ଷେତ୍ରରେ ଏହାର ବିସ୍ତାର ହେଉଛି।
ବନ୍ଧୁଗଣ ,
କିଛି ଦିନ ପୂର୍ବରୁ ସରକାର ପ୍ରାୟ ୧,୮୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବରାଦ ଥିବା ‘ଖେଲୋ ଇଣ୍ଡିଆ ସ୍ପୋର୍ଟସ୍ ଗୁଡ୍ସ ମାନୁଫାକ୍ଚରିଂ ସ୍କିମ୍’କୁ ଅନୁମୋଦନ କରିଛନ୍ତି। ଏବେ ଆମର କ୍ରୀଡ଼ା ସାମଗ୍ରୀ ଉତ୍ପାଦନ ଶିଳ୍ପ ନୂଆ ନୂଆ ସଫଳତା ହାସଲ କରିବାର ସମୟ ଆସିଛି। ଯେତେବେଳେ କୌଣସି ଭାରତୀୟ କିମ୍ବା ବିଦେଶୀ ଖେଳାଳି ପଡ଼ିଆକୁ ଓହ୍ଲାଇବେ, ସେତେବେଳେ ତାଙ୍କର କ୍ରୀଡ଼ା ଉପକରଣ ମଧ୍ୟ ‘ମେଡ୍ ଇନ୍ ଇଣ୍ଡିଆ’ ହୋଇଥିବ। ତାଙ୍କର ପୋଷାକ ଓ ଜୋତା ମଧ୍ୟ ‘ମେଡ୍ ଇନ୍ ଇଣ୍ଡିଆ’ ହୋଇଥିବ। ଆମେ ଚାହୁଁଛୁ ଯେ ଭାରତ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରିବା ସହିତ ବିଶ୍ୱସ୍ତରୀୟ କ୍ରୀଡ଼ା ଉପକରଣ ମଧ୍ୟ ଉତ୍ପାଦନ କରୁ। ଭାରତରେ ନିର୍ମିତ କ୍ରୀଡ଼ା ସାମଗ୍ରୀ ସମଗ୍ର ବିଶ୍ୱର ବଜାରରେ ପହଞ୍ଚୁ। ଏହା ଦ୍ୱାରା ଭାରତର ଏମଏସଏମଇ କ୍ଷେତ୍ରକୁ ନୂତନ ଶକ୍ତି ମିଳିବ। ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ମଧ୍ୟ ନୂଆ ନୂଆ ସୁଯୋଗ ସୃଷ୍ଟି ହେବ।
ବନ୍ଧୁଗଣ ,
ଆଜିର ଏହି କାର୍ଯ୍ୟକ୍ରମ ପରେ ଆପଣମାନଙ୍କୁ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନୁଷ୍ଠାନକୁ ମଧ୍ୟ ଆମନ୍ତ୍ରଣ କରାଯିବ। ସେଠାରେ ଯୁବପିଢ଼ି ଆପଣମାନଙ୍କ କଥା ଶୁଣିବାକୁ ଏବଂ ଆପଣମାନଙ୍କଠାରୁ ଶିଖିବାକୁ ଚାହିଁବେ। ଯେତେବେଳେ ଆପଣମାନେ ଯୁବପିଢ଼ିଙ୍କ ସହ କଥା ହେବେ, ସେତେବେଳେ ପଡ଼ିଆରେ କିପରି ବିଜୟ ହାସଲ କରିବାକୁ ହୁଏ, ସେ ସମ୍ପର୍କରେ ଶିଖାଇବା ସହିତ ପଡ଼ିଆ ବାହାରେ କ୍ରୀଡ଼ା ସହ ଜଡ଼ିତ ବିଭିନ୍ନ ସୁଯୋଗ ବିଷୟରେ ମଧ୍ୟ ନିଶ୍ଚିତ ଭାବେ ଜଣାନ୍ତୁ। ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଜୀବନକୁ ସହଜ କରିବା ପାଇଁ ଦେଶ କେତେ ବଡ଼ ବଡ଼ ପ୍ରୟାସ କରୁଛି, ସେ ବିଷୟରେ ମଧ୍ୟ ସେମାନଙ୍କୁ ଜଣାନ୍ତୁ। କିଛି ଦିନ ପୂର୍ବରୁ ହିଁ କ୍ୟାବିନେଟ୍ ଦିବ୍ୟାଙ୍ଗଜନଙ୍କ ପେନ୍ସନ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆମେ ପେନ୍ସନ୍ର ପରିମାଣ ବୃଦ୍ଧି କରିଛୁ। ପୂର୍ବରୁ ଦିବ୍ୟାଙ୍ଗତାର ମାନଦଣ୍ଡ ୮୦ ପ୍ରତିଶତ ଥିବାବେଳେ ଏହାକୁ ହ୍ରାସ କରି ୪୦ ପ୍ରତିଶତ କରାଯାଇଛି। ପୂର୍ବରୁ ପେନ୍ସନ୍ ପାଇବା ପାଇଁ ୧୮ ବର୍ଷ ବୟସ ହେବା ଆବଶ୍ୟକ ଥିଲା। ଏବେ ଜନ୍ମରୁ ଦିବ୍ୟାଙ୍ଗ ଥିବା ଯୋଗ୍ୟ ଶିଶୁମାନଙ୍କ ପାଇଁ ମଧ୍ୟ ପେନ୍ସନ୍ର ବ୍ୟବସ୍ଥା କରାଯାଇଛି। ସେହିପରି ଭାରତୀୟ ସାଙ୍କେତିକ ଭାଷାର ପ୍ରସାର ପାଇଁ ମଧ୍ୟ ବଡ଼ ପଦକ୍ଷେପ ନିଆଯାଇଛି। ୧୦ ହଜାରରୁ ଅଧିକ ଶବ୍ଦକୁ ନେଇ ଏକ ସାଙ୍କେତିକ ଭାଷା ଅଭିଧାନ ପ୍ରସ୍ତୁତ କରାଯାଇଛି। ବିଦ୍ୟାଳୟର ପାଠ୍ୟପୁସ୍ତକଗୁଡ଼ିକୁ ମଧ୍ୟ ସାଙ୍କେତିକ ଭାଷାରେ ଉପଲବ୍ଧ କରାଯାଉଛି। ‘ସୁଗମ୍ୟ ଭାରତ ଅଭିଯାନ’ ମାଧ୍ୟମରେ ସାର୍ବଜନୀନ ସ୍ଥାନଗୁଡ଼ିକୁ ଦିବ୍ୟାଙ୍ଗଜନଙ୍କ ଅନୁକୂଳ କରାଯାଉଛି। ଆମର ପ୍ରୟାସ ହେଉଛି, ଦେଶର ପ୍ରତ୍ୟେକ ଦିବ୍ୟାଙ୍ଗ ବ୍ୟକ୍ତି, ପ୍ରତ୍ୟେକ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ସମ୍ମାନ ସହିତ ସମାନ ସୁଯୋଗ ମିଳୁ ଏବଂ ସେମାନେ ନିଜର ସାମର୍ଥ୍ୟ ବଳରେ ଜୀବନରେ ଆଗକୁ ବଢ଼ିପାରନ୍ତୁ।
ବନ୍ଧୁଗଣ,
ଆଇଚି-ନାଗୋୟାର ପୋଡିୟମ୍ ଆପଣମାନଙ୍କ ଯାତ୍ରାର ଶେଷ ପର୍ଯ୍ୟାୟ ନୁହେଁ, ଏହାକୁ ମନେ ରଖନ୍ତୁ। ଏହି ସଫଳତାକୁ ଆପଣମାନେ ଆହୁରି ବଡ଼ ଲକ୍ଷ୍ୟ ହାସଲ କରିବାର ଏକ ନୂତନ ଆରମ୍ଭ ଭାବେ ଗ୍ରହଣ କରନ୍ତୁ। ଭାରତର ଏବଂ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଖେଳାଳିଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଲସ୍ ଆଞ୍ଜେଲସ୍ , ଅର୍ଥାତ୍ ୨୦୨୮ ମସିହାର ଲସ୍ ଆଞ୍ଜେଲସ୍ ପାରାଲିମ୍ପିକ୍ସ। ଅବନୀ ଓ ମନୀଷ ତ ଲସ୍ ଆଞ୍ଜେଲସ୍ ପାଇଁ ନିଜର ସ୍ଥାନ ମଧ୍ୟ ସୁରକ୍ଷିତ କରିସାରିଛନ୍ତି। ଆମର ଲକ୍ଷ୍ୟ ହେବା ଉଚିତ ଯେ ଅଧିକରୁ ଅଧିକ ଭାରତୀୟ ଖେଳାଳି ୨୦୨୮ ଲସ୍ ଆଞ୍ଜେଲସ୍ କ୍ରୀଡ଼ାରେ ଅଂଶଗ୍ରହଣ କରନ୍ତୁ ଏବଂ ସର୍ବାଧିକ ପଦକ ଜିତି ଫେରନ୍ତୁ। ତେଣୁ ଆପଣମାନେ ଏହି ସଫଳତାକୁ ଖୁସିର ସହ ପାଳନ କରନ୍ତୁ ଏବଂ ଏବେଠାରୁ ପରବର୍ତ୍ତୀ ଲକ୍ଷ୍ୟ ପାଇଁ ପ୍ରସ୍ତୁତିରେ ଲାଗିପଡ଼ନ୍ତୁ। ଦେଶ ଆପଣମାନଙ୍କ ସହିତ ଅଛି ଏବଂ ମୁଁ ମଧ୍ୟ ଆପଣମାନଙ୍କ ସହିତ ଅଛି। ଆପଣମାନଙ୍କ ପରବର୍ତ୍ତୀ ବିଜୟକୁ ସମଗ୍ର ଦେଶ ଅପେକ୍ଷା କରି ରହିଛି। ଆପଣ ସମସ୍ତଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା।
ଦୀପାବଳିର ମହୋତ୍ସବ ଆରମ୍ଭ ହୋଇସାରିଛି। ଏଥର ଆପଣମାନେ ଗର୍ବ, ଆନନ୍ଦ ଓ ଉତ୍ସାହର ସହିତ ଦୀପାବଳି ପାଳନ କରନ୍ତୁ। କିନ୍ତୁ ଏହି ଦୀପାବଳି ଅବସରରେ ହିଁ ନିଜର ପରବର୍ତ୍ତୀ ଲକ୍ଷ୍ୟ ସ୍ଥିର କରନ୍ତୁ ଏବଂ ନୂଆ ସଂକଳ୍ପ ସହିତ ଆଗକୁ ବଢ଼ନ୍ତୁ। ମୋର ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା।
ବହୁତ ବହୁତ ଧନ୍ୟବାଦ।
****
SPD