ଜାହାଜ ଚଳାଚଳ ମନ୍ତ୍ରଣାଳୟ
azadi ka amrit mahotsav

୨୦୪୭ ସୁଦ୍ଧା ଉପକୂଳ ଓ ଜଳପଥ ମାଲ୍‌ ପରିବହନକୁ ଦ୍ୱିଗୁଣିତ କରି ୧୨%ରେ ପହଞ୍ଚାଇବା ଲାଗି ଯୋଜନା ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ


୧୫୦୦ କୋଟି ଟଙ୍କା ବ୍ୟୟବରାଦ ସହିତ ପୁରୀ ଅନ୍ତର୍ଜାତୀୟ କ୍ରୁଜ୍‌ ଟର୍ମିନାଲ ବିକଶିତ କରିବେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ ଓଡ଼ିଶା ସରକାର: ସର୍ବାନନ୍ଦ ସୋନୱାଲ

ଉପକୂଳ ମାଲ ପରିବହନ ପ୍ରୋତ୍ସାହନ ଯୋଜନା ଏବଂ କ୍ରୁଜ୍ ଭାରତ ମିଶନ ୫ ଲକ୍ଷ ୬୦ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ଏବଂ ୧୬ ନିୟୁତ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବ ବୋଲି ଆଶା କରାଯାଉଛି

ଭାରତର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସୁଛି: ପୁରୀରେ ଆୟୋଜିତ ପରାମର୍ଶଦାତା କମିଟି ବୈଠକରେ କହିଲେ ଶ୍ରୀ ସୋନୱାଲ

ପୋଷ୍ଟ କରାଯିବା ଦିନାଙ୍କ: 03 NOV 2026 8:04PM by PIB Bhubaneswar

୨୦୪୭ ସୁଦ୍ଧା ଭାରତର ମାଲ ପରିବହନ କ୍ଷେତ୍ରରେ ଉପକୂଳବର୍ତ୍ତୀ ଓ ଅନ୍ତର୍ଦେଶୀୟ ଜଳପଥ ପରିବହନର ଅଂଶକୁ ୬% ରୁ ଦ୍ୱିଗୁଣିତ କରି ୧୨% କୁ ପହଞ୍ଚାଇବା ଏବଂ ୨୦୨୯ ସୁଦ୍ଧା ୧ ନିୟୁତ (୧୦ ଲକ୍ଷ) ସାମୁଦ୍ରିକ କ୍ରୁଜ୍ ଯାତ୍ରୀଙ୍କୁ ଆକର୍ଷିତ କରିବା ଲାଗି ଏକ ବିସ୍ତୃତ ଯୋଜନାର ଘୋଷଣା କରିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ପୁରୀଠାରେ ଅନୁଷ୍ଠିତ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ବୈଠକରେ ସେ କହିଛନ୍ତି ଯେ, ସରକାର ଦୁଇଟି ପ୍ରସ୍ତାବିତ ଯୋଜନା - 'କୋଷ୍ଟାଲ କାର୍ଗୋ ପ୍ରମୋସନ୍ ସ୍କିମ୍' ବା ଉପକୂଳବର୍ତ୍ତୀ ମାଲ ପରିବହନ ପ୍ରୋତ୍ସାହନ ଯୋଜନା ଏବଂ 'କ୍ରୁଜ୍ ଭାରତ ମିଶନ୍' ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟ କରୁଛନ୍ତି ।

କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ଓଡ଼ିଶା ସରକାରଙ୍କ ସହଯୋଗରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପୁରୀଠାରେ ଏକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ କରିବେ। ଏହି ପ୍ରକଳ୍ପଟି ପ୍ରାୟ ୧,୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାର ଯୋଜନା ରହିଛି ।

ସୋନୱାଲ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ବୈଠକରେ ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ଉପକୂଳବର୍ତ୍ତୀ ଓ କ୍ରୁଜ୍ ଜାହାଜ ଚଳାଚଳକୁ ସୁଦୃଢ଼ ​​କରିବା ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ଆଠ ଜଣ ସାଂସଦ ଏବଂ ଭାରତ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରଣାଳୟର ସଚିବ ଉପକୂଳବର୍ତ୍ତୀ ଓ କ୍ରୁଜ୍ ଜାହାଜ ଚଳାଚଳକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ।

ସୋନୱାଲ କହିଥିଲେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି।"

ସର୍ବାନନ୍ଦ ସୋନୋୱାଲ କହିଥିଲେ, ଭାରତର ଉପକୂଳବର୍ତ୍ତୀ କ୍ଷେତ୍ର ୧୧,୦୦୦ କିଲୋମିଟର (୬,୮୦୦ ମାଇଲ)ରୁ ଅଧିକ ଲମ୍ବ ଯାହା ଦୀର୍ଘ ଦୂରତା ପର୍ଯ୍ୟନ୍ତ ଅଧିକ ପରିବେଶ ଅନୁକୂଳ ଉପାୟରେ ସାମଗ୍ରୀ ପରିବହନ କରିବା ପାଇଁ ଏକ ପ୍ରାକୃତିକ ସୁବିଧା ପ୍ରଦାନ କରିଥାଏ। ଗତ ୧୨ ବର୍ଷ ମଧ୍ୟରେ ଭାରତୀୟ ବନ୍ଦରଗୁଡ଼ିକରେ ଉପକୂଳବର୍ତ୍ତୀ ସାମଗ୍ରୀ ପରିବହନ (କୋଷ୍ଟାଲ କାର୍ଗୋ) ପରିମାଣ ୭୪ ନିୟୁତ ମେଟ୍ରିକ୍ ଟନରୁ ବୃଦ୍ଧି ପାଇ ୧୭୭ ନିୟୁତ ମେଟ୍ରିକ୍ ଟନରେ ପହଞ୍ଚିଛି, ଯାହା ପ୍ରାୟ ୧୪୦% ଅଭିବୃଦ୍ଧିକୁ ସୂଚିତ କରେ।

 

ସର୍ବାନନ୍ଦ ସୋନୱାଲ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସକ୍ରିୟ ନେତୃତ୍ୱରେ, ଆମର ଉପକୂଳ ରେଖା ଏବଂ ନଦୀଗୁଡ଼ିକୁ ଅଭିବୃଦ୍ଧିର ଇଞ୍ଜିନ୍‌ରେ ପରିଣତ କରାଯାଉଛି। ଉପକୂଳବର୍ତ୍ତୀ ମାଲ୍‌ ପରିବହନ ପ୍ରୋତ୍ସାହନ ଯୋଜନା ଏବଂ 'କ୍ରୁଜ୍ ଭାରତ ମିଶନ୍' ମାଧ୍ୟମରେ ସମୁଦ୍ର ପଥରେ ଅଧିକ ସାମଗ୍ରୀ ପରିବହନ କରାଯିବ । ଏହାଦ୍ୱାରା ଆମ ଉପକୂଳକୁ ଅଧିକ ପର୍ଯ୍ୟଟକ ଆସିବେ, ଏହାର ଫଳସ୍ୱରୂପ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପରିବେଶ ମଧ୍ୟ ସୁରକ୍ଷିତ ରହିବ ।

୨୦୨୬-୨୭ ବଜେଟରେ ଘୋଷଣା କରାଯାଇଥିବା ଉପକୂଳବର୍ତ୍ତୀ ସାମଗ୍ରୀ ପରିବହନ ପ୍ରୋତ୍ସାହନ ଯୋଜନା ଅଧୀନରେ ସାମଗ୍ରୀ ମାଲିକ, ଉପକୂଳବର୍ତ୍ତୀ ଜାହାଜ ପରିଚାଳକ ଏବଂ 'ମଲ୍ଟିମୋଡାଲ୍ ଟ୍ରାନ୍ସପୋର୍ଟ ଅପରେଟର' ବା ଜାହାଜ, ରେଳ ଓ ସଡ଼କ ପଥ ଭଳି ଏକାଧିକ ପରିବହନ ମାଧ୍ୟମ ବ୍ୟବହାର କରି ସାମଗ୍ରୀ ପରିବହନ କରୁଥିବା ଲୋକମାନଙ୍କୁ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ କରାଯିବ ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ୧୬ଟି ଜାତୀୟ ଜଳପଥରେ ବର୍ତ୍ତମାନ ୨୦ଟି ନଦୀ କ୍ରୁଜ୍ ସର୍କିଟ୍ କାର୍ଯ୍ୟକ୍ଷମ ରହିଛି ଏବଂ ପର୍ଯ୍ୟାୟକ୍ରମେ ବିକାଶ ପାଇଁ ଆଉ ୫୧ଟି ଚିହ୍ନଟ କରାଯାଇଛି । ୧୪୩ଟି ନଦୀ କ୍ରୁଜ୍ ଟର୍ମିନାଲ୍ ଏବଂ ଲ୍ୟାଣ୍ଡିଂ ପଏଣ୍ଟ ବର୍ତ୍ତମାନ କାର୍ଯ୍ୟକ୍ଷମ ଅଛି । ସେ କହିଥିଲେ, ଏହି ଦୁଇଟି ପଦକ୍ଷେପ ମାଧ୍ୟମରେ ୫ ଲକ୍ଷ ୬୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ଏହା ଦ୍ୱାରା ୧୬ ନିୟୁତ ମେଟ୍ରିକ୍ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ।

ଶ୍ରୀ ସୋନୱାଲ ଓଡ଼ିଶାରେ ଜାତୀୟ ଜଳପଥ-୫ର ବିକାଶ ଉପରେ ଆଲୋକପାତ କରିଥିଲେ, ଯେଉଁଥିପାଇଁ ୧୩,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି ଜଳପଥଟି ତାଳଚେର ଓ କଳିଙ୍ଗନଗର ସମେତ ରାଜ୍ୟର ବିଭିନ୍ନ ଶିଳ୍ପ ଓ ଖଣି କେନ୍ଦ୍ରଗୁଡ଼ିକୁ ପୂର୍ବ ଉପକୂଳରେ ଥିବା ବନ୍ଦରଗୁଡ଼ିକ ସହିତ ସଂଯୋଗ କରିବା ପାଇଁ ଉଦ୍ଦିଷ୍ଟ ।

ସାଂସଦମାନେ ସାମୁଦ୍ରିକ କ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ସାମୁଦ୍ରିକ ଭିତ୍ତିଭୂମି ସମ୍ବନ୍ଧରେ ପରାମର୍ଶ ଦେଇଥିଲେ ।

ଶେଷରେ ଶ୍ରୀ ସୋନୱାଲ ସାଂସଦମାନଙ୍କ ମୂଲ୍ୟବାନ ମତାମତ ଏବଂ ପରାମର୍ଶ ପାଇଁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ । ସେମାନଙ୍କର ମରାମର୍ଶ ଏହି ଯାତ୍ରାକୁ ଆଗକୁ ବଢ଼ାଇବାରେ ସହାୟକ ହେବ ବୋଲି ସେ କହିଥିଲେ । ‘‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ, ଆମେ ଏକ 'ବିକଶିତ ଭାରତ' ପାଇଁ ଏକ ପ୍ରତିଯୋଗିତାମୂଳକ, ସ୍ଥାୟୀ ଏବଂ ସମୃଦ୍ଧ ସାମୁଦ୍ରିକ ପରିବେଶ ଗଠନ ଦିଗରେ ନିରନ୍ତର ଆଗକୁ ବଢ଼ୁଛୁ’’, ସେ କହିଥିଲେ ।

*******

PS


(ରିଲିଜ ଆଡି: 2332303) ପରିଦର୍ଶକ କାଉଣ୍ଟର : 12
ଏହି ରିଲିଜ ପଢନ୍ତୁ : English , Urdu , हिन्दी