ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ
azadi ka amrit mahotsav

ଭୁବନେଶ୍ୱରରେ ଉନବିଂଶତମ ଅର୍ବାନ୍‌ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୬ ଉଦଘାଟିତ


ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଦୁଇ ଦିନିଆ ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ

‘ଡିଜିଟାଲ୍ ଯୁଗରେ ସହରାଞ୍ଚଳ ସୁଗମତା ଉପରେ ସମ୍ମିଳନୀରେ ଦିଆଗଲା ଗୁରୁତ୍ୱ

ସହରାଞ୍ଚଳ ପରିବହନରେ ସର୍ବୋତ୍ତମ ଅଭ୍ୟାସ, ଅଭିନବ ପ୍ରଯୁକ୍ତିବିଦ୍ୟା ଏବଂ ସମାଧାନ ପ୍ରଦର୍ଶନ କଲେ ୨୮ ପ୍ରଦର୍ଶକ

ଡିଜିଟାଲ୍ ଗତିଶୀଳତା, ଦକ୍ଷ ପରିବହନ, ଲିଙ୍ଗଗତ ଭାବେ ସମାନ ଯୋଜନା ପ୍ରସ୍ତୁତି ଏବଂ ଦୀର୍ଘସ୍ଥାୟୀ ସହରାଞ୍ଚଳ ପରିବହନ ଉପରେ ହେଲା ଆଲୋଚନା

ପୋଷ୍ଟ କରାଯିବା ଦିନାଙ୍କ: 23 OCT 2026 6:55PM by PIB Bhubaneswar

କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଭୁବନେଶ୍ୱରରେ ଆଜି ଉନବିଂଶତମ 'ଅର୍ବାନ ମୋବିଲିଟି ଇଣ୍ଡିଆ' (ୟୁଏମଆଇ) ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬କୁ ଉଦ୍‌ଘାଟନ କରିଛନ୍ତି । ଆଜି ଓ ଆସନ୍ତାକାଲି ଆୟୋଜିତ ହେଉଥିବା ଏହି ଦୁଇଦିନିଆ ସମ୍ମିଳନୀକୁ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ପକ୍ଷରୁ 'ଇନଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ ଟ୍ରାନ୍ସପୋର୍ଟ (ଇଣ୍ଡିଆ)' ମାଧ୍ୟମରେ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜନ କରାଯାଇଛି ।

ଉଦ୍‌ଘାଟନୀ ଅଧିବେଶନରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର; ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ; ଭାରତ ସରକାରଙ୍କ ଏମଓଏଚୟୁଏ ଅଧୀନ ନଗର ଉନ୍ନୟନ ବିଭାଗର ସଚିବ ସତେନ୍ଦ୍ର ସିଂହ; ଏବଂ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞ, ନୀତି ନିର୍ଦ୍ଧାରକ, ମେଟ୍ରୋ ରେଳ କମ୍ପାନୀ ଓ ପରିବହନ ସଂସ୍ଥାର ପ୍ରତିନିଧି, ଶିଳ୍ପ କ୍ଷେତ୍ରର ବିଶେଷଜ୍ଞ ଏବଂ ଶିକ୍ଷାବିତ୍‌ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।

‘‘ଡିଜିଟାଲ୍ ଯୁଗରେ ସହରାଞ୍ଚଳ ସୁଗମତା ଏବଂ ବାସଯୋଗ୍ୟତା’’ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଏହା ଉଦୀୟମାନ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସହରାଞ୍ଚଳ ସୁଗମତା, ସମନ୍ୱିତ ପରିବହନ ଭିତ୍ତିଭୂମି ଏବଂ ସହରାଞ୍ଚଳ ଜୀବନର ଗୁଣବତ୍ତା ଉନ୍ନତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ଏହି ଆଲୋଚନାରେ ଦୀର୍ଘସ୍ଥାୟୀ ଏବଂ ପ୍ରଦୂଷଣମୁକ୍ତ ସାର୍ବଜନୀନ ପରିବହନ, ବାଧାମୁକ୍ତ ବହୁମୁଖି ସମନ୍ୱୟ, ପ୍ରଥମ ଏବଂ ଶେଷ ମାଇଲ୍ ସଂଯୋଗ, ଟ୍ରାଫିକ୍ ଭିଡ଼ ଓ ଅଙ୍ଗାରକାମ୍ଳ ହ୍ରାସ ଏବଂ ସହରଗୁଡ଼ିକୁ ଅଧିକ ସୁଗମ, ସମାବେଶୀ ଓ ବାସଯୋଗ୍ୟ କରିବାରେ ଡିଜିଟାଲ୍ ପ୍ରଯୁକ୍ତିର ଭୂମିକାକୁ ସାମିଲ କରାଯାଇଛି ।

ୟୁଏମଆଇ ସମ୍ମିଳନୀ ହେଉଛି ଜାତୀୟ ସହରାଞ୍ଚଳ ପରିବହନ ନୀତି (ଏନୟୁଟିପି), ୨୦୦୬ ଅନ୍ତର୍ଗତ ଏମଓଏଚୟୁଏର ଏକ ବାର୍ଷିକ ପଦକ୍ଷେପ। ଏହି ନୀତି ରାଜ୍ୟ ଓ ସହର ସ୍ତରରେ କ୍ଷମତା ନିର୍ମାଣ ଏବଂ ସମାନ ତଥା ଦୀର୍ଘସ୍ଥାୟୀ ସହରାଞ୍ଚଳ ପରିବହନ ବ୍ୟବସ୍ଥାର ବିକାଶ ଉପରେ ଗୁରୁତ୍ୱାରୋପ କରେ। ଏହି ସମ୍ମିଳନୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସର୍ବୋତ୍ତମ ଅଭ୍ୟାସ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ଅଭିନବ ସମାଧାନ ବାଣ୍ଟିବା ପାଇଁ ଏକ ମଞ୍ଚ ପ୍ରଦାନ କରେ ।

ଉଦ୍‌ଘାଟନୀ ଅଧିବେଶନରେ ଉଦ୍‌ବୋଧନ ଦେଇ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ କହିଥିଲେ, ସହରାଞ୍ଚଳ ପରିବହନ ବ୍ୟବସ୍ଥାର ଭବିଷ୍ୟତ ଗଢ଼ିବାରେ ୟୁଏମଆଇ ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ମଞ୍ଚ ଭାବରେ ଉଭା ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ସହରାଞ୍ଚଳ ବିକାଶର ପ୍ରକୃତ ଅଗ୍ରଗତିକୁ ଏହି ଆଧାରରେ ମାପିବା ଉଚିତ ଯେ, ମହିଳା, ଶିଶୁ, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମେତ ସମସ୍ତ ନାଗରିକ ସହର ଭିତରେ କେତେ ସୁରକ୍ଷିତ, ଆରାମଦାୟକ ଏବଂ ସ୍ୱାଧୀନ ଭାବରେ ଯାତାୟାତ କରିପାରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମେଟ୍ରୋ ରେଳ ଭିତ୍ତିଭୂମିର ବ୍ୟାପକ ସମ୍ପ୍ରସାରଣ ଉପରେ ଶ୍ରୀ ସାହୁ ଆଲୋକପାତ କରିଥିଲେ। ସେ କହିଥିଲେ, ଭାରତରେ କାର୍ଯ୍ୟକ୍ଷମ ମେଟ୍ରୋ ନେଟୱାର୍କ ୨୦୧୪ ମସିହାରେ ୨୪୮ କିଲୋମିଟର ଥିବାବେଳେ ବର୍ତ୍ତମାନ ତାହା ୨୬ଟି ସହରରେ ୧,୧୮୫ କିଲୋମିଟରରୁ ଅଧିକ ଅଞ୍ଚଳକୁ ବ୍ୟାପିଛି। ଆହୁରି ୯୯୮ କିଲୋମିଟର ମେଟ୍ରୋ ଲାଇନ୍ ନିର୍ମାଣ କାମ ଚାଲୁ ରହିଛି। ମେଟ୍ରୋ ନେଟୱର୍କର ସମ୍ପ୍ରସାରଣ ସହିତ ‘ନେସନାଲ୍ କମନ୍ ମୋବିଲିଟି କାର୍ଡ', କ୍ୟୁଆର୍ ଆଧାରିତ ଟିକେଟ୍ ବ୍ୟବସ୍ଥା ଏବଂ 'ପିଏମ୍ ଇ-ବସ୍ ସେବା' ଭଳି ପଦକ୍ଷେପ ସହରୀ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛି ଏବଂ ସାର୍ବଜନୀନ ପରିବହନକୁ ଅଧିକ ସୁଲଭ ତଥା ଦୀର୍ଘସ୍ଥାୟୀ କରି ଗଢ଼ି ତୋଳୁଛି ।

ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରି ଶ୍ରୀ ସାହୁ ରାଜ୍ୟର ‘ଆମ ବସ୍’ ସେବାକୁ ଆଧୁନିକ ତଥା ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସାର୍ବଜନୀନ ପରିବହନ ବ୍ୟବସ୍ଥାର ଏକ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଦକ୍ଷ ଓ ସମାବେଶୀ ସହରୀ ପରିବହନ ବ୍ୟବସ୍ଥା 'ବିକଶିତ ଭାରତ ୨୦୪୭'ର ଲକ୍ଷ୍ୟ ହାସଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ସମ୍ମିଳନୀ ଭାରତୀୟ ସହରଗୁଡ଼ିକୁ ଅଧିକ ସୁଗମ, ସମାବେଶୀ ଏବଂ ପରିବେଶ ଅନୁକୂଳ କରିବା ଦିଗରେ ଅଭିନବ ସମାଧାନ ବାହାର କରିବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କହିଥିଲେ, "ସହରୀ ଗତିଶୀଳତା କେବଳ ପରିବହନ ନୁହେଁ, ଏହା ଆମର ନାଗରିକଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବା ଏବଂ ସହରଗୁଡ଼ିକୁ ଅଧିକ ସୁଲଭ, ସମାବେଶୀ ଓ ଦୀର୍ଘସ୍ଥାୟୀ କରିବା ଉପରେ ଆଧାରିତ । ଓଡ଼ିଶାର ସହର ସଂଖ୍ୟା ବୃଦ୍ଧି ପାଇବା ସହିତ ନିରାପଦ, ନିର୍ଭରଯୋଗ୍ୟ, ସୁଲଭ ଏବଂ ଲୋକ-କେନ୍ଦ୍ରିକ ସାର୍ବଜନୀନ ପରିବହନ ବ୍ୟବସ୍ଥା ବିକଶିତ କରିବା ଉପରେ ଧ୍ୟାନ ଦିଆଯାଉଛି ଯାହା ନାଗରିକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବ । ଆମ ବସ୍ ଏବଂ ଆମ ଇ-ରାଇଡ୍ ଭଳି ପଦକ୍ଷେପ ମାଧ୍ୟମରେ, ଆମେ ଛାତ୍ରଛାତ୍ରୀ, କର୍ମଜୀବୀ, ମହିଳା ଓ ଅନ୍ୟାନ୍ୟ ଯାତ୍ରୀଙ୍କ ସମେତ ସମସ୍ତଙ୍କ ପାଇଁ ସହରାଞ୍ଚଳ ଗତିଶୀଳତାକୁ ଅଧିକ ସୁବିଧାଜନକ ଏବଂ ସୁଲଭ କରିବା ପାଇଁ ଅର୍ଥପୂର୍ଣ୍ଣ ପଦକ୍ଷେପ ନେଉଛୁ। ୟୁଏମଆଇ ସମ୍ମିଳନୀ ୨୦୨୬ ରାଜ୍ୟ ଏବଂ ସହରାଞ୍ଚଳ ପରିବହନ ବିଶେଷଜ୍ଞମାନଙ୍କୁ ବିଚାର ଆଦାନପ୍ରଦାନ, ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ଏବଂ ଆମର ସହରଗୁଡ଼ିକର ଭବିଷ୍ୟତ ପାଇଁ ଅଭିନବ ସମାଧାନ ଅନୁସନ୍ଧାନ କରିବା ପାଇଁ ଏକ ମୂଲ୍ୟବାନ ମଞ୍ଚ ପ୍ରଦାନ କରେ। ଆମେ ଏହି ଅଭିଜ୍ଞତାରୁ ଶିଖିବାକୁ ଏବଂ ସ୍ଥାୟୀ ସହରାଞ୍ଚଳ ବିକାଶ ଏବଂ ୨୦୪୭ର ଦୃଷ୍ଟିକୋଣ ପ୍ରତି ଆମର ସାମୂହିକ ପ୍ରୟାସକୁ ମଜବୁତ କରିବାକୁ ଆଗ୍ରହୀ। ଉନ୍ନତ ପରିବହନ, ଉନ୍ନତ ଜୀବନଯାପନ କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ସହର ନିର୍ମାଣ ପାଇଁ ଏକ ପ୍ରତିବଦ୍ଧତା ଯେଉଁଠାରେ ପ୍ରତ୍ୟେକ ନାଗରିକ ଆରାମ, ସୁରକ୍ଷା ଏବଂ ମର୍ଯ୍ୟାଦା ସହ ଯାତାୟାତ କରିପାରିବେ ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ, ଓଡ଼ିଶା ସରକାର ଏଇଟ୍‌ ଏସ୍‌ ଆଭିମୁଖ୍ୟ ସହିତ ସହରାଞ୍ଚଳ ପରିବହନକୁ ବଦଳାଇବା ପାଇଁ ସଂକଳ୍ପବଦ୍ଧ ରହିଛି । ଏହି ଆଭିମୁଖ୍ୟ ହେଲା-ସେବା ଉପଲବ୍ଧତା ଓ ଭରସାଯୋଗ୍ୟତା, ସ୍ମାର୍ଟ ପରିବହନ, ଦୀର୍ଘସ୍ଥାୟିତ୍ୱ, ପ୍ରଣାଳୀ ବା ସିଷ୍ଟମ, ସୁରକ୍ଷା, ସୁଗମତା, ସମାବେଶୀତା ଓ ସନ୍ତୋଷ । ଆଠଟି ସହରରେ ସେବା ଯୋଗାଇ ଦେଉଥିବା ପ୍ରାୟ ୮୦୦ ବସ୍ ସହିତ କ୍ରୁଟ୍‌ ଡିଜିଟାଲ୍ ଟିକେଟିଂ, ମହିଳା ଡ୍ରାଇଭରଙ୍କ ଅଧିକ ଅଂଶଗ୍ରହଣ ଏବଂ ଉନ୍ନତ ଯାତ୍ରୀ ସୁବିଧା ମାଧ୍ୟମରେ ସାଧାରଣ ପରିବହନକୁ ସୁଦୃଢ଼ ​​କରୁଛି। ଇଭି ଭିତ୍ତିଭୂମି ବିସ୍ତାର କରିବା ସହିତ ଆମର ଧ୍ୟାନ ଏକ ସମନ୍ୱିତ, ସମାବେଶୀ ଏବଂ ସ୍ଥାୟୀ ଗତିଶୀଳତା ଇକୋସିଷ୍ଟମ ନିର୍ମାଣ ଉପରେ ରହିଛି ଯାହା ସାଧାରଣ ପରିବହନକୁ ସମସ୍ତଙ୍କ ପାଇଁ ସୁରକ୍ଷିତ, ସ୍ମାର୍ଟ ଏବଂ ସୁଗମ କରିଥାଏ।’’

ଏହା ପୂର୍ବରୁ, ବିଶିଷ୍ଟ ଅତିଥି ଓ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ଅବସରରେ, ଏମଓଏଚଓୟୁଏ ସହର ବିକାଶ ବିଭାଗ ସଚିବ ସତେନ୍ଦ୍ର ସିଂହ କହିଥିଲେ,, ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ୟୁଏମଆଇ ସମ୍ମିଳନୀ ୨୦୦୮ ମସିହାରେ ଆରମ୍ଭ ହେବା ପରଠାରୁ ସହରୀ ପରିବହନ କ୍ଷେତ୍ରରେ ଉତ୍ତମ ଅଭ୍ୟାସଗୁଡ଼ିକର ବିନିମୟ ଏବଂ ବିଭିନ୍ନ ଆହ୍ୱାନର ମୁକାବିଲା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମଞ୍ଚରେ ପରିଣତ ହୋଇଛି। ଏହି ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ୧୫ଶହରୁ ଅଧିକ ପ୍ରତିନିଧି ଭାଗ ନେଇଛନ୍ତି ।

ସମ୍ମିଳନୀର ଅଂଶବିଶେଷ ସ୍ୱରୂପ ଅତିଥିଙ୍କ ଦ୍ୱାରା ଏକ ପ୍ରଦର୍ଶନୀ ମଧ୍ୟ ଉଦଘାଟନ ହୋଇଛି । ଭାରତ ଓ ବିଦେଶରୁ ସହରୀ ପରିବହନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସେବା ଏବଂ ଅଭିନବ ଗମନାଗମନ ସମାଧାନଗୁଡ଼ିକ ଏଥିରେ ପ୍ରଦର୍ଶନ କରାଯାଇଛି । ଏହି ପ୍ରଦର୍ଶନୀରେ ଓଡ଼ିଶା ସରକାର, ମେଟ୍ରୋ ରେଳ କମ୍ପାନୀ, ସାର୍ବଜନୀନ କ୍ଷେତ୍ରର ସଂସ୍ଥା ଏବଂ ଘରୋଇ କ୍ଷେତ୍ରର ପ୍ରତିଷ୍ଠାନଗୁଡ଼ିକର ପ୍ରତିନିଧିଙ୍କ ସମେତ ମୋଟ ୨୮ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି ।

ପ୍ରଥମ ଦିନରେ ସ୍ୱତନ୍ତ୍ର ସମ୍ମିଳନୀ ଅଧିବେଶନ, ଏକ ବୈଷୟିକ ଅଧିବେଶନ, ତିନୋଟି ଗୋଲଟେବୁଲ ଆଲୋଚନା ଏବଂ ବ୍ୟାପକ ଆଞ୍ଚଳିକ ଗତିଶୀଳତା ଯୋଜନା ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଆଲୋଚନାରେ ସହରାଞ୍ଚଳ ସୁଗମତା ଓ ଜୀବନଯାପନରେ ଉନ୍ନତି ଆଣିବାରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟା, ତଥ୍ୟ ଆଧାରିତ ଶାସନ, ସଂସ୍ଥାଗତ ସଂସ୍କାର ଏବଂ ଦୀର୍ଘସ୍ଥାୟୀ ପରିବହନ ବ୍ୟବସ୍ଥାର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ସେହିପରି ଲିଙ୍ଗଗତ ଭାବେ ସମାନ ସହରାଞ୍ଚଳ ଯୋଜନା ପ୍ରସ୍ତୁତିକୁ ସଂସ୍ଥାଗତ ରୂପ ଦେବା ଉପରେ ଏକ ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟତଃ ମହିଳା ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ପରିବହନ ଆବଶ୍ୟକତାକୁ ନେଇ ଆଲୋଚନା ହୋଇଥିଲା । ସେହିପରି ପିଏମ୍‌ ଇ-ବସ୍‌ ସେବା ସମେତ ବସ୍‌ ସେବାର ଆଧୁନିକୀକରଣ ଉପରେ ମଧ୍ୟ ଏକ ରାଉଣ୍ଡ ଟେବୁଲ୍‌ ବୈଠକ ଆୟୋଜନ କରାଯାଇଥିଲା । ପରିବହନ, ବାୟୁ ଗୁଣବତ୍ତା ଏବଂ ଜନସ୍ୱାସ୍ଥ୍ୟ – ‘ସ୍ୱଳ୍ପ ପ୍ରଦୂଷଣ କ୍ଷେତ୍ର’ ନୀତି ମାଧ୍ୟମରେ ନିର୍ମଳ ବାୟୁ ପାଇଁ ପଦକ୍ଷେପ ଗ୍ରହଣ ଉପରେ ମଧ୍ୟ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ବିସ୍ତୃତ କ୍ଷେତ୍ରୀୟ ପରିବହନ ଯୋଜନା ଉପରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମୋଟ୍‌ ୪୬ଟି ଗବେଷଣା ପତ୍ର ସମ୍ମିଳନୀରେ ଉପସ୍ଥାପନ କରାଯାଇଥିବା ବେଳେ ବିଚାରକମାନଙ୍କ ଦ୍ୱାରା ୩ଟି ଶ୍ରେଷ୍ଠ ଗବେଷଣାପତ୍ରକୁ ଚୟନ କରାଯାଉଛି । ଏମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ । ଆସନ୍ତାକାଲି ସମ୍ମିଳନୀର ଦ୍ୱିତୀୟ ଦିନରେ ପରିବହନ-କୈନ୍ଦ୍ରିକ ବିକାଶ, ଜନ-କୈନ୍ଦ୍ରିକ ରାସ୍ତା, ଆଚରଣଗତ ପରିବର୍ତ୍ତନ ଓ ଗଣ ଯୋଗାଯୋଗ, ଦକ୍ଷ ତଥା ସୁରକ୍ଷିତ ଗମନାଗମନ ଏବଂ ରେଳ-ଆଧାରିତ ସମନ୍ୱିତ ସହରୀ ବିକାଶ ଉପରେ ଆଲୋଚନା ହେବ । ଏହି ସମ୍ମିଳନୀ ଏକ ଉଦ୍‌ଯାପନୀ ଦିବସରେ ବିଭିନ୍ନ ବର୍ଗରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ରାଜ୍ୟ, ସହର ଏବଂ ପରିବହନ ସଂସ୍ଥାଗୁଡ଼ିକୁ 'ସହରୀ ପରିବହନ କ୍ଷେତ୍ରରେ ଉତ୍କର୍ଷତା/ସର୍ବୋତ୍ତମ କାର୍ଯ୍ୟଶୈଳୀ ପ୍ରକଳ୍ପ' ପାଇଁ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ଆବାସ ଓ ସହର ବ୍ୟାପାର ତଥା ଶକ୍ତି ମନ୍ତ୍ରୀ ମନୋହର ଲାଲ୍ ଏହି ଉଦ୍‌ଯାପନୀ ଅଧିବେଶନରେ ଉଦ୍‌ଯାପନୀ ଭାଷଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଉନବିଂଶତମ ୟୁଏମଆଇ ସମ୍ମିଳନୀ ଓ ପ୍ରଦର୍ଶନୀ ପରେ ୨୪ ଓ ୨୫ ତାରିଖରେ ଭୁବନେଶ୍ୱରରେ ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୬ ଅନୁଷ୍ଠିତ ହେବ।

********

PS/Swadhin/Manoj


(ରିଲିଜ ଆଡି: 2327707) ପରିଦର୍ଶକ କାଉଣ୍ଟର : 20
ଏହି ରିଲିଜ ପଢନ୍ତୁ : English , Urdu , हिन्दी