ରେଳ ମନ୍ତ୍ରଣାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବରରେ ଚେନ୍ନାଇ ଗସ୍ତ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 12 OCT 2026 5:54PM by PIB Bhubaneswar

ପ୍ରଧାନମନ୍ତ୍ରୀ ଚେନ୍ନାଇରେ ୧୩,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ

ପ୍ରକଳ୍ପ ଗୁଡ଼ିକ ମେଟ୍ରୋ ରେଳ, ରାଜପଥ, ରେଳବାଇ, ବନ୍ଦର, ପେଟ୍ରୋଲିୟମ ଏବଂ ଶିକ୍ଷା କ୍ଷେତ୍ର ସହ ଜଡ଼ିତ

ପ୍ରଧାନମନ୍ତ୍ରୀ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ପୁନାମଲ୍ଲୀ- ଭାଡାପାଲାନି ସେକ୍ସନର ଉଦଘାଟନ କରିବେ

ତାମିଲନାଡ଼ୁରେ ପ୍ରାୟ ୩୭୦୦ କୋଟି ଟଙ୍କା ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଚେନ୍ନାଇ ବନ୍ଦର, କାମରାଜାର ବନ୍ଦର ଏବଂ ଭି ଓ ଚିଦମ୍ବରନାର ବନ୍ଦରରେ ବିଭିନ୍ନ ବନ୍ଦର ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ପ୍ରଧାନମନ୍ତ୍ରୀ ପାଲାନି, ଭେଲୋର କ୍ୟାଣ୍ଟନମେଣ୍ଟ, ଅମ୍ବାସାମୁଦ୍ରାମ, ପାରାମାକୁଡ଼ି ଏବ ନାମାକ୍କାଲ ଠାରେ ୫ଟି ‘ଅମୃତ ଷ୍ଟେସନ’ର ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଆଇଆଇଟି ମାଡ୍ରାସ ଠାରେ ‘ସୁଧା ଗୋପାଳକୃଷ୍ଣନ ବ୍ରେନ ସେଣ୍ଟର’କୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ

ପ୍ରଧାନମନ୍ତ୍ରୀ ଜୟଗୋପାଳ ଗାରୋଡିଆ ହିନ୍ଦୁ ବିଦ୍ୟାଳୟ ମାଟ୍ରିକୁଲେସନ ହାୟର ସେକେଣ୍ଡାରୀ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଂଶ ଗ୍ରହଣ କରିବେ

ପ୍ରଧାନମନ୍ତ୍ରୀ ଚେନ୍ନାଇର ଜାଲାକାଣ୍ଡେଶ୍ୱରର ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ

୧୦ ଅକ୍ଟୋବର ୨୦୨୬: ପିଆଇବି ଦିଲ୍ଲୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଅକ୍ଟୋବରରେ ତାମିଲନାଡ଼ୁର ଚେନ୍ନାଇ ଗସ୍ତରେ ଯିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ସେ ପୋରୁର୍ ବାଇପାସ୍ ଷ୍ଟେସନରୁ ପୁନାମଲ୍ଲୀ ବାଇପାସ୍ ଷ୍ଟେସନ ପର୍ଯ୍ୟନ୍ତ ଚେନ୍ନାଇ ମେଟ୍ରୋରେ ଯାତ୍ରା କରିବେ ଏବଂ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିବେ । ପ୍ରଧାନମନ୍ତ୍ରୀ ଦ୍ୱିପ୍ରହର ପ୍ରାୟ ୧୨ଟା ୧୫ ମିନିଟରେ ଚେନ୍ନାଇସ୍ଥିତ ଜଳକଣ୍ଡେଶ୍ୱର ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ଏହାପରେ ସେ ଆଇଆଇଟି ମାଡ୍ରାସର ବ୍ରେନ ସେଣ୍ଟର ପରିଦର୍ଶନ କରିବେ ।

ଦ୍ୱିପ୍ରୟର ପ୍ରାୟ ୧ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ୧୩ ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଅପରାହ୍ଣ ପ୍ରାୟ ୩ଟାରେ ପ୍ରଧାନମନ୍ତ୍ରୀ ଚେନ୍ନାଇସ୍ଥିତ ଜୟଗୋପାଳ ଗାରୋଡିଆ ହିନ୍ଦୁ ବିଦ୍ୟାଳୟ ମାଟ୍ରିକୁଲେସନ ହାୟର ସେକେଣ୍ଡାରୀ ସ୍କୁଲର ସୁବର୍ଣ୍ଣଜୟନ୍ତୀ ଉତ୍ସବରେ ଅଂଶ ଗ୍ରହଣ କରିବା ସହ ସଭାକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଗତ ପୁନାମଲ୍ଲୀ -ଭାଡାପାଲାନି ସେକ୍ସନର ଉଦଘାଟନ କରିବେ । ଏହା ପ୍ରାୟ ୪,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହି କରିଡରରେ ଏକ ଅନନ୍ୟ ୩.୭ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଡବଲ ଡେକର (ଦୁଇ ସ୍ତରୀୟ) ଢାଞ୍ଚା ରହିଛି । ଏଥିରେ ଡ୍ରାଇଭର ବିହୀନ ଟ୍ରେନ ପରିଚାଳନାକୁ ସହାୟତା ସକାଶେ ଉନ୍ନତ ସିଗନାଲିଂ ବ୍ୟବସ୍ଥା ସ୍ଥାପନ କରାଯାଇଛି । ଏହା ଯାତ୍ରୀମାନଙ୍କ ଦୈନନ୍ଦିନ ଯାତ୍ରା ସମୟ ହ୍ରାସ କରିବା ସହ ଚେନ୍ନାଇରେ ଦ୍ରୁତ ଗତିରେ ବିକଶିତ ହେଉଥିବା ପଶ୍ଚିମ ଉପନଗର ତଥା ସହରର କେନ୍ଦ୍ରସ୍ଥଳ ସହ ସଡ଼କ ସମ୍ପର୍କକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି ।

ପ୍ରଧାନମନ୍ତ୍ରୀ ପ୍ରାୟ ୩୭୦୦ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ ଓ ଉଦଘାଟନ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ରାଜ୍ୟରେ ସଡ଼କ ସଂଯୋଗକୁ ସୁଦୃଢ଼ କରିବା ସହ ଯାତ୍ରା ସମୟ ହ୍ରାସ କରିବ, ଟ୍ରାଫିକ ସମସ୍ୟା କମାଇନ ଏବଂ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜମାର୍ଗ-୭୪୪ର ୩୬ କିଲୋମିଟର ବିଶିଷ୍ଟ ଚାରି ଲେନ୍ ଯୁକ୍ତ ଭଡୁଗାପଟ୍ଟି-ଥେରକୁଭେଙ୍ଗାନାଲୁର ଭାଗର ଉଦଘାଟନ କରିବେ । ଏହି ପ୍ରକଳ୍ପ ସଂପୃକ୍ତ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥଳ, ଶିଳ୍ପ ଓ ବାଣିଜି୍ୟକ କେନ୍ଦ୍ର ଗୁଡ଼ିକ ସହିତ ସଂଯୋଗ ବୃଦ୍ଧି କରିବ ଏବଂ ଜନସାଧାରଣଙ୍କ ଚଳାଚଳ ଓ ବିଭିନ୍ନ ସାମଗ୍ରୀ ପରିବହନକୁ ସହଜ କରିବ । ସେ ଜାତୀୟ ରାଜମାର୍ଗ-୭୪୪(କ)ର ୩୦ କିଲୋମିଟର ବିଶିଷ୍ଟ ଚାରି ଲେନ୍ୟୁକ୍ତ ମଦୁରାଇ ରିଙ୍ଗରୋଡ ଅଂଶର ମଧ୍ୟ ଉଦଘାଟନ କରିବେ । ଏହି ପ୍ରକଳ୍ପ ମଦୁରାଇର ଚତୁଃପାଶ୍ୱର୍ରେ ଯାନବାହାନ ଚଳାଚଳରେ ଉନ୍ନତି ଆଣିବ ଏବଂ ସହର ମଧ୍ୟରେ ଟ୍ରାଫିକ ଭିଡ଼ ହ୍ରାସ କରିବାରେ ସହାୟକ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜମାର୍ଗ-୮୩ର ନାଗାପଟ୍ଟିନମ୍ - ଥାଞ୍ଜାଭୁର ଅଂଶରେ ଥିବା ଚାରିଲେନ୍ ଯୁକ୍ତ ଥିରୁଭାରୁର୍ ବାଇପାସର ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଥିରୁଭାରୁର୍ରେ ସଡ଼କ ସଂଯୋଗକୁ ସୁଦୃଢ଼ କରିବ ଏବଂ ସହର ଚାରିପାଖରେ ଏକ ବିକଳ୍ପ ରାସ୍ତା ଯୋଗାଇ ଦେଇ ଯାନବାହନର ସୁଗମ ଚଳାଚଳକୁ ସୁନିଶ୍ଚିତ କରିବ ।

ପ୍ରଧାନମନ୍ତ୍ରୀ ୭୫୦ କୋଟିରୁ ଅଧିକ ଟଙ୍କାର ରେଳ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକୁ ଉତ୍ସର୍ଗ ଓ ଉଦଘାଟନ କରିବେ । ସେ କାରାଇକେନାଲ-ପେରାଲମ୍ ରେଳ ଲାଇନକୁ ଉତ୍ସର୍ଗ କରିବେ । ଏହା ଏହି ଅଞ୍ଚଳରେ ରେଳ ସଂଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ । ଏଥି ସହିତ ସେ କୋଏମ୍ବାଟୁର ଏବଂ ଆଖପାଖ ଅଞ୍ଚଳର ତିନୋଟି ରେଳ ଫ୍ଲାଏ-ଓଭରର ମଧ୍ୟ ଉତ୍ସର୍ଗ କରିବେ ।  ଏଗୁଡ଼ିକ ବ୍ୟସ୍ତବହୁଳ ଲେଭଲକ୍ରସିଂ ଗୁଡ଼ିକରେ ଟ୍ରାଫିକ ଭିଡ଼ ହ୍ରାସ କରିବ, ଅପେକ୍ଷା ସମୟ କମାଇବ ଏବଂ ଯାତ୍ରୀମାନଙ୍କ ପାଇଁ ସଡ଼କ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବ । ପ୍ରଧାନମନ୍ତ୍ରୀ ପଲାନି, ଭେଲୋର କ୍ୟାଣ୍ଟନମେଣ୍ଟ, ଅମ୍ବାସମୁଦ୍ରମ୍, ପରମକୁଡ଼ି ଏବଂ ନମକ୍କଲରେ ପାଞ୍ଚଟି ଅମୃତ ଷ୍ଟେସନର ମଧ୍ୟ ଉଦଘାଟନ କରିବେ । ଅମୃତ ଭାରତ ଷ୍ଟେସନ ଯୋଜନାରେ ଏଗୁଡ଼ିକର ପୁନଃବିକାଶ କରାଯାଇଛି ।

ସାମୁଦ୍ରିକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସାମଗ୍ରୀ ପରିବହନ କ୍ଷମତା ବୃଦ୍ଧି କରିବା ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁରେ ବନ୍ଦର ସମ୍ବନ୍ଧୀୟ ଅନେକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ଚେନ୍ନାଇ ବନ୍ଦରରେ ଚାରୋଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ: ଏକ ପକ୍କା ସଂରକ୍ଷଣ ପ୍ରାଙ୍ଗଣ, ଚାରୋଟି ଗୋଦାମ, ଏକ ଉନ୍ନତ କ୍ରୁଜ ଟର୍ମିନଲ ଏବଂ ଏକ ନାବିକ କ୍ଲବ । ଏହି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ମାଲ୍ ସଂରକ୍ଷଣ ଓ ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆସିବ । ଗୋଦାମ କ୍ଷମତା ବୃଦ୍ଧି ପାଇବ, ଯାତ୍ରୀ ସୁବିଧା ଗୁଡ଼ିକର ଆଧୁନିକୀକରଣ ହେବା ଫଳରେ ଏକକାଳୀନ ଅଧିକ ସଂଖ୍ୟାରେ କ୍ରୁଜ ଯାତ୍ରୀଙ୍କ ଯାତ୍ରା ଆରମ୍ଭ ଓ ସମାପ୍ତ ହୋଇପାରିବ । ଏଠାକୁ ଆସୁଥିବା ନାବିକ ଓ ସାମୁଦ୍ରିକ କର୍ମଚାରୀମାନଙ୍କ ଆଧୁନିକ କଲ୍ୟାଣକାରୀ, ମନୋରଞ୍ଜନ ଓ ସହାୟକ ସୁବିଧା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଭି ଓ ଚିଦାମ୍ବରନାର ବନ୍ଦରରେ ଆଠଟି ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମାଲ୍ ଓ କଣ୍ଟେନର ପରିବହନ କ୍ଷମତା ବୃଦ୍ଧି କରିବ, ସ୍ୱଚ୍ଛ ସାମୁଦ୍ରିକ ଶକ୍ତିି ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେବା ପାଇଁ ଭିତ୍ତିଭୂମି ନିର୍ମାଣ କରିବ ଏବଂ ବନ୍ଦର ପରିସରରେ ମାଲ୍ ନିଷ୍କାସନ ଓ ଲଜିଷ୍ଟିକ୍ସ କାର୍ଯ୍ୟର ଦକ୍ଷତା ବୃଦ୍ଧି କରିବ । ପ୍ରଧାନମନ୍ତ୍ରୀ ମଧ୍ୟ କାମରାଜାର ବନ୍ଦରରେ କୋଇଲା ବର୍ଥ-୩ ପ୍ରକଳ୍ପର ଉଦଘାଟନ କରିବେ ଏବଂ କଣ୍ଟେନର ଟର୍ମିନାଲ ପର୍ଯ୍ୟାୟ-୧, ସ୍ତର-୨ ପାଇଁ ଗଭୀର ଖନନ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ଚେନ୍ନାଇସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡର ମନାଲୀ ରିଫାଇନାରୀରେ ଗ୍ରୁପ୍ ୨/୩ ଲୁ୍ୟବ୍ ଅଏଲ ବେସ୍ ଷ୍ଟକ୍ସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରାୟ ୧୬୨୦ କୋଟି ଟଙ୍କା ବ୍ୟୟରେ ଏବଂ ବାର୍ଷିକ ୨୭୦ ହଜାର ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଭାରତରେ ବିଶ୍ୱସ୍ତରୀୟ ଓ ଉନ୍ନତମାନର ଲୁ୍ୟବ୍ରିକାଣ୍ଟ ଉତ୍ପାଦନ ପାଇଁ ଗ୍ରୁପ୍ ୨/୩ ଲୁ୍ୟବ ଅଏଲ ବେସ୍ ଷ୍ଟକ୍ସ ପ୍ରସ୍ତୁତ କରିବା ।

ପ୍ରଧାନମନ୍ତ୍ରୀ ଆଇଆଇଟି ମାଡ୍ରାସରେ ସୁଧା ଗୋପାଳକ୍ରିଷ୍ଣନ ବ୍ରେନ୍ ସେଣ୍ଟରକୁ ଦେଶ ଉଦେ୍ଦଶ୍ୟରେ ଉତ୍ସର୍ଗ କରିବେ । ସେ ଏହାର ଏକ ଅଭିନବ ବିଶ୍ୱସ୍ତରୀୟ ବୈଜ୍ଞାନିକ ଅଭିଯାନର ମଧ୍ୟ ଶୁଭାରମ୍ଭ କରିବେ, ଯାହା ମାଧ୍ୟମରେ ଭ୍ରୂଣ ଅବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ମଣିଷର ଜୀବନକାଳ ମଧ୍ୟରେ ୧୦୦ରୁ ଅଧିକ ମାନବ ମସ୍ତିଷ୍କକୁ କୋଷିକା ସ୍ତରୀୟ ସୂକ୍ଷ୍ମତା ସହିତ ତ୍ରି-ଆୟାମୀ ଆଟଲାସରେ ଚିତ୍ରଣ କରାଯିବ । ଏହା ସହିତ ପ୍ରଧାନମନ୍ତ୍ରୀ ସି-ଷ୍ଟ୍ରୋକ ନାମକ ଏକ ଅନନ୍ୟ ମାନବ ମସ୍ତିଷ୍କାଘାତ ଆଟଲାସ୍ ମଧ୍ୟ ଉନ୍ମୋଚନ କରିବେ । ଷ୍ଟ୍ରୋକରେ ପ୍ରଭାବିକ ମସ୍ତିଷ୍କର ୧୦୦୦ରୁ ଅଧିକ ବିଶ୍ଳେଷଣାତ୍ମକ ଅଣୁବିକ୍ଷଣୀକ ଅଂଶକୁ ନେଇ ପ୍ରସ୍ତୁତ ଏହି ଆଟଲାସ୍, ବିଶ୍ୱବ୍ୟାପୀ ଗବେଷକମାନଙ୍କୁ ଚିକିତ୍ସା ପାଇଁ ନୂତନ ଲକ୍ଷ୍ୟସ୍ଥଳ ଚିହ୍ନଟ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଚେନ୍ନାଇର ଜୟଗୋପାଳ ଗାରୋଡିଆ ହିନ୍ଦୁ ବିଦ୍ୟାଳୟ ମାଟି୍ରକୁଲେସନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ । ଏହି ସୁବର୍ଣ୍ଣ ଜୟନ୍ତୀ ଶିକ୍ଷା କ୍ଷେତ୍ରରେ ଅନୁଷ୍ଠାନର ପାଞ୍ଚ ଦଶନ୍ଧିର ଯୋଗଦାନ ଏବଂ ଶୈକ୍ଷିକ ଉକ୍ରର୍ଷତା, ଶୃଙ୍ଖଳା, ସାଂସ୍କୃତିକ ମୂଲ୍ୟବୋଧ ଏବଂ ସାମଗ୍ରିକ ଶିକ୍ଷା ମାଧ୍ୟମରେ ପିଢ଼ି ପରେ ପିଢ଼ିର ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବାରେ ଏହାର ଭୂମିକାର ପ୍ରତୀକ । ଏହାର ମୂଳମନ୍ତ୍ର, ‘ସା ବିଦ୍ୟା ଯା ବିମୁକ୍ତୟେ’ ଦ୍ୱାରା ପରିଚାଳିତ, ସ୍କୁଲ ସମାଜରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଉଥିବା ବ୍ୟକ୍ତିମାନଙ୍କୁ ପ୍ରସ୍ତୁତ କରିବାକୁ ଚେଷ୍ଟା କରେ । ବର୍ଷ ବର୍ଷ ଧରି, ଅନୁଷ୍ଠାନଟି ଚରିତ୍ର ନିର୍ମାଣ, ଜ୍ଞାନ ଏବଂ ଦାୟିତ୍ୱପୂର୍ଣ୍ଣ ନାଗରିକତା ଉପରେ ଦୃଢ଼ ଗୁରୁତ୍ୱ ଦେବା ସହିତ ପରିବର୍ତ୍ତିତ ଶିକ୍ଷାଗତ ଆବଶ୍ୟକତାର ପ୍ରତିକ୍ରିୟାରେ ବିକଶିତ ହୋଇଛି । 

SR


(ରିଲିଜ ଆଡି: 2322376) ପରିଦର୍ଶକ କାଉଣ୍ଟର : 8