ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ପାରାଦୀପ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀର ଦ୍ୱାଦଶ ଜାତୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଭ୍ୟାସ

ପୋଷ୍ଟ କରାଯିବା ଦିନାଙ୍କ: 08 OCT 2026 4:16PM by PIB Bhubaneswar

ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଜାତୀୟ ସାମୁଦ୍ରିକ ସନ୍ଧାନ ଅଭିଯାନ ଓ ଉଦ୍ଧାର ବୋର୍ଡ (ଏନ୍‌ଏମ୍‌ଏସ୍‌ଏଆର୍‌ବି)ର ତତ୍ତ୍ୱାବଧାନରେ ଆଜି ଓଡ଼ିଶାର ପାରାଦ୍ୱୀପ ଉପକୂଳଠାରେ ଦ୍ୱାଦଶ ଜାତୀୟ ସାମୁଦ୍ରିକ ସନ୍ଧାନ ଅଭିଯାନ ଓ ଉଦ୍ଧାର ଅଭ୍ୟାସ (ସାରେକ୍ସ-୨୦୨୬) ଅନୁଷ୍ଠିତ ହୋଇଯାଇଛି। “ସନ୍ଧାନ ଓ ଉଦ୍ଧାର ପାଇଁ ପ୍ରସ୍ତୁତି ଏବଂ ସାମୁଦ୍ରିକ ସୁରକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ” ବିଷୟବସ୍ତୁକୁ ଆଧାର କରି ଏହି ଅଭ୍ୟାସ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମୁଦ୍ରରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି, ଆନ୍ତଃକାର୍ଯ୍ୟଦକ୍ଷତା ଏବଂ ସମନ୍ୱିତ ପ୍ରତିକ୍ରିୟା ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ସାମୁଦ୍ରିକ ଏବଂ ଏରୋନଟିକାଲ୍ ସଂସ୍ଥା ଏକତ୍ରିତ ହୋଇଥିଲେ।

ଏହି ଅଭ୍ୟାସ କାର୍ଯ୍ୟକ୍ରମକୁ ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ପରମେଶ ଶିବମଣି ସମୀକ୍ଷା କରିଥିଲେ ଏବଂ ଏଥିରେ ତଟରକ୍ଷୀ ବାହିନୀ, ନୌସେନା, ବାୟୁସେନା, ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିପିଂ, ମତ୍ସ୍ୟ ବିଭାଗ, କଷ୍ଟମ୍ସ, ମେରାଇନ୍ ପୋଲିସ୍, ପାରାଦ୍ୱୀପ ପୋର୍ଟ ଅଥୋରିଟି ଏବଂ ଓଡ଼ିଶା ରାଜ୍ୟ ପ୍ରଶାସନ ଅଂଶଗ୍ରହଣ କରିଥିଲେ। ୩୦ଟି ଦେଶର ୩୨ ଜଣ ପର୍ଯ୍ୟବେକ୍ଷକ ମଧ୍ୟ ଏହି ଅଭ୍ୟାସରେ ଯୋଗ ଦେଇଥିଲେ, ଯାହା ସାମୁଦ୍ରିକ ସନ୍ଧାନ ଅଭିଯାନ ଓ ଉଦ୍ଧାର କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେମାନଙ୍କ ଅଂଶଗ୍ରହଣ ସର୍ବୋତ୍ତମ କାର୍ଯ୍ୟପନ୍ଥାର ଆଦାନପ୍ରଦାନକୁ ସୁଗମ କରିବା ସହ ବୈଶ୍ୱିକ ଆନ୍ତଃକାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିଥିଲା ଏବଂ ଏହି ଅଞ୍ଚଳରେ ଏକ ନିର୍ଭରଯୋଗ୍ୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର ଅଂଶୀଦାର ଭାବରେ ଭାରତର ଭୂମିକାକୁ ପୁନଃପ୍ରତିଷ୍ଠିତ କରିଥିଲା।

 

ଏହି କାର୍ଯ୍ୟକ୍ରମରେ ୧୫ଟି ତଟରକ୍ଷୀ ଜାହାଜ, ତିନୋଟି ଡୋର୍ନିୟର ବିମାନ, ତିନୋଟି ଆଡଭାନ୍ସ ଲାଇଟ୍ ହେଲିକପ୍ଟର, ଗୋଟିଏ ଚେତକ ହେଲିକପ୍ଟର, ଭାରତୀୟ ବାୟୁସେନାର ସି-୧୩୦ ଜେ ଏବଂ ଏମଆଇ-୧୭ ବିମାନ, ଦୁଇଟି ଭାରତୀୟ ନୌସେନା ଜାହାଜ ସହିତ ବେସାମରିକ ଓ ରାଜ୍ୟ ଏବଂ ସ୍ଥଳଭାଗ-ଆଧାରିତ ସହାୟକ ୟୁନିଟ୍ ସାମିଲ ହୋଇଥିଲେ। ଏକ ସଙ୍ଗେ ଘଟୁଥିବା ବୈମାନିକ ଏବଂ ସାମୁଦ୍ରିକ ବିପଦ ଜରୁରୀକାଳୀନ ପରିସ୍ଥିତିରେ ଏକ ବ୍ୟାପକ ଉଦ୍ଧାର କାର୍ଯ୍ୟର କାଳ୍ପନିକ ଚିତ୍ରଣ ଏହି ଅବସରରେ କରାଯାଇଥିଲା। ଏହି ପରିସ୍ଥିତିର ଏକ ଅଂଶ ଭାବରେ, ୨୨୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ପାରାଦ୍ୱୀପ ବନ୍ଦର ନିକଟ ସମୁଦ୍ରରେ ଜରୁରୀକାଳୀନ ଅବତରଣ କରିଥିଲା, ଯାହାର ମୁଖ୍ୟ ଭାଗ ‘ଏମ୍‌ଭି ଜୁମ୍ବା’ ନାମକ କଣ୍ଟେନର ଜାହାଜ ସହ ଧକ୍କା ହେବା ଫଳରେ ଗଠନମୂଳକ କ୍ଷତି ଏବଂ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଭ୍ୟାସରେ ଘଟଣା ନିୟନ୍ତ୍ରଣ କେନ୍ଦ୍ରକୁ ସକ୍ରିୟ କରିବା, ଅଗ୍ନିଶମ କାର୍ଯ୍ୟ, ହେଲିକପ୍ଟର ଦ୍ୱାରା ସ୍ଥାନାନ୍ତର, ଲାଇଫ୍ ରାଫ୍ଟ ଏବଂ ଆକାଶରୁ ପକାଯାଇପାରୁଥିବା ଲାଇଫ୍ ରାଫ୍ଟ ନିୟୋଜନ, ଜେସନ୍ କ୍ରେଡଲ୍ ଏବଂ ଜେମିନି ଉଦ୍ଧାର, ରେସକ୍ୟୁ ବାସ୍କେଟ୍ କାର୍ଯ୍ୟ ପ୍ରଣାଳୀ ଏବଂ ସ୍କ୍ରାମ୍ବଲ୍ ନେଟ୍ ପ୍ରକ୍ରିୟା ସାମିଲ ଥିଲା। ଏହି ଅଭ୍ୟାସରେ ରିମୋଟ୍‌ଲି ଅପରେଟେଡ୍ ଭେହିକିଲ୍ (ଆରଓଭି) କ୍ଷମତାର ପ୍ରଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ ଥିଲା।

 

‘ସାଗର’ (SAGAR)ର ଦୂରଦୃଷ୍ଟି ଏବଂ ‘ମହାସାଗର’ (MAHASAGAR)ର ଭାବନା ସହିତ ଖାପ ଖୁଆଇ, ଏକ ଦ୍ରୁତ, ପ୍ରଯୁକ୍ତିବିଦ୍ୟା-ସକ୍ଷମ ଏବଂ ନିରବଚ୍ଛିନ୍ନ ସମନ୍ୱିତ ସନ୍ଧାନ ଓ ଉଦ୍ଧାର ଢାଞ୍ଚା ନିର୍ମାଣ କରିବା ପାଇଁ ସାରେକ୍ସ-୨୦୨୬ ଦ୍ୱାରା ଭାରତ ଏବଂ ଏହାର ଆନ୍ତର୍ଜାତିକ ଅଂଶୀଦାରମାନଙ୍କ ସାମୂହିକ ସଂକଳ୍ପକୁ ପୁନଃନିଶ୍ଚିତ କରାଯାଇଛି। ପ୍ରତ୍ୟେକ ବିପଦକୁ ଏକ ସମନ୍ୱିତ ପ୍ରତିକ୍ରିୟା ମିଳିବା ଆବଶ୍ୟକ ଏବଂ ସମୁଦ୍ରରେ ଜୀବନ ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବାର ଜରୁରୀ ଆବଶ୍ୟକତାକୁ ଏହି ଅଭ୍ୟାସ ମଜବୁତ କରିଛି ।

/HP


(ରିଲିଜ ଆଡି: 2321038) ପରିଦର୍ଶକ କାଉଣ୍ଟର : 8
ଏହି ରିଲିଜ ପଢନ୍ତୁ : English , Urdu , हिन्दी