ପୋଷ୍ଟ କରାଯିବା ଦିନାଙ୍କ:
12 AUG 2026 11:19AM by PIB Bhubaneswar
ଆମର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜୀ, ଲୋକସଭାର ଅଧ୍ୟକ୍ଷ ବାଚସ୍ପତି ଓମ୍ ବିର୍ଲା ଜୀ, ଶ୍ରୀମତୀ ସବିତା କୋବିନ୍ଦ ଜୀ ଏବଂ ସଭାଗୃହରେ ଉପସ୍ଥିତ ସମସ୍ତ ବରିଷ୍ଠ ବିଶିଷ୍ଟ ବ୍ୟକ୍ତିବିଶେଷ, ହୁଏତ ମୁଁ ସମସ୍ତଙ୍କ ନାମ ଉଲ୍ଲେଖ କରିପାରିବି ନାହିଁ, କିନ୍ତୁ ମୋତେ ବହୁତ ଖୁସି ଲାଗୁଛି ,ଏହା ଏକ ପାରିବାରିକ କାର୍ଯ୍ୟକ୍ରମ ଭଳି ମନେହେଉଛି।
ଭାଇ- ଭଉଣୀମାନେ,
ଆଜି ମୋତେ ଶ୍ରୀ ରାମନାଥ କୋବିନ୍ଦ ଜୀଙ୍କର ଆତ୍ମଜୀବନୀ ଉନ୍ମୋଚନ କରିବାର ସୁଯୋଗ ମିଳିଛି। ମୁଁ ଖୁସି ଯେ ଏହି କାର୍ଯ୍ୟକ୍ରମର ଅଂଶବିଶେଷ ହେବାର ସୌଭାଗ୍ୟ ମୋତେ ମଧ୍ୟ ମିଳିଛି। କୋବିନ୍ଦ ଜୀଙ୍କ ସହିତ ମୋର ଦୀର୍ଘଦିନର ସମ୍ପର୍କ ରହିଛି, ତାଙ୍କୁ ନିକଟରୁ ଜାଣିବାର, ରାଷ୍ଟ୍ରପତି ଭାବରେ ତାଙ୍କ ମାର୍ଗଦର୍ଶନ ପାଇବାର ଏବଂ ଏସବୁ ସହିତ ମୋ ପ୍ରତି ତାଙ୍କର ସ୍ୱତନ୍ତ୍ର ସ୍ନେହ ଓ ଆପଣାର ଭାବ , ଏସବୁ ମୋ ଜୀବନର ଏକ ବଡ଼ ପୁଞ୍ଜି ହୋଇ ରହିଛି। ତାଙ୍କ ଜୀବନ ସମ୍ପର୍କରେ ମୁଁ ଯାହା ବୁଝିଛି ଏବଂ ତାଙ୍କ କ୍ଷମତା ବିଷୟରେ ଯାହା ଦେଖିଛି, ସେହି ଆଧାରରେ ମୁଁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ କହିପାରିବି ଯେ ଶ୍ରୀ ରାମନାଥ କୋବିନ୍ଦ ଜୀଙ୍କ ଆତ୍ମଜୀବନୀ ଭାରତୀୟ ଗଣତନ୍ତ୍ର ଓ ଭାରତୀୟ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ହୋଇରହିବ। ତାଙ୍କ ଜୀବନ ଯାତ୍ରା ଏବଂ ସମାଜ ତଥା ଦେଶ ପାଇଁ ତାଙ୍କର ଅବଦାନ ବିଷୟରେ କହିବାକୁ ବହୁତ କିଛି ରହିଛି, ଯାହା ବିଷୟରେ ବହୁତ କିଛି ମୁଁ କହିପାରିବି, କିନ୍ତୁ ପୁସ୍ତକ ଉନ୍ମୋଚନ ସମୟରେ କେବଳ ଏକ ସଂକ୍ଷିପ୍ତ ପ୍ରାରମ୍ଭିକ ସୂଚନା ହିଁ ଦିଆଯିବା ଉଚିତ୍। ଏହି ପୁସ୍ତକର ସମ୍ପୂର୍ଣ୍ଣ ଲାଭ ପାଇବା ପାଇଁ ଆପଣମାନଙ୍କୁ ଏହାକୁ ପୁରା ପଢ଼ିବାକୁ ହେବ।
ବନ୍ଧୁଗଣ,
କୋବିନ୍ଦ ଜିଙ୍କ ଜୀବନ ଯାତ୍ରାକୁ ନିଜ ଶବ୍ଦରେ ଜାଣିବା, ତାଙ୍କ ଲେଖାକୁ , ତାଙ୍କ ଅନୁଭୂତିକୁ ଦେଶର ନୂତନ ପିଢି ପଢିବା ଦରକାର, ଏଥିରୁ ଅନେକ କିଛି ଶିଖିବାକୁ ମିଳିବ | ଏହି ଆତ୍ମଜୀବନୀ ପାଇଁ ମୁଁ ରାମ ନାଥ କୋବିନ୍ଦ ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି |
ବନ୍ଧୁଗଣ,
କୋବିନ୍ଦ ଜୀ ତାଙ୍କ ପୁସ୍ତକକୁ ଏକ ସଠିକ୍ ନାମ ଦେଇଛନ୍ତି - “ଟ୍ରିଇୟୁମ୍ଫ୍ ଅଫ୍ ଇଣ୍ଡିଆନ୍ ରିପବ୍ଲିକ୍: ମୋ ଲାଇଫ୍, ମୋର ସଂଘର୍ଷ।” ଏହାର ଅର୍ଥ ହେଉଛି ଜୀବନ ଏବଂ ଏହାର ସଂଘର୍ଷ ବ୍ୟକ୍ତିଗତ, କିନ୍ତୁ ସେହି ସଂଘର୍ଷର ପରିଣାମ ସ୍ବରୁପ ମିଳିଥିବା ବିଜୟ ଭାରତର ଗଣତନ୍ତ୍ରର , ଭାରତର ଲୋକତନ୍ତ୍ରର ।
ବନ୍ଧୁଗଣ,
ଆମେ ପ୍ରାୟ ଅନୁଭବ କରୁ ଯେ ମଣିଷର ଏକ ସ୍ବଭାବ ରହିଥାଏ, ଲୋକମାନେ ନିଜର ସଫଳତାର ଶ୍ରେୟ ନିଜକୁ ଦିଅନ୍ତି ଏବଂ ଜୀବନରେ ଅସୁବିଧା ପାଇଁ ସମାଜକୁ ଦାୟୀ କରନ୍ତି | କିନ୍ତୁ ଯେତେବେଳେ ହୃଦୟ ଉଦାର ହେବ , ଭାରତୀୟ ସଂସ୍କାର ଥିବ, ସେତେବେଳେ ଜଣେ ବ୍ୟକ୍ତି ସମାଜର ତ୍ରୁଟି ଖୋଜିବାରେ ସମୟ ନଷ୍ଟ କରେ ନାହିଁ | ସେ ସକରାତ୍ମକ ଦିଗ ଉପରେ ଧ୍ୟାନ ଦିଅନ୍ତି ଏବଂ ସମାଜକୁ ତାଙ୍କ ସଫଳତାରେ ସମାନ ଅଂଶୀଦାର ଭାବରେ ବିବେଚନା କରନ୍ତି | କୋବିନ୍ଦ ଜୀଙ୍କର ଆତ୍ମଜୀବନୀ ଏବଂ ତାହାର ଶିର୍ଷକ ହେଉଛି ଏହାର ଉଦାହରଣ | ଆପଣ ତାଙ୍କ ଜୀବନକୁ ଦେଖନ୍ତୁ, ଏକ ଅତି ସାଧାରଣ ପରିବାରରେ, କାନପୁରର ଦେହାତ୍ ରେ ତାଙ୍କର ଜନ୍ମ ହୋଇଥିଲା | ସେ ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ଏବଂ ଲେଖିଛନ୍ତି ଯେ ଗ୍ରୀଷ୍ମ ଦିନେ କିପରି ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ତାଙ୍କ ମା ନିଜ ସୁରକ୍ଷାକୁ ଭୁଲି ଘରର ଜିନିଷ ସଞ୍ଚୟ କରିବାକୁ ଚେଷ୍ଟା କରିଥିଲେ। ଏକ ସରଳ ପରିବାରର ଜଣେ ମା ପାଇଁ, ପ୍ରତ୍ୟେକଟି ଜିନିଷ ନିଜ ପିଲାମାନଙ୍କୁ ପ୍ରତିପୋଷଣ କରିବାର ଏକ ମାଧ୍ୟମ ହୋଇଥାଏ | ସେହି ପ୍ରୟାସରେ ସେ ନିଆଁରେ ଫସିଯାଇଥିଲେ ଏବଂ ତାଙ୍କର ଦେହାନ୍ତ ହୋଇଥିଲା। ଆପଣ କଳ୍ପନା କରିପାରୁଥିବେ, ଏତେ କମ୍ ବୟସରେ, ଜଣେ ମାତାଙ୍କୁ ଏହି ଭଳି ଭାବରେ ହରାଇବା, ଏହା କେତେ ଯନ୍ତ୍ରଣାଦାୟକ ଥିଲା | ମୁଁ ସତରେ ଭାଗ୍ୟବାନ୍ ଯେ ମୋ ମା 100 ବର୍ଷରୁ ଅଧିକ ବଞ୍ଚିଥିଲେ ଏବଂ ମୋତେ ଆଶୀର୍ବାଦ ଦେଇଥିଲେ। ତଥାପି, ମୁଁ ତଥାପି ତାଙ୍କ ଅନୁପସ୍ଥିତି ଅନୁଭବ କରୁଛି |
ବନ୍ଧୁଗଣ,
ଏହି ଯନ୍ତ୍ରଣାଦାୟକ ଘଟଣା ଯେକୌଣସି ବ୍ୟକ୍ତିଙ୍କୁ ଭାଙ୍ଗି ଦେଇପାରିଥାନ୍ତା, କିନ୍ତୁ ଏହା କୋବିନ୍ଦ ଜୀଙ୍କୁ ଅଧିକ ଶକ୍ତିଶାଳୀ କରିଥିଲା। ଜଣେ ପଡ଼ୋଶୀ ମହିଳା ତାଙ୍କ ଲାଳନପାଳନରେ ସାହାଯ୍ୟ କରିଥିଲେ। ଏଥିରୁ ସେ ସାମାଜିକ ଏକତା ଓ ସଦ୍ଭାବନାର ଶକ୍ତିକୁ ବୁଝିପାରିଥିଲେ। ଏହି ଘଟଣା ପରେ ତାଙ୍କ ପିତାଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଉଠିଥିଲା। ତାଙ୍କ ପିତା ଯେଉଁଭଳି ଭାବରେ ପରିବାର ଚଳାଉଥିଲେ ଏବଂ ପିଲାମାନଙ୍କୁ ସଂସ୍କାର ଶିଖାଉଥିଲେ, ସେଥିପାଇଁ କୋବିନ୍ଦ ଜୀ ନିଜ ପିତାଙ୍କୁ ନିଜର 'ହିରୋ' ବା ନାୟକ ବୋଲି ମନେ କରନ୍ତି।
ବନ୍ଧୁଗଣ,
ଶୈଶବର ଏହି ସଂଘର୍ଷମୟ ପରିସ୍ଥିତି ମଧ୍ୟରେ, କୋବିନ୍ଦ ଜୀ ନିଜକୁ ସଶକ୍ତ କରିବା ପାଇଁ ଶିକ୍ଷାକୁ ମାଧ୍ୟମ କରିଥିଲେ। ସେ କଠିନ ପରିଶ୍ରମ କରିଥିଲେ ଏବଂ ସମ୍ବଳର ଅଭାବକୁ ନିଜର ଦୁର୍ବଳତା ହେବାକୁ ଦେଇନଥିଲେ। ଏବଂ ସେ ଏପରି ଏକ ଉଚ୍ଚ ସ୍ଥାନରେ ପହଞ୍ଚିଥିଲେ ଯାହା ସେତେବେଳେ ଲୋକମାନେ କଳ୍ପନା ମଧ୍ୟ କରିପାରିନଥିଲେ, ସେ ଭାରତ ଭଳି ଏକ ବିଶାଳ ଦେଶର ରାଷ୍ଟ୍ରପତି ହୋଇଥିଲେ।
ବନ୍ଧୁଗଣ,
ଏତେ ଉଚ୍ଚ ପଦବୀରେ ପହଞ୍ଚିବା ପରେ ମଧ୍ୟ କୋବିନ୍ଦ ଜୀଙ୍କର ବିନମ୍ର ବ୍ୟକ୍ତିତ୍ୱ ଓ ସରଳତା ଅକ୍ଷୁର୍ଣ୍ଣ ରହିଥିଲା। ମୋର ମନେ ଅଛି, ପ୍ରଧାନମନ୍ତ୍ରୀ ଭାବରେ ଯେତେବେଳେ ମୁଁ ରାଷ୍ଟ୍ରପତି ଭବନରେ ତାଙ୍କୁ ଭେଟିବାକୁ ଯାଉଥିଲି, ସେ ପ୍ରୋଟୋକଲ୍ ବା ନିୟମାବଳୀର ସୀମା ବାହାରକୁ ଯାଇ କାର୍ଯ୍ୟ କରୁଥିଲେ। ପ୍ରଧାନମନ୍ତ୍ରୀଙ୍କୁ ବିଦାୟ ଦେବା ପାଇଁ ସେ ନିଜେ ଦ୍ୱାର ପର୍ଯ୍ୟନ୍ତ ଆସୁଥିଲେ। ମୁଁ ତାଙ୍କୁ ଏପରି ନ କରିବାକୁ ଅନୁରୋଧ କରୁଥିଲି, କିନ୍ତୁ ସେ ଶେଷ ପର୍ଯ୍ୟନ୍ତ ନିଜର ବିନମ୍ରତା ତ୍ୟାଗ କରିନଥିଲେ। ରାଷ୍ଟ୍ରପତି ହେବା ପରେ ଯେତେବେଳେ ସେ ନିଜ ଗାଁ 'ପାରୌଖ'କୁ ଯାଇଥିଲେ, ସେତେବେଳେ ସେ ନିଜ ଶିକ୍ଷକମାନଙ୍କ ପାଦ ଛୁଇଁ ପ୍ରଣାମ ଜଣାଇଥିଲେ। ସେ ଗାଁର ମାଟିକୁ ପ୍ରଣାମ କରିଥିଲେ ଏବଂ ସାଧାରଣ ଲୋକଙ୍କୁ କୃତଜ୍ଞତା ଜଣାଇଥିଲେ। ସମଗ୍ର ଦେଶ ସେହି ଭାବପୂର୍ଣ୍ଣ ଦୃଶ୍ୟ ଦେଖିଥିଲା। ତାଙ୍କର ଆଚରଣ ବିଶ୍ୱ ସମ୍ମୁଖରେ ଭାରତୀୟ ମୂଲ୍ୟବୋଧର ଏପରି ଏକ ଚିତ୍ର ଉପସ୍ଥାପନ କରିଥିଲା ଯାହା ପାଇଁ ପ୍ରତ୍ୟେକ ଭାରତବାସୀ ଗର୍ବ ଅନୁଭବ କରିଥାନ୍ତି।
ବନ୍ଧୁଗଣ,
ଦାସତ୍ବର ଶହ ଶହ ବର୍ଷ ପରେ ଆମ ଦେଶ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ବହୁତ କ୍ଷତି ସହିଛି। ଆମର ପୂର୍ବପୁରୁଷମାନେ ଶତାବ୍ଦୀ ଧରି ସଂଘର୍ଷ କରିଛନ୍ତି। ମହାତ୍ମା ଗାନ୍ଧୀ, ବାବାସାହେବ ଆମ୍ବେଦକର, ଜ୍ୟୋତିବା ଫୁଲେ, ସାବିତ୍ରୀବାଈ ଫୁଲେ, ଏପରି ଅନେକ ମହାନ ବ୍ୟକ୍ତିତ୍ୱ ଏକ ନୂତନ ଭାରତର ସ୍ୱପ୍ନ ଦେଖିଥିଲେ।ଏକ ଏମିତି ଭାରତ ଯେଉଁଠାରେ ଗରିବ ଠାରୁ ଅତି ଗରିବ,ବଞ୍ଚିତରୁ ଅତି ବଞ୍ଚିତ ବ୍ୟକ୍ତି ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚିପାରିବେ। କୋବିନ୍ଦ ଜୀଙ୍କ ଭଳି ବ୍ୟକ୍ତିତ୍ୱ ନିଜର ପରିଶ୍ରମ ଓ ଦକ୍ଷତା ବଳରେ କେବଳ ନିଜ ଜୀବନକୁ ପରିବର୍ତ୍ତନ କରିନାହାନ୍ତି, ବରଂ ସେହି ଶତାବ୍ଦୀ ପୁରୁଣା ସ୍ୱପ୍ନ ଓ ଲକ୍ଷ୍ୟକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏ ଦିଗରେ ଆମର ପ୍ରୟାସ ଜାରି ରହିଛି। ଭବିଷ୍ୟତରେ ଆମକୁ କୋବିନ୍ଦ ଜୀଙ୍କ ଭଳି ଅନେକ ଯୁବକ ଦରକାର, ଯେଉଁମାନେ ସମସ୍ୟା ଦ୍ୱାରା ପରାସ୍ତ ହେବେ ନାହିଁ, ଯେଉଁମାନେ କଠିନ ପରିସ୍ଥିତିରେ ନିରାଶ ହେବେ ନାହିଁ, ବରଂ କଠିନ ପରିଶ୍ରମ ମାଧ୍ୟମରେ ପ୍ରତ୍ୟେକ ଲକ୍ଷ୍ୟକୁ ସହଜ କରିବାର ସାହସ ରଖିବେ। ଏହି ପରିବର୍ତ୍ତନ ଏକ ଶକ୍ତିଶାଳୀ ଭାରତ ଗଠନର ସଂକଳ୍ପକୁ ପୂରଣ କରିବ। ଏଠାରୁ ହିଁ ଆତ୍ମନିର୍ଭରଶୀଳ ଓ ବିକଶିତ ଭାରତର ପଥ ପ୍ରସ୍ତୁତ ହେବ।
ବନ୍ଧୁଗଣ,
ଏଭଳି ଯୁବ ଶକ୍ତି ଗଠନ ପାଇଁ କୋବିନ୍ଦ ଜୀଙ୍କ ଆତ୍ମଜୀବନୀ ପ୍ରେରଣାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇପାରେ।
ବନ୍ଧୁଗଣ,
ନିଜ ଆତ୍ମଜୀବନୀରେ କୋବିନ୍ଦ ଜୀ ମୋରାରଜୀ ଦେଶାଇଙ୍କ ସହ ତାଙ୍କର ଅନୁଭୂତି ବିଷୟରେ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କ ମଧ୍ୟରେ ଥିବା ଦେଶସେବାର ଭାବନା ଏବଂ ମୋରାରଜୀ ଭାଇଙ୍କ ସହ କାମ କରି ସେ ଯେଉଁ ଶିକ୍ଷା ଓ ପଥ ପାଇଥିଲେ, ତାହା ଆଧାରରେ କୋବିନ୍ଦ ଜୀ ରାଜନୀତି ଓ ସମାଜସେବାକୁ ନିଜର ମାର୍ଗ ଭାବେ ବାଛିନେଇଥିଲେ। ସେ ନିଜ କର୍ତ୍ତବ୍ୟ ପ୍ରତି ସମର୍ପିତ ରହିଲେ। ସେବାକୁ ହିଁ ସେ ନିଜର ଲକ୍ଷ୍ୟ କରିଥିଲେ। ସଂସଦରେ ତାଙ୍କର କାର୍ଯ୍ୟକାଳ ଏହାର ସାକ୍ଷୀ ଅଟେ। ରାଜ୍ୟପାଳ ଭାବରେ ମଧ୍ୟ ସେ ଏକ ଉଦାହରଣ ସୃଷ୍ଟି କରିଥିଲେ। ରାଷ୍ଟ୍ରପତି ଭାବରେ ମଧ୍ୟ ଆମେ ସେହି ସମାନ ସମର୍ପଣ ଭାବ ଦେଖିବାକୁ ପାଇଥିଲୁ। ରାଷ୍ଟ୍ରପତି ଭଳି ସର୍ବୋଚ୍ଚ ପଦରୁ ଅବସର ନେବା ପରେ ମଧ୍ୟ ସେ ବିଶ୍ରାମ ନେଇନାହାନ୍ତି। ସେ ଏବେ ମଧ୍ୟ 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କାର୍ଯ୍ୟ କରୁଛନ୍ତି। ସେ ଦେଶକୁ ଜାଗ୍ରତ କରୁଛନ୍ତି। ଏହା ଏପରି ଏକ ବିଷୟ ଯାହାର ସମାଧାନ ଭାରତୀୟ ଗଣତନ୍ତ୍ରରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିପାରେ। ମୋର ବିଶ୍ୱାସ ଯେ ଦେଶବାସୀ କୋବିନ୍ଦ ଜୀଙ୍କ ସମର୍ପଣ ଓ ସେବା ଭାବନାରୁ ବହୁତ କିଛି ଶିଖିପାରିବେ।
ବନ୍ଧୁଗଣ,
ସାମାଜିକ ଜୀବନରେ ସକ୍ରିୟ ରହି ଆତ୍ମଜୀବନୀ ଲେଖିବା ପାଇଁ ସମୟ ବାହାର କରିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। କୋବିନ୍ଦ ଜୀ ଆମ ସମସ୍ତଙ୍କ ପାଇଁ ଏହି କାର୍ଯ୍ୟ କରିଛନ୍ତି, କାରଣ ତାଙ୍କ ଜୀବନରେ ଏପରି ଅନେକ କିଛି ରହିଛି , ଯେଉଁଥିରେ ଗରିବ ଓ ବଞ୍ଚିତ ବର୍ଗର ଲୋକମାନେ ନିଜ ଜୀବନର ପ୍ରତିଛବି ଦେଖିପାରିବେ। କିପରି ଏକ ସାଧାରଣ ପରିବାର କଠିନ ପରିସ୍ଥିତିରେ ମଧ୍ୟ ଜୀବନର ପବିତ୍ରତା ଓ ସଚ୍ଚୋଟତା ସହ କୌଣସି ବୁଝାମଣା କରେ ନାହିଁ, କିଭଳି ସେହି ଆଦର୍ଶଗୁଡ଼ିକୁ କିପରି ପରବର୍ତ୍ତୀ ସମୟରେ ଆମର ଜୀବନର ମୂଳଦୁଆ ପାଲଟିଥାଏ, କଠିନ ସମୟର ମୂଲ୍ୟବୋଧ କିପରି ଆମକୁ ସାରା ଜୀବନ ଆଲୋକ ପ୍ରଦାନ କରିଥାଏ। ଏହି ପବିତ୍ରତାରୁ ଆମକୁ ଦେଶସେବା ପାଇଁ କିପରି ଶକ୍ତି ମିଳିଥାଏ । ବିଭିନ୍ନ ପଦବୀରେ ରହି ଦାୟିତ୍ୱ ନିର୍ବାହ କରି, କୋବିନ୍ଦ ଜୀ ସମାଜକୁ ନିରନ୍ତର ଏହାର ପ୍ରେରଣା ଦେଇଛନ୍ତି।
ବନ୍ଧୁଗଣ,
ମୋର ଦୃଢ଼ ବିଶ୍ୱାସ ଯେ କୋବିନ୍ଦ ଜୀଙ୍କ ଆତ୍ମଜୀବନୀ କେବଳ ତାଙ୍କ ଜୀବନର ସ୍କୃତିକୁ ନୁହେଁ, ବରଂ ଆମ ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ସ୍କୃତିକୁ ମଧ୍ୟ ସୁରକ୍ଷିତ ରଖିବ। ତାଙ୍କ ଆତ୍ମଜୀବନୀ ପାଇଁ ମୁଁ ପୁଣିଥରେ ତାଙ୍କୁ ଶୁଭେଚ୍ଛା ଜଣାଉଛି। ଏବଂ ମୁଁ ବିଶେଷ ଭାବରେ ଯୁବପିଢ଼ିଙ୍କୁ ଅନୁରୋଧ କରୁଛି, ଏହା 'ରିଲ୍ସ' ()ର ଯୁଗ, ଯେଉଁଠାରେ ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସରମାନେ ଆପଣଙ୍କୁ ବିଭିନ୍ନ ଦିଗକୁ ଆକର୍ଷିତ କରି ନେଇଯାଇଥାନ୍ତି। ଏହି ସର୍ଟକଟ୍ ଯୁଗରେ ଗୋଟିଏ କଥା ମନେରଖନ୍ତୁ। ରେଳ ଷ୍ଟେସନଗୁଡ଼ିକରେ ଲେଖାଥାଏ,କିଛି ଲୋକ ପୋଲ ବ୍ୟବହାର କରିବା ପରିବର୍ତ୍ତେ ରେଳ ଧାରଣା ଉପରେ ଡେଇଁକି ଚାଲିଯାଆନ୍ତି। ସେଠାରେ ଲେଖାଥାଏ, ସର୍ଟକଟ୍ ଆପଣଙ୍କ ଜୀବନପ୍ରତି ବିପଦ ହୋଇପାରେ । ଯଦିଓ ଆପଣ ସର୍ଟକଟ୍ ବାଛିବାକୁ ଚାହୁଁଛନ୍ତି, ତଥାପି ମୁଁ ଯୁବକମାନଙ୍କୁ ଅନୁରୋଧ କରୁଛି, ଆପଣ ଯାହାଙ୍କୁ ଆଦର୍ଶ ମାନୁଛନ୍ତି, ସେମାନଙ୍କ ଆତ୍ମଜୀବନୀ ପଢ଼ନ୍ତୁ। ଆତ୍ମଜୀବନୀ ଆପଣଙ୍କୁ ଇତିହାସର ଘଟଣାବଳୀକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ବୁଝିବାର ସୁଯୋଗ ଦେଇଥାଏ। ସେଗୁଡ଼ିକ ଇତିହାସର ଅତି ନିକଟତର ହୋଇଥାଏ। ସେଥିପାଇଁ ମୁଁ ଚାହେଁ ଯେ କୋବିନ୍ଦ ଜୀଙ୍କର ଏହି ପ୍ରୟାସରୁ ଭବିଷ୍ୟତ ପିଢ଼ି, ବିଶେଷକରି ଯୁବବର୍ଗ ଉପକୃତ ହୁଅନ୍ତୁ। ଅନେକ-ଅନେକ ଶୁଭେଚ୍ଛା। ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ।
****
NS