ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଉଗାଣ୍ଡାର ଉପରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 28 SEP 2026 10:54AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଉଗାଣ୍ଡା ଯୁକ୍ତରାଜ୍ୟର ଉପରାଷ୍ଟ୍ରପତି ମାନ୍ୟବର ଶ୍ରୀମତୀ ଜେସିକା ରୋଜ୍ ଏପେଲ୍ ଆଲୁପୋଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଫଳପ୍ରଦ ଦ୍ୱିପାକ୍ଷିକ ବୈଠକ କରିଛନ୍ତି।

 

ଦୁଇ ନେତା ଭାରତ ଓ ଉଗାଣ୍ଡା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ପ୍ରଯୁକ୍ତିବିଦ୍ୟା ସହଭାଗିତା, ଦକ୍ଷତା ବିକାଶ, ଜ୍ଞାନ ଆଦାନପ୍ରଦାନ, ନିବେଶ ସୁଗମୀକରଣ ଏବଂ ଉଭୟ ଦେଶର ଘରୋଇ କ୍ଷେତ୍ର ମଧ୍ୟରେ ସହଯୋଗ ମାଧ୍ୟମରେ ପ୍ରମୁଖ ପ୍ରାଥମିକତା କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

 

ଭାରତ ଓ ଉଗାଣ୍ଡା ମଧ୍ୟରେ ବିକାଶ ସହଭାଗିତା ଉଭୟ ଦେଶ ପାଇଁ ଶକ୍ତିର ଏକ ଉତ୍ସ ବୋଲି ମଧ୍ୟ ଦୁଇ ନେତା ଉଲ୍ଲେଖ କରିଥିଲେ। ଏକ ପରିବର୍ତ୍ତିତ ଓ ସମୃଦ୍ଧ ଉଗାଣ୍ଡା ଗଠନ ପାଇଁ ଉଗାଣ୍ଡାର ‘ଭିଜନ୍ ୨୦୪୦’ ପ୍ରତି ଭାରତର ସମର୍ଥନକୁ ପ୍ରଧାନମନ୍ତ୍ରୀ ପୁନର୍ବାର ସୁନିଶ୍ଚିତ କରିଥିଲେ। ପାରସ୍ପରିକ ଜନସମ୍ପର୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଦୁଇ ଦେଶର ଭାଗିଦାରୀକୁ ନିରନ୍ତର ଭାବେ ସୁଦୃଢ଼ କରୁଛି ବୋଲି ମଧ୍ୟ ଦୁଇ ନେତା ଗୁରୁତ୍ୱାରୋପ କରିଥିଲେ।

 

ଗ୍ଲୋବାଲ୍ ସାଉଥ୍‌ର ସ୍ୱରକୁ ଦୃଢ଼ ଭାବେ ଉପସ୍ଥାପନ କରିବା ପାଇଁ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ଘନିଷ୍ଠ କରିବାକୁ ଦୁଇ ନେତା ଆହ୍ୱାନ ଜଣାଇଥିଲେ। ଶିଖର ସମ୍ମିଳନୀରେ ଉପରାଷ୍ଟ୍ରପତି ଶ୍ରୀମତୀ ଆଲୁପୋଙ୍କ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

 

*****

MT

 

 


(ରିଲିଜ ଆଡି: 2315764) ପରିଦର୍ଶକ କାଉଣ୍ଟର : 14