କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ
ପେନ୍ସନଭୋଗୀଙ୍କ ପାଇଁ ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର ଓ ପେନ୍ସନ୍ ଅଦାଲତ ଆୟୋଜିତ
ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ-୫.୦ ଅନ୍ତର୍ଗତ ପେନ୍ସନଭୋଗୀଙ୍କ ସୁବିଧା ପାଇଁ ତ୍ୱରିତ ସେବା ଓ ଅଭିଯୋଗର ସମାଧାନ
ପୋଷ୍ଟ କରାଯିବା ଦିନାଙ୍କ:
24 SEP 2026 4:37PM by PIB Bhubaneswar
ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ-୫.୦ର ଅଂଶ ଭାବେ ଦୂରସଂଚାର ବିଭାଗ, ଓଡ଼ିଶାର ଭୁବନେଶ୍ୱରସ୍ଥିତ ନିୟନ୍ତ୍ରକ ସଞ୍ଚାର ଲେଖା (ସିସିଏ) କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱରସ୍ଥିତ ବିଏସ୍ଏନ୍ଏଲ୍ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର ଆୟୋଜିତ ହୋଇଛି। ଏଥିସହ ୨୦୨୬-୨୭ ବର୍ଷ ପାଇଁ ଓଡ଼ିଶାର ଦୂରସଂଚାର ବିଭାଗ ଓ ବିଏସ୍ଏନ୍ଏଲ୍ ପେନ୍ସନଭୋଗୀଙ୍କ ନିମନ୍ତେ ଦ୍ୱିତୀୟ ତ୍ରୈମାସିକ ପେନ୍ସନ୍ ଅଦାଲତ ହାଇବ୍ରିଡ୍ ମୋଡ୍ରେ ଅନୁଷ୍ଠିତ ହୋଇଛି।


ବିଏସ୍ଏନ୍ଏଲ୍, ବାଲେଶ୍ୱରର ମହାପ୍ରବନ୍ଧକ ଶ୍ରୀ ପି. କେ. ମହାପାତ୍ର ପେନ୍ସନ୍ ଅଦାଲତରେ ଅଧ୍ୟକ୍ଷତା କରିଥିବାବେଳେ ଉପନିୟନ୍ତ୍ରକ ଶ୍ରୀ ସୁକାନ୍ତ କୁମାର ଦାସ ଅନ୍ଲାଇନ୍ରେ ଯୋଗଦେଇଥିଲେ। ବରିଷ୍ଠ ଲେଖା ଅଧିକାରୀ ଶ୍ରୀ ଗଦାଧର ସ୍ୱାଇଁ ଉପସ୍ଥିତ ପେନ୍ସନଭୋଗୀ ଓ ଅନ୍ୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।
କାର୍ଯ୍ୟକ୍ରମରେ ନିକଟବର୍ତ୍ତୀ ଅଞ୍ଚଳର ପେନ୍ସନଭୋଗୀ ଓ ପରିବାର ପେନ୍ସନଭୋଗୀଙ୍କ ସମେତ ବିଭିନ୍ନ ପେନ୍ସନଭୋଗୀ ସଂଘର ପ୍ରତିନିଧିମାନେ ଯୋଗଦେଇଥିଲେ।
ଏହି ଅବସରରେ ଶ୍ରୀ ପି. କେ. ମହାପାତ୍ର ବିଭିନ୍ନ ସ୍ଥାନରେ ପେନ୍ସନ୍ ଅଦାଲତ ଏବଂ ଜୀବନ ପ୍ରମାଣପତ୍ର/ଡିଜିଟାଲ ଜୀବନ ପ୍ରମାଣପତ୍ର (ଏଲସି/ଡିଏଲସି) ଶିବିର ଆୟୋଜନ ମାଧ୍ୟମରେ ପେନ୍ସନଭୋଗୀଙ୍କ ନିକଟରେ ପହଞ୍ଚିବା ଲାଗି ସିସିଏ କାର୍ଯ୍ୟାଳୟ ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ।
ଉପନିୟନ୍ତ୍ରକ ଶ୍ରୀ ସୁକାନ୍ତ କୁମାର ଦାସ ପେନ୍ସନଭୋଗୀଙ୍କ ସୁବିଧା ପାଇଁ ସିସିଏ କାର୍ଯ୍ୟାଳୟ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ସମଗ୍ର ରାଜ୍ୟରେ ନିୟମିତ ଭାବେ ପେନ୍ସନ୍ ଅଦାଲତ ଏବଂ ଏଲସି/ଡିଏଲସି ଶିବିର ଆୟୋଜନ କରାଯାଉଥିବାରୁ ପେନ୍ସନଭୋଗୀମାନେ ସହଜରେ ଜୀବନ ପ୍ରମାଣପତ୍ର ଦାଖଲ କରିବା ସହ ପେନ୍ସନ୍ ସମ୍ବନ୍ଧୀୟ ସେବା ପାଇପାରୁଛନ୍ତି ବୋଲି ସେ କହିଥିଲେ।
ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଉତ୍ସର୍ଗୀକୃତ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ନିଆଯାଉଥିବା ପଦକ୍ଷେପ ବିଷୟରେ ମଧ୍ୟ ସେ ଅବଗତ କରାଇଥିଲେ। ସିସିଏ କାର୍ଯ୍ୟାଳୟର ସେବାକୁ ଆହୁରି ଉନ୍ନତ କରିବା ପାଇଁ ପେନ୍ସନଭୋଗୀମାନଙ୍କୁ ନିଜର ମତାମତ ଓ ପରାମର୍ଶ ଦେବାକୁ ସେ ଅନୁରୋଧ କରିଥିଲେ।
ପେନ୍ସନ୍ ଅଦାଲତରେ ପୂର୍ବରୁ କୌଣସି ଅଭିଯୋଗ ଦାଖଲ ହୋଇନଥିଲା। ତେବେ, କାର୍ଯ୍ୟକ୍ରମ ସମୟରେ ପେନ୍ସନଭୋଗୀମାନେ ଉଠାଇଥିବା ବିଭିନ୍ନ ସମସ୍ୟାକୁ ପେନ୍ସନ୍ ବିଭାଗର ଅଧିକାରୀମାନେ ତୁରନ୍ତ ଯାଞ୍ଚ କରି ସମାଧାନ କରିଥିଲେ। ଏଥିରେ ପେନ୍ସନ୍ ବ୍ୟାଙ୍କ ଖାତା ପରିବର୍ତ୍ତନ, ନୋମିନି ପରିବର୍ତ୍ତନ ଏବଂ ଇ-ପିପିଓରେ ଜନ୍ମତାରିଖ ଓ ନାମର ବନାନ ସଂଶୋଧନ ଭଳି ବିଷୟ ସାମିଲ ଥିଲା।
ପେନ୍ସନ୍ ସମ୍ବନ୍ଧୀୟ ଦଲିଲ ଓ ସେବାଗୁଡ଼ିକୁ ସହଜରେ ପାଇବା ପାଇଁ ସମ୍ପନ୍ନକୁ ଡିଜି-ଲକର୍ ସହିତ ସମନ୍ୱିତ କରାଯାଇଥିବା ବିଷୟରେ ମଧ୍ୟ ପେନ୍ସନଭୋଗୀମାନଙ୍କୁ ସୂଚନା ଦିଆଯାଇଥିଲା।
ପେନ୍ସନ୍ ଅଦାଲତରେ ଯୋଗଦେଇଥିବା ପେନ୍ସନଭୋଗୀମାନେ କାର୍ଯ୍ୟକ୍ରମର ପରିଚାଳନା ଏବଂ ସେମାନଙ୍କ ସମସ୍ୟା ପ୍ରତି ସିସିଏ ଦଳର ତ୍ୱରିତ ପଦକ୍ଷେପ ପାଇଁ ସନ୍ତୋଷ ପ୍ରକାଶ କରିଥିଲେ। ବିଏସ୍ଏନ୍ଏଲ୍ର ବରିଷ୍ଠ ଅଧିକାରୀମାନଙ୍କ ସକ୍ରିୟ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ସଫଳ କରିଥିଲା।
ଦେଶବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ-୫.୦ ଅନ୍ତର୍ଗତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିରଗୁଡ଼ିକର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ କରାଯାଇଛି।
(ରିଲିଜ ଆଡି: 2314412)
ପରିଦର୍ଶକ କାଉଣ୍ଟର : 33