ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍‌


କଟକର ବେବିକ୍ୟୁ ପ୍ରାଇଭେଟ୍‌ ଲିମିଟେଡକୁ ସହାୟତା ଦେଲା ପ୍ରଯୁକ୍ତିବିଦ୍ୟା ବିକାଶ ବୋର୍ଡ

ପୋଷ୍ଟ କରାଯିବା ଦିନାଙ୍କ: 09 MAR 2026 2:32PM by PIB Bhubaneswar

ଛୋଟ ପିଲାଙ୍କ ମଧ୍ୟରେ ଜୀବାଣୁ ଏବଂ ଅଣଜୀବାଣୁ ଡାଇରିଆ ମଧ୍ୟରେ ପ୍ରଭେଦ ଜାଣିବା ଲାଗି ଏକ ସ୍ୱଦେଶୀ ତ୍ୱରିତ ନିଦାନ କିଟ୍‌ ବା ରାପିଡ୍‌ ଡାଇଗ୍ନୋଷ୍ଟିକ କିଟ୍‌ ବିକଶିତ କରାଯିବ। ଏହି କିଟ୍‌ କୁ ବ୍ୟବସାୟିକ ରୂପ ଦେବା ଲାଗି ଏକ ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନ ପ୍ରଯୁକ୍ତିବିଦ୍ୟା ବିକାଶ ବୋର୍ଡ (ଟିଡିବି) ପକ୍ଷରୁ କଟକସ୍ଥିତ ବେବିକ୍ୟୁ ପ୍ରାଇଭେଟ୍‌ ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥାକୁ ଡାଇରିଆ ରୋଗର ତ୍ୱରିତ ଯାଞ୍ଚ ଲାଗି ଡିସ୍ପୋଜେବଲ ପେପର୍‌ ବିଶ୍ଳେଷଣାତ୍ମକ ଉପକରଣ ବିକଶିତ କରିବା ଲାଗି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଡାଇକ୍ୟୁ କିଟ୍ନାମକ ପ୍ରସ୍ତାବିତ ଉତ୍ପାଦ ଦେଶରେ ପିଲାମାନଙ୍କ ମଧ୍ୟରେ ଦେଖା ଦେଉଥିବା ଡାଇରିଆ ରୋଗର ବ୍ୟାପକ ସମସ୍ୟାକୁ ସମାଧାନ କରିବା ଲାଗି ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ପଦାର୍ଥ ବିଜ୍ଞାନକୁ ମିଶ୍ରଣ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱଦେଶୀ ଉଦ୍ଭାବନ। ଏହି କିଟ୍ କୁ ଏକ ତ୍ୱରିତ, ଅଣ-କ୍ଷତିକାରକ ଏବଂ କମ ଖର୍ଚ୍ଚରେ ରୋଗ ନିର୍ଣ୍ଣୟ ଉପକରଣ ଭାବରେ ଡିଜାଇନ୍ କରାଯାଇଛି। ଏହାକୁ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏପରିକି ଅସ୍ଥାୟୀ ରୋଗ ନିର୍ଣ୍ଣୟ କେନ୍ଦ୍ରଗୁଡ଼ିକରେ ବ୍ୟବହାର କରାଯାଇପାରିବ।

ଡାଇକ୍ୟୁ ଉପକରଣ ଲ୍ୟାଟେରାଲ ଫ୍ଲୋ ଏସେ ଜ୍ଞାନକୌଶଳ ଉପରେ ଆଧାରିତ। ଏହା ରୋଗ ସଂକ୍ରମିତ ମଳ ବାୟୋମାର୍କର ଉପଯୋଗ କରି ଦ୍ରୁତ ଗତିରେ ରୋଗ ଚିହ୍ନଟ କରିପାରିବ। ଏହି ପ୍ରଣାଳୀରେ ଗୋଲ୍ଡ ନାନୋପାର୍ଟିକିଲ୍‌ ଆଧାରିତ କଲର୍‌ମେଟ୍ରିକ ଡିଟେକ୍ସନ ପଦ୍ଧତି ବ୍ୟବହାର କରାଯାଏ। ଏହା ଫଳାଫଳକୁ ସ୍ୱତନ୍ତ୍ର ପରୀକ୍ଷାଗାର ଉପକରଣ ବିନା ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିବାକୁ ଅନୁମତି ଦିଏ। ପ୍ରୋପ୍ରାଇଟେରୀ ବାୟୋମାର୍କର ଏବଂ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ରିଏଜେଣ୍ଟର ବ୍ୟବହାର ଉଚ୍ଚ ସମ୍ବେଦନଶୀଳତା ଏବଂ ନିର୍ଦ୍ଦିଷ୍ଟତା ସୁନିଶ୍ଚିତ କରେ। ଫଳରେ ଜୀବାଣୁ ଏବଂ ଅଣ-ଜୀବାଣୁ ସଂକ୍ରମଣ ମଧ୍ୟରେ ଭରସାଯୋଗ୍ୟ ପାର୍ଥକ୍ୟ ଜଣାପଡ଼ିଥାଏ। ଏହି ପରୀକ୍ଷଣ ପ୍ରକ୍ରିୟା ଅତ୍ୟନ୍ତ ସରଳ ଏବଂ ଯାଞ୍ଚ ପାଇଁ ଉପଯୁକ୍ତ ।

ଡାଇକ୍ୟୁ ଡାଇଗ୍ନୋଷ୍ଟିକ୍ ପ୍ଲାଟଫର୍ମର ପ୍ରମୁଖ ସୁବିଧାଗୁଡ଼ିକ ହେଉଛି ଜୀବାଣୁ ଏବଂ ଅଣ-ଜୀବାଣୁ ଡାଇରିଆ ମଧ୍ୟରେ ଦ୍ରୁତ ପାର୍ଥକ୍ୟ ଜାଣିବା ଏବଂ ଅନାବଶ୍ୟକ ଆଣ୍ଟିବାୟୋଟିକ୍ ବ୍ୟବହାର ତଥା ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ହ୍ରାସ କରିବା । ଏହି କିଟ୍‌ କୁ ଚିକିତ୍ସା ଏବଂ କ୍ଷେତ୍ର ପରିବେଶରେ ବ୍ୟବହାର କରିବା ସହଜ ହୋଇଥିବା ବେଳେ ଏହା ଅତ୍ୟାଧୁନିକ ପରୀକ୍ଷାଗାର ଭିତ୍ତିଭୂମି ଉପରେ ନିର୍ଭରଶୀଳତା କମାଇବ। ଏହି ପ୍ରଯୁକ୍ତିବିଦ୍ୟା ହାଇଦ୍ରାବାଦର ଜାତୀୟ ଔଷଧୀୟ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ସହଯୋଗରେ ବିକଶିତ ହୋଇଛି। ହାଇଦ୍ରାବାଦର କର୍ମଚାରୀ ରାଜ୍ୟ ବୀମା ନିଗମ-ଇଏସଆଇସି ହସ୍ପିଟାଲରେ ଏହାକୁ ଚିକିତ୍ସା କ୍ଷେତ୍ରରେ ପ୍ରମାଣିତ କରାଯାଇଛି।

ପ୍ରଯୁକ୍ତିବିଦ୍ୟା ବିକାଶ ବୋର୍ଡ ସଚିବ ଶ୍ରୀ ରାଜେଶ କୁମାର ପାଠକ କହିଛନ୍ତି, ଡାଇକ୍ୟୁ ନିଦାନ ପ୍ଲାଟଫର୍ମର ବ୍ୟବସାୟୀକରଣକୁ ସମର୍ଥନ କରି ବୋର୍ଡ ଡାଇରିଆ ଭଳି ଗମ୍ଭୀର ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟାକୁ ସମାଧାନ କରିବାକୁ ଶସ୍ତା, ସୁଲଭ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ସମଧାନକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି।

*****

PS

 


(ରିଲିଜ ଆଡି: 2237396) ପରିଦର୍ଶକ କାଉଣ୍ଟର : 16
ଏହି ରିଲିଜ ପଢନ୍ତୁ : English , Urdu , हिन्दी