ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା ସୌଜନ୍ୟରେ ଆୟୋଜିତ “ଜି-୨୦ ଜନଭାଗୀଦାରୀ ମହାସମାରୋହ” ରେ ଏକ ପଥପ୍ରାନ୍ତ ନାଟକ ତଥା ନାନାବିଧ ଲୋକନୃତ୍ୟ ପ୍ରଦର୍ଶିତ ।

Posted On: 16 APR 2023 5:45PM by PIB Bhubaneshwar

୧୫ ଏପ୍ରିଲ ୨୦୨୩ ତାରିଖ ସନ୍ଧ୍ୟାରେ, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା ଆୟୋଜନ କରିଛି “ଜି -୨୦ ଜନ ଭାଗୀଦାରୀ ମହାସମାରୋହ” । ଭୁବନେଶ୍ୱର ବେହେରା ଅଡିଟୋରିୟମରେ ହେଉଥିବା ଉକ୍ତ ସମାରୋହ ଆରମ୍ଭ ହୋଇଥିଲା ଅନୁଷ୍ଠାନର ନାଟ୍ୟ ସଂଘ “ରିତଭିକ” ର ପଥପ୍ରାନ୍ତ ନାଟକ “ଅବସର” ରୁ । ଏହି ନାଟକ ପ୍ରଦର୍ଶିତ ହୋଇଥିଲା ‘ଜଳବାୟୁ ପରିବର୍ତ୍ତନ’ ବିଷୟ ଉପରେ, କାରଣ ଭାରତର ଜି-୨୦ ସଭାପତିତ୍ୱର ଉକ୍ତ ବିଷୟ ଏକ ପ୍ରଧାନ ଆଭିମୁଖ୍ୟ ତଥା ଏହା ଅନୁସାରେ ଭାରତ ସବୁଜିମା ବୃଦ୍ଧି କରି ଜଳବାୟୁ ପରିବର୍ତ୍ତନକୁ କମ କରିବାକୁ ଚେଷ୍ଟା କରୁଛି ।

 

ସଂଘର ୨୧ ଜଣିଆ କଳାକାର ଦଳ ଏକ ସ୍ଥାୟୀ ପରିବେଶ ଦିଗରେ କାର୍ଯ୍ୟ କରିବା ଏବଂ ପ୍ଲାଷ୍ଟିକ, ରାସାୟନିକ ପଦାର୍ଥ ଓ ଅନ୍ୟାନ୍ୟ ବିଷାକ୍ତ  ପଦାର୍ଥର ବ୍ୟବହାର, ଯାହାକି ପ୍ରକୃତି ଏବଂ ପରିବେଶ ଉପରେ ଗୁରୁତର ପ୍ରଭାବ ପକାଇଥାଏ, ତାକୁ ହ୍ରାସ କରିବା ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଏହି ନାଟକ ପରିବେଷଣ କରିଥିଲେ । ଏହି ନାଟକ ଜି-୨୦ର ସଭାପତି ରୂପରେ ଭାରତ ପାଖରେ ଥିବା ଅପାର ସୁଯୋଗ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲା  ଏବଂ ସମାଜକୁ 'ବସୁଧୈଵ କୁଟୁମ୍ବକମ୍ – ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ’ ର ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲା ।  ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓ, ପ୍ରଫେସର ସିଦ୍ଧାର୍ଥ ଜେନା(ଡିନ, ଛାତ୍ର କଲ୍ୟାଣ) ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ, ଏବଂ ଜି-୨୦ ଜନ ଭାଗୀଦାରୀ କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀ ନାଟକର ପ୍ରଶଂସା କରିବା ସହ ସମସ୍ତ କଳାକାରଙ୍କୁ ଜି-୨୦ ର ମହତ୍ଵ ସମ୍ପର୍କରେ ପ୍ରଚାର କରିବା ପାଇଁ ସାଧୁବାଦ ଜଣାଇଥିଲେ ।

ସମାରୋହର ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ନୃତ୍ୟଶିଳ୍ପୀମାନଙ୍କ ଦ୍ଵାରା ଜନଜାତି ନୃତ୍ୟର ପ୍ରଦର୍ଶନ । ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିବାକୁ ଯାଇ, କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ରାମକୃଷ୍ଣ ବିଶ୍ଵାଳ କହିଥିଲେ , “ଜି-୨୦ ରେ ଭାରତର ଭୂମିକା ଓ ଲୋକଙ୍କ ଏଥିରେ କଣ ଅବଦାନ ତଥା ପ୍ରାଚୀନ ସମୟରୁ ବିଭିନ୍ନ ଜନଜାତି କିପରି ‘ଜନ ଭାଗୀଦାରୀ’ ଚିନ୍ତାଧାରା ସହ ଚଳିଆସୁଛନ୍ତି , ସେ ସବୁ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଆଜିର ମହା ସମାରୋହ । ନିଜ ସମ୍ପ୍ରଦାୟ ପ୍ରତି ସ୍ନେହ ଓ ତ୍ୟାଗର ଭାବନା ପରିପୋଷଣ କରିବାର ଗୁଣ ଆଧୁନିକ ଦୁନିଆ ସେମାନଙ୍କଠାରୁ ଶିଖିବା ଆବଶ୍ୟକ । ଆଜି ଆମେ ଏହି ସମାରୋହର ଅଂଶବିଶେଷ ରୂପରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା 'ସ୍ମାର୍ଟ ସିଟି' ପ୍ରକଳ୍ପ ସମ୍ବନ୍ଧିତ ପ୍ରଦର୍ଶନୀ, ଓଡ଼ିଶାର ଆଦିବାସୀ ବୀରମାନଙ୍କ ସ୍ବାଧୀନତା ସଂଗ୍ରାମରେ ଅବଦାନ ଉପରେ ଏକ ଉପସ୍ଥାପନା ତଥା ବିଭିନ୍ନ ପ୍ରକାର ଆଦିବାସୀ ନୃତ୍ୟ ପରି ଅନେକ କାର୍ଯ୍ୟକ୍ରମର ଆୟୋଜନ କରିଛୁ । ଏହା ସବୁ ହେଉଛି ବର୍ତ୍ତମାନର ଯୁବପିଢ଼ିଙ୍କୁ ଓଡ଼ିଶାର ଜନଜାତୀୟ ଇତିହାସ ଓ ସଂସ୍କୃତି ବିଷୟରେ ଅବଗତ କରାଇବା ପାଇଁ ଏକ ମାଧ୍ୟମ। ଆଜିର ଏହି ସମାରୋହରେ ପ୍ରାୟ ପ୍ରାୟ ୫୦ ଜଣ ନୃତ୍ୟଶିଳ୍ପୀ ଓ ବାଦ୍ୟଯନ୍ତ୍ର କଳାକାର ଅଂଶଗ୍ରହଣ କରିଛନ୍ତି । "

ନୃତ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଓଡିଶୀ ନୃତ୍ୟ ମଙ୍ଗଳାଚରଣରୁ ଏବଂ ନୃତ୍ୟୁଞ୍ଜୟ ତଥା ଆର୍.ଇ.ସି. ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ସମ୍ବଲପୁରୀ ଲୋକନୃତ୍ୟ ସହ ଏହାର ପରିସମାପ୍ତି ଘଟିଥିଲା।  ଅନ୍ୟାନ୍ୟ ଶାସ୍ତ୍ରୀୟ ତଥା ଲୋକ ନୃତ୍ୟ ଯେପରି ବାହାସୁସୁନ୍, ମାଗଦେଓ, ବାଲା, ମର୍ଦାନୀ ଜୁମର, ଅଙ୍ଗନାଇ, ଉଦୁସୁ ଇତ୍ୟାଦି ମଧ୍ୟ ଏହି ସମାରୋହରେ ପ୍ରଦର୍ଶିତ ହୋଇଥିଲା । ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର, ନୁଆଗାଁ ଏବଂ ବିଶ୍ରା ବ୍ଲକରୁ କଳାକାରମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ମୁଣ୍ଡା, ସାନ୍ତାଳ ଏବଂ ବିଞ୍ଝିଆ ସମ୍ପ୍ରଦାୟର ନୃତ୍ୟଶିଳ୍ପୀମାନେ କୃଷି, ବିବାହ ଏବଂ ଯୁଦ୍ଧ ସହ ଜଡ଼ିତ ନୃତ୍ୟ ପରିବେଷଣ କରିଥିଲେ | ନିର୍ଦ୍ଦେଶକ ପ୍ରଫେସର ରାଓ ଦିନର କାର୍ଯ୍ୟକ୍ରମଗୁଡ଼ିକ ଉପରେ ମନ୍ତବ୍ୟ ଦେଇ କହିଥିଲେ , "ଜି -୨୦ ଏହି ଜନ ଭାଗିଦାରୀ ଘଟଣା ମାଧ୍ୟମରେ ଆମକୁ ଆମର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେଇଛି। ମୃତ୍ତିକା, ଜଳ ଏବଂ ପରିବେଶକୁ ବଞ୍ଚାଇବା ପାଇଁ ଦୀର୍ଘସ୍ଥାୟୀ ଜୀବନଶୈଳୀ ଉପରେ ପର୍ଯ୍ୟବେଶିତ ପଥପ୍ରାନ୍ତ ନାଟକ ସମାଜକୁ ଜାଗ୍ରତ କରିବା ପାଇଁ ଏକ ଉତ୍ତମ ପଦକ୍ଷେପ। ସ୍କୁଲ ପିଲାମାନଙ୍କ ପ୍ରଦର୍ଶନୀ ତଥା ସ୍ମାର୍ଟ କ୍ୟାମ୍ପସ ଉପରେ ହୋଇଥିବା ଉପସ୍ଥାପନା ପ୍ରଶଂସନୀୟ କାରଣ ଏହା ଏକ ସୁନ୍ଦର ଭବିଷ୍ୟତ ସୃଷ୍ଟି କରିବାକୁ ଯୁବ ପିଢ଼ି କିପରି ବ୍ୟଗ୍ର ତାହା ଚିତ୍ରଣ କରିଥାଏ। ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅଦମ୍ୟ ସାହସ ଉପରେ ହୋଇଥିବା ଉପସ୍ଥାପନା ଆମ ପାଇଁ ଏକ ଶିକ୍ଷା ଯାହାକୁ ଆମେ ସମସ୍ତେ ଶିଖିବା ତଥା ଏଥିପ୍ରତି ସେମାନଙ୍କ ନିକଟରେ କୃତଜ୍ଞ ହେବା ଉଚିତ୍ | ସୁନ୍ଦର ପାରମ୍ପାରିକ ନୃତ୍ୟକଳା ଏବଂ ନୃତ୍ୟ ସମୟରେ ରୀତିନୀତିର ପ୍ରଦର୍ଶନ ଦେଖି ମୁଁ ବିସ୍ମିତ ହୋଇଥିଲି | ଅନୁଷ୍ଠାନ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସେମାନଙ୍କର ଅବଦାନ ଏବଂ ଉଦ୍ୟମ ପାଇଁ ସେମାନଙ୍କୁ ଧନ୍ୟବାଦ ଦେଉଛି |"

କାର୍ଯ୍ୟକ୍ରମର ପରିସମାପ୍ତି ଅନୁଷ୍ଠାନରେ ଚାଲିଥିବା ମାସବ୍ୟାପୀ "ଜି -୨୦ ଜନଭାଗୀଦାରୀ ପ୍ରତିଯୋଗିତା " ରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ଘଟିଥିଲା 

RoM



(Release ID: 1917130) Visitor Counter : 162


Read this release in: English