ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
azadi ka amrit mahotsav

ଭାରତରତ୍ନ ଡ଼. ଆମ୍ବେଦକରଙ୍କ ୧୩୨ତମ ଜନ୍ମବାର୍ଷିକୀ ଅବସରରେ ଏନ. ଆଇ. ଟି. ରାଉରକେଲା ପରିସରରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜିତ

Posted On: 14 APR 2023 8:55PM by PIB Bhubaneshwar

ଭାରତରତ୍ନ ବାବାସାହେବ ଡ଼. ଆମ୍ବେଦକରଙ୍କ ୧୩୨ତମ ଜନ୍ମବାର୍ଷିକୀ ଅବସରରେ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲାରେ ଆୟୋଜିତ ହୋଇଯାଇଛି ଏକ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମ । ଏଥିରେ ଅନୁଷ୍ଠାନର ଜନସମାଜ ଏକତ୍ରିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ରାଷ୍ଟ୍ର ଗଠନରେ ତାଙ୍କ ଭୂମିକା ବିଷୟରେ ମନେ ପକାଇଥିଲେ । କମ୍ୟୁନିଟି ସେଣ୍ଟରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଫେସର ହୃଷୀକେଶ ନାୟକଙ୍କ ସ୍ଵାଗତବାର୍ତ୍ତାରୁ । ସେ ବାବାସାହେବଙ୍କ ଜୀବନ ଏବଂ ଶିକ୍ଷା ଉପରେ ଏକ ବିସ୍ତୃତ ବିବରଣୀ ଦେଇ କହିଥିଲେ, “ଆଜି ଭାରତ ଅନେକ ସାମାଜିକ ଅର୍ଥନୈତିକ ସମସ୍ୟା ଯେପରିକି ସାମ୍ପ୍ରଦାୟିକତା, ବିଚ୍ଛିନ୍ନତାବାଦ, ଲିଙ୍ଗଗତ ଅସମାନତା ଇତ୍ୟାଦିର ସମ୍ମୁଖୀନ ହୋଇଛି । ଏପରି ବିଷମ ପରିସ୍ଥିତିରେ ଆମେ ବାବାସାହେବଙ୍କ ବାଣୀକୁ ସ୍ମରଣ କରି ସମସ୍ୟାର ସମାଧାନ କରିବା ପାଇଁ କାର୍ଯ୍ୟ କରିବା ଉଚିତ । ”

ପ୍ରଫେସର କେ ଉମାହେଶ୍ୱର ରାଓ (ନିର୍ଦ୍ଦେଶକ, ଏନଆଇଟି ରାଉରକେଲା) ଭାରତୀୟ ସମ୍ବିଧାନର ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବା ସହ କହିଥିଲେ, “ ବାବାସାହେବ କହିଛନ୍ତି ଯେ ଦେଶର ଶେଷ ବ୍ୟକ୍ତି ବିକଶିତ କିମ୍ବା ସଶକ୍ତ ନ ହେବା ପର୍ଯ୍ୟନ୍ତ ଭାରତ ବିକଶିତ ନୁହେଁ ବୋଲି ବିବେଚନା କରାଯିବ । ତେଣୁ ଆମେ ସମସ୍ତେ ତାଙ୍କ ପଥକୁ ଅନୁସରଣ କରିବା ଏବଂ ଏକାଠି ଆଗକୁ ବଢ଼ିବା ଉଚିତ୍ । କେବଳ ବହୁମାତ୍ରରେ ଲୋକଙ୍କ ଅଂଶଗ୍ରହଣ ସହିତ, ଆମେ ଏକ ଭେଦଭାବଶୂନ୍ୟ ବିକଶିତ ସମାଜ ସୃଷ୍ଟି କରିପାରିବା | ସମାଜର ସବୁ ବର୍ଗ ଏକାଠି ହେବା ପରେ ଭାରତ “ଵସୁଧୈଵ କୁଟୁମ୍ବକମ୍- ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ ”ର ଲକ୍ଷ୍ୟ ହାସଲ କରିପାରିବ | ଚଳିତ ଜି-୨୦ ଜନ ଭାଗୀଦାରୀ ଅଭିଯାନ ଦେଶର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଏକାଠି କରାଇବାର ଏକ ଉତ୍କୃଷ୍ଟ ସୁଯୋଗ ଅଟେ। ”

ପ୍ରଫେସର ସନାତନ ପ୍ରଧାନ (ଉଦ୍ଭିଦ ବିଜ୍ଞାନ ବିଭାଗ, ମ୍ୟୁନିସିପାଲିଟି କଲେଜ, ରାଉରକେଲା) ମୁଖ୍ୟବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେ କହିଥିଲେ, “ ଜୀବନରେ କଠିନ ପରିସ୍ଥିତିର କିପରି ସାମନା କରାଯାଏ, ଆମ୍ବେଦକର ତାହାର ଜ୍ଵଳନ୍ତ ଉଦାହରଣ । ଆତ୍ମ ନିୟନ୍ତ୍ରଣ ଏବଂ ଏକାଗ୍ରତା ମାଧ୍ୟମରେ ମହତ୍ କାର୍ଯ୍ୟ କରିବାର ସମ୍ଭାବନା ଆମ ସମସ୍ତଙ୍କ ମଧ୍ୟରେ ଅଛି । ଭିତ୍ତିଭୂମି ଏବଂ ଅର୍ଥନୈତିକ ବିକାଶ ସହିତ ସାମାଜିକ ସୁସ୍ଥତା ଉପରେ ଅଧିକ ଧ୍ୟାନ ଦେଇ ଆମକୁ ଏକ ସହଯୋଗୀ ସମାଜ ଗଠନ କରିବାକୁ ପଡିବ । ଡ଼. ଆମ୍ବେଦକର ପ୍ରତ୍ୟେକ କ୍ଷେତ୍ରରେ ଦଳିତ ଶ୍ରେଣୀର ସ୍ଵର ଥିଲେ ଏବଂ ଆଜି ମୁଁ ସମସ୍ତଙ୍କୁ ତାଙ୍କ ସ୍ଵର ଶୁଣିବାକୁ ଅନୁରୋଧ କରୁଛି ।“

ଅନୁଷ୍ଠାନର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମାନ ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରି କହିଥିଲେ, "ଯଦି ଆମ ରକ୍ତର ରଙ୍ଗ ସମାନ, ତେବେ ଆମ ମନରେ ଜାତିଧର୍ମ ଭାବନା କାହିଁକି ଅଛି? ବାବାସାହେବଙ୍କ ଶିକ୍ଷା ଅନୁସରଣ କରି ନିଜକୁ ସମାଜର ସେବକ ହେବାକୁ ପ୍ରସ୍ତୁତ କର। ବାବା ସାହେବଙ୍କ ଅବଦାନକୁ ଶ୍ରଦ୍ଧାଞ୍ଜଳୀ ଦେବା ପାଇଁ ନିଜ ଚାରିପାଖରେ ସ୍ଵାଧୀନତା ଏବଂ ସମାନତାର ପରିବେଶ ନିର୍ମାଣ କରିବାକୁ ଚେଷ୍ଟା କର। “ 

 

ଶେଷରେ ପ୍ରଫେସର ସ୍ନେହାଷିଶ ଚକ୍ରବର୍ତ୍ତୀ (ନୋଡାଲ ଅଫିସର, ଜି-୨୦ ଜଣ ଭାଗୀଦାରୀ ଅଭିଯାନ, ଏନଆଇଟି ରାଉରକେଲା) ଧନ୍ୟବାଦ ଅର୍ପଣ କରିବା ସହ ଏହି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।

 

କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ଜି-୨୦ ଜନ ଭାଗୀଦାରୀ ଅଭିଯାନର ଏକ ଅଂଶ ଭାବରେ ଅନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକ ଓ ସେମାନଙ୍କ ପରିବାରଙ୍କ ପାଇଁ ଏକ ମାଗଣା ସ୍ଵାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜିତ ହୋଇଥିଲା । ଜଗଦା ସ୍ଥିତ ସମାଜ ମଙ୍ଗଳ ସମିତି ହସ୍ପିଟାଲ ଏବଂ ଏନଆଇଟି ରାଉରକେଲା ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ଏହି ଶିବିରରେ ଉପସ୍ଥିତ ରହି ପ୍ରାୟ ୫୦ ଜଣଙ୍କ ମାଗଣା ଯାଞ୍ଚ କରିଥିଲେ ତଥା ସ୍ଵାସ୍ଥ୍ୟ ଏବଂ ସ୍ଵଚ୍ଛତାର ଗୁରୁତ୍ଵ ବିଷୟରେ ଲୋକଙ୍କୁ ବୁଝାଇଥିଲେ । ପ୍ରଫେସର ସନ୍ତୋଷ କୁମାର ସାହୁ ( ପ୍ରଭାରୀ ,ଏନ.ଏସ.ଏସ. , ଏନ. ଆଇ.ଟି. ରାଉରକେଲା) ଏବଂ ଏନ.ଏସ.ଏସ ର ସ୍ଵେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |

RoW


(Release ID: 1916684)
Read this release in: English