ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କ ପାଇଁ ଏନ.ଆଇ.ଟି. ପରିସରରେ “ସ୍ମାର୍ଟ ସିଟି ନିର୍ମାଣରେ କୁତ୍ରିମ ବୁଦ୍ଧିମତାର ଭୂମିକା” ବିଷୟ ଉପରେ ଏକ କର୍ମଶାଳା ଆୟୋଜିତ
Posted On:
11 APR 2023 8:08PM by PIB Bhubaneshwar
ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକାଦଶ ଦିନରେ ଅନୁଷ୍ଠାନ ଦ୍ଵାରା ଆୟୋଜିତ ହୋଇଯାଇଛି ଏକ କର୍ମଶାଳା, “ସ୍ମାର୍ଟ ସିଟି ନିର୍ମାଣରେ କୁତ୍ରିମ ବୁଦ୍ଧିମତାର ଭୂମିକା” ବିଷୟ ଉପରେ । ରାଉରକେଲା ଓ ବଣ୍ଡାମୁଣ୍ଡା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି କର୍ମଶାଳାରେ ଭାଗ ନେଇ ଭବିଷ୍ୟତର ସମାଜରେ କୁତ୍ରିମ ବୁଦ୍ଧିମତା କିପରି “ସ୍ମାର୍ଟ ସିଟି” ପରି ବିଶାଳ ପ୍ରକଳ୍ପ ଗଢ଼ିବାରେ ସହାୟକ ହେବ, ସେ ବିଷୟରେ ଜାଣିବାକୁ ପାଇଥିଲେ । ଅନୁଷ୍ଠାନରେ ଥିବା ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗ ବିଭାଗର ଅଧ୍ୟାପକ ତଥା ଗବେଷଣାରତ ଛାତ୍ରମାନେ ବି ଏହି କର୍ମଶାଳାର ଅଂଶ ହୋଇ ଶିକ୍ଷାର୍ଥୀମାନଙ୍କୁ ବର୍ତ୍ତମାନ ସମୟର ବିବିଧ ଜ୍ଞାନକୌଶଳ ବିଷୟରେ ଅବଗତ କରାଇଥିଲେ ।

କର୍ମଶାଳାର ଉଦ୍ଘାଟନ କରିବା ସହ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓ ଉପସ୍ଥିତ ଜନତାକୁ ସମ୍ବୋଧିତ କରି କହିଥିଲେ,” ଏହି ଜନ ଭାଗୀଦାରୀ ଅଭିଯାନ ତୁମମାନଙ୍କ ମନରେ ଆଗାମୀ ଭବିଷ୍ୟତର ଲକ୍ଷ୍ୟର ସ୍ଵପ୍ନକୁ ଜଗେଇବା ପାଇଁ । ଯଦିଓ ତୁମମାନଙ୍କର କିଛି ସ୍ଵପ୍ନ ଅଛି, କିନ୍ତୁ କୁତ୍ରିମ ବୁଦ୍ଧିମତାର ନା ସ୍ଵପ୍ନ ଅଛି, ନା ଅଛି ଭାବନା ବା ନିୟନ୍ତ୍ରଣ । ଯେପରି କୁତ୍ରିମ ବୁଦ୍ଧିମତା ଆମକୁ ନିୟନ୍ତ୍ରଣ ନ କରୁ ତା ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡିବ । ଆଜି ଆମେ ଏଠାରେ ଆଲୋଚନା କରିବାକୁ ଆସିଛୁ ଯେ , ଯେଉଁଠାରେ ଆମେ ସମସ୍ତେ ବାସ କରୁଛୁ, ସେ ସହର ନିର୍ମାଣରେ କୁତ୍ରିମ ବୁଦ୍ଧିମତା କିପରି ସାହାଯ୍ୟ କରିପାରିବ। ଉଦାହରଣ ସ୍ଵରୂପ, ଏହା ସାଧାରଣ ପରିବହନକୁ ପରିଚାଳନା ତଥା ଉନ୍ନତ କରିବାରେ, ଶକ୍ତି ଅପଚୟ କମ କରିବାରେ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସବୁଜ ବିକାଶ ଦିଗରେ ସ୍ଥାୟୀ ଲକ୍ଷ୍ୟରେ ସାହାଯ୍ୟ କରିପାରିବ | ମୁଁ ସମସ୍ତ ଛାତ୍ରମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଭାଵନ୍ତୁ ସମାଜର ବଞ୍ଚିତ ଲୋକଙ୍କୁ ସାହାଯ୍ୟ କରିବାରେ କୁତ୍ରିମ ବୁଦ୍ଧିମତା କିପରି ଉପଯୋଗୀ ହେବ । ଏପରିକି ଏକ ଶ୍ରେଣୀଗୃହରେ ହୋଇଥିବା ଉଦ୍ଭାବନ ଅନେକ ବ୍ୟକ୍ତିଙ୍କ ସମସ୍ୟାର ସମାଧାନ କରିପାରେ | ରାଷ୍ଟ୍ରର ସେବା କରିବାର ସାଧାରଣ ଲକ୍ଷ୍ୟ ପ୍ରତି ସମସ୍ତେ ସଂକଳ୍ପବଦ୍ଧ ହୁଅନ୍ତୁ।

ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀ ( ଅନୁଷ୍ଠାନର ଜି-୨୦ ଜନ ଭାଗୀଦାରୀ କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ) ଛାତ୍ରଛାତ୍ରୀମାନଙ୍କ ସହ ଅଧିକ ଆଲୋଚନା କରିବା ସହ କହିଥିଲେ କି ବର୍ତ୍ତମାନ ସମୟରେ କୁତ୍ରିମ ବୁଦ୍ଧିମତା ଯୋଗାଯୋଗ, ପାଣିପାଗ, ସ୍ଵାସ୍ଥ୍ୟ ପରି ଅନେକ କ୍ଷେତ୍ରର ଅଂଶବିଶେଷ । ଉନ୍ନତ ଜ୍ଞାନକୌଶଳ ଓ ଯନ୍ତ୍ରପାତି ବ୍ୟବହାର କରି କୁତ୍ରିମ ବୁଦ୍ଧିମତା ସହରମାନଙ୍କୁ ଅଧିକ ଦୃଢ଼ ଓ କାର୍ଯ୍ୟକ୍ଷମ କରିପାରିବ ।

ପ୍ରଫେସର ରୋହନ ଧିମାନ (ରେଜିଷ୍ଟ୍ରାର), ପ୍ରଫେସର ଶାନ୍ତନୁ କୁମାର ବେହେରା ( ବିଭାଗ ମୁଖ୍ୟ, ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗ ବିଭାଗ ), ପ୍ରଫେସର ସନ୍ତୋଷ କୁମାର ଦାସ, ପ୍ରଫେସର ସୁପ୍ରତିମ ଗୁପ୍ତା ମଧ୍ୟ ଏହି କର୍ମଶାଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପାଠପଢ଼ା ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗ ବିଭାଗର ଗବେଷଣାକାରୀ ଛାତ୍ରମାନେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ କୁତ୍ରିମ ବୁଦ୍ଧିମତା ପରି ଆଧୁନିକ ସମୟର ଅନେକ ଜ୍ଞାନକୌଶଳ ଉପରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ପ୍ରଦାନ କରିଥିଲେ । ପ୍ରାୟ ୧୦୦ ଜଣ ଶିକ୍ଷାର୍ଥୀ ଏହି କର୍ମଶାଳାରେ ଯୋଗ ଦେଇ ଏହାକୁ ସଫଳ କରାଇଥିଲେ । କର୍ମଶାଳାର ଅନ୍ତ ଜି-୨୦ର ଲକ୍ଷ୍ୟର ଆଲୋଚନା ସହିତ ହୋଇଥିଲା ।
ଜନ ଭାଗୀଦାରୀ କାର୍ଯ୍ୟକ୍ରମରେ ମହିଳାଙ୍କ ଅଂଶଗ୍ରହଣକୁ ଅଧିକ କରିବାକୁ ଲକ୍ଷ୍ୟ ନେଇ ତଥା ସ୍ଥାୟୀ ବିକାଶ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପରିସରର ସବୁଜ ଆବରଣ ବୃଦ୍ଧି ପାଇଁ ମହିଳା ହଷ୍ଟେଲ {କିରଣ ମଜୁମଦାର ଶ ’ହଲ୍ ଅଫ୍ ରେସିଡେନ୍ସ)ରେ ଏକ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଫେସର ରାଓ ଜଳବାୟୁ ସଙ୍କଟକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ସମସ୍ତଙ୍କୁ ମୃତ୍ତିକା ଓ ଜଳ ସଂରକ୍ଷଣ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, “ଆମେ ଆଜି କେବଳ ଚାରା ରୋପଣ କରୁନାହୁଁ; ଆମେ ଆମ ଜୀବନର ବୀଜ ବୁଣୁଛୁ । ” ପ୍ରଫେସର ରୋହନ ଧିମାନ, ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀ, ପ୍ରଫେସର ଅନିଲ ସିଂ, ପ୍ରଫେସର ନିରଂଜନ ପଣ୍ଡା (ମୁଖ୍ୟ ୱାର୍ଡେନ, ଏନ. ଆଇ. ଟି. ରାଉରକେଲା), ପ୍ରଫେସର ସନ୍ଧ୍ୟାରାଣୀ ବିଶ୍ଵାସ (ୱାର୍ଡେନ), କେ. ରତ୍ନ ସୁଭାଷିନୀ (ସହକାରୀ ୱାର୍ଡେନ) ଏବଂ ହଷ୍ଟେଲର ଅନ୍ୟ ମହିଳା ଛାତ୍ର ବୃକ୍ଷରୋପଣ କରିଥିଲେ।
RoW
(Release ID: 1915725)