ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav g20-india-2023

ଭୁବନେଶ୍ୱର ଠାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

Posted On: 10 FEB 2023 7:40PM by PIB Bhubaneshwar

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଫେବୃଆରୀ ୧୦, ୨୦୨୩)ରେ ଭୁବନେଶ୍ୱର ଠାରେ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗ ଦେବା ସହିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି।

ସମାରୋହକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହି ଶିକ୍ଷାନୁଷ୍ଠାନରେ ତାଙ୍କର ପାଠପଢ଼ା ଦିନ ବିଷୟରେ ମନେ ପକାଇଥିଲେ । ଏହି ବିଶ୍ୱବିଦ୍ୟାଳୟ ପୂର୍ବରୁ ଏକ ମହାବିଦ୍ୟାଳୟ ଥିବା ସମୟରେ ରାଷ୍ଟ୍ରପତି ଏଠାରେ ତାଙ୍କର ବିଦ୍ୟାର୍ଥୀ ଜୀବନ କଟାଇଥିଲେ। ସେ କହିଥିଲେ ଯେ, ଭୁବନେଶ୍ୱର ସ୍ଥିତ ୟୁନିଟ-୨ ବାଳିକା ସ୍କୁଲରେ ନିଜର ପାଠପଢ଼ା ଶେଷ କରିବା ପରେ ସେ ଏହି ଶିକ୍ଷାନୁଷ୍ଠାନରେ ୪ ବର୍ଷ ଧରି ପାଠ ପଢ଼ିଥିଲେ । ସେ ସମୟରେ ତାଙ୍କୁ ମିଳିଥିବା ସ୍ନେହ ଓ ଭଲ ପାଇବାକୁ କେବେ ଭୁଲି ହେବ ନାହିଁ ବୋଲି ରାଷ୍ଟ୍ରପତି କହିଥିଲେ । ସେ କହିଥିଲେ ଯେ, ସେତେବେଳେ ତାଙ୍କର ସହପାଠୀ ଥିବା ଅନେକଙ୍କ ସହିତ ଏବେ ସୁଦ୍ଧା ସେ ସମ୍ପର୍କ ରଖିଛନ୍ତି । ଏହି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସବୁବେଳେ ତାଙ୍କ ଜୀବନରେ ଏକ ପ୍ରେରଣାର ଉତ୍ସ ହୋଇ ରହିଛି ।

ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ସେମାନେ ଛାତ୍ରୀ ରୂପରେ, ଅର୍ଥାତ୍‌ ମହିଳାମାନଙ୍କ ପ୍ରତିନିଧି ଭାବେ ନିଜ ଉପରେ ଗର୍ବ କରିବା ଉଚିତ୍‌। ଯୁଗ ଯୁଗ ଧରି ଭାରତରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି। ପରିବାର ଚଳାଇବା ଠାରୁ ଆରମ୍ଭ କରି ଦେଶର ଶାସନ ପରିଚାଳନା କରିବା, ସାହିତ୍ୟ ଠାରୁ ଆରମ୍ଭ କରି ସଙ୍ଗୀତ ଏବଂ ନୃତ୍ୟ ଠାରୁ ଆରମ୍ଭ କରି ନେତୃତ୍ୱ ପର୍ଯ୍ୟନ୍ତ, ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜର ସାମର୍ଥ୍ୟ ପ୍ରତିପାଦିତ କରିଛନ୍ତି । ମହିଳା ସଶକ୍ତିକରଣ ଏବେ ଆଉ କେବଳ ଏକ ସ୍ଲୋଗାନ ହୋଇ ରହି ନାହିଁ, ଏହା ଅନେକ ପରିମାଣରେ ଏକ ବାସ୍ତବତାରେ ପରିଣତ ହେଲାଣି । ଝିଅମାନେ ଏବେ ପୁଅଙ୍କ ସହିତ ସମାନ ନୁହଁନ୍ତି, ବରଂ କେତେକ କ୍ଷେତ୍ରରେ ପୁଅଙ୍କ ଠାରୁ ଆଗକୁ ମଧ୍ୟ ବଢ଼ିଗଲେଣି।

ରାଷ୍ଟ୍ରପତି କହିଥିଲେ ଯେ, ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର । ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁ ଗଣତାନ୍ତ୍ରିକ ପ୍ରତିଷ୍ଠାନରେ ମହିଳାମାନଙ୍କର ପ୍ରତିନିଧିତ୍ୱ ବୃଦ୍ଧି ପାଇବାକୁ ଦେଖିବାକୁ ମିଳିବା ଖୁସିର ବିଷୟ । ପ୍ରଥମ ଥର ପାଇଁ ମହିଳା ସାଂସଦଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିବା ଆମ ଗଣତନ୍ତ୍ର ପାଇଁ ଏକ ମହାନ ଉପଲବ୍ଧି । ଆମ ଗଣତନ୍ତ୍ରର ଭବିଷ୍ୟତ ପାଇଁ ଏହା ଏକ ଉତ୍ତମ ସଙ୍କେତ ।

ନିଜର ସାମର୍ଥ୍ୟ ଉପରେ ଭରସା ରଖିବା ଲାଗି ରାଷ୍ଟ୍ରପତି ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ, ବିଶ୍ୱବିଦ୍ୟାଳୟ ପରିସର ଛାଡ଼ିବା ପରେ, ସେମାନେ ଆଉ ଏକ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବେ - ତାହା ହେଉଛି ଜୀବନର ବିଶ୍ୱବିଦ୍ୟାଳୟ। ଜୀବନ ବିଶ୍ୱବିଦ୍ୟାଳୟରେ ସଫଳ ହେବାକୁ ହେଲେ, ସେମାନେ ନିଜର କ୍ଷମତା ଓ ସାମର୍ଥ୍ୟ ସମ୍ପର୍କରେ ଅବଗତ ହେବା ଉଚିତ୍‌ ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ, ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ ବିକଶିତ ରାଷ୍ଟ୍ର ହେବା ଲାଗି ଲକ୍ଷ୍ୟ ରଖିଛି । ଆମ ସମସ୍ତଙ୍କର ବିଶ୍ୱାସ ରହିଛି ଯେ ୨୦୪୭ରେ ଆମେ ଯେତେବେଳେ ସ୍ୱାଧୀନତାର ଶତବାର୍ଷିକୀ ପୂରଣ କରିବା, ଭାରତ ବିଶ୍ୱର ସମୃଦ୍ଧ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ ହୋଇଥିବ । ଆସନ୍ତା ୨୫ ବର୍ଷ ମଧ୍ୟରେ, ଭାରତକୁ ବିକାଶର ଶିଖରକୁ ନେଇଯିବାର ଦାୟିତ୍ୱ ଯୁବପିଢ଼ି ନିର୍ବାହ କରିବା ଉଚିତ ବୋଲି ସେ କହିଥିଲେ ।

 

*****

P.S.

 



(Release ID: 1898126) Visitor Counter : 176


Read this release in: English , Urdu , Marathi , Hindi