ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ହରଡ ଡାଲିର ମହଜୁଦ ପରିମାଣ ଜଣାଇବା ବାଧ୍ୟତାମୂଳକ; ସବୁ ବଡ ବ୍ୟବସାୟୀ ଓ ମହଜୁଦକାରୀ ଏହି ତଥ୍ୟ ଦେବାକୁ ବାଧ୍ୟ


ଏହାକୁ ଅବିଳମ୍ବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କହିଲେ କେନ୍ଦ୍ର ସରକାର

ମହଜୁଦକାରୀ (ଷ୍ଟକ ହୋଲଡର) ନିଜ ଷ୍ଟକ ସମ୍ପର୍କୀତ ତଥ୍ୟ ପ୍ରତି ସପ୍ତାହରେ ଥରେ ଅନ୍‌ଲାଇନ ମନିଟରିଂ ପୋର୍ଟାଲରେ ଅପ୍‌ଲୋଡ କରିବେ: କେନ୍ଦ୍ର

ବିଭିନ୍ନ ପ୍ରକାର ଡାଲିର ଉପଲବ୍ଧତା ଓ ଏହାର ମୂଲ୍ୟ ଉପରେ କେନ୍ଦ୍ର ସରକାର ସତର୍କ ନଜର ରଖିଛନ୍ତି

Posted On: 12 AUG 2022 5:01PM by PIB Bhubaneshwar

ହରଡ ଡାଲି ସମେତ ବିଭିନ୍ନ ପ୍ରକାର ଡାଲିର ଉପଲବ୍ଧତା ଓ ମୂଲ୍ୟ ଉପରେ କେନ୍ଦ୍ର ସରକାରଙ୍କ ସତର୍କ ଦୃଷ୍ଟି ରଖିଛନ୍ତି । କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ଅଗଷ୍ଟ ୧୨ତାରିଖରେ ଏହି ମର୍ମରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏଥିରେ ହରଡ ଡାଲିର ମହଜୁଦ (ଷ୍ଟକ୍‌) ପରିମାଣ ଜଣାଇବା ସବୁ ବଡ ବଡ ବ୍ୟବସାୟୀ (ଷ୍ଟକ୍ ହୋଲଡର)ଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି । ୧୯୫୫ର ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଧାରା ୩ (୨) (ଏଚ୍‌) ଓ ୩(୨)(ଆଇ) ଅନୁସାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏହି ଆଇନ ଅନୁସାରେ ସରକାରୀ କର୍ତ୍ତୃପକ୍ଷ ଓ ଯୋଗାଣ ବିଭାଗ ଡାଲି ସହିତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ମହଜୁଦ ପରିମାଣ ଏବଂ ମୂଲ୍ୟ ତଦାରଖ କରିବାକୁ ଅଧିକୃତ । ସମ୍ପୃକ୍ତ ବଡ ବଡ ବ୍ୟବସାୟୀ ସେମାନଙ୍କର ହରଡ ଡାଲିର ମହଜୁଦ (ଷ୍ଟକ) ପରିମାଣ ପ୍ରତ୍ୟେକ ସପ୍ତାହରେ ଥରେ ଲେଖାଏଁ ଖାଉଟି ବ୍ୟାପାର ବିଭାଗର ଅନ୍‌ଲାଇନ ପୋର୍ଟାଲରେ  ଅପ୍‌ଲୋଡ କରିବେ । ଏହି କାର୍ଯ୍ୟରେ ଯେପରି  ବ୍ୟାଘାତ ନ ଘଟେ ଏବଂ ଷ୍ଟକ୍‌ଧାରୀ ଯେପରି ବ୍ୟତିକ୍ରମ ନ କରନ୍ତି, ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି ।

 କିଛି ବଡ ବ୍ୟବସାୟୀ ଓ ମହଜୁଦକାରୀ (ଷ୍ଟକ ହୋଲଡର) କୃତିମ ଅଭାବ ସୃଷ୍ଟି ଉଦ୍ଦେଶ୍ୟରେ ବଜାରକୁ ଡାଲି ଛାଡୁ ନ ଥିବା ଖବର ମିଳିଛି । ବିଶେଷ କରି ହରଡ ଡାଲିର କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଉଦ୍ୟମ ହେଉଛି । ଏହା ଜଣା ପଡିବା ପରେ କେନ୍ଦ୍ର ସରକାରେ ତତ୍ପର ହୋଇପଡିଛନ୍ତି ଏବଂ ଡାଲିର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ସତର୍କ ନଜର ରଖିବା ଆରମ୍ଭ କରିଛନ୍ତି । ତଦନୁସାରେ କୃତ୍ରିମ ଅଭାବ ଯେପରି ନ ଘଟେ ସେଥିପାଇଁ ବଡ ବଡ ମହଜୁଦକାରୀ ଓ ବ୍ୟବସାୟୀଙ୍କ ପାଖରେ ହରଡ ସମେତ ବିଭିନ୍ନ ପ୍ରକାର ଡାଲିର ପରିମାଣ ଓ ତାହାର ମୂଲ୍ୟ ନିୟମିତଭାବେ ଜାଣିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥିରେ ସବୁମନ୍ତେ ସାହାଯ୍ୟ ସହଯୋଗ କରିବାକୁ ରାଜ୍ୟମାନଙ୍କୁ କୁହାଯାଇଛି । କେହି ଯେପରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଫାଇଦା ନ ଉଠାନ୍ତି ତା’ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

 ୨୦୨୨ ଜୁଲାଇ ଦ୍ୱିତୀୟ ସପ୍ତାହଠାରୁ ଦେଶର ବିଭିନ୍ନ ଅଞ୍ଚଳରେ  ହରଡ ଡାଲିର ଖୁଚୁରାମୂଲ୍ୟ ବଢିବା ଆରମ୍ଭ କରିଥିଲା । ଗତବର୍ଷ ତୁଳନାରେ ଏଥର ଖରିଫ ଋତୁରେ ଅତ୍ୟଧିକ ବର୍ଷା ଯୋଗୁଁ ଡାଲି ଜାତୀୟ ଫସଲ ପ୍ରଭାବିତ ହୋଇଥିଲା । ଅଧିକ ହରଡ ଉତ୍ପାଦିତ ହେଉଥିବା ରାଜ୍ୟ ଯଥା କର୍ଣ୍ଣାଟକ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଉତ୍ପାଦନ ହ୍ରାସ ପାଇବା କାରଣରୁ ବଜାରରେ ଏହାର ଦାମ୍ ବୃଦ୍ଧି ପାଇଥିଲା ।

ତେବେ କେନ୍ଦ୍ର ସରକାର ଏ ବିଷୟରେ ଅବଗତ ଅଛନ୍ତି । ଆଗକୁ ପୂଜାପାର୍ବଣ ସମୟ ଆସୁଥିବାରୁ ଚାହିଦା ବୃଦ୍ଧିର ସୁଯୋଗ ନେଇ ବ୍ୟବସାୟୀ ଡାଲିର କୃତ୍ରିମ ଅଭାବ ସୃଷ୍ଟି କରି ଯେପରି ଫାଇଦା ନ ଉଠାନ୍ତି ସେଥିପାଇଁ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ତତ୍ପର ରହିଛି । ଘରୋଇ ବଜାରର ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ସେଥିପାଇଁ ବିଦେଶ ଡାଲି ବଜାର ଉପରେ ମଧ୍ୟ ସରକାର ନଜର  ରଖିଛନ୍ତି । 

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶରେ ଏବେ ଯଥେଷ୍ଟ ପରିମାଣର ଡାଲି ମହଜୁଦ ରହିଛି । ସରକାରଙ୍କ ପାଖରେ ଏବେ ୩୮ଲକ୍ଷ ଟନ୍ ଡାଲି ମହଜୁଦ ଅଛି । ଲୋକଙ୍କ ଚାହିଦା ପୂରଣ କରିବା ପାଇଁ ମହଜୁଦ ଥିବା ଡାଲିକୁ ସରକାର ପର୍ଯ୍ୟାୟ କ୍ରମେ ଖୋଲା ବଜାରକୁ ଛାଡୁଛନ୍ତି ।

 

****

TKM/SLP



(Release ID: 1851387) Visitor Counter : 157


Read this release in: English , Urdu , Hindi , Marathi