ଯୋଗାଯୋଗ ମନ୍ତ୍ରଣାଳୟ

ଅପହଞ୍ଚ ଗ୍ରାମାଞ୍ଚଳରେ 4ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ଲାଗି ୨୬,୩୧୬ କୋଟି ଟଙ୍କାର ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

Posted On: 27 JUL 2022 5:19PM by PIB Bhubaneshwar

ସାରା ଦେଶରେ 4ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ପାଇଁ ମୋଟ୍‌ ୨୬,୩୧୬ କୋଟି ଟଙ୍କାର ବ୍ୟୟ କରାଯିବ । ଏହି ଅର୍ଥରେ ଦେଶର ଅପହଞ୍ଚ ଗାଁମାନଙ୍କରେ 4ଜି ସେବା ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଡିଜିଟାଲ ସମାବେଶନ ଏବଂ ସମସ୍ତଙ୍କୁ କନେକ୍ଟିଭିଟୀ ବା ଯୋଗାଯୋଗ ସୁବିଧା ପ୍ରଦାନ କରିବା ସରକାରଙ୍କ ‘ଅନ୍ତ୍ୟୋଦୟ’ ସଂକଳ୍ପର ଏକ ଅଭିନ୍ନ ଅଙ୍ଗ । ଗତ ବର୍ଷ ସରକାର ୫ଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଥିବା ୭,୨୮୭ଟି ଅପହଞ୍ଚ ଇଲାକାରେ 4ଜି ମୋବାଇଲ ସେବା ଯୋଗାଇ ଦେବା ପାଇଁ ଏକ ପ୍ରକଳ୍ପକୁ ଅନୁମୋଦନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୧ରେ ତାଙ୍କର ସ୍ବାଧୀନତା ଦିବସ ଅଭିଭାଷଣରେ ସବୁ ସରକାରୀ ଯୋଜନାର ପରିପୂର୍ଣ୍ଣତା ବା ସେଚୁରେସନ ପାଇଁ ଆହ୍ବାନ କରିଥିଲେ । ଆଜି କ୍ୟାବିନେଟର ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ମାଧ୍ୟମରେ ଦେଶର ଉପାନ୍ତ ଏବଂ ଅପହଞ୍ଚ ଇଲାକାରେ ଥିବା ୨୪ ହଜାର ୬୮୦ଟି ଗାଁକୁ 4ଜି ମୋବାଇଲ ସେବା ଯୋଗାଇ ଦିଆଯିବ । ଥଇଥାନ, ନୂଆ ବସତି ସ୍ଥାପନ, ବର୍ତ୍ତମାନର ପରିଚାଳକମାନଙ୍କ ଦ୍ବାରା ସେବା ପ୍ରତ୍ୟାହାର ଆଦି କାରଣ ପାଇଁ ୨୦% ଅତିରିକ୍ତ ଗାଁକୁ ଏହି ପ୍ରକଳ୍ପ ଅଧୀନରେ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ କେବଳ 2ଜି/3ଜି କନେକ୍ଟିଭିଟୀ ସେବା ରହିଥିବା ୬,୨୭୯ଟି ଗାଁରେ ମୋବାଇଲ ସେବାକୁ 4ଜିକୁ ଉନ୍ନତିକରଣ କରାଯିବ ।

ବିଏସଏନଏଲ ଦ୍ବାରା ଆତ୍ମନିର୍ଭର ଭାରତ 4ଜି ପ୍ରଯୁକ୍ତି ବ୍ୟବସ୍ଥାକୁ ଉପଯୋଗ କରାଯାଇ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ସାର୍ବଜନୀନ ସେବା ଉତ୍ତରଦାୟିତ୍ବ ପାଣ୍ଠି ଜରିଆରେ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇ ଦିଆଯିବ । ପ୍ରକଳ୍ପ ବ୍ୟୟ ପରିମାଣ ୨୬,୩୧୬ କୋଟି ଟଙ୍କାରେ କ୍ୟାପେକ୍ସ ଏବଂ ୫ ବର୍ଷର ଓପେକ୍ସ ସାମିଲ ରହିଛି ।

ବିଏସଏନଏଲ ପକ୍ଷରୁ ଆତ୍ମନିର୍ଭର 4ଜି ପ୍ରଯୁକ୍ତି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଇସାରିଛି ଯାହାକୁ ଏହି ପ୍ରକଳ୍ପରେ ମଧ୍ୟ ବିନିଯୋଗ କରାଯିବ ।

ଗ୍ରାମାଞ୍ଚଳରେ ମୋବାଇଲ କନେକ୍ଟିଭିଟୀ ଯୋଗାଇ ଦେବା ପାଇଁ ସରକାରଙ୍କ ସଂକଳ୍ପକୁ କାର୍ଯ୍ୟକାରୀ କରିବା ଦିଗରେ ଏହି ପ୍ରକଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମୋବାଇଲ ବ୍ରଡବ୍ୟାଣ୍ଡ ଜରିଆରେ ବିଭିନ୍ନ ଇ-ସରକାରୀ ସେବା, ବ୍ୟାଙ୍କିଙ୍ଗ ସେବା, ଟେଲି-ମେଡ଼ିସିନ, ଟେଲି-ଏଜୁକେସନ ଆଦିକୁ ଏହି ପ୍ରକଳ୍ପ ପ୍ରୋତ୍ସାହିତ କରିବ ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

 

*********

P.S.

 



(Release ID: 1845604) Visitor Counter : 171