ଜାହାଜ ଚଳାଚଳ ମନ୍ତ୍ରଣାଳୟ
ରୋ-ରୋ/ ରୋ-ପାକ୍ସ ଫେରୀ ସେବାକୁ ପ୍ରୋତ୍ସାହନ
ଓଡ଼ିଶାର ୨ଟି ସମେତ ଦେଶର ୪୫ଟି ସ୍ଥାନରେ ବିକଶିତ ହେଉଛି ଜଳମାର୍ଗ ପରିବହନ ସେବା
Posted On:
26 JUL 2022 1:11PM by PIB Bhubaneshwar
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୋ-ରୋ/ରୋ-ପେକ୍ସ ଫେରୀ ପରିବହନ ସେବାକୁ ପ୍ରୋତ୍ସାହନ ଦେଉଛି । ଏହି ଜଳ ଆଧାରିତ ପରିବହନ ବ୍ୟବସ୍ଥାକୁ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଏବଂ ଯାତ୍ରା ସମୟ ହ୍ରାସ କରିବାର ଏକ ଉନ୍ନତ ମାର୍ଗ ଭାବେ ବିବେଚନା କରାଯାଉଛି । ଏହା ମଧ୍ୟ ସଡ଼କ, ରେଳ ମାର୍ଗରେ ଟ୍ରାଫିକ ଭିଡ଼ କମାଇବା ସହିତ ଶବ୍ଦ ପ୍ରଦୂଷଣ ହ୍ରାସ କରିବ । ବିଭିନ୍ନ ସୁବିଧାଜନକ ମାର୍ଗରେ ଉପକୂଳ ଜାହାଜ ଚଳାଚଳକୁ ପ୍ରେତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ସେବାକୁ କାର୍ଯ୍ୟକାରୀ କରାଯାଉଛି ।
ଭାରତ ସରକାର ମୋଟ୍ ୧୯୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ୨ଟି ସ୍ଥାନ ସମେତ ଦେଶର ୪୫ଟି ସ୍ଥାନରେ ରୋ ପେକ୍ସ ଫେରୀ ସେବା ପ୍ରକଳ୍ପ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ବିଭିନ୍ନ ସ୍ଥାନରେ ଫେରୀ ଘାଟ ନିର୍ମାଣ କରାଯାଇ ଜଳମାର୍ଗରେ ଯାତାୟାତ ପାଇଁ ସୁଗମ ବ୍ୟବସ୍ଥା କରାଯାଇଛି । ଇତିମଧ୍ୟରେ ଗୁଜରାଟର ଘୋଗା-ହାଜିରା ମଧ୍ୟରେ ରୋ-ପେକ୍ସ ଫେରୀ ସେବା ଆରମ୍ଭ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ମୁମ୍ବାଇରୁ ମାଣ୍ଡୱା ମଧ୍ୟରେ ଏହି ଜଳମାର୍ଗ ଖୋଲିଛି । ଏସବୁ ପ୍ରକଳ୍ପ ମାଧ୍ୟମରେ ଏବେ ସୁଦ୍ଧା ୭ ଲକ୍ଷ ଯାତ୍ରୀ ଏବଂ ୧.୫ ଲକ୍ଷ ବାହନ ପରିବହନ କରାଯାଇଛି । ଆଗକୁ ଗୁଜରାଟର ପିପାଭାଓ ଏବଂ ମୂଲଦ୍ବାରକା ଏବଂ ମହାରାଷ୍ଟ୍ରର ଘୋଡ଼ବନ୍ଦର, ଭେଲଦୁର, ୱସାଇ, କାଶିଡ, ରେୱାସ, ମନୋରୀ ଏବଂ ଜେଏନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ । ତା’ଛଡ଼ା ଆନ୍ଧ୍ରପ୍ରଦେଶରେ ୪ଟି, ତାମିଲନାଡ଼ୁ ଓ ଗୋଆରେ ଗୋଟିଏ ଲେଖାଏଁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶାର ଦୁଇଟି ସ୍ଥାନରେ ରୋ ପେକ୍ସ ଫେରୀ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ମନ୍ତ୍ରଣାଳୟ ପକ୍ଷରୁ ‘‘ଭାରତୀୟ ଉପକୂଳରେ ରୋ- ରୋ ଏବଂ ରୋ-ପେକ୍ସ ଫେରୀ ସେବା ପାଇଁ ଏକ ମାର୍ଗଦର୍ଶିକା’’ ଜାରି କରାଯାଇଛି । ଏହା ଫେରୀ ସେବାର ବିକାଶ ଏବଂ ପରିଚାଳନାକୁ ସମରୂପ ଦେବ ଏବଂ ସୁବ୍ୟବସ୍ଥିତ କରିବ । ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହିତ କରିବା ସହିତ ଅହେତୁକ ବିଳମ୍ବ ଦୂର କରିବ ଏବଂ ଗ୍ରାହକଙ୍କ ପାଇଁ ଡିଜିଟାଲ ହସ୍ତକ୍ଷେପର ପ୍ରଚଳନ କରିବ ।
******
P.S.
(Release ID: 1845015)
Visitor Counter : 152