ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ

ଷ୍ଟକ୍‌ହୋମ୍‌ ଠାରେ ଭାରତ ଓ ସ୍ବୀଡେନ ପକ୍ଷରୁ ଶିଳ୍ପ ପରିବର୍ତ୍ତନ ଆଲୋଚନା ଅନୁଷ୍ଠିତ


‘‘ବିକଶିତ ବିଶ୍ବ କେବଳ ଏକ ଶିଳ୍ପ ‘ପରିବର୍ତ୍ତନ’ ନୁହେଁ, ବରଂ ଶିଳ୍ପ ନବଜାଗରଣ ଆବଶ୍ୟକ କରୁଛି – ନିଯୁକ୍ତି ଓ ସମୃଦ୍ଧି ସହିତ ସବୁଜ ପରିବେଶ ସୃଷ୍ଟି କରୁଥିବା ଶିଳ୍ପ ବିକାଶର ଆବଶ୍ୟକତା ରହିଛି’’ : ଶ୍ରୀ ଭୂପେନ୍ଦ୍ର ଯାଦବ

ବିକଶିତ ରାଷ୍ଟ୍ରମାନେ ନିଜ ଐତିହାସିକ ଅନୁଭୂତିରୁ, ନେଟ୍‌ ଜିରୋ ଏବଂ କମ୍‌ ଅଙ୍ଗାରକାମ୍ଳ ନିର୍ଗମନକାରୀ ଶିଳ୍ପ ଦିଗରେ ବୈଶ୍ବିକ ପରିବର୍ତ୍ତନର ନେତୃତ୍ବ ନେବା ଉଚିତ୍‌ : ଶ୍ରୀ ଭୂପେନ୍ଦ୍ର ଯାଦବ

Posted On: 01 JUN 2022 5:42PM by PIB Bhubaneshwar

ଭାରତ ଏବଂ ସ୍ବିଡେନ୍‌ ପକ୍ଷରୁ ଆଜି ମିଳିତ ଭାବେ ଶିଳ୍ପ ପରିବର୍ତ୍ତନ ଆଲୋଚନା ଆୟୋଜିତ ହୋଇଯାଇଛି । ଇଣ୍ଡଷ୍ଟ୍ରୀ ଟ୍ରାଞ୍ଜିସନ ଫର ଲିଡରଶିପ୍‌ (ଶିଳ୍ପ ପରିବର୍ତ୍ତନ ପାଇଁ ନେତୃତ୍ବ) ବା ଲିଡ୍‌ ଆଇଟିର ଅଂଶବିଶେଷ ଭାବେ ସେମାନଙ୍କର ଯୌଥ ଉଦ୍ୟୋଗର ଅଂଶବିଶେଷ ସ୍ବରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଶ୍ବ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟାନୁଷ୍ଠାନରେ ପ୍ରମୁଖ ଅଂଶୀଦାର ତଥା ନିର୍ଦ୍ଦିଷ୍ଟ ହସ୍ତକ୍ଷେପ ଆବଶ୍ୟକ କରୁଥିବା ସେହିସବୁ କ୍ଷେତ୍ର ଉପରେ ‘ଲିଡ୍‌ ଆଇଟି ପ୍ରୟାସ’ ଗୁରୁତ୍ବାରୋପ କରିଥାଏ ଯେଉଁ କ୍ଷେତ୍ରରେ ପ୍ରଶମନକାରୀ ପଦକ୍ଷେପ ଗ୍ରହଣ କରିବା ବେଶ କଷ୍ଟକର ।

ଏହି ଉଚ୍ଚସ୍ତରୀୟ ଆଲୋଚନା ୨ ଏବଂ ୩ ଜୁନ, ୨୦୨୨ରେ ଆୟୋଜିତ ହେବାକୁ ଥିବା ମିଳିତ ଜାତିସଂଘ ସମ୍ମିଳନୀ ‘‘ଷ୍ଟକହୋମ+50 : ସମସ୍ତଙ୍କ ସମୃଦ୍ଧି ପାଇଁ ଏକ ସୁସ୍ଥ ପୃଥିବୀ - ଆମର ଉତ୍ତରଦାୟିତ୍ବ, ଆମ ସୁଯୋଗ’’ କ୍ଷେତ୍ରରେ ଯୋଗଦାନ ଦେଇଛି ଏବଂ ସିଓପି ୨୭ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିଛି ।

କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଉଦଘାଟନୀ ଅଭିଭାଷଣ ରଖିଥିଲେ । ସେହିପରି ସ୍ବୀଡେନ ପକ୍ଷରୁ ଜଳବାୟୁ ଓ ପରିବେଶ ମନ୍ତ୍ରୀ ସୁଶ୍ରୀ ଆନିକା ଷ୍ଟାନ୍ଧାଲ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ ।

Image

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯେ, ୧୯୭୨ରେ ମାନବୀୟ ପରିବେଶ ଉପରେ ମିଳିତ ଜାତିସଂଘ ସମ୍ମିଳନୀ ଆୟୋଜନ କରାଯାଇଥିଲା ଏବଂ ପରିବେଶ ପ୍ରସଙ୍ଗକୁ ଅନ୍ତର୍ଜାତୀୟ ଚିନ୍ତାର ବିଷୟ ଭାବେ କେନ୍ଦ୍ରରେ ରଖିବା ପାଇଁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ଏହି ସମ୍ମିଳନୀର ୫୦ ବର୍ଷ ପୂର୍ତ୍ତି ସମାରୋହ ଆୟୋଜନ କରାଯାଉଥିବାରୁ ଶ୍ରୀ ଯାଦବ ବିଶ୍ବବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଜୋର ଦେଇ କହିଥିଲେ ଯେ, ୫୦ ବର୍ଷର ସହଭାଗୀ କାର୍ଯ୍ୟାନୁଷ୍ଠାନକୁ ପାଳନ କରିବା ଲାଗି ବର୍ତ୍ତମାନ ସମୟ ଆସିଛି । ସେହିପରି କ’ଣ ହାସଲ କରାଯାଇଛି ଏବଂ ଆଗକୁ କ’ଣ କରିବାର ଅଛି ସେ ସମ୍ପର୍କରେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ‘‘ବିକଶିତ ବିଶ୍ବ କେବଳ ଏକ ଶିଳ୍ପ ‘ପରିବର୍ତ୍ତନ’ ନୁହେଁ, ବରଂ ଶିଳ୍ପ ନବଜାଗରଣ ଆବଶ୍ୟକ କରୁଛି – ନିଯୁକ୍ତି ଓ ସମୃଦ୍ଧି ସହିତ ସବୁଜ ପରିବେଶ ସୃଷ୍ଟି କରୁଥିବା ଶିଳ୍ପ ବିକାଶର ଆବଶ୍ୟକତା ରହିଛି । ବିକଶିତ ରାଷ୍ଟ୍ରମାନେ ନିଜ ଐତିହାସିକ ଅନୁଭୂତିରୁ, ନେଟ୍‌ ଜିରୋ (ଶୂନ୍ୟ ଅଙ୍ଗାରକାମ୍ଳ ଲକ୍ଷ୍ୟ ହାସଲ) ଏବଂ କମ୍‌ ଅଙ୍ଗାରକାମ୍ଳ ନିର୍ଗମନକାରୀ ଶିଳ୍ପ ସ୍ଥାପନ ଦିଗରେ ବୈଶ୍ବିକ ପରିବର୍ତ୍ତନର ନେତୃତ୍ବ ନେବା ଉଚିତ୍‌ ।

Image

କାର୍ଯ୍ୟକ୍ରମ ଅବସରରେ ଲିଡ୍‌ ଆଇଟି ପ୍ରୟାସର ନୂଆ ସଦସ୍ୟ ଜାପାନ ଓ ଦକ୍ଷିଣ ଆଫ୍ରିକାକୁ ସ୍ବାଗତ କରାଯାଇଥିଲା । ଫଳରେ ରାଷ୍ଟ୍ର ଓ କମ୍ପାନୀମାନଙ୍କୁ ମିଶାଇ ଲିଡ୍‌ ଆଇଟିର ମୋଟ୍‌ ସଦସ୍ୟ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିଲା । ଏହି ପ୍ରୟାସ ଅଧୀନରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଅଗ୍ରଗତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ସୂଚନା ଦେଇଥିଲେ । ଏଥିରେ ଜ୍ଞାନର ଆଦାନପ୍ରଦାନ ଏବଂ ମିଳିତ ପ୍ରୟାସ ପାଇଁ କ୍ଷେତ୍ର ଆଧାରିତ ରୋଡ ମ୍ୟାପିଂ, କର୍ମଶାଳା, ଶିଳ୍ପାନୁଷ୍ଠାନ କ୍ଷେତ୍ର ପରିଦର୍ଶନ ଆଦି ସାମିଲ ରହିଛି ।

ଏହି କାର୍ଯ୍ୟକ୍ରମ ଅବସରରେ, ୨୦୨୨-୨୩ରେ କାର୍ଯ୍ୟକାରୀ କରାଯିବାକୁ ଥିବା ପ୍ରାଥମିକ ପଦକ୍ଷେପଗୁଡ଼ିକ ଉପରେ ଆୟୋଜିତ ଏକ ଗୋଲଟେବୁଲ ବୈଠକରେ ଭାରତ ଅଧ୍ୟକ୍ଷତା କରିଥିଲା । ଜଳବାୟୁ ପରିବର୍ତ୍ତନ ପ୍ରଶମନ କାର୍ଯ୍ୟାନୁଷ୍ଠାନ ଦିଗରେ ଦ୍ରୁତ ଗତିରେ ଏବଂ ବ୍ୟାପକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ବକ୍ତାମାନେ ଏକସ୍ବରରେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ଦେଶ ଓ କମ୍ପାନୀମାନେ ସେମାନଙ୍କର ପଦକ୍ଷେପ, ସଫଳତା କାହାଣୀ ଏବଂ ଭବିଷ୍ୟତର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଅଂଶଗ୍ରହଣକାରୀମାନେ କେତେକ ନିର୍ଦ୍ଦିଷ୍ଟ ଏବଂ ମୂଲ୍ୟବାନ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ସମସ୍ତେ ଏହା ହୃଦବୋଧ କରିଥିଲେ ଯେ, ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନକୁ ଭଲ ଭାବରେ କାର୍ଯ୍ୟକାରୀ ଏବଂ ପ୍ରସାରିତ କରାଗଲେ ଅନ୍ତର୍ଜାତୀୟ ସ୍ତରରେ ଏଥିପାଇଁ ମୂଲ୍ୟବାନ ପ୍ରେରଣା ମିଳିପାରିବ । ସମସ୍ତେ ଏଥିରେ ଏକମତ ହୋଇଥିଲେ ଯେ, ଏପରି ମଞ୍ଚ ଜରିଆରେ ହେଉଥିବା ପ୍ରୟାସ ଏବଂ ମତବିନିମୟ କାର୍ଯ୍ୟକ୍ରମ ଦ୍ବାରା ବିଶ୍ବ ଉଚିତ୍‌ ମାର୍ଗରେ ଆଗେଇ ଯିବାର ସମ୍ଭାବନା ରହିଛି । ଏବେ ପ୍ରତିବଦ୍ଧତା ଓ ସଂକଳ୍ପଗୁଡ଼ିକୁ ପ୍ରଶମନ କାର୍ଯ୍ୟାନୁଷ୍ଠାନ ଏବଂ ଗ୍ରହଣୀୟତା ଦିଗରେ ନେଇଯିବାର ଆବଶ୍ୟକତା ରହିଛି ଯାହାକି ଜଳବାୟୁ ପାଣ୍ଠି ଯୋଗାଣ ଏବଂ ପ୍ରଯୁକ୍ତି ହସ୍ତାନ୍ତର ଉପରେ ଆଧାରିତ ହୋଇଥିବ ।

 

********

P.S.



(Release ID: 1830282) Visitor Counter : 130


Read this release in: English , Urdu , Hindi , Punjabi