ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଚଳଚ୍ଚିତ୍ର ସଂକ୍ରାନ୍ତ ତଥା ମୁମ୍ବାଇରେ ମୁଖ୍ୟାଳୟ ଥିବା ସମସ୍ତ ବିଭାଗ ଗୋଟିଏ କାର୍ଯ୍ୟାଳୟ ଅଧୀନକୁ ଆସିଲା


ସିବିଏଫସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦର ଭାକର ହେଲେ ଏନଏଫଡିସି, ଫିଲ୍ମ ଡିଭିଜନ ଏବଂ ସିଏଫଏସଆଇର ନୂତନ ମୁଖ୍ୟ

ପୋଷ୍ଟ କରାଯିବା ଦିନାଙ୍କ: 13 DEC 2021 5:43PM by PIB Bhubaneswar

କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନ୍ଦର ଭାକର ଆଜି ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି), ଫିଲ୍ମ ଡିଭିଜନ ଏବଂ ଭାରତୀୟ ଶିଶୁ ଚଳଚ୍ଚିତ୍ର ସୋସାଇଟିର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ବଳରେ ଶ୍ରୀ ଭାକରଙ୍କୁ ଏନଏଫଡିସିର ପରିଚାଳନା ନିର୍ଦ୍ଦେଶକ (ଏମଡି), ଫିଲ୍ମ ଡିଭିଜନର ମହାନିର୍ଦ୍ଦେଶକ ଏବଂ ସିଏଫଏସଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

1999 ବ୍ୟାଚର ଭାରତୀୟ ରେଳବାଇ ଷ୍ଟୋର ସେବା (ଆଇଆରଏସଏସ) ଅଧିକାରୀ ଶ୍ରୀ ଭାକର ଚଳଚ୍ଚିତ୍ର ପ୍ରମାଣନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ତାଙ୍କର ବର୍ତ୍ତମାନର ଦାୟିତ୍ବ ସହିତ ଏହିସବୁ ଦାୟିତ୍ବ ଅତିରିକ୍ତ ଭାବେ ନିର୍ବାହ କରିବେ।

ଏଥିସହିତ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ସମସ୍ତ ଚଳଚ୍ଚିତ୍ର ସଂକ୍ରାନ୍ତ ତଥା ମୁମ୍ବାଇରେ ମୁଖ୍ୟାଳୟ ଥିବା ବିଭାଗ ଗୋଟିଏ କାର୍ଯ୍ୟାଳୟ ଅଧୀନକୁ ଆସିଛି।

ଏହି ନିଷ୍ପତ୍ତି ସମ୍ପର୍କରେ ଆଲୋକପାତ କରି, ଶ୍ରୀ ଭାକର କହିଥିଲେ ଯେ ଏହି ପଦକ୍ଷେପ ଏନଏଫଡିସି ସହିତ ଫିଲ୍ମ ଡିଭିଜନ ଏବଂ ସିଏଫଏସଆଇର ଜାରି ରହିଥିବା ମିଶ୍ରଣ ପ୍ରକ୍ରିୟାକୁ ଆହୁରି ସୁଗମ କରିବ। ଏହାର ଢାଞ୍ଚା ଏବଂ ପରିଚାଳନାରେ ମଧ୍ୟ ବୃହତ ସଂସ୍କାର ପାଇଁ ମାର୍ଗ ପ୍ରଶସ୍ତ କରିବ। ସେ କହିଥିଲେ ଯେ ନିଗମର ପୁନର୍ଗଠନରେ ଏହା ସ୍ପଷ୍ଟ ପରିଭାଷିତ ସଂସ୍କାର ଆଣିବ, ଚଳଚ୍ଚିତ୍ର ଉଦ୍ୟୋଗର ଆବଶ୍ୟକତା ଅନୁରୂପ ବ୍ୟବସ୍ଥା କରିବ, ମୂଳ ଲକ୍ଷ୍ୟ ସାଧିତ କରିବ ତଥା ମିଶ୍ରଣ ମାଧ୍ୟମରେ ସମସ୍ତ ବିଭାଗର କର୍ମଚାରୀମାନଙ୍କର ହିତ ରକ୍ଷା କରିବ ।

ଶ୍ରୀ ରବିନ୍ଦର ଭାକର ଜୟପୁର ଏମଏନଆଇଟିରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ଜଣେ ଦକ୍ଷ ଭାରତୀୟ ଇଞ୍ଜିନିୟରିଂ ସେବା ଅଧିକାରୀ ଭାବେ ସେ ବହୁ ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି। ଉଲ୍ଲେଖନୀୟ ସେବା ପାଇଁ ଭାରତୀୟ ରେଳବାଇ ନିକଟରୁ ଜାତୀୟ ପୁରସ୍କାର, ଉଭୟ ପଶ୍ଚିମ ରେଳବାଇ ଏବଂ କେନ୍ଦ୍ରୀୟ ରେଳବାଇରେ ଉଲ୍ଲେଖନୀୟ ସେବା ପାଇଁ ସାଧାରଣ ପରିଚାଳକ ପୁରସ୍କାର ଏଥିରେ ସାମିଲ ରହିଛି। ପଶ୍ଚିମ ରେଳବାଇ ଏବଂ କେନ୍ଦ୍ରୀୟ ରେଳବାଇରେ ବିଭିନ୍ନ ଆଧୁନିକୀକରଣ କାମରେ ସେ ଯୋଗଦାନ ଦେଇଛନ୍ତି। ଆଧୁନିକ ପିଆର କୌଶଳ ବିକଶିତ କରିବା, ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥା, ବିଭିନ୍ନ ମଲ୍ଟିମୋଡାଲ ଲଜିଷ୍ଟିକ୍ସ ଯୋଜନା ଏବଂ ପରିବହନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସହିତ ସେ ନିବିଡ଼ ଭାବେ ଜଡ଼ିତ।

 

*********

P.S

 


(ରିଲିଜ ଆଡି: 1781097) ପରିଦର୍ଶକ କାଉଣ୍ଟର : 213
ଏହି ରିଲିଜ ପଢନ୍ତୁ : English , Marathi