ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର ଗ୍ରହଣ କଲେ ବିଶିଷ୍ଟ ଗୀତିକାର ପ୍ରସୂନ ଯୋଶୀ


“ଯୁବ ମସ୍ତିଷ୍କ ଦ୍ୱନ୍ଦ୍ୱାତ୍ମକ ସ୍ଥିତିକୁ ଉପଭୋଗ କରିବା ଉଚିତ, ଦ୍ୱନ୍ଦ୍ୱରୁ ହିଁ ଶ୍ରେଷ୍ଠ ଉପାୟ ଜନ୍ମ ନେଇଥାଏ”

ଭବିଷ୍ୟତର ୭୫ ସୃଜନଶୀଳ ପ୍ରତିଭା ଦେଶ ପାଇଁ କ’ଣ କରିପାରିବେ ତାହା ମୋତେ ଏକ ଆଶା ଦେଉଛି : ପ୍ରସୂନ ଯୋଶୀ

କୁଣ୍ଡରେ ରୋପଣ କରାଯାଇଥିବା ସତ୍ୟ ନୁହେଁ, ବରଂ ଆମେ ଆମ ବଗିଚାରେ ସତ୍ୟର ବଟବୃକ୍ଷ ଚାହୁଁଛୁ : ପ୍ରସୂନ ଯୋଶୀ

ଦେଶର ସଂଘର୍ଷକୁ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ କଲେ ଆହ୍ୱାନ

Posted On: 28 NOV 2021 7:48PM by PIB Bhubaneshwar

“ଗୋଟିଏ ଆକାଶ ଯଥେଷ୍ଟ ନୁହେଁ, ଆହୁରି ଆକାଶ ଦରକାର”, ଏହିପରି ପ୍ରେରଣାଦାୟୀ ମତବ୍ୟକ୍ତ କରିଛନ୍ତି ବିଶିଷ୍ଟ ଗୀତିକାର ତଥା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ଅଧ୍ୟକ୍ଷ ପ୍ରସୂନ ଯୋଶୀ। ଆଜି ଗୋଆଠାରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଯାପନୀ ସମାରୋହରେ ୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର ଗ୍ରହଣ କରିବା ଅବସରରେ ଶ୍ରୀ ଯୋଶୀ ଏହା କହିଥିଲେ। ଚଳଚ୍ଚିତ୍ର, ଲୋକପ୍ରିୟ ସଂସ୍କୃତି ଏବଂ ସାମାଜିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କଳାତ୍ମକ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ଶ୍ରୀ ଯୋଶୀ କହିଥିଲେ ଯେ ଚଳଚ୍ଚିତ୍ର ନିର୍ମାଣ ହଠାତ୍ ହୋଇଯାଏ ନାହିଁ, ଏହାକୁ ସୁଚିନ୍ତିତ ଭାବେ ନିର୍ମାଣ କରାଯାଇଥାଏ। ଭାରତରେ ଅଭିନବ ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ନିର୍ମାଣ ପାଇଁ ବହୁ ଶ୍ରେଷ୍ଠ ମସ୍ତିଷ୍କ ଓ ପ୍ରତିଭା ରହିଛନ୍ତି ବୋଲି ସେ କହିଥିଲେ।

ଚଳଚ୍ଚିତ୍ରରେ ମନଛୁଆଁ ଗୀତ, ସୃଜନଶୀଳ ଟିଭି ବିଜ୍ଞାପନ ଏବଂ ସାମାଜିକ ଦୃଷ୍ଟିରୁ ପ୍ରାସଙ୍ଗିକ କାହାଣୀ ରଚନା ପାଇଁ ପ୍ରସିଦ୍ଧି ହାସଲ କରିଥିବା ଶ୍ରୀ ଯୋଶୀ ଜଣେ ପଦ୍ମଶ୍ରୀ ପୁରସ୍କାର ବିଜେତା ଏବଂ ସେ ଅନେକ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଆଜି ସମ୍ମାନିତ ହେବା ଅବସରରେ ସେ ଯୁବପିଢ଼ିଙ୍କୁ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ ଉପଭୋଗ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ କରିଥିଲେ। ଯୁବ ମସ୍ତିଷ୍କ ଦ୍ୱନ୍ଦ୍ୱାତ୍ମକ ସ୍ଥିତିକୁ ଉପଭୋଗ କରିବା ଉଚିତ, ଦ୍ୱନ୍ଦ୍ୱରୁ ହିଁ ଶ୍ରେଷ୍ଠ ଉପାୟ ଜନ୍ମ ନେଇଥାଏ ବୋଲି ସେ କହିଥିଲେ।

ମହାନ ଚଳଚ୍ଚିତ୍ର ନିର୍ମାଣ ପାଇଁ କୌଣସି ସର୍ଟକଟ୍ ନାହିଁ, ତେଣୁ ଚଳଚ୍ଚିତ୍ର ନିର୍ମାତାମାନେ କୌଣସି ସର୍ଟକଟ୍ ବିଷୟରେ କେବେ ଚିନ୍ତା କରିବା ଉଚିତ୍ ନୁହେଁ। ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ “୭୫ କ୍ରିଏଟିଭ୍ ମାଇଣ୍ଡ୍ସ ଅଫ୍ ଟୁମୋରୋ”କୁ ଏକ ଆଦର୍ଶ ପ୍ରୟାସ ବୋଲି ଶ୍ରୀ ଯୋଶୀ ଅଭିହିତ କରିଥିଲେ। ସେ କହିଥିଲେ, ଆଇଏଫଏଫଆଇ ଏକ ପୁରସ୍କାର ସମାରୋହ ଠାରୁ ଉର୍ଦ୍ଧ୍ୱକୁ ଉଠି ଏକ ଚଳଚ୍ଚିତ୍ର ମହୋତ୍ସବ ଭାବେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଭବିଷ୍ୟତର ୭୫ ସୃଜନଶୀଳ ମସ୍ତିଷ୍କ ଦେଶ ପାଇଁ କ’ଣ କରିପାରିବେ ତାହା ମୋତେ ଏକ ଆଶା ଦେଉଛି ବୋଲି ଶ୍ରୀ ଯୋଶୀ କହିଥିଲେ।

ଉଦଯାପନୀ ସମାରୋହରେ ଉଦବୋଧନ ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର “୭୫ କ୍ରିଏଟିଭ୍ ମାଇଣ୍ଡ୍ସ ଅଫ୍ ଟୁମୋରୋ” ସମ୍ପର୍କରେ ଆଲୋଚନା ପାଇଁ ପ୍ରସୂନ ଯୋଶୀଙ୍କୁ ବ୍ୟକ୍ତିଗତ ଭାବେ କୃତଜ୍ଞତା ବ୍ୟକ୍ତ କରିଥିଲେ।

ଚଳଚ୍ଚିତ୍ର ଭାବନାର ପ୍ରୋତ୍ସାହନ ପାଇଁ ଆଇଏଫଏଫଆଇକୁ ଶ୍ରୀ ଯୋଶୀ ଧନ୍ୟବାଦ ଜ୍ଞାପନ କରିଥିଲେ। ସେ କହିଥିଲେ ଯେ, ଭାରତୀୟ ଚଳଚ୍ଚିତ୍ରରେ ଭାରତର ବିବିଧତା ଓ ସମୃଦ୍ଧିର ବାସ୍ତବ ଓ ସତ୍ୟପୂର୍ଣ୍ଣ ପ୍ରତିଫଳନ ଦେଖିବାକୁ ମିଳିବା ଉଚିତ। ଦେଶର ସଂଘର୍ଷ ଉପରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ସେ ନିର୍ମାତା ଓ ନିର୍ଦ୍ଦେଶକମାନଙ୍କୁ ଆହ୍ୱାନ କରିଥିଲେ। କୁଣ୍ଡରେ ରୋପଣ କରାଯାଇଥିବା ସତ୍ୟ ନୁହେଁ, ବରଂ ଆମେ ଆମ ବଗିଚାରେ ସତ୍ୟର ବଟବୃକ୍ଷ ଚାହୁଁଛୁ ବୋଲି ଯୋଶୀ କହିଥିଲେ।

ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ତାଙ୍କୁ ପୁରସ୍କୃତ କରିଥିଲେ। ପୂର୍ବରୁ ୧୮ ନଭେମ୍ବର ୨୦୨୧ରେ ହେମାମାଳିନୀ ଏବଂ ପ୍ରସୂନ ଯୋଶୀଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା। ଏହି ମହୋତ୍ସବର ଉଦଘାଟନୀ ସମାରୋହରେ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀଙ୍କୁ ସମ୍ମାନିତ କରାଯାଇଥିଲା।

*******

P.S



(Release ID: 1775960) Visitor Counter : 175


Read this release in: English , Urdu , Hindi , Marathi