ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅକ୍ଷୟ ଶକ୍ତି ନିବେଶ ସମ୍ମିଳନୀ 2020 ଉଦ୍‌ଘାଟିତ

• ମେଗାୱାଟରୁ ଜିଗାୱାଟ ଯୋଜନା ବାସ୍ତବତାର ରୂପ ନେଉଛି: ପ୍ରଧାନମନ୍ତ୍ରୀ
• ଭାରତର ଅଣପାରମ୍ପରିକ ଊର୍ଜ୍ଜା ଉତ୍ପାଦନ କ୍ଷମତା 6 ବର୍ଷରେ ଅଢେଇ ଗୁଣ ବଢିଛି: ପ୍ରଧାନମନ୍ତ୍ରୀ
• ସୁସ୍ଥ ପରିବେଶ ନୀତି ଦ୍ୱାରା ସୁସ୍ଥ ଅର୍ଥନୀତି ସମ୍ଭବ, ଏକଥା ଭାରତ ପ୍ରମାଣିତ କରିଛି: ପ୍ରଧାନମନ୍ତ୍ରୀ

Posted On: 26 NOV 2020 8:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତୃତୀୟ ବିଶ୍ୱ ଅକ୍ଷୟ ଶକ୍ତି ନିବେଶ (ରିନ୍ୟୁଏବୁଲ ଏନର୍ଜି ଇନ୍‌ଭେଷ୍ଟମେଣ୍ଟ) ସମ୍ମିଳନୀ ଏବଂ ଏକ୍ସପୋ 2020କୁ ଉଦ୍‌ଘାଟନ କରିଛନ୍ତି । ସଂକ୍ଷେପରେ ଅକ୍ଷୟ ଶକ୍ତି-ଇନ୍‌ଭେଷ୍ଟ 2020 ନାମରେ ପରିଚିତ ଏହି ସମ୍ମିଳନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଉଦ୍ଘାଟିତ ହୋଇଛି । କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । ଚଳିତବର୍ଷର ଏହି ଅକ୍ଷୟ ଶକ୍ତି-ଇନ୍‌ଭେଷ୍ଟ ସମ୍ମିଳନୀର ବାର୍ତ୍ତା ହେଉଛି ନିରନ୍ତର ଉର୍ଜ୍ଜା ହାସଲ ପାଇଁ ନବସୃଜନ (ଇନୋଭେସନ ଫର୍‌ ସଷ୍ଟେନେବୁଲ ଏନର୍ଜି ଟ୍ରାନ୍‌ଜିସନ) ।

ଏହି ସମ୍ମିଳନୀକୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ଅକ୍ଷୟ ବା ନବୀକରଣୀୟ ଉର୍ଜ୍ଜା କ୍ଷେତ୍ରର ଅଗ୍ରଗତି ଘେନି ସନ୍ତୋଷ ପ୍ରକାଶ କରିଛନ୍ତି । ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି କ୍ଷେତ୍ର ଉର୍ଜ୍ଜା ଉତ୍ପାଦନରେ ମେଗାୱାଟରୁ ଜିଗାୱାଟକୁ ଉନ୍ନୀତ ହୋଇଛି । ଗୋଟିଏ ସୂର୍ଯ୍ୟ, ଗୋଟିଏ ବିଶ୍ୱ ଓ ଗୋଟିଏ ଗ୍ରୀଡଏବେ ବାସ୍ତବତାରେ ପରିଣତ ହୋଇଛି । ଏହି ସମ୍ମିଳନୀର ପୂର୍ବ ଅଧିବେଶନରେ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପୂରଣ ହେବାକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ଏହି ବିକାଶ ଯାତ୍ରାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଗତ 6 ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ଭାରତ ଏକ ଅତୁଳନୀୟ ଯାତ୍ରାପଥରେ ଆଗେଇ ଚାଲିଛି । ଭାରତର ଉତ୍ପାଦନ, ଦକ୍ଷତା ଓ ନେଟୱାର୍କିଂ ଏ କ୍ଷେତ୍ରରେ ସଂପ୍ରସାରିତ ହୋଇଛି । ଫଳରେ ପ୍ରତ୍ୟେକ ଭାରତୀୟ ନିଜର ଆବଶ୍ୟକତା ଅନୁସାରେ ଯଥେଷ୍ଟ ବିଦ୍ୟୁତ୍‌ ଶକ୍ତି ପାଇପାରିବ । ସେ ଆହୁରି କହିଛନ୍ତି ଯେ ଏବେ ଭାରତ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଚତୁର୍ଥ ସର୍ବବୃହତ୍‌ ରାଷ୍ଟ୍ର । ଏ କ୍ଷେତ୍ରରେ ଭାରତର ଗତିର ବେଗ ଅନ୍ୟ ପ୍ରମୁଖ ଦେଶ ତୁଳନାରେ ସବୁଠୁ ଅଧିକ ।

ଭାରତର ସାଂପ୍ରତିକ ଅକ୍ଷୟ ଶକ୍ତି ଉତ୍ପାଦନ ଦକ୍ଷତା 136 ଜିଗାୱାଟ । ଏହା ଆମର ମୋଟ ବିଜୁଳି ଉତ୍ପାଦନ କ୍ଷମତାର 36 ଶତାଂଶ ।  2017 ପରଠାରୁ ଭାରତ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଯେତିକି ବିଜୁଳି ଉତ୍ପାଦନ କରୁଥିଲା ଏବେ ଦେଶରେ ଅଣପାରମ୍ପରିକ ବା ଅକ୍ଷୟ ଶକ୍ତି ଉତ୍ପାଦନ ଦକ୍ଷତା ତାହାକୁ ଟପି ଯାଇଛି । ଏହି ପ୍ରଗତିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗତ 6 ବର୍ଷ ମଧ୍ୟରେ ଭାରତ ତାହାର ଅକ୍ଷୟ ଶକ୍ତି ଉତ୍ପାଦନ ଦକ୍ଷତା ଅଢେଇଗୁଣ ବଢାଇବାରେ ସଫଳ ହୋଇଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ଯେତେବେଳେ ପୁଞ୍ଜି ନିବେଶ ଆରମ୍ଭ କଲା ସେତେବେଳେ ଏହା ସହଜ ନ ଥିଲା । ଏ କ୍ଷେତ୍ରରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବହୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା । ତେବେ ନିରନ୍ତର ଏ କ୍ଷେତ୍ରରେ କାର୍ଯ୍ୟ କରାଯିବା ଫଳରେ ସଫଳତା ମିଳିଛି । ବିଜୁଳି ଉତ୍ପାଦନର ଖର୍ଚ୍ଚ ହ୍ରାସ ପାଇଛି । ଆମେ ବିଶ୍ୱକୁ ଦେଖାଇ ଦେଇଛୁ ଯେ ସୁସ୍ଥ ପରିବେଶ ନୀତି ଦ୍ୱାରା ଉତ୍ତମ ଅର୍ଥନୀତି ମଧ୍ୟ ତିଆରି କରିହେବ । ଗୋଟିଏ ମନ୍ତ୍ରଣାଳୟ ବା ବିଭାଗରେ ଉର୍ଜ୍ଜା ଦକ୍ଷତାକୁ ନିଶ୍ଚିତ କରିବା କାର୍ଯ୍ୟ ଆମେ ସୀମିତ କରି ରଖିନାହୁଁ । ସମଗ୍ର ସରକାର ଏହି ଲକ୍ଷ୍ୟ ପୂରଣ ଦିଗରେ ଲାଗିପଡିଛନ୍ତି । ଉର୍ଜ୍ଜା ଦକ୍ଷତା ବୃଦ୍ଧି ଉପରେ ଆମର ସମସ୍ତ ନୀତି ଓ କାର୍ଯ୍ୟକ୍ରମ ଅଗ୍ରାଧିକାର ଦେଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇଲେକ୍ଟ୍ରୋନିକ ମ୍ୟାନୁଫାକ୍‌ଚରିଂ କ୍ଷେତ୍ରରେ ପ୍ରଦର୍ଶନଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍‌ଆଇ ଯୋଗାଣ ବ୍ୟବସ୍ଥା ସଫଳ ହେବା ପରେ ଆମେ ହାଇଏଫିସିଏନ୍ସି ସୋଲାର ମଡ୍ୟୁଲ କ୍ଷେତ୍ରରେ ସମାନ ପ୍ରୋତ୍ସାହନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଥିଲୁ ଏବଂ ତାହା କାର୍ଯ୍ୟକାରୀ ହେଉଛି । ସେ କହିଛନ୍ତି ଯେ ସୁଗମ ବ୍ୟବସାୟ ବା ଇଜ୍‌ ଅଫ୍‌ ଡୁଇଂ ବିଜିନେସକୁ ନିଶ୍ଚିତ କରିବା ପାଇଁ ଆମେ ସର୍ବାଧିକ ଗୁରୁତ୍ୱ ଦେଇ କାମ କରୁଛୁ । ନିବେଶକଙ୍କୁ ଏଥିପାଇଁ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ଆମେ ଉତ୍ସର୍ଗୀକୃତ ପ୍ରୋଜେକ୍ଟ ଡେଭଲପ୍‌ମେଣ୍ଟ ସେଲମାନ ପ୍ରତିଷ୍ଠା କରିଛୁ । ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଆସନ୍ତା ଦଶନ୍ଧିରେ ଭାରତରେ ପ୍ରକାଣ୍ଡ ଅକ୍ଷୟ ଶକ୍ତି ଯୋଜନା କାର୍ଯ୍ୟକାରୀ ହେବ । ଏହା ଫଳରେ ଦେଶରେ ବାର୍ଷିକ 20 ବିଲିୟନ ଡଲାର ମୂଲ୍ୟର ବାଣିଜ୍ୟ ବ୍ୟବସାୟ ସୁବିଧା ସୃଷ୍ଟି ହେବ । ଭାରତର ଏହି ଅକ୍ଷୟ ଶକ୍ତି ଯାତ୍ରାରେ ସାମିଲ ହେବାକୁ ସେ ଏହି ଅବସରରେ ନିବେଶକ, ବିକାଶକ ଏବଂ ବ୍ୟବସାୟୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ।

 

**********



(Release ID: 1676243) Visitor Counter : 195