ଭୂବିଜ୍ଞାନ ମନ୍ତ୍ରଣାଳୟ

ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି

ଏହି ଲଘୁଚାପ ଘନୀଭୂତ ହୋଇ ମେ’ 16 ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ବାତ୍ୟାର ରୂପ ନେବାର ସମ୍ଭାବନା

Posted On: 13 MAY 2020 6:30PM by PIB Bhubaneshwar

ଭାରତୀୟ ପାଣିପାଗ ବିଭାଗର ଝଡ଼ବାତ୍ୟା ପୂର୍ବାନୁମାନ ଡ଼ିଭିଜନ ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଆଜି 13 ମେ’, 2020 ସକାଳେ ଏକ ଲଘୁଚାପ ବଳୟ କ୍ଷେତ୍ର ସୃଷ୍ଟି ହୋଇଛି ।

ଏହା ଧୀରେ ଧୀରେ ଦକ୍ଷିଣ ବଙ୍ଗୋପ ସାଗରର କେନ୍ଦ୍ରୀୟ ଭାଗ ଉପରେ ମେ’ 15 ସୁଦ୍ଧା ଅବପାତର ରୂପ ଧାରଣ କରିବାର ଆଶଙ୍କା ରହିଛି ଯାହାକି ଅଧିକ ଘନୀଭୂତ  ହୋଇ ମେ’ 16 ସକାଳ ସୁଦ୍ଧା ବଙ୍ଗୋପ ସାଗରର ଦକ୍ଷିଣ- ପଶ୍ଚିମ ଏବଂ ପଶ୍ଚିମ- କେନ୍ଦ୍ରୀୟ କ୍ଷେତ୍ରରେ ସାମୁଦ୍ରିକ ଝଡ଼ବାତ୍ୟାର ରୂପ ନେଇପାରେ । ମେ ୧୭ ପର୍ଯ୍ୟନ୍ତ ଏହା ଉତ୍ତର - ପଶ୍ଚିମ ଦିଗକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଗତି କରିବ ଏବଂ ତାହା ପରେ ତାର ଗତିପଥ ବଦଳାଇ ଉତ୍ତର- ଉତ୍ତର ପୂର୍ବ ଦିଗକୁ ମୁହାଇଁବ ।

ଏଭଳି ଅବସ୍ଥା ଦକ୍ଷିଣ ବଙ୍ଗୋପ ସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜ ଉପରେ 16 ମେ’, 2020ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଚଳନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ।

ଏହାର ପ୍ରଭାବରେ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପ ସାଗର ତଥା ଆଣ୍ଡାମାନ ସାଗରରେ ମେ15 ଠାରୁ ଆଗକୁ ପ୍ରତିକୂଳ ପାଗ ସୃଷ୍ଟି କରିପାରେ ।

ଚେତାବନୀ:

(1)    ବର୍ଷା (ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜ ଉପରେ): ଏହାର ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜର ଅଧିକାଂଶ ସ୍ଥାନରେ ମେ15 ଓ 16 ତାରିଖରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ଦୁଇଦିନ ଆଣ୍ଡାମାନ ଦ୍ୱୀପର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

(2)    ପବନ ପ୍ରବାହ ଚେତାବନୀ:

ଏହାର ପ୍ରଭାବରେ ଦକ୍ଷିଣ ଏବଂ କେନ୍ଦ୍ରୀ ବଙ୍ଗୋପ ସାଗର କ୍ଷେତ୍ର ଉପରେ ମେ15, 2020 ତାରିଖ ଦିନ ଘଣ୍ଟାକୁ 45 ରୁ 55 କିଲୋମିଟର ବେଗରେ କୋହଲା ପବନ ପ୍ରବାହିତ ହେଇପାରେ । 16 ତାରିଖ ଦିନ ସେହି କ୍ଷେତ୍ରରେ ଘଣ୍ଟାକୁ 55ରୁ 65 କିଲୋମିଟର ପର୍ଯ୍ୟନ୍ତ ଏବଂ ସ୍ଥଳ ବିଶେଷରେ ଘଣ୍ଟାକୁ 75 କିଲୋମିଟର ପର୍ଯ୍ୟନ୍ତ ପବନ ବହିବ । ମେ16 ତାରିଖ ସନ୍ଧ୍ୟାଠାରୁ ବର୍ଷା ପବନର ମାତ୍ରା ଘଣ୍ଟାକୁ 65ରୁ 75 କିଲୋମିଟରରୁ ଆରମ୍ଭ ହୋଇ 85 କିଲୋମିଟର ପର୍ଯ୍ୟନ୍ତ ହୋଇପାରେ । ମେ15 ଓ 16 ତାରିଖ ଦିନ ଆଣ୍ଡାମାନ ସାଗର ଉପରେ ଏଭଳି ଅବସ୍ଥା ଜାରି ରହିବା ସହ ଘଣ୍ଟାକୁ 45 ରୁ 55 କିଲୋମିଟର ବେଗରେ କୋହଲା ପବନ ପ୍ରବାହିତ ହେବ ।

(3)    ସାମୁଦ୍ରିକ ଚେତାବନୀ: ମେ15 ଓ 16 ତାରିଖ ଅପରାହ୍ଣରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପ ସାଗର କ୍ଷେତ୍ର ଓ ଆଣ୍ଡାମାନ ସାଗର ସମୁଦ୍ର ଅଶାନ୍ତରୁ ଅତି ଅଶାନ୍ତ ରହିବ ଏବଂ ମେ16 ତାରିଖ ସନ୍ଧ୍ୟାରେ ଦକ୍ଷିଣପଶ୍ଚି ଓ ଦକ୍ଷିଣକେନ୍ଦ୍ରୀୟ ବଙ୍ଗୋପ ସାଗର କ୍ଷେତ୍ରର ଅତି ଅଶାନ୍ତ ରହିବାର ସମ୍ଭାବନା ରହିଛି ।

(4)    ମତ୍ସ୍ୟଜୀବୀମାନଙ୍କ ପାଇଁ ଚେତାବନୀ: ଏଭଳି ସ୍ଥିତିରେ ମେ15, 2020ରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପ ସାଗରକୁ ମାଛ ଧରି ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଉଛି । ସେମାନେ ଆସନ୍ତାକାଲି ସକାଳ ସୁଦ୍ଧା କୂଳକୁ ଫେରି ଆସିବା ସକାଶେ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।

ଏହି ଲଘୁଚାପ ବଳୟ କ୍ଷେତ୍ର ଉପରେ ନିରବଚ୍ଛିନ୍ନ ଭାବେ ଦୃଷ୍ଟି ରଖାଯାଇଛି ଏବଂ ରାଜ୍ୟ ସରକାରମାନଙ୍କୁ ତଦନୁସାରେ ନିୟମିତ ଭାବେ ସୂଚୀତ କରାଯାଉଛି ।

ଏ ସଂପର୍କରେ ଅଧିକ ଓ ସଦ୍ୟତମ ସୂଚନା ପାଇଁ ଦୟାକରି ଆମର ୱେବସାଇଟ୍‌ www.rsmcnewdelhi.imd.gov.in ଏବଂ www.mausam.imd.gov.in ପରିଦର୍ଶନ କରନ୍ତୁ ।

 

**********

 

 

 



(Release ID: 1623729) Visitor Counter : 234


Read this release in: English , English