ଅର୍ଥ ମନ୍ତ୍ରଣାଳୟ
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦ୍ୱିତୀୟ ଦଫାରେ ଆର୍ଥିକ ରିହାତି ଘୋଷଣା
• ଆର୍ଥିକ ସ୍ଥିରତା ଏବଂ ଗରିବ ଓ ଅବହେଳିତଙ୍କ ନିକଟରେ ସମ୍ବଳ ପହଁଚାଇବାକୁ ଲକ୍ଷ୍ୟ
• କୋଭିଡ-19 ମୁକାବିଲା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଅଧିକ ଋଣ ଉଠାଇବାକୁ ଅନୁମତି
• ରିଭର୍ସ ରେପୋ ହାର 4.0%ରୁ 3.75%କୁ ହ୍ରାସ
• ଏନବିଏଫସି ଏବଂ ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ରିହାତି
• ଆମେ ଆରୋଗ୍ୟ ଲାଭ କରି ଆଗେଇ ଚାଲିବୁ, 2021-22 ଆର୍ଥିକ ବର୍ଷରେ ବିକାଶ 7.4% ରହିବା ଅନୁମାନ: ଆରବିଆଇ ଗଭର୍ଣ୍ଣର
Posted On:
17 APR 2020 10:10PM by PIB Bhubaneshwar
“. . . ମୃତ୍ୟୁ ଭିତରେ ଜୀବନ ସତା ଥାଏ, ଅସତ୍ୟ ଭିତରେ ସତ୍ୟ ଲୁଚି ରହିଥାଏ, ଅନ୍ଧାର ଭିତରେ ଆଲୋକ ରହିଥାଏ”- ମହାତ୍ମା ଗାନ୍ଧୀ, 1931 ମସିହା ଅକ୍ଟୋବର ମାସରେ ଲଣ୍ଡନର କିଙ୍ଗସଲେ ହଲ୍ରେ ସେ ଦେଇଥିବା ଐତିହାସିକ ଅଭିଭାଷଣ ।
ଏହି ଉକ୍ତିର ଉଲ୍ଲେଖ କରିବା ସହ ସହ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ତାଙ୍କର ବକ୍ତବ୍ୟ ଆରମ୍ଭ କରିଥିଲେ । ଏଥିସହ ଘରୋଇ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ସକାଶେ ସେ ଆଜି ନଅଗୋଟି ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି । ଆରବିଆଇ ପକ୍ଷରୁ ପୂର୍ବରୁ ମାର୍ଚ୍ଚ 27, 2020 ତାରିଖ ଦିନ କେତେଗୁଡ଼ିଏ ରିହାତି ପଦକ୍ଷେପ ଘୋଷଣା କରାଯାଇଥିଲା । ଅନଲାଇନରେ ତାଙ୍କର ଏହି ଅଭିଭାଷଣ ମାଧ୍ୟମରେ ଏଭଳି ଘୋଷଣା କରି ଗଭର୍ଣ୍ଣର ଶ୍ରୀ ଦାସ କହିଲେ ଯେ ମାନବୀୟ ଚିନ୍ତାଧାରା ସବୁବେଳେ ପ୍ରତିବଦ୍ଧତାର ଦ୍ୱାରା ହିଁ ପ୍ରଜ୍ଜ୍ୱଳିତ ହୋଇଥାଏ । ସମଗ୍ର ବିଶ୍ୱକୁ ନିଜର ଭୟଙ୍କର କାୟାରେ କବଳିତ କରିଥିବା ବୈଶ୍ୱିକ ମହାମାରୀ କୋଭିଡ-19 ମୁକାବିଲା ଦିଗରେ ଏହି ଭାବନା ପରିଲକ୍ଷିତ ହୋଇଛି ।
ଆରବିଆଇ ଗଭର୍ଣ୍ଣର କହିଲେ ଯେ ଏଭଳି ଅତିରିକ୍ତ ରିହାତି ସୁବିଧା ଘୋଷଣା ନିମ୍ନଲିଖିତ ଲକ୍ଷ୍ୟ ହାସଲ କରିବାକୁ ଉଦ୍ଦିଷ୍ଟ:
କୋଭିଡ-19 ମହାମାରୀ ପରିପ୍ରେକ୍ଷୀରେ ବ୍ୟବସ୍ଥା ଓ ଏହାର ଅନ୍ୟାନ୍ୟ ଅଙ୍ଗରେ ପର୍ଯ୍ୟାପ୍ତ ନଗଦ ଉପଲବ୍ଧ କରାଇବା;
ବ୍ୟାଙ୍କଗୁଡ଼ିକର ଋଣ ଯୋଗାଣ ସ୍ରୋତକୁ ସହଜ କରିବା ଏବଂ ପ୍ରୋତ୍ସାହନ ଯୋଗାଇବା;
ଆର୍ଥିକ ଚାପ ହ୍ରାସ କରିବା ଏବଂ ବଜାର ବ୍ୟବସ୍ଥାରେ ସ୍ୱାଭାବିକତା ବଜାୟ ରଖିବା ।
ଗଭର୍ଣ୍ଣର ଶ୍ରୀ ଦାସ କହିଲେ ଯେ ରିଜର୍ଭ ବ୍ୟାଙ୍କ କରୋନା ମହାମାରୀ ପ୍ରଭାବରେ ସୃଷ୍ଟ ସମସ୍ତ ଚାଲେଞ୍ଜର ମୁକାବିଲା କରିବା ସକାଶେ ଏହାର ସମସ୍ତ ବ୍ୟବସ୍ଥାକୁ ଉପଯୋଗ କରିବ । ତେଣୁ ଏଭଳି କାର୍ଯ୍ୟପନ୍ଥା ଘୋଷଣାର ମୂଳ ଉଦ୍ଦେଶ୍ୟ ହେଲା ସମସ୍ତ ହିତାଧିକାରୀଙ୍କ ନିକଟକୁ ଯେଭଳି ଆର୍ଥିକ ସ୍ରୋତ ଅବ୍ୟାହତ ରହିବ, ବିଶେଷ କରି ଯେଉଁମାନେ ଅବହେଳିତ ଏବଂ ଦୁର୍ବଳ ଶ୍ରେଣୀର ସେମାନଙ୍କ ପାଇଁ ଏହା ବିଶେଷ ଭାବେ ଉଦ୍ଦିଷ୍ଟ । ସେ ଆଶା ପ୍ରକଟ କରି କହିଛନ୍ତି ଯେ ଦେଶ ଯଥାଶୀଘ୍ର କରୋନା ପ୍ରଭାବରୁ ଆରୋଗ୍ୟ ଲାଭ କରିବ ଏବଂ ଏଭଳି ପରିସ୍ଥିତିକୁ ସହ୍ୟ କରିବାର କ୍ଷମତା ଦେଶର ରହିଛି ।
ନଗଦ ପରିଚାଳନା
1) ଲକ୍ଷ୍ୟବଦ୍ଧ ଦୀର୍ଘକାଳୀନ ପରିଚାଳନା (ଟିଏଲଟିଆରଓ) 2.0
ପ୍ରାରମ୍ଭିକ ଆନୁମାନିକ 50,000କୋଟି ଟଙ୍କା ପରିମାଣର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଷ୍ୟବଦ୍ଧ ଦୀର୍ଘକାଳିନ ରେପୋ ପରିଚାଳନା (ଟିଏଲଟିଆରଓ 2.0) ଆରମ୍ଭ କରାଯିବ । କୋଭିଡ-19 କାରଣରୁ ସୃଷ୍ଟି ହେଉଥିବା ପ୍ରଭାବ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ଏନବିଏଫସି ଏବଂ ଏମଏଫଆଇ ସମେତ କ୍ଷୁଦ୍ର ଏବଂ ମଧ୍ୟମ ଆକାରର କର୍ପୋରେଟଗୁଡ଼ିକୁ ପାଣ୍ଠି ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା କରାଯିବ । ଟିଏଲଟିଆରଓ 2.0 ଅନ୍ତର୍ଗତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣ୍ଠି ନିବେଶ ଗ୍ରେଡ ବଣ୍ଡ, କମର୍ସିଆଲ ପେପର ଏବଂ ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନଗୁଡ଼ିକର ଅଣପରିବର୍ତ୍ତନଶୀଳ ଡିବେଂଚରରେ ନିବେଶ କରାଯିବା ଉଚିତ । ଉପଲବ୍ଧ ହେଉଥିବା ମୋଟ ପରିମାଣର ଅତିକମରେ 50 ପ୍ରତିଶତ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଏନବିଏଫସି ଏବଂ ମାଇକ୍ରୋ ଫାଇନାନ୍ସ ସଂସ୍ଥାନ (ଏମଏଫଆଇ)ଗୁଡ଼ିକୁ ଯୋଗାଇ ଦିଆଯିବ ।
2) ସର୍ବଭାରତୀୟ ଆର୍ଥିକ ସଂସ୍ଥାନଗୁଡ଼ିକ ପାଇଁ ପୁନଃପାଣ୍ଠି ବିନିଯୋଗ ସୁବିଧା
ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ), ଭାରତୀୟ କ୍ଷୁଦ୍ର ଉଦ୍ୟୋଗ ବିକାଶ ବ୍ୟାଙ୍କ (ଏସଆଇଡିବିଆଇ) ଏବଂ ଜାତୀୟ ହାଉସିଂ ବ୍ୟାଙ୍କ (ଏନଏଚବି)କୁ କ୍ଷେତ୍ରୀୟ ଋଣ ଆବଶ୍ୟକତା ପୂରଣ ଲାଗି ମୋଟ 50,000 କୋଟି ଟଙ୍କାର ସ୍ୱତନ୍ତ୍ର ପୁନଃ ପାଣ୍ଠି ବିନିଯୋଗ ସୁବିଧା ଯୋଗାଇ ଦିଆଯିବ । ଏଥିମଧ୍ୟରୁ ଆଂଚଳିକ ଗ୍ରାମୀଣ ବ୍ୟାଙ୍କ (ଆରଆରବି), ସମବାୟ ବ୍ୟାଙ୍କ ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥା (ଏମଏଫଆଇ) ଗୁଡ଼ିକୁ ପୁନଃପାଣ୍ଠି ଲଗାଣ ପାଇଁ ନାବାର୍ଡକୁ 25,000 କୋଟି ଟଙ୍କା ଦିଆଯିବ । ସେହିପରି ପୁନଃପାଣ୍ଠି ବିନିଯୋଗ/ଋଣ ଲଗାଣ ନିମନ୍ତେ ଏସଆଇଡିବିଆଇକୁ 15 ହଜାର କୋଟି ଟଙ୍କା ଏବଂ ଆବାସିକ ଅର୍ଥ ଲଗାଣ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କା ଯୋଗାଇ ଦିଆଯିବ ।
କୋଭିଡ-19 ଲକଡାଉନ କାରଣରୁ ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ଏସବୁ ସଂସ୍ଥାନ ବଜାରରୁ ଅର୍ଥ ସଂଗ୍ରହ କରିବାରେ ବିଫଳ ହୋଇଥିବାରୁ ଏହି ସୁବିଧା ଯୋଗାଇ ଦିଆଯିବ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର କହିଛନ୍ତି ଯେ ଉପଲବ୍ଧ ହେବା ସମୟରେ ଆରବିଆଇର ରେପୋ ରେଟ ନୀତି ଅନୁଯାୟୀ ଏହି ସୁବିଧା ଅନ୍ତର୍ଗତ ଅଗ୍ରୀମ ଆଦାୟ କରାଯିବ । ଋଣ ଗ୍ରହିତାମାନଙ୍କୁ ସୁଲଭ ଦରରେ ଋଣ ଲଗାଣ ଦିଗରେ ଏହା ସେମାନଙ୍କୁ ସହାୟକ ହୋଇପାରିବ ।
3) ନଗଦ ସମାଯୋଜନ ସୁବିଧା ଅନ୍ତର୍ଗତ ରିଭର୍ସ ରେପୋ ରେଟ ହ୍ରାସ
ଅର୍ଥବ୍ୟବସ୍ଥାର ଉତ୍ପାଦକ କ୍ଷେତ୍ରଗୁଡ଼ିକରେ ନିବେଶ ଏବଂ ଋଣ ଲଗାଣ ନିମନ୍ତେ ବଳକା ପାଣ୍ଠି ଉପଲବ୍ଧ କରାଇବା ଲାଗି ବ୍ୟାଙ୍କଗୁଡ଼ିକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରିଭର୍ସ ରେପୋ ରେଟକୁ 25 ବେସିସ ପଏଂଟ ହ୍ରାସ କରାଯାଇ 4.0% ରୁ 3.75% କରି ଦିଆଯାଇଛି ।
ଏ ସମ୍ପର୍କରେ ଗଭର୍ଣ୍ଣର କହିଛନ୍ତି ଯେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ବଳକା ନଗଦ ଉପଲବ୍ଧ ରହିଛି । ସ୍ଥିର ସରକାରୀ ବ୍ୟୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ବିଭିନ୍ନ ନଗଦ ବୃଦ୍ଧି ପଦକ୍ଷେପ ଗ୍ରହଣ କରାଯିବା ଯୋଗୁ ଏହା ସମ୍ଭବ ହୋଇପାରିଛି । ଏହାକୁ ଦୃଷ୍ଟିରେ ରଖି ଏପରି ଏକ ନିଷ୍ପତି ନିଆଯାଇଛି ।
4) ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ୱେଜ ଆଣ୍ଡ ମିନ୍ସ ଅଗ୍ରୀମ (ଡବ୍ଲୁଏମଏ) ସୀମା ବୃଦ୍ଧି
ମାର୍ଚ୍ଚ 31, 2020ରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦିଆଯାଉଥିବା ୱେଜ ଆଣ୍ଡ ମିନ୍ସ ଅଗ୍ରୀମ (ଡବ୍ଲୁଏମଏ) ସୀମାକୁ 60% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ରାଜ୍ୟଗୁଡ଼ିକୁ କୋଭିଡ-19 ନିୟନ୍ତ୍ରଣ ଏବଂ ନିରାକରଣ ପଦକ୍ଷେପ ଗ୍ରହଣ କରିବା ଦିଗରେ ଅଧିକ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ଏହା ସେମାନଙ୍କୁ ବଜାର ଋଣ ସଂଗ୍ରହ କାର୍ଯ୍ୟକ୍ରମ ଯୋଜନା ପ୍ରସ୍ତୁତିରେ ସହାୟକ ହୋଇପାରିବ ।
ଡବ୍ଲୁଏମଏଗୁଡ଼ିକ ହେଉଛି ଏକ ଅସ୍ଥାୟୀ ଋଣ ସୁବିଧା ଯାହା ଆୟ ଏବଂ ବ୍ୟୟରେ ଦେଖାଦେଉଥିବା ଅସ୍ଥାୟୀ ତାରତମ୍ୟ ଦୂର କରିବା ଲାଗି ସରକାରଙ୍କୁ ସହାୟତା କରିବା ନିମନ୍ତେ ଆରବିଆଇ ପକ୍ଷରୁ ଯୋଗାଇ ଦିଆଯାଇଥାଏ । ଏହି ବର୍ଦ୍ଧିତ ସୀମା ସେପ୍ଟେମ୍ବର 30, 2020 ପର୍ଯ୍ୟନ୍ତ ଉପଲବ୍ଧ ହେବ ।
ନିୟାମକ ପଦକ୍ଷେପ
ମାର୍ଚ୍ଚ 27, 2020ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେତେକ ରିହାତି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏଥିସହିତ ମହାମାରୀ ସଂକ୍ରମଣ କାରଣରୁ ଋଣଗ୍ରହିତାଙ୍କ ବୋଝ ହ୍ରାସ କରିବା ଲାଗି ଅତିରିକ୍ତ ନିୟାମକ ପଦକ୍ଷେପ ଘୋଷଣା କରାଯାଇଛି ।
5) ସମ୍ପତି ବର୍ଗୀକରଣ
ମାର୍ଚ୍ଚ 27, 2020ରେ ଋଣ କିସ୍ତି ପରିଶୋଧ ନିମନ୍ତେ ଋଣସ୍ଥଗତ ଅବଧି ଘୋଷଣା କରାଯାଇଥିଲା । 90 ଦିନ ପର୍ଯ୍ୟନ୍ତ ଋଣ ସ୍ଥଗିତ ରଖିବାର ସୁବିଧା ଋଣଗ୍ରହିତାମାନଙ୍କୁ ପ୍ରଦାନ କରିବା ନିମନ୍ତେ ଋଣ ଲଗାଣକାରୀ ସଂସ୍ଥାଗୁଡ଼ିକୁ ଅନୁମତି ଦିଆଯାଇଥିଲା । ଏହି ଅବଧି ମଧ୍ୟରେ ସ୍ଥଗିତ ରଖାଯାଇଥିବା ଋଣ ଆକାଉଣ୍ଟକୁ ଅଚଳ ପରିସମ୍ପତି (ଏନପିଏ) ଭାବେ ପରିଗଣିତ କରାଯିବ ନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହାର ଅର୍ଥ ମାର୍ଚ୍ଚ 1ରୁ ମେ 31 ପର୍ଯ୍ୟନ୍ତ ଏପରି ଋଣ ଆକାଉଣ୍ଟର ସମ୍ପତି ବର୍ଗୀକରଣକୁ ସ୍ଥଗିତ ରଖାଯିବ । ଅନୁମତିପ୍ରାପ୍ତ ଆକାଉଣ୍ଟିଂ ମାନକ ଅନୁଯାୟୀ ସେମାନଙ୍କ ଋଣଗ୍ରହିତାମାନଙ୍କୁ ଏପରି ଆଶ୍ୱସ୍ତି ଦେବା ନିମନ୍ତେ ଏନବିଏଫସିଗୁଡ଼ିକ ନିକଟରେ ବିକଳ୍ପ ରହିବ ।
ସମାନୁପାତିକ ଭାବେ, ଉପରୋକ୍ତ ନିୟମ ଅନୁଯାୟୀ ଯେଉଁମାନଙ୍କ ଆକାଉଣ୍ଟର ବର୍ଗୀକରଣ ସ୍ଥଗିତ ରଖାଯାଇଛି ସେମାନଙ୍କ ପାଇଁ 10% ଉଚ୍ଚ ବ୍ୟବସ୍ଥା ରଖିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି, ଯାହାଫଳରେ ବ୍ୟାଙ୍କଗୁଡ଼ିକ ନିକଟରେ ଯଥେଷ୍ଟ ବଫର୍ସ ସୁବିଧା ରହିବ ।
6) ସମାଧାନ ଅବଧି ବୃଦ୍ଧି
ସାମ୍ପ୍ରତିକ ଆହ୍ୱାନକୁ ଦୃଷ୍ଟି ରଖି ଚାପରେ ଥିବା ଯେଉଁ ସମ୍ପତି ଏବଂ ଆକାଉଣ୍ଟଗୁଡ଼ିକୁ ଏନପିଏ ଭାବେ ଘୋଷିତ ହେବାକୁ ଯାଉଛନ୍ତି କିମ୍ବା ଏନପିଏ ହୋଇଛନ୍ତି ସେଗୁଡ଼ିକର ସମାଧାନ ଯୋଜନା କାର୍ଯ୍ୟକାରୀ କରିବାର ଅବଧି ଆହୁରି 90 ଦିନ ବୃଦ୍ଧି କରି ଦିଆଯାଇଛି । ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଏପରି ବିଫଳତା ତାରିଖ ଠାରୁ 210 ଦିନ ମଧ୍ୟରେ ଯଦି ଏକ ସମାଧାନ ଯୋଜନା କାର୍ଯ୍ୟକାରୀ ହୋଇନାହିଁ, ତା’ହେଲେ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକୁ 20 ପ୍ରତିଶତ ଅତିରିକ୍ତ ସୁବିଧା ହାସଲ କରିବାର ଆବଶ୍ୟକତା ରହିଛି ।
7) ଲାଭାଂଶ ବିତରଣ
ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କଗୁଡ଼ିକ 2019-20 ଆର୍ଥିକ ବର୍ଷ ପାଇଁ ହେଉଥିବା ଲାଭ ଉପରେ ଆଉ କୌଣସି ଲାଭ ପଇଠ କରିବେ ନାହିଁ ବୋଲି ନିଷ୍ପତି ନିଆଯାଇଛି । 2019-20 ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସର ଶେଷରେ ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ଆଧାର କରି ଏହି ନିଷ୍ପତ୍ତିର ପୁନଃସମୀକ୍ଷା କରାଯିବ । ବ୍ୟାଙ୍କଗୁଡ଼ିକୁ ଅଧିକ ପୁଞ୍ଜି ସଂରକ୍ଷିତ ରଖିବାର ସୁବିଧା ଦେବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଉଚ୍ଚ ଅସ୍ଥିରତାର ସମୟରେ ଅର୍ଥବ୍ୟବସ୍ଥାକୁ ସହାୟତା କରିବା ଏବଂ କ୍ଷତି ସହ୍ୟ କରିବା ଲାଗି ସକ୍ଷମ ହୋଇପାରିବେ ।
8) ନଗଦ ବ୍ୟାପ୍ତି ହାର ଆବଶ୍ୟକତା ହ୍ରାସ କରିବା
ଏକକ ସଂସ୍ଥାନଗୁଡ଼ିକ ପାଇଁ ନଗଦର ସ୍ଥିତି ଉନ୍ନତ କରିବା ଉଦ୍ଦେଶ୍ୟରେ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ପାଇଁ ନଗଦ ବ୍ୟାପ୍ତି ହାର ଆବଶ୍ୟକତାକୁ ତୁରନ୍ତ ପ୍ରଭାବରେ 100%ରୁ 80%କୁ ହ୍ରାସ କରି ଦିଆଯାଇଛି । ଏହାକୁ ଦୁଇଟି ପର୍ଯ୍ୟାୟରେ ପୁନଃସ୍ଥାପନ କରାଯିବ- ଅକ୍ଟୋବର 1 ତାରିଖ ସୁଦ୍ଧା 90% ଏବଂ ଏପ୍ରିଲ1, 2021 ସୁଦ୍ଧା 100% ।
9) ବାଣିଜ୍ୟିକ ରିଅଲ ଇଷ୍ଟେଟ ପ୍ରକଳ୍ପଗୁଡ଼ଇକୁ ଏନବିଏଫସି ଋଣ
ବାଣିଜ୍ୟିକ ପରିଚାଳନା ଆରମ୍ଭ କରିବାର ତାରିଖ (ଡିସିସିଓ) ସଂକ୍ରାନ୍ତରେ ବାଣିଜ୍ୟିକ ରିଅଲ ଇଷ୍ଟେଟ ପ୍ରକଳ୍ପଗୁଡ଼ିକୁ ଋଣ ଲଗାଣ ନିମନ୍ତେ ଯେଉଁ ବ୍ୟବସ୍ଥା ଉପଲବ୍ଧ ରହିଛି ତାହା ଏବେ ଏନବିଏଫସି ପାଇଁ ମଧ୍ୟ ଲାଗୁ ହେବ । ଯାହାଦ୍ୱାରା ଏନବିଏଫସି ଏବଂ ରିଅଲ ଇଷ୍ଟେଟ ଉଭୟ କ୍ଷେତ୍ରକୁ ଆଶ୍ୱସ୍ତି ମିଳିପାରିବ । ବର୍ତ୍ତମାନର ଦିଶା-ନିର୍ଦ୍ଦେଶ ଅନୁଯାୟୀ, ପ୍ରମୋଟର ମାନଙ୍କ ନିୟନ୍ତ୍ରଣରେ ନଥିବା କାରଣ ଯୋଗୁ ବିଳମ୍ବିତ ବାଣିଜ୍ୟିକ ରିଅଲ ଇଷ୍ଟେଟ ପ୍ରକଳ୍ପକୁ ମିଳୁଥିବା ଋଣ କ୍ଷେତ୍ରରେ ଡିସିସିଓକୁ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଏହା ସାଧାରଣ ପରିସ୍ଥିତିରେ ଅନୁମତିପ୍ରାପ୍ତ ଗୋଟିଏ ବର୍ଷର ସମୟ ସମ୍ପ୍ରସାରଣ ବ୍ୟତୀତ ମିଳିଥାଏ । ଆଉ ଏକ ବିଶେଷତ୍ୱ ହେଉଛି ଯେ ଏହାକୁ ପୁନର୍ଗଠନ ବୋଳି ଗ୍ରହଣ କରାଯିବ ନାହିଁ ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ବୈଶ୍ୱିକ ବିକାଶ ଆକଳନ ଅନୁଯାୟୀ, ଭାରତ ମଧ୍ୟ ସେହି ହାତଗଣିତ ଦେଶଗୁଡ଼ିକ ମଧ୍ୟରୁ ଅନ୍ୟତମ ଯେଉଁଠି ଅଭିବୃଦ୍ଧି ହାର ଯୁକ୍ତାତ୍ମକ (1.9%) ରହିବାର ପୂର୍ବାନୁମାନ କରାଯାଇଛି । ସେ କହିଥିଲେ ଯେ ଏହା ଜି-20 ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ସବୁଠୁ ଅଧିକ ବିକାଶ ହାର ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏସବୁ ପଦକ୍ଷେପ ଦ୍ୱାରା ନଗଦରେ ଯଥେଷ୍ଟ ବୃଦ୍ଧି ଏବଂ ଋଣ ଲଗାଣରେ ସୁଧାର ଆସିବ । ସେ କହିଥିଲେ ଯେ ଏସବୁ ପଦକ୍ଷେପ ଫଳରେ କ୍ଷୁଦ୍ର ବ୍ୟବସାୟ, ଏମଏସଏମଇ, କୃଷକ ଓ ଗରିବ ଲୋକମାନଙ୍କୁ ସହାୟତା ମିଳିପାରିବ । ଏହାସହିତ ଏସବୁ ପଦକ୍ଷେପ ଅନ୍ତର୍ଗତ ଡବ୍ଲୁଏମଏ ସୀମା ବଢ଼ାଇ ଦେବା ଫଳରେ ସମସ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ଆବଶ୍ୟକ ସହାୟତା ମିଳିପାରିବ ।
**********
(Release ID: 1615536)
Visitor Counter : 266