ଯୋଗାଯୋଗ ମନ୍ତ୍ରଣାଳୟ

ପିଏଲଆଇ ଓ ଆରପିଏଲଆଇ ପ୍ରିମିୟମ ପଇଠ ଅବଧି 30 ଏପ୍ରିଲ, 2020 ପର୍ଯ୍ୟନ୍ତ ବଢ଼ିଲା

• ବିଳମ୍ବିତ ଦେୟ ପାଇଁ ଲାଗୁ ହେବନି ଶୁଳ୍କ
• ଉପକୃତ ହେବେ 13 ଲକ୍ଷ ବୀମା ଗ୍ରାହକ

Posted On: 30 MAR 2020 7:49PM by PIB Bhubaneshwar

କରୋନା ଭୂତାଣୁ (କୋଭିଡ-19)ର ବୃଦ୍ଧି ପାଉଥିବା ପ୍ରକୋପ କାରଣରୁ ସୃଷ୍ଟ ବିପଦ ଏବଂ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସ୍ଥିତିକୁ ଆଖି ଆଗରେ ରଖି ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗର ଡାକ ଜୀବନ ବୀମା (ପିଏଲଆଇ) ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଚ୍ଚ 2020 ସୁଦ୍ଧା ଦେୟଯୋଗ୍ୟ ନିର୍ଦ୍ଦିଷ୍ଟ ପ୍ରିମିୟମର ପଇଠ ଅବଧି ବୃଦ୍ଧି କରାଯାଇଛି । ଏହାକୁ 30 ଏପ୍ରିଲ, 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ଏଥିପାଇଁ କୌଣସି ଜୋରିମାନା ଓ ଡିଫଲ୍ଟ ଶୁଳ୍କ ଆଦାୟ କରାଯିବ ନାହିଁ ।

ପିଏଲଆଇ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଜରୁରି ସେବାର ଅଂଶବିଶେଷ ହୋଇଥିବା ଦୃଷ୍ଟିରୁ ଅଧିକାଂଶ ଡାକଘର ଲକଡାଉନ ସମୟରେ ମଧ୍ୟ କାର୍ଯ୍ୟକ୍ଷମ ରହିଛି । କିନ୍ତୁ ଡାକ ଜୀବନ ବୀମା, ଗ୍ରାମୀଣ ଡାକ ଜୀବନ ବୀମା (ଆରପିଏଲଆଇ) ଗ୍ରାହକମାନେ ସେମାନଙ୍କ ପ୍ରିମିୟମ ପଇଠ କରିବା ଲାଗି ଡାକ ଘରକୁ ଯାଇପାରୁନାହାନ୍ତି । ତେଣୁ ସମସ୍ତ ପିଏଲଆଇ/ ଆରପିଏଲଆଇ ଗ୍ରାହକମାନଙ୍କ ଅସୁବିଧାକୁ ଧ୍ୟାନରେ ରଖି ପଇଠ ଅବଧି ବୃଦ୍ଧି କରାଯାଇଛି ।

ଏହି ନିଷ୍ପତ୍ତି ଫଳରେ ଚଳିତ ମାସ ପ୍ରିମିୟମ ପଇଠ କରିବାକୁ ସକ୍ଷମ ହେଉନଥିବା 13 ଲକ୍ଷ ବୀମାଧାରୀ (5.5 ଲକ୍ଷ ପିଏଲଆଇ ଏବଂ 7.5 ଲକ୍ଷ ଆରପିଏଲଆଇ) ଉପକୃତ ହୋଇପାରିବେ । ଗତ ମାସ ପ୍ରିମିୟମ ପଇଠ କରିଥିବା ପାଖାପାଖି 42 ଲକ୍ଷ ବୀମାଧାରୀଙ୍କ ତୁଳନାରେ ଚଳିତ ମାସ ମାତ୍ର 29 ଲକ୍ଷ ବୀମାଧାରୀ ବର୍ତ୍ତମାନ ସୁଦ୍ଧା ପ୍ରିମିୟମ ଦାଖଲ କରିବାକୁ ସକ୍ଷମ ହୋଇପାରିଛନ୍ତି ।

ଏହାବ୍ୟତୀତ ପୋର୍ଟାଲରେ ପଞ୍ଜିକୃତ ଗ୍ରାହକମାନଙ୍କୁ ‘ପିଏଲଆଇ ଗ୍ରାହକ ପୋର୍ଟାଲ’ର ଉପଯୋଗ କରି ଅନଲାଇନ ପ୍ରିମିୟମ ପଇଠ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି ।

 

**********



(Release ID: 1609368) Visitor Counter : 152


Read this release in: English