ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19ର ମୁକାବିଲା ପାଇଁ ପିପିଇ କିଟ୍ସ, ଏନ95 ମାସ୍କ ଓ ଭେଣ୍ଟିଲେଟର ଉପଲବ୍ଧ

Posted On: 30 MAR 2020 6:40PM by PIB Bhubaneshwar

ଦେଶରେ କୋଭିଡ-19ର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟଗୁଡିକ ସହିତ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ କେତେକ ପଦକ୍ଷେପମାନ ନିଆଯାଇଛି ।  ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ, ମାସ୍କ ଏବଂ ଭେଣ୍ଟିଲେଟର ଯୋଗାଣକୁ ପର୍ଯ୍ୟାପ୍ତ କରିବା ପାଇଁ ଏଗୁଡିକ ପ୍ରସ୍ତୁତ କରୁଥିବା କାରଖାନାଗୁଡିକ ଅହୋରାତ୍ର କାର୍ଯ୍ୟ କରୁଛନ୍ତି । ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଭେଣ୍ଟିଲେଟର ନିର୍ମାଣ କରୁଥିବା ବେଳେ ଅନ୍ୟାନ୍ୟ ଔଷଧ କମ୍ପାନୀଗୁଡିକ ଏଭଳି ଜଟିଳ ପରିସ୍ଥିତିରେ ଔଷଧର ଅଭାବ ରହିବ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି । ଏପରିକି ଅଟୋ ନିର୍ମାଣକାରୀ କମ୍ପାନୀଗୁଡିକ ମଧ୍ୟ ଭେଣ୍ଟିଲେଟର ନିର୍ମାଣରେ ଲାଗି ପଡିଛନ୍ତି । ଯେକୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଉଛି ।

ବ୍ୟକ୍ତିକୁ ସୁରକ୍ଷା ଯୋଗାଉଥିବା ଉପକରଣ ବା ପିପିଇ କିଟ୍ସ, ଆଇସିୟୁ ବା ଆଇସୋଲେସନ ୱାର୍ଡରେ କର୍ତବ୍ୟରତ କର୍ମଚାରୀଙ୍କ ପାଇଁ ରୋଗ ଜୀବାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏଗୁଡିକ ବ୍ୟବହୃତ ହୋଇଥାଏ । ସାଧାରଣତଃ ଏହି ସାମଗ୍ରୀଗୁଡିକ ଆମ ଦେଶରେ ତିଆରି ହୋଇ ନଥାଏ । ତେବେ ଭବିଷ୍ୟତରେ ଏହାର ଆବଶ୍ୟକତାକୁ ଆଖି ଆଗରେ ରଖି ଭାରତ ସରକାର ଦେଶରେ ତାହାର ପ୍ରସ୍ତୁତି ପାଇଁ ଆଗୁଆ ପଦକ୍ଷେପମାନ ନେଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବୟନ ମନ୍ତ୍ରଣାଳୟ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି । କେତେକ ଘରୋଇ ନିର୍ମାଣକାରୀ କମ୍ପାନୀ ମଧ୍ୟ ଏ ଦିଗରେ ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଗୁଣାତ୍ମକ ପିପିଇ କିଟ ତିଆରି କରିବା ପାଇଁ 11 ଟି ସଂସ୍ଥାକୁ ବଛାଯାଇଛି । ସେମାନଙ୍କୁ 21 ଲକ୍ଷ ପିପିଇ ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଛି । ବର୍ତ୍ତମାନ ସେମାନେ ଦିନକୁ 6 ରୁ 7 ହଜାର ପର୍ଯ୍ୟନ୍ତ ପିପିଇ କିଟ ଯୋଗାଉଥିବା ବେଳେ ଆଉ ସପ୍ତାହକ ମଧ୍ୟରେ ଏହା 15 ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଆଉ ଜଣେ ପ୍ରସ୍ତୁତକାରୀ ମଧ୍ୟ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କୁ 5 ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବା ଲାଗି ଅର୍ଡର ଦିଆଯାଇଛି ।

ଦେଶରେ ବିଭିନ୍ନ ହସ୍ପିଟାଲରେ ବର୍ତମାନ 3 ଲକ୍ଷ 34 ହଜାର ପିପିଇ କିଟ ଉପଲବ୍ଧ ଅଛି ।  ପ୍ରାୟ 60 ହଜାର ପିପିଇ କିଟ ସରକାରଙ୍କ ହାତକୁ ଆସିଯାଇଛି । ଭାରତୀୟ ରେଡକ୍ରସ ସଂସ୍ଥା ଚୀନରୁ 10 ହଜାର ପିପିଇ କିଟ ଆଣିବା ପରେ ସେଗୁଡିକୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି । ଆଉ 3 ଲକ୍ଷ ପିପିଇ କିଟ ଆସନ୍ତା ମାସ 4 ତାରିଖ ସୁଦ୍ଧା ଦେଶରେ ଆସି ପହଂଚିବ । ଭାରତୀୟ ଆୟୁଧ କାରଖାନାକୁ ଇତି ମଧ୍ୟରେ 3 ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବିଦେଶରେ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ବୃଦ୍ଧି ପାଇଥିବାରୁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ବାହାରୁ ପିପିଇ କିଟ ଆଣିବା ଲାଗି ଉଦ୍ୟକ କରାଯାଉଛି । ସିଙ୍ଗାପୁରସ୍ଥିତ ଏକ କମ୍ପାନୀକୁ ଅନଲଇନ ଜରିଆରେ 10 ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବାକୁ ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ଅର୍ଡର ଦିଆଯାଇଛି । କୋରିଆର ଅନ୍ୟ ଏକ ଯୋଗାଣକାରୀ ସଂସ୍ଥା ଯାହାରକି ଭିଏତନାମ ଓ ତୁର୍କୀର ପ୍ରସ୍ତୁତକାରୀ ସଂସ୍ଥା ସହ ସମ୍ପର୍କ ରହିଛି, ତାକୁ ମଧ୍ୟ ଚିହ୍ନଟ କରାଯାଇ 20 ଲକ୍ଷ ପିପିଇ କିଟ ଯୋଗାଇବା ପାଇଁ କୁହାଯାଇଛି ।

ଦେଶର ଦୁଇଟି ପ୍ରସ୍ତୁତକାରୀ ସଂସ୍ଥା ସାଧାରଣତଃ ଏନ95 ମାସ୍କ ପ୍ରସ୍ତୁତ କରିଥାନ୍ତି । ବର୍ତ୍ତମାନ ସମୟରେ ଦିନକୁ 50 ହଜାର ମାସ୍କ ଯୋଗାଉଥିବା ବେଳେ ଆଗାମୀ ସପ୍ତାହକ ମଧ୍ୟରେ ସେମାନେ ତାଙ୍କ ଉତ୍ପାଦନ 1 ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ପ୍ରତିରକ୍ଷା ବିକାଶ ଗବେଷଣା ସଂଗଠନ (ଡିଆରଡିଓ) ସ୍ଥାନୀୟ ପ୍ରସ୍ତୁତକାରୀ ସଂସ୍ଥା ସହ ଯୋଗସୂତ୍ର ସ୍ଥାପନ କରି ଦିନକୁ 20 ହଜାର ଏନ99 ମାସ୍କ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛି । ଏଗୁଡିକ ସପ୍ତାହକ ମଧ୍ୟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ହସ୍ପିଟାଲରେ ପ୍ରାୟ 12 ଲକ୍ଷ ଏନ95 ମାସ୍କ ମହଜୁଦ ରହିଛି । 5 ଲକ୍ଷ ଅତିରିକ୍ତ ମାସ୍କ ଗତ ଦୁଇ ଦିନ ମଧ୍ୟରେ ବଣ୍ଟା ଯାଇଥିବା ବେଳେ, 1 ଲକ୍ଷ 40 ହଜାର ମାସ୍କ ଏବେ ବଣ୍ଟା ଯାଉଛି । ସିଙ୍ଗାପୁରରୁ ଆସୁଥିବା ପିପିଇ କିଟ ସହିତ 10 ଲକ୍ଷ ମାସ୍କ ମଧ୍ୟ ଆସିବ ।

ଶ୍ୱାସକ୍ରିୟା କଷ୍ଟ ଲକ୍ଷଣ ଯୋଗୁଁ କୋଭିଡ-19 ଚିକିତ୍ସା ପାଇଁ ଭେଣ୍ଟିଲେଟର ଆବଶ୍ୟକତା ରହିଛି । ଦେଶରେ ଏବେ 20ଟି କରୋନା ଆକ୍ରାନ୍ତ ରୋଗୀ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି । ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅଦ୍ୟାବଧି 14 ହଜାର ଭେଣ୍ଟିଲେଟର ମହଜୁଦ ଥିବା ଜଣାଯାଇଛି । 

ନଇଡାର ଆଗଭା ନାମକ ଏକ ସ୍ୱାସ୍ଥ୍ୟ ରକ୍ଷା ସଂସ୍ଥା ଭଲ ଭେଣ୍ଟିଲେଟର ପ୍ରସ୍ତୁତ କରୁଥିବା ଜଣାପଡିବା ପରେ ତାକୁ 10 ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବା ପାଇଁ ଅର୍ଡର ଦିଆଯାଇଛି । ଏପ୍ରିଲ ମାସ 2ୟ ସପ୍ତାହ ସୁଦ୍ଧା ଏହାର ଯୋଗାଣ ହେବ । ଏହା ବ୍ୟତୀତ ଘରୋଇ ପ୍ରସ୍ତୁତକାରୀଙ୍କ ସହ ଯୋଗସୂତ୍ର ରକ୍ଷା କରି 30 ହଜାର ଭେଣ୍ଟିଲେଟର ନିର୍ମାଣ କରିବାକୁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ ଅର୍ଡର ଦିଆଯାଇଛି । ଅଟୋ ଉତ୍ପାଦନକାରୀ ସଂସ୍ଥାଗୁଡିକ ମଧ୍ୟ ଭେଣ୍ଟିଲେଟର ନିର୍ମାଣ କରୁଛନ୍ତି । ଏହାଛଡା ଭେଣ୍ଟିଲେଟର ସପ୍ଲାଇ ପାଇଁ ବିଦେଶରେ ଥିବା ହାମିଲଟନ, ମିର୍ଣ୍ଡେ ଓ ଡ୍ରାଗିୟର କମ୍ପାନୀଗୁଡିକୁ ମଧ୍ୟ ଅର୍ଡର ଦିଆଯାଇଛି । ଏହାଛଡା ଚୀନରୁ ପ୍ରାୟ 10 ହଜାର ଭେଣ୍ଟିଲେଟର ଆଣିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚୀନରେ ଥିବା ଯୋଗାଣକାରୀଙ୍କ ସହ କଥାବାର୍ତା ଚଳାଇଛି ।

**********



(Release ID: 1609320) Visitor Counter : 204


Read this release in: English