ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଔଷଧପତ୍ର ଯୋଗାଣ ପାଇଁ କାର୍ଗୋ ବିମାନ ଉଡାଣକୁ ଅନୁମତି

Posted On: 30 MAR 2020 3:45PM by PIB Bhubaneshwar

କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଂଚଳକୁ ଔଷଧପତ୍ର ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଂଚାଇବା ନିମନ୍ତେ କାର୍ଗୋ ବିମାନ ଚଳାଚଳକୁ ସରକାର ଅନୁମତି ଦେଇଛନ୍ତି । ଏହି ମର୍ମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ସହ ପରାମର୍ଶକ୍ରମେ ଦେଶର ବିଭିନ୍ନ ଅଂଚଳକୁ କାର୍ଗୋ ବିମାନ ଯୋଗେ ଔଷଧପତ୍ର, ଡାକ୍ତରୀ ଉପକରଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଏହି କାର୍ଯ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସାମଗ୍ରୀ ଯୋଗାଣକାରୀ ସଂସ୍ଥା ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଜରୁରୀ ଭିତ୍ତିରେ ଏହିସବୁ ଜିନିଷ ଯୋଗାଇ ଦେବାର ବ୍ୟବସ୍ଥା କରିବେ ।

ମନ୍ତ୍ରଣାଳୟର ଯେଉଁ ଅଧିକାରୀମାନେ ଦେଶର ବିଭିନ୍ନ ଅଂଚଳକୁ ସାମଗ୍ରୀ ପ୍ରେରଣର ସମନ୍ୱୟ ଦାୟିତ୍ୱରେ ଅଛନ୍ତି ଯୋଗାଣକାରୀମାନେ ସେମାନଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

ଦେଶର ପୂର୍ବ ଓ ଉତତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକୁ ଏସବୁ ସାମଗ୍ରୀ ଦିଲ୍ଲୀରୁ କୋଲକାତା, ଗୁଆହାଟି, ଦିବ୍ରୁଗଡ଼ ଓ ଅଗରତାଲାକୁ ମାର୍ଚ୍ଚ 29ରୁ ଆଲାଏନ୍ସ ଏୟାର ବିମାନ ଯୋଗେ ପରିବହନ ଆରମ୍ଭ ହୋଇଛି ।

ଉତ୍ତରାଂଚଳ ପାଇଁ ଭାରତୀୟ ବାୟୁସେନାର ବିମାନ ଦିଲ୍ଲୀରୁ ଚଣ୍ଡିଗଡ଼ ଓ ଲେହକୁ ଆଇସିଏମଆର ଭିଟିଏମ୍ କିଟ୍ସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବ ।

ସେହିଭଳି ମୁମ୍ବାଇ-ଦିଲ୍ଲୀ-ହାଇଦ୍ରାବାଦ-ଚେନ୍ନାଇ-ମୁମ୍ବାଇ ଏବଂ ହାଇଦ୍ରାବାଦ-କୋଏମ୍ବାଟୁର ରୁଟରେ ଚଳାଚଳ କରୁଥିବା ବିମାନଗୁଡ଼ିକ ସଂପୃକ୍ତ ଅଂଚଳ ପାଇଁ ଆଇସିଏମ୍ଆର କିଟ୍ସ, ଔଷଧପତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆରମ୍ଭ କରିଛନ୍ତି । ଏହାସହିତ ସଂପୃକ୍ତ ବିମାନଗୁଡ଼ିକ ମଧ୍ୟ ଏସବୁ ସାମଗ୍ରୀ ପୁଣେରୁ ଦିଲ୍ଲୀ  ତଥା ସିମଳା, ରୁଷିକେଶ, ଲକ୍ଷ୍ନୌ ଓ ଇମ୍ଫାଲରେ ପହଂଚାଇବେ । ଚେନ୍ନାଇରେ ମଧ୍ୟ ଆଇସିଏମଆର କିଟ୍ସ ବିମାନ ଯୋଗେ ପହଂଚାଇବା ଆରମ୍ଭ ହୋଇଛି । ହାଇଦ୍ରାବାଦରେ ମଧ୍ୟ ଏହି ସାମଗ୍ରୀ ପହଂଚିଛି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀରେ ମଧ୍ୟ ଏହି ସାମଗ୍ରୀ ବିମାନ ଯୋଗେ ପହଂଚିଲାଣି । କେନ୍ଦ୍ର ବୟନ ମନ୍ତ୍ରଣାଳୟ ଦ୍ୱାରା ପଠାଯାଇଥିବା ସାମଗ୍ରୀ ଇତିମଧ୍ୟରେ କୋଏମ୍ବାଟୁରରେ ପହଂଚିଛି ।

ଏହିସବୁ ଜରୁରୀ ସାମଗ୍ରୀ ଗନ୍ତବ୍ୟସ୍ଥଳରେ ଯେପରି ଅବିଳମ୍ବେ ପହଂଚିବ ସେଥିପାଇଁ ଗ୍ରାହକ-ଯୋଗାଣକାରୀ ଓ ପରିବହନକାରୀଙ୍କ ମଧ୍ୟରେ ଅହୋରାତ୍ର ଯୋଗାଯୋଗ ଅବ୍ୟାହତ ରହିଛି । କରୋନା ସଂକ୍ରମଣର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଚାଲିଛି ।

 

**********

 



(Release ID: 1609264) Visitor Counter : 119


Read this release in: English