ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମନର କଥା 2.0 (ଦଶମ ସଂସ୍କରଣ); ଲକଡାଉନ ବେଳର ଅସୁବିଧା ପାଇଁ ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ
• କରୋନା ବିରୋଧୀ ଲଢ଼େଇରେ ଜିତିବାକୁ ହେଲେ ଏହା ହିଁ ଏକମାତ୍ର ଉପାୟ : ନରେନ୍ଦ୍ର ମୋଦୀ
• ଜୀବନ ଓ ମୃତ୍ୟୁ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେ ନିଶ୍ଚୟ ବିଜୟୀ ହେବା
• କରୋନା ସଂକ୍ରମଣ ସାରା ବିଶ୍ୱକୁ ବନ୍ଦୀ କରି ଦେଇଛି
• ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
• ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଏ ଯୁଦ୍ଧରେ ଅଗ୍ରଣୀ ଯୋଦ୍ଧା : ପ୍ରଧାନମନ୍ତ୍ରୀ
• ସାମାଜିକ ଦୂରତା କମାଇବା ଓ ସାମାଜିକ ମତବିନିମୟ ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
• ସଂକଟ ସମୟରେ ଗରିବ ଓ ଦୁଃଖୀଙ୍କୁ ଖାଦ୍ୟ ଯୋଗାଇବାକୁ ଦେଶବାସୀଙ୍କୁ ନିବେଦନ
Posted On:
29 MAR 2020 7:41PM by PIB Bhubaneshwar
ମୋର ପ୍ରିୟ ଦେଶବାସୀ,
ସାଧାରଣତଃ ‘ମନ କି ବାତ୍’ରେ ମୁଁ ଅନେକ ପ୍ରସଙ୍ଗ ନେଇ ଆସିଥାଏ । କିନ୍ତୁ ଆଜି, ଦେଶ ଏବଂ ବିଶ୍ୱରେ ସମସ୍ତଙ୍କ ମନରେ ରହିଛି ଗୋଟିଏ ମାତ୍ର କଥା – ତାହାହେଲା – ‘ବିଶ୍ୱ ମହାମାରୀ କରୋନା’ ଦ୍ୱାରା ସୃଷ୍ଟି ହୋଇଥିବା ଭୟଙ୍କର ସଙ୍କଟ । ଏଭଳି ସମୟରେ ମୋର ଅନ୍ୟକିଛି କଥା କହିବା ଉଚିତ ହେବ ନାହିଁ । କିନ୍ତୁ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ଆଜି ମୋର ଆତ୍ମା କହୁଛି ଯେ ଆପଣମାନେ ମୋତେ ନିଶ୍ଚୟ କ୍ଷମା କରିଦେବେ, କାରଣ ଏଭଳି କିଛି ନିଷ୍ପତ୍ତି ଗ୍ରହଣ କରିବାକୁ ପଡ଼ିଛି ଯାହା ଯୋଗୁଁ ଆପଣମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶେଷକରି ମୋର ଗରିବ ଭାଇ-ଭଉଣୀଙ୍କୁ ଦେଖିଲେ ମନେ ହେଉଛି ଯେ, ସେମାନେ ନିଶ୍ଚୟ ଏ କଥା ଭାବୁଥିବେ – ଇଏ କିଭଳି ପ୍ରଧାନମନ୍ତ୍ରୀ ଯେ ଆମକୁ ଏମିତି ଅସୁବିଧାରେ ପକାଇ ଦେଇଛନ୍ତି! ସେମାନଙ୍କ ଠାରୁ ମଧ୍ୟ ମୁଁ ସ୍ୱତନ୍ତ୍ର ଭାବେ କ୍ଷମା ପ୍ରାର୍ଥନା କରୁଛି । ହୋଇପାରେ, ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ବି ହୋଇଥିବେ ଯେ ମୁଁ ସମସ୍ତଙ୍କୁ ଘର ଭିତରେ ଆବଦ୍ଧ କରିଦେଇଛି! ମୁଁ ସମସ୍ତଙ୍କୁ ଗୃହବନ୍ଦୀ କରିଦେଇଥିବାରୁ ଅନେକ ଲୋକ ମୋ ଉପରେ ଅସନ୍ତୁଷ୍ଟ ମଧ୍ୟ ଥିବେ । ମୁଁ ଆପଣମାନଙ୍କ ଅସୁବିଧା ବୁଝୁଛି, ଆପଣମାନଙ୍କ କଷ୍ଟକୁ ବୁଝିପାରୁଛି, କିନ୍ତୁ ଭାରତ ଭଳି 130 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କରୋନା ବିରୁଦ୍ଧରେ ସଂଗ୍ରାମ ପାଇଁ ଏହାଛଡ଼ା ଅନ୍ୟ କୌଣସି ବାଟ ନ ଥିଲା । କରୋନା ବିରୁଦ୍ଧରେ ଯୁଦ୍ଧ ହେଉଛି ଜୀବନ ଆଉ ମୃତ୍ୟୁ ମଧ୍ୟରେ ଯୁଦ୍ଧ । ଏହି ଯୁଦ୍ଧରେ ଆମକୁ ବିଜୟଲାଭ କରିବାକୁ ହେବ । ସେଥିପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ଥିଲା । ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କାହାରି ଇଚ୍ଛା ନ ଥାଏ । କିନ୍ତୁ, ବିଶ୍ୱର ପରିସ୍ଥିତି ଦେଖିବା ପରେ ଲାଗୁଛି ଯେ, ଏହି ଏକମାତ୍ର ବିକଳ୍ପ ବାକି ଥିଲା । ଆପଣଙ୍କୁ, ଆପଣଙ୍କ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଯେଉଁ କଷ୍ଟ ହୋଇଛି, ଯେତେସବୁ ଅସୁବିଧା ହୋଇଛି, ସେଥିପାଇଁ ମୁଁ ପୁଣି ଥରେ କ୍ଷମାପ୍ରାର୍ଥନା କରୁଛି ।
ବନ୍ଧୁଗଣ
ଆମ ଶାସ୍ତ୍ରରେ କୁହାଯାଇଛି – “ଏବମେବ ବିକାରଃ ଅପି ତରୁଣଃ ସାଧ୍ୟତେ ସୁଖଂ”- ଅର୍ଥାତ୍, ରୋଗ ଏବଂ ଏହାର ପ୍ରକୋପର ପ୍ରତିକାର ପ୍ରାରମ୍ଭିକ ଅବସ୍ଥାରୁ ହିଁ କରିବା ଉଚିତ । କାରଣ ପରେ ଯେତେବେଳେ ରୋଗ ଅସାଧ୍ୟ ହୋଇଯାଏ, ଚିକିତ୍ସା ମଧ୍ୟ କଷ୍ଟକର ହୋଇପଡ଼େ । ଆଜି ସାରା ଭାରତବର୍ଷ, ପ୍ରତ୍ୟେକ ଭାରତବାସୀ ଏହା ହିଁ କରୁଛନ୍ତି । ଭାଇ ଭଉଣୀ, ମା’ ଓ ଗୁରୁଜନମାନେ, କରୋନା ଭୂତାଣୁ ଆଜି ବିଶ୍ୱବାସୀଙ୍କୁ ବନ୍ଦୀ କରିପକାଇଛି । ଏହା ଜ୍ଞାନୀ ଓ ବିଜ୍ଞାନୀ, ଗରିବ ଓ ସମୃଦ୍ଧଶାଳୀ, ଦୁର୍ବଳ ଓ ଶକ୍ତିଶାଳୀ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଏହା କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ସୀମିତ ହୋଇରହିନାହିଁ । ଏହା କୌଣସି ଅଞ୍ଚଳକୁ ଦେଖୁନାହିଁ କିମ୍ବା କୌଣସି ପାଣିପାଗକୁ । ଏହି ଭୂତାଣୁ ମଣିଷକୁ ମାରିବାକୁ, ମଣିଷ ଜାତିକୁ ଲୋପ କରିବାର ଜିଦ୍ ଧରି ବସିଛି । ଆଉ ସେଥିପାଇଁ ସମଗ୍ର ମାନବଜାତିକୁ ଏହି ଭୂତାଣୁର ନିପାତ କରିବା ପାଇଁ ଏକଜୁଟ ହୋଇ ସଂକଳ୍ପ ଗ୍ରହଣ କରିବାକୁ ହିଁ ହେବ । କିଛି ଲୋକ ଭାବୁଛନ୍ତି ଯେ, ସେମାନେ ଲକଡାଉନକୁ ପାଳନ କରି ସତେ ଯେମିତି ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ଆରେ ଭାଇ, ଏମିତି ଭୁଲ ଧାରଣା ମନରେ ରଖିବା ଠିକ୍ ନୁହଁ । ଏହି ଲକଡାଉନ ଆପଣ ନିଜେ ସୁରକ୍ଷିତ ରହିବା ପାଇଁ ଉଦ୍ଦିଷ୍ଟ । ଆପଣଙ୍କୁ ନିଜେ ଓ ନିଜ ପରିବାରକୁ ସୁରକ୍ଷିତ ରଖିବାକୁ ହେବ । ଆପଣଙ୍କୁ ଆଗାମୀ କିଛିଦିନ ପାଇଁ ଏଭଳି ଧୈର୍ଯ୍ୟ ପ୍ରଦର୍ଶନ କରିବାକୁ ହେବ । ଲକ୍ଷ୍ମଣରେଖାକୁ ମାନିବାକୁ ହେବ ।
ବନ୍ଧୁଗଣ,
ମୁଁ ଏକଥା ବି ଜାଣିଛି ଯେ, କେହି ଆଇନ ଭଙ୍ଗ କରିବାକୁ ଚାହାନ୍ତିନି, ନିୟମ ଭଙ୍ଗ କରିବାକୁ ଚାହାନ୍ତିନି, କିନ୍ତୁ କିଛି ଲୋକ ଏଭଳି କରୁଛନ୍ତି । କାରଣ ଏବେ ମଧ୍ୟ ସେମାନେ ପରିସ୍ଥିତିର ଗମ୍ଭୀରତାକୁ ବୁଝିପାରୁନାହାନ୍ତି । ଏଭଳି ଲୋକଙ୍କୁ ଏହା ହିଁ କହିବି ଯେ, ଲକଡାଉନ ନିୟମ ଭାଙ୍ଗିଲେ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା କଷ୍ଟକର ହୋଇପଡ଼ିବ । ବିଶ୍ୱରେ ଅନେକ ଲୋକଙ୍କ ଏଭଳି ଭ୍ରମ ଧାରଣା ଥିଲା । ଆଜି ସେମାନେ ସମସ୍ତେ ଅନୁତାପ କରୁଛନ୍ତି । ବନ୍ଧୁଗଣ, ଆମ ଶାସ୍ତ୍ରରେ କୁହାଯାଇଛି ଯେ, “ଆରୋଗ୍ୟମ ପରମମ୍ ଭାଗ୍ୟମ୍ ସ୍ୱାସ୍ଥ୍ୟଂ ସର୍ବାର୍ଥ ସାଧନଂ” - ଅର୍ଥାତ୍ ଆରୋଗ୍ୟ ହିଁ ସବୁଠାରୁ ବଡ଼ ଭାଗ୍ୟ । ସ୍ୱାସ୍ଥ୍ୟ ହିଁ ଦୁନିଆର ସବୁ ସୁଖର ସାଧନ । ଏଭଳି ପରିସ୍ଥିତିରେ ନିୟମ ଭଙ୍ଗ କରୁଥିବା ଲୋକେ ନିଜ ଜୀବନ ସହ ବହୁତ ବଡ଼ ଖେଳ ଖେଳୁଛନ୍ତି ।
ବନ୍ଧୁଗଣ,
ଏ ଯୁଦ୍ଧରେ ଏଭଳି ଅନେକ ଯୋଦ୍ଧା ରହିଛନ୍ତି, ଯେଉଁମାନେ ଘରୁ ନୁହେଁ, ବାହାରେ ରହି କରୋନା ଭୂତାଣୁ ସହ ସଂଗ୍ରାମ ଚଳାଇଛନ୍ତି । ସେମାନେ ହେଉଛନ୍ତି ଆମ ପାଇଁ ଆଗ ଧାଡ଼ିର ଯୋଦ୍ଧା । ବିଶେଷକରି ଆମ ନର୍ସ ଭଉଣୀମାନେ, ନର୍ସ କାମ କରୁଥିବା ଆମ ଭାଇମାନେ, ଡାକ୍ତର, ପାରା-ମେଡିକାଲ୍ ଷ୍ଟାଫ୍ । ଏଭଳି ସାଥୀମାନେ, ଯେଉଁମାନେ କରୋନାକୁ ପରାଜିତ କରିସାରିଛନ୍ତି । ଆଜି ଆମକୁ ସେମାନଙ୍କ ଠାରୁ ପ୍ରେରଣା ଗ୍ରହଣ କରିବାକୁ ହେବ । ବିଗତ ଦିନରେ ମୁଁ ଏଭଳି କିଛି ଲୋକଙ୍କ ସହିତ ଫୋନରେ କଥା ହୋଇଛି, ସେମାନଙ୍କୁ ପ୍ରୋତ୍ସାହିତ କରିଛି । ସେମାନଙ୍କ ସହିତ କଥା ହୋଇ ମୋର ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ମୁଁ ସେମାନଙ୍କ ଠାରୁ ବହୁତ କିଛି ଶିଖିଛି । ଏଥରର ‘ମନ କି ବାତ୍’ରେ ଏଭଳି କିଛି ବନ୍ଧୁଙ୍କ ଅନୁଭୂତି, ସେମାନଙ୍କ ସହିତ ହୋଇଥିବା ବାର୍ତ୍ତଳାପରୁ କିଛି ଆପଣମାନଙ୍କ ସହିତ ଶେୟାର କରିବାକୁ ମୋର ବହୁତ ଇଚ୍ଛା ଥିଲା । ସର୍ବପ୍ରଥମେ ଆମେ କଥା ହେବା ଶ୍ରୀ ରାମଗମ୍ପା ତେଜା ଜୀଙ୍କ ସହିତ । ସେ ଅବଶ୍ୟ ଜଣେ ଆଇ.ଟି. ପ୍ରଫେସନାଲ୍ । ତେବେ ଆସନ୍ତୁ, ଶୁଣିବା ତାଙ୍କ ଅନୁଭୂତି । ୟେସ୍ ରାମ –
ରାମଗମ୍ପା : ନମସ୍କାର ସାର୍ ।
ମୋଦୀ ଜୀ : ହଁ ରାମ୍, ନମସ୍କାର ।
ରାମଗମ୍ପା : ନମସ୍କାର, ନମସ୍କାର ।
ମୋଦୀ ଜୀ : ମୁଁ ଶୁଣିଛି ଯେ ଆପଣ କରୋନା ଭୂତାଣୁର ଏହି ଗମ୍ଭୀର ସଙ୍କଟରୁ ମୁକ୍ତି ପାଇଛନ୍ତି?
ରାମଗମ୍ପା : ଆଜ୍ଞା ହଁ ।
ମୋଦୀ ଜୀ : ମୁଁ ନିଶ୍ଚୟ ଆପଣଙ୍କ ସହିତ କିଛି କଥା ହେବି । ଆପଣ ଏତେବଡ଼ ସଙ୍କଟରୁ କିଭଳି ମୁକ୍ତି ପାଇଛନ୍ତି, ମୁଁ ଆପଣଙ୍କ ଅନୁଭୂତି ଶୁଣିବାକୁ ଚାହୁଁଛି ।
ରାମଗମ୍ପା : ମୁଁ ଜଣେ ଆଇ.ଟି. କର୍ମଚାରୀ । ଚାକିରି ସଂକ୍ରାନ୍ତ ମିଟିଂରେ ଯୋଗଦେବାକୁ ଦୁବାଇ ଯାଇଥିଲି । ସେଠି ଅଜାଣତରେ ଏସବୁ ଘଟିଗଲା । ଫେରିବା ପରେ ହିଁ ଜ୍ୱର ଆଉ ଅନ୍ୟ ସବୁ ଆରମ୍ଭ ହୋଇଯାଇଥିଲା । ପାଞ୍ଚ ଛଅ ଦିନ ପରେ ଡାକ୍ତରମାନେ କରୋନା ଭୂତାଣୁ ପରୀକ୍ଷା କଲେ, ଆଉ ତାହା ପଜିଟିଭ୍ ବାହାରିଲା । ଏହାପରେ ମୋତେ ହାଇଦ୍ରାବାଦର ସରକାରୀ ଡାକ୍ତରଖାନା ଗାନ୍ଧୀ ହସ୍ପିଟାଲ୍ରେ ଭର୍ତି କରାଗଲା । 14 ଦିନ ପରେ ମୁଁ ଭଲ ହୋଇଗଲି ଆଉ ମୁଁ ଡିସ୍ଚାର୍ଜ ହୋଇଗଲି । ଏସବୁ ଯୋଗୁଁ ଟିକିଏ ଭୟ ଲାଗୁଥିଲା ।
ମୋଦୀ ଜୀ : ମାନେ, ଆପଣଙ୍କୁ ଯେତେବେଳେ ସଂକ୍ରମଣ ସମ୍ପର୍କରେ ଜଣାପଡିଲା! ଆଉ ଆଗରୁ ତ ଜାଣିଥିବେ ଯେ ଏହି ଭୂତାଣୁ କେତେ ଭୟଙ୍କର!!
ରାମଗମ୍ପା : ଆଜ୍ଞା!
ମୋଦୀ ଜୀ : ତାହେଲେ ଆପଣଙ୍କୁ ଯେତେବେଳେ ଜଣାପଡ଼ିଲା, ଆପଣଙ୍କ ତୁରନ୍ତ ପ୍ରତିକ୍ରିୟା କ’ଣ ଥିଲା?
ରାମଗମ୍ପା : ପ୍ରଥମେ ତ ଖୁବ୍ ଡରି ଯାଇଥିଲି । ମୋର ବିଶ୍ୱାସ ହେଲାନି ଯେ ମୋତେ କାହିଁକି ଏମିତି ହେଲା? କାରଣ ସେତେବେଳେ ଭାରତରେ ମାତ୍ର 2-3 ଜଣଙ୍କୁ ହୋଇଥିଲା । ତେଣୁ, ଏହା ବିଷୟରେ ସେତେ କିଛି ଜ୍ଞାନ ବି ନ ଥିଲା । ଡାକ୍ତରଖାନାରେ ମୋତେ ଭର୍ତି କରି କ୍ୱାରେଣ୍ଟାଇନ ବା ସଙ୍ଗରୋଧ କରି ରଖିଥିଲେ । ପ୍ରଥମ 2-3 ଦିନ ତ ଏମିତିରେ ଗଲା । କିନ୍ତୁ ସେଠାକାର ଡାକ୍ତର ଆଉ ନର୍ସ ... ସେମାନେ ଖୁବ ଭଲ ଥିଲେ । ପ୍ରତ୍ୟେକ ଦିନ ଫୋନ୍ କରି ମୋ ସହ କଥା ହେଉଥିଲେ ଆଉ ମୋତେ ସାହସ ଦେଇ କହୁଥିଲେ ଯେ - ଆପଣଙ୍କର କିଛି ହେବନି, ଆପଣ ଠିକ୍ ହୋଇଯିବେ । ଡାକ୍ତରମାନେ, ନର୍ସମାନେ ଦିନକୁ ଦୁଇତିନି ଥର କଥା ହେଉଥିଲେ । ଆଗରୁ ଭୟ ଲାଗୁଥିଲା କିନ୍ତୁ ପରେ ଲାଗିଲା ଯେ, ଏତେ ଭଲ ଲୋକଙ୍କ ସାଙ୍ଗରେ ରହିଛି, ଆଉ କ’ଣ କରିବାକୁ ହେବ ସେକଥା ସେମାନେ ଜାଣିଛନ୍ତି । ତେଣୁ ମୁଁ ନିଶ୍ଚୟ ଭଲ ହୋଇଯିବି ।
ମୋଦୀ ଜୀ : ଆପଣଙ୍କ ପରିବାର ଲୋକଙ୍କ ମନର ଅବସ୍ଥା କିଭଳି ଥିଲା?
ରାମଗମ୍ପା : ମୁଁ ଯେତେବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲି ସେତେବେଳେ ସେମାନେ ବହୁତ ଷ୍ଟ୍ରେସ୍ରେ ଥିଲେ । ମୋ ଉପରେ ସମସ୍ତଙ୍କ ବେଶୀ ନଜର ଥିଲା । ଆଉ ହଁ, ଆଗ ସେମାନଙ୍କର ମଧ୍ୟ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କର ନେଗେଟିଭ୍ ଆସିଲା । ତାହା ମୋ ପାଇଁ, ମୋ ପରିବାର ଏବଂ ଆମ ଆଖପାଖ ଲୋକଙ୍କ ପାଇଁ ଥିଲା ସବୁଠୁ ବଡ଼ ଆଶ୍ୱସ୍ତି । ତା’ପରେ ତ’ ପ୍ରତିଦିନ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଗଲା । ଡାକ୍ତରମାନେ ମୋ ସହିତ କଥା ହେଉଥିଲେ । ମୋ ପରିବାର ଲୋକଙ୍କୁ ବି କହୁଥିଲେ ।
ମୋଦୀ ଜୀ : ଆପଣ ନିଜେ କି କି ସାବଧାନତା ଅବଲମ୍ବନ କଲେ? ନିଜ ପରିବାର ପାଇଁ କି ପ୍ରକାର ସାବଧାନତା ଅବଲମ୍ବନ କଲେ?
ରାମଗମ୍ପା: ପ୍ରଥମେ ଯେତେବେଳେ ଜଣାପଡ଼ିଲା, ମୁଁ କ୍ୱାରେଣ୍ଟାଇନରେ ଥିଲି । କିନ୍ତୁ କ୍ୱାରେଣ୍ଟାଇନ ପରେ ମଧ୍ୟ ଡାକ୍ତରମାନେ ଆହୁରି 14 ଦିନ ନିଜ ଘର ଭିତରେ ହିଁ ରହିବାକୁ ପରାମର୍ଶ ଦେଲେ । ନିଜକୁ ହାଉସ୍ କ୍ୱାରେଣ୍ଟାଇନରେ ରହିବାକୁ କହିଥିଲେ । ତେଣୁ, ସେଠାରୁ ଆସିବା ପରେ ମୁଁ ନିଜ ଘରେ ହିଁ ରହୁଛି । ମୋ ରୁମ୍ରେ ହିଁ ରହୁଛି, ମୁହଁରେ ଦିନସାରା ମାସ୍କ ଲଗାଇ ରଖୁଛି । ଆଉ, ଖାଇବା ଆଗରୁ ହାତ ଧୋଇବା ନିହାତି ଜରୁରୀ ।
ମୋଦୀ ଜୀ : ତେବେ ରାମ, ଆପଣ ସୁସ୍ଥ ହୋଇ ଫେରିଛନ୍ତି । ଆପଣ ଆଉ ଆପଣଙ୍କ ପରିବାରକୁ ମୋର ବହୁତ ଶୁଭେଚ୍ଛା ।
ରାମଗମ୍ପା : ଥାଙ୍କ୍ ୟୁ ।
ମୋଦୀ ଜୀ : ତେବେ ମୁଁ ଚାହୁଁଛି ଯେ, ଆପଣଙ୍କର ଏହି ଅନୁଭୂତି ।
ରାମ୍ଗମ୍ପା : ଆଜ୍ଞା । ମୋଦୀ ଜୀ : ଆପଣ ତ ଆଇ.ଟି. ପ୍ରଫେସନରେ ଅଛନ୍ତି ।
ରାମଗମ୍ପା : ଆଜ୍ଞା!
ମୋଦୀ ଜୀ : ତେଣୁ ନିଜର ଅନୁଭୂତିର ଅଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ଏହାକୁ ଶେୟାର କରନ୍ତୁ । ଏହାକୁ ଭାଇରାଲ୍ କରିଦିଅନ୍ତୁ । ଯାହାଫଳରେ ଲୋକ ଏହାକୁ ଭୟ ବି କରିବେନି ଆଉ ତା ସଙ୍ଗେ ସଙ୍ଗେ ସତର୍କ ରହିଲେ କିଭଳି ଏହି ବିପତିରୁ ରକ୍ଷା ମିଳିବ, ସେହି ବାର୍ତା ମଧ୍ୟ ଲୋକଙ୍କ ପାଖରେ ଖୁବ ଆରାମରେ ପହଞ୍ଚିଯିବ । ରାମଗମ୍ପା : ଆଜ୍ଞା ହଁ, କ୍ୱାରେଣ୍ଟାଇନର ଅର୍ଥ ଲୋକ ଜେଲ୍କୁ ଯିବା ଭଳି ଭାବୁଛନ୍ତି । କିନ୍ତୁ ଏହା ସେପରି ନୁହେଁ । ସମସ୍ତେ ଏ କଥା ଜାଣିବା ଉଚିତ ଯେ, ସରକାରୀ କ୍ୱାରେଣ୍ଟାଇନର ସେମାନଙ୍କ ନିଜ ପାଇଁ ଉଦ୍ଦିଷ୍ଟ, ସେମାନଙ୍କ ପରିବାର ପାଇଁ ହିଁ ଉଦ୍ଦିଷ୍ଟ । ତେଣୁ, ମୁଁ ଅଧିକାଂଶ ଲୋକଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜର ପରୀକ୍ଷା କରାନ୍ତୁ, କ୍ୱାରେଣ୍ଟାଇନ ମାନେ କରୋନାକୁ ଡରନା । କ୍ୱାରେଣ୍ଟାଇନରେ ଥିବା ଲୋକଙ୍କ ପ୍ରତି କୌଣସି ଅପବାଦ କିମ୍ବା ଆକ୍ଷେପ କରାନଯାଉ ।
ମୋଦୀ ଜୀ : ତେବେ ରାମ୍, ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ।
ରାମଗମ୍ପା : ଥାଙ୍କ୍ ୟୁ, ଥାଙ୍କ ୟୁ ।
ମୋଦୀ ଜୀ : ଥାଙ୍କ ୟୁ ।
ମୋଦୀ ଜୀ : ଥାଙ୍କ୍ ୟୁ ଭାଇ, ଥାଙ୍କ୍ସ ଏ ଲଟ୍ ।
ରାମ୍ଗମ୍ପା : ଥାଙ୍କ୍ ୟୁ ।
ବନ୍ଧୁଗଣ,
ଯେମିତିକି ରାମ କହିଲେ ଯେ, ତାଙ୍କର କରୋନାରେ ଆକ୍ରାନ୍ତ ହେବା ଆଶଙ୍କା ପରେ ସେ ଡାକ୍ତରଙ୍କ ସମସ୍ତ ପରାମର୍ଶକୁ ଅକ୍ଷରେ ଅକ୍ଷରେ ପାଳନ କଲେ, ଯାହାଫଳରେ ଆଜି ସେ ସୁସ୍ଥ ହୋଇ ସାଧାରଣ ଜୀବନଯାପନ କରୁଛନ୍ତି । ଆମ ସହିତ ରହିଛନ୍ତି ଆଉ ଜଣେ ସେହିଭଳି ବନ୍ଧୁ, ଯିଏ କରୋନାକୁ ପରାଜିତ କରିଛନ୍ତି । ତାଙ୍କର ତ ପୂରା ପରିବାର ଏଥିରେ ଆକ୍ରାନ୍ତ ହୋଇଯାଇଥିଲା । ଯୁବାବସ୍ଥାରେ ଥିବା ତାଙ୍କ ପୁଅ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଯାଇଥିଲା । ତା’ହେଲେ ଆସନ୍ତୁ, କଥା ହେବା ଆଗ୍ରାର ଶୀଯୁକ୍ତ ଅଶୋକ କପୁରଙ୍କ ସହିତ ।
ମୋଦୀ ଜୀ : ଅଶୋକ ଜୀ, ନମସ୍କାର ।
ଅଶୋକ କପୁର : ସାର ନମସ୍କାର, ମୋର ସୌଭାଗ୍ୟ, ଆପଣଙ୍କ ସହିତ ମୁଁ କଥା ହେଉଛି ।
ମୋଦୀ ଜୀ : ଇଏ ଆମର ମଧ୍ୟ ସୌଭାଗ୍ୟ । ମୁଁ ଏଥିପାଇଁ ଫୋନ କରିଥିଲି କାରଣ ଆପଣଙ୍କ ସାରା ପରିବାର ଏହି ସଙ୍କଟରେ ଫସିଯାଇଥିଲା ।
ଅଶୋକ କପୁର : ଆଜ୍ଞା ଆଜ୍ଞା ।
ମୋଦୀ ଜୀ : ତେବେ, ମୁଁ ଜାଣିବାକୁ ଚାହୁଁଛି ଯେ, ଆପଣଙ୍କୁ ଏହି ସମସ୍ୟା, ଏହି ସଂକ୍ରମଣ ବିଷୟରେ କେମିତି ଜଣାପଡ଼ିଲା? କ’ଣ ହେଲା? ଡାକ୍ତରଖାନାରେ କ’ଣ ହେଲା? ଫଳରେ, ଆପଣଙ୍କ କଥାଶୁଣି ଦେଶବାସୀଙ୍କୁ ଜଣାଇବା ଭଳି ଯଦି କିଛି ଥାଏ ତାହା ମୁଁ ତାଙ୍କୁ ଜଣାଇପାରିବି ।
ଅଶୋକ କପୁର : ଆଜ୍ଞା ନିଶ୍ଚୟ । ମୋର ଆଜ୍ଞା ଦୁଇ ପୁଅ । ସେମାନେ ଇଟାଲୀ ଯାଇଥିଲେ । ସେଠାରେ ଜୋତା ପ୍ରଦର୍ଶନୀ ଚାଲିଥିଲା । ଆମର ଏଠି ଜୋତା ତିଆରି କାରଖାନା ରହିଛି ।
ମୋଦୀ ଜୀ : ହଁ ।
ଅଶୋକ କପୁର : ସେମାନେ ଯେତେବେଳେ ଇଟାଲୀରୁ ଫେରିଲେ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ତା’ପରେ ଆମ ଜ୍ୱାଇଁ ମଧ୍ୟ ଯାଇଥିଲେ । ସେ ଦିଲ୍ଲୀରେ ରହନ୍ତି । ତାଙ୍କର ଟିକିଏ ଅସୁବିଧା ଦେଖାଦେଲା । ତେଣୁ ସେ ରାମ ମନୋହର ଲୋହିଆ ହସ୍ପିଟାଲ ଗଲେ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ଡାକ୍ତରଖାନାରେ ତାଙ୍କୁ ପଜିଟିଭ୍ କହିଲେ ଆଉ ସଫଦର୍ଜଙ୍ଗ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଦେଲେ ।
ମୋଦୀ ଜୀ : ହଁ!
ଅଶୋକ କପୁର : ସେଠାରୁ ମୋ ପାଖକୁ ଫୋନ ଆସିଲା ଯେ, ଆପଣ ବି ତାଙ୍କ ସହିତ ଯାଇଥିଲେ, ତେଣୁ ଆପଣ ମଧ୍ୟ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ । ତେଣୁ, ଦୁଇ ପୁଅ ଏଠାକାର ଆଗ୍ରା ଜିଲ୍ଲା ଡାକ୍ତରଖାନାରେ ପରୀକ୍ଷା କରାଇବାକୁ ଗଲେ । ସେଠାକାର ଡାକ୍ତର ଓ କର୍ମଚାରୀ କହିଲେ, ନିଜ ପରିବାରର ସମସ୍ତଙ୍କୁ ଡାକି ଦିଅନ୍ତୁ । ପରୀକ୍ଷା କରାଇନେବା ଉଚିତ । ଆଜ୍ଞା, ଶେଷରେ ଆମେ ସମସ୍ତେ ଗଲୁ ।
ମୋଦୀ ଜୀ : ହଁ ।
ଅଶୋକ କପୁର : ପରଦିନ ସେମାନେ ଆମକୁ ଜଣାଇଲେ ଯେ ଆମ ପରିବାରର ଛଅ ଜଣଯାକ ପଜିଟିଭ୍ । ମୋ ବୟସ 73 ବର୍ଷ । ମୋ ପରିବାରରେ ମୁଁ, ମୋ ସ୍ତ୍ରୀ, ମୋ ଦୁଇ ପୁଅ, ବୋହୂ ଆଉ ନାତି । ନାତିର ବୟସ ଷୋହଳ ବର୍ଷ । ସମସ୍ତଙ୍କୁ ଦିଲ୍ଲୀ ନେଇଯିବାକୁ ସେମାନେ ପରାମର୍ଶ ଦେଲେ।
ମୋଦୀ ଜୀ : ଓଃ ମାଇ ଗଡ୍ !
ଅଶୋକ କପୁର : ଆଜ୍ଞା, ଆମେ ଡରିଲୁନି । ଆମେ ଭାବିଲୁ, ଯାହାହେବ ଦେଖାଯିବ । ଆମେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଗଲୁ । ଆଗ୍ରା ଡାକ୍ତରଖାନା କର୍ତ୍ତୃପକ୍ଷ ଆମକୁ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା କରିଦେଲେ । ଆମକୁ କୌଣସି ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିଲାନି । ଆଗ୍ରା ଡାକ୍ତରଖାନା ପ୍ରଶାସନ ଏଥିପାଇଁ ଆମକୁ ସବୁ ପ୍ରକାର ସହଯୋଗ କଲେ ।
ମୋଦୀ ଜୀ : ତା’ହେଲେ ଆମ୍ବୁଲାନ୍ସ ଯୋଗେ ଆପଣ ଆସିଲେ?
ଅଶୋକ କପୁର : ଆଜ୍ଞା ହଁ, ଠିକ୍ ଭାବେ ବସି କରି ଆସିଲୁ । ସେମାନେ ଆମକୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇଦେଲେ । ସାଙ୍ଗରେ ଡାକ୍ତର ମଧ୍ୟ ଥିଲେ । ସେମାନେ ଆମକୁ ସଫଦରଜଙ୍ଗ ହସ୍ପିଟାଲରେ ଛାଡ଼ିଦେଲେ । ସଫଦରଜଙ୍ଗ ହସ୍ପିଟାଲରେ ଡାକ୍ତରମାନେ ଫାଟକ ପାଖରେ ହିଁ ଆମକୁ ଅପେକ୍ଷା କରିଥିଲେ । ସେମାନେ ଆମକୁ ୱାର୍ଡ଼କୁ ସ୍ଥାନାନ୍ତରିତ କରିଦେଲେ । ଆମ ଛଅଜଣଙ୍କୁ ସେମାନେ ଅଲଗା ଅଲଗା ରୁମରେ ରଖିଲେ । ରୁମଗୁଡ଼ିକ ଭଲ ଥିଲା । ସବୁ ସୁବିଧା ଥିଲା । ତା ପରେ ସାର, 14 ଦିନ ଧରି ଆମେ ଡାକ୍ତରଖାନାରେ ପୃଥକ ଭାବେ ରହୁଥିଲୁ । ସବୁ ଡାକ୍ତର ଏବଂ କର୍ମଚାରୀ ଆମକୁ ବହୁତ ସହଯୋଗ କଲେ । ସେମାନେ ତ ନିଜ ନିଜ ଡ୍ରେସ୍ ପିନ୍ଧି ଆସୁଥିଲେ! ତେଣୁ କିଏ ଡାକ୍ତର, କିଏ ନର୍ସ, କିଏ ୱାର୍ଡ଼ ବୟ ଜଣା ପଡୁନଥିଲା । ସେମାନେ ଯାହା କହୁଥିଲେ, ଆମେ ତାହା ମାନୁଥିଲୁ । ଆମକୁ ଟିକିଏ ବି ଅସୁବିଧା ହେଇନି ।
ମୋଦୀ ଜୀ : ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଦୃଢ଼ ଜଣାପଡ଼ୁଛି ।
ଅଶୋକ କପୁର : ଆଜ୍ଞା, ମୁଁ ସମ୍ପୂର୍ଣ୍ଣ ଭଲ ଅଛି । ମୁଁ ତ ନିଜର ଆଣ୍ଠୁ ଅପରେସନ୍ ବି କରେଇଛି । ତଥାପି ମୋର କିଛି ଅସୁବିଧା ହେଇନି ।
ମୋଦୀ ଜୀ : ହେଲେ, ଏତେ ବଡ଼ ସଙ୍କଟ ପରିବାରର ସବୁ ସଦସ୍ୟଙ୍କ ଉପରେ ପଡ଼ିଲା, ଏମିତିକି ଷୋହଳ ବର୍ଷର ବାଳକ ବି ଏଥିରୁ ବାଦ ପଡ଼ିଲାନି ।
ଅଶୋକ କପୁର : ତା’ର ପୁଣି ପରୀକ୍ଷା ଚାଲିଥିଲା ସାର୍ । ଆଇ.ସି.ଏସ.ଇ. ପରୀକ୍ଷା ଦେଉଥିଲା ତ’ । ତା’ର ପରୀକ୍ଷା ଥିଲା, କିନ୍ତୁ ସେ ଦେଲାନି । ମୁଁ କହିଲି, ଯାହା ହେବ ପରେ ଦେଖାଯିବ । ଜୀବନ ରହିଲେ ସବୁ ପରୀକ୍ଷା ଦେଇହେବ ।
ମୋଦୀ ଜୀ : ଠିକ୍ କଥା । ଯାହାହେଉ, ଆପଣଙ୍କ ଅଭିଜ୍ଞତା ଏଠି କାମରେ ଲାଗିଲା । ସାରା ପରିବାରକୁ ଆପଣ ଭରସା ଦେଲେ, ସାହସ ବି ଦେଲେ ।
ଅଶୋକ କପୁର : ଆଜ୍ଞା, ଆମେ ସାରା ପରିବାର ସେଠି ଥିଲୁ । ତେଣୁ ସମସ୍ତଙ୍କ ସାହସ ରହିଲା । ପରସ୍ପରକୁ ଭେଟୁ ନ ଥିଲୁ । ଫୋନ୍ରେ କଥା ହୋଇଯାଉଥିଲୁ । ଡାକ୍ତରମାନେ ମଧ୍ୟ ଆମର ଯଥାସମ୍ଭବ ଯତ୍ନ ନେଲେ । ସେମାନେ ଆମ ପାଇଁ ବହୁତ କିଛି କରିଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ । ଷ୍ଟାଫ୍ ଓ ନର୍ସମାନେ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ ସାର୍ ।
ମୋଦୀ ଜୀ : ହେଉ, ଆପଣ ଓ ଆପଣଙ୍କ ପରିବାରକୁ ମୋର ଅନେକ ଅନେକ ଶୁଭେଚ୍ଛା ।
ଅଶୋକ କପୁର : ଥାଙ୍କ୍ ୟୁ ସାର । ଧନ୍ୟବାଦ । ଆପଣଙ୍କ ସହିତ କଥା ହୋଇଥିବାରୁ ଆମେ ବହୁତ ଖୁସି ।
ମୋଦୀ ଜୀ : ମୁଁ ମଧ୍ୟ ଖୁସି ।
ଅଶୋକ କପୁର : ଏସବୁ ପରେ ବି ସାର୍, ଆମକୁ ଯଦି କୌଣସି ପ୍ରକାର ସଚେତନତା ସୃଷ୍ଟି ପାଇଁ କେଉଁଆଡେ ଯିବାକୁ ହୁଏ, କିଛି କରିବା ଦରକାର ହୁଏ, ସେଥିପାଇଁ ଆମେ ସବୁବେଳେ ପ୍ରସ୍ତୁତ ।
ମୋଦୀ ଜୀ : ନା, ଆପଣ ନିଜ ଅନୁସାରେ ଆଗ୍ରାରେ କିଛି କରନ୍ତୁ । କେହି ଭୋକରେ ଥିଲେ ତାକୁ ଖାଇବାକୁ ଦିଅନ୍ତୁ ।
ଅଶୋକ କପୁର : ଆଜ୍ଞା, ନିଶ୍ଚୟ, ନିଶ୍ଚୟ ।
ମୋଦୀ ଜୀ : ଗରିବ ଲୋକଙ୍କ କଥା ଚିନ୍ତା କରନ୍ତୁ । ଲୋକେ ନିୟମ ପାଳନ କରନ୍ତୁ । ଲୋକଙ୍କୁ ବୁଝାନ୍ତୁ ଯେ, ଆପଣଙ୍କ ପରିବାର ଏହି ବ୍ୟାଧିଗ୍ରସ୍ତ ହୋଇଥିଲା । କିନ୍ତୁ ଆପଣ ନିୟମ ପାଳନ କରି ନିଜ ପରିବାରକୁ ସୁରକ୍ଷିତ କଲେ । ସବୁ ଲୋକ ଯଦି ଏମିତି ନିୟମ ପାଳନ କରନ୍ତି ଦେଶ ରକ୍ଷା ପାଇଯିବ ।
ଅଶୋକ କପୁର : ସାର୍, ଆମେ ଆମ ଭିଡିଓ କରି ଚ୍ୟାନେଲମାନଙ୍କୁ ଦେଇଦେଇଛୁ ।
ମୋଦୀ ଜୀ : ବାଃ, ଭଲ କଥା ।
ଅଶୋକ କପୁର : ଚ୍ୟାନେଲମାନେ ଏହାକୁ ପ୍ରସାରର ବି କରିଛନ୍ତି, ଯାହାଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ । ଆଉ ...
ମୋଦୀ ଜୀ : ସୋସିଆଲ ମିଡିଆରେ ଏହାକୁ ବହୁତ ଲୋକପ୍ରିୟ କରାଯିବା ଉଚିତ ।
ଅଶୋକ କପୁର : ଆଜ୍ଞା ଆଜ୍ଞା । ଆଉ, ଆମେ ଯେଉଁ କଲୋନୀରେ ରହୁଛୁ ସେ କଲୋନି ସଫା-ସୁତୁରା । ଆମେ ସମସ୍ତଙ୍କୁ କହିଦେଇଛୁ ଯେ, ଆମେ ଆସିବା ଦ୍ୱାରା କେହି ଭୟ କରିବା ଦରକାର ନାହିଁ । ଯଦି କାହାରି କୌଣସି ଅସୁବିଧା ଥାଏ, ତା’ହେଲେ ସେ ଯାଇ ନିଜର ପରୀକ୍ଷା କରାଇନିଅନ୍ତୁ । ଯେଉଁମାନେ ଆମ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ବି ନିଜର ପରୀକ୍ଷା କରାନ୍ତୁ । ଭଗବାନଙ୍କ ଦୟାରୁ ସମସ୍ତେ ସୁସ୍ଥ ରହନ୍ତୁ ।
ମୋଦୀ ଜୀ : ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା ।
ବନ୍ଧୁଗଣ,
ଆମେ ଅଶୋକ ଜୀ ଏବଂ ତାଙ୍କ ପରିବାରର ଦୀର୍ଘାୟୁ କାମନା କରୁଛୁ । ସେ ଯାହା କହିଲେ ଯେ, ଭୟ ନ କରି ଠିକ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରିବା, ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ସାବଧାନତା ଅବଲମ୍ବନ କରିବା ଦ୍ୱାରା ଆମେ ଏହି ମହାମାରୀକୁ ପରାଜିତ କରିପାରିବା ।
ବନ୍ଧୁଗଣ,
ମେଡିକାଲ ସ୍ତରରେ ଆମେ କିଭଳି ଏହି ମହାମାରୀର ମୁକାବିଲା କରୁଛୁ ସେକଥା ଜାଣିବା ପାଇଁ ମୁଁ କେତେଜଣ ଡାକ୍ତରଙ୍କ ସହିତ କଥା ହେଲି, ଯେଉଁମାନେ ଏହି ସଂଗ୍ରାମରେ ଆଗ ଧାଡ଼ିରେ ଠିଆ ହୋଇଛନ୍ତି । ସେମାନଙ୍କ ବୃତି ଯୋଗୁଁ ପ୍ରତିଦିନ ସେମାନେ ଏହି ରୋଗୀମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି । ଆସନ୍ତୁ ଶୁଣିବା । ଏବେ ଦିଲ୍ଲୀରୁ ଆମ ସହିତ ଯୋଡ଼ି ହୋଇଛନ୍ତି ଡାକ୍ତର ନୀତେଶ ଗୁପ୍ତା
ମୋଦୀ ଜୀ : ନମସ୍କାର ଡକ୍ଟର ।
ଡା. ନୀତେଶ ଗୁପ୍ତା : ନମସ୍କାର ସାର୍ ।
ମୋଦୀ ଜୀ : ନମସ୍କାର ନୀତେଶ ଜୀ । ଆପଣ ତ ସମ୍ପୂର୍ଣ୍ଣ ଭାବେ ରଣକ୍ଷେତ୍ରରେ ଛିଡ଼ା ହୋଇଛନ୍ତି । ମୁଁ ଜାଣିବାକୁ ଚାହୁଁଛି, ଡାକ୍ତରଖାନାଗୁଡ଼ିକରେ ଆପଣଙ୍କ ଅନ୍ୟ ସାଥୀମାନଙ୍କ ମୁଡ୍ କେମିତି ରହିଛି ଟିକିଏ କହିବେ କି?
ଡା. ନୀତେଶ ଗୁପ୍ତା : ସମସ୍ତଙ୍କ ମୁଡ୍ ଅପ୍ବିଟ୍ ରହିଛି । ସମସ୍ତଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ରହିଛି । ଆମର ଯାହା ସବୁ ଆବଶ୍ୟକ ହେଉଛି, ସେସବୁ ଆପଣ ପୂରଣ କରୁଛନ୍ତି । ତେଣୁ ସୀମାରେ ସେନାବାହିନୀ କାର୍ଯ୍ୟରତ ଥିବାପରି ଆମେ ବି ସେମିତି କାମରେ ଲାଗିଛୁ । ଆମର କେବଳ ଗୋଟିଏ ମାତ୍ର କର୍ତବ୍ୟ ଯେ, ରୋଗୀଟି ଠିକ୍ ହୋଇ ଘରକୁ ଯାଉ ।
ମୋଦୀ ଜୀ : ଆପଣ ଠିକ କହୁଛନ୍ତି । ଇଏ ମଧ୍ୟ ଯୁଦ୍ଧ ଭଳିଆ ପରିସ୍ଥିତି । ଆଉ ଆପଣମାନେ ହିଁ ପରିସ୍ଥିତିକୁ ସମ୍ଭାଳି ରଖିଛନ୍ତି ।
ଡା. ନୀତେଶ ଗୁପ୍ତା : ଆଜ୍ଞା ।
ମୋଦୀ ଜୀ : ଚିକିତ୍ସା ସାଙ୍ଗକୁ ଆପଣଙ୍କୁ ରୋଗୀର କାଉନ୍ସେଲିଂ ମଧ୍ୟ କରିବାକୁ ପଡ଼ୁଥିବ?
ଡା. ନୀତେଶ ଗୁପ୍ତା : ଆଜ୍ଞା, ସେଇଟା ନିତାନ୍ତ ଜରୁରୀ । କାରଣ, ରୋଗୀ ପ୍ରଥମେ ସଂକ୍ରମଣ କଥା ଶୁଣି ଡରିଯାଇଥାଏ । ତାକୁ ବୁଝାଇବାକୁ ପଡ଼ିଥାଏ ଯେ - ଆପଣଙ୍କର କିଛି ହୋଇନି, 14 ଦିନରେ ଆପଣ ସମ୍ପୂର୍ଣ୍ଣ ଭଲ ହୋଇ ଘରକୁ ଫେରିବେ । ଏଯାବତ୍ ଆମେ ଏଭଳି 16 ଜଣ ରୋଗୀଙ୍କୁ ଘରକୁ ପଠେଇସାରିଛୁ ।
ମୋଦୀ ଜୀ : ତାହେଲେ ଆପଣ କଥା ହେଲାବେଳେ ମୋଟାମୋଟି କ’ଣ ଅନୁଭବ କରୁଛନ୍ତି? ସେମାନେ କେଉଁ କଥାକୁ ଭୟ କରୁଛନ୍ତି?
ଡା. ନୀତେଶ ଗୁପ୍ତା : ସେମାନେ ଏକଥା ହିଁ ଭାବୁଛନ୍ତି ଯେ, ଆଗକୁ କ’ଣ ହେବ? କ’ଣ ହେବ ଏବେ? ବିଶ୍ୱର ଅନ୍ୟ ଦେଶମାନଙ୍କରେ ଯେମିତି ଏହି ରୋଗରେ ପଡ଼ି ଲୋକ ପ୍ରାଣ ହରାଉଛନ୍ତି, ତାଙ୍କର ମଧ୍ୟ ସେଭଳି ଅବସ୍ଥା ହେବ । ତାଙ୍କର କେଉଁ ଅସୁବିଧା କେବେ ଉପଶମ ହେବ, ସେକଥା ଆମେ ତାଙ୍କୁ ବୁଝାଉଛୁ । ଆପଣଙ୍କ କେସ୍ ତ ପ୍ରାରମ୍ଭିକ ଅବସ୍ଥାରେ ଅଛି । ସାଧାରଣ ଥଣ୍ଡା, କାଶ ଭଳିଆ ହୋଇଛି । ତାହା ଯେମିତି ଠିକ୍ ହୋଇଯାଏ – 5-7 ଦିନରେ ଇଏ ବି ସେମିତି ଠିକ୍ 12 ହୋଇଯିବ । ତାପରେ ଆମେ ଆପଣଙ୍କ ଟେଷ୍ଟ କରିବୁ, ଆଉ ତାହା ନେଗେଟିଭ୍ ହେଲେ ଆପଣଙ୍କୁ ଘରକୁ ପଠେଇଦେବୁ । ଆମେ ଦିନକୁ ତିନି ଚାରି ଥର ସେମାନଙ୍କ ପାଖକୁ ଯାଉଛୁ । ତେଣୁ ସେମାନେ ମଧ୍ୟ ଆଶ୍ୱସ୍ତ ହେଉଛନ୍ତି ।
ମୋଦୀ ଜୀ : ସେମାନଙ୍କ ଆତ୍ମବିଶ୍ୱାସ ଫେରିଆସୁଛି କି? ଆରମ୍ଭରେ ତ ଡରିଯାଉଥିବେ?
ଡା. ନୀତେଶ ଗୁପ୍ତା : ଆରମ୍ଭରେ ତ ଭୟ କରିଯାଆନ୍ତି । କିନ୍ତୁ, ଯେତେବେଳେ ଆମେ ତାଙ୍କୁ ବୁଝାଉ, ସେତେବେଳେ ଦୁଇ ତିନି ଦିନ ପରେ, ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହୁଏ, ସେତେବେଳେ ସେମାନେ ମଧ୍ୟ ଅନୁଭବ କରନ୍ତି ଯେ, ସେମାନେ ଭଲ ହୋଇଯିବେ ।
ମୋଦୀ ଜୀ: କିନ୍ତୁ ସବୁ ଡାକ୍ତରମାନଙ୍କୁ ଲାଗୁଛି କି ଯେ, ଜୀବନର ସବୁଠାରୁ ବଡ଼ ସେବାକାର୍ଯ୍ୟ ତାଙ୍କରି ଭାଗ୍ୟରେ ପଡ଼ିଛି ବୋଲି?
ଡା. ନୀତେଶ ଗୁପ୍ତା : ହଁ ଆଜ୍ଞା । ଆମେ ନିଜର ଟିମ୍କୁ ସମ୍ପୂର୍ଣ୍ଣ ଉତ୍ସାହିତ କରି ରଖିଥାଉ । ଏଥିରେ ଭୟ କରିବାର କିଛି ନାହିଁ । ଯଦି ଆମେ ସବୁ ପ୍ରକାର ସାବଧାନତା ଅବଲମ୍ବନ କରିବା, ରୋଗୀଙ୍କୁ ସବୁ ପ୍ରକାର ସାବଧାନତା ସମ୍ପର୍କରେ ବୁଝାଇବା, ତାହେଲେ ସବୁକିଛି ଠିକ୍ ହେବ ।
ମୋଦୀ ଜୀ : ହେଉ, ଡକ୍ଟର, ଆପଣଙ୍କ ପାଖକୁ ବହୁ ସଂଖ୍ୟାରେ ରୋଗୀ ମଧ୍ୟ ଆସୁଛନ୍ତି । ଆଉ ଆପଣ ମଧ୍ୟ ପ୍ରାଣପଣେ ଲାଗିଛନ୍ତି । ଆପଣଙ୍କ ସହିତ କଥାହୋଇ ଭଲ ଲାଗିଲା । ମୁଁ ଆପଣଙ୍କ ସାଙ୍ଗରେ ରହିଛି । ସଂଗ୍ରାମ ଜାରି ରଖନ୍ତୁ ।
ଡା. ନୀତେଶ ଗୁପ୍ତା : ଆପଣଙ୍କ ଆଶୀର୍ବାଦ ରହିଥାଉ । ଆମର କେବଳ ସେତିକି ଦରକାର ।
ମୋଦୀ ଜୀ : ବହୁତ ବହୁତ ଶୁଭେଚ୍ଛା, ଭାଇ ।
ଡା. ନୀତେଶ ଗୁପ୍ତା : ସାର୍, ଥ୍ୟାଙ୍କ ୟୁ ।
ମୋଦୀ ଜୀ : ଥ୍ୟାଙ୍କ୍ ୟୁ । ନିତିଶ ଜୀ ଆପଣଙ୍କୁ ବହୁତ ବହୁତ ସାଧୁବାଦ ଜଣାଉଛି । ଆପଣଙ୍କ ଭଳି ଲୋକଙ୍କ ପ୍ରଚେଷ୍ଟାରେ ଭାରତ କରୋନା 13 ବିରୁଦ୍ଧରେ ସଂଗ୍ରାମରେ ନିଶ୍ଚୟ ବିଜୟ ଲାଭ କରିବ । ମୋର ଆପଣଙ୍କୁ ଅନୁରୋଧ ଯେ, ଆପଣ ନିଜର ଯତ୍ନ ନିଅନ୍ତୁ । ନିଜ ସାଥୀମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ । ନିଜ ପରିବାରର ଯତ୍ନ ନିଅନ୍ତୁ । ବିଶ୍ୱବାସୀଙ୍କ ଅନୁଭୂତିରୁ ଜଣାପଡ଼େ ଯେ, ଏହି ରୋଗରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଏ । ହଠାତ ହେଉଥିବା ଏହି ବୃଦ୍ଧି ଯୋଗୁଁ ବିଦେଶରେ ଆମେ ଉନ୍ନତରୁ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଭୁଶୁଡ଼ି ପଡ଼ିବା ଦେଖିଛୁ । ଭାରତରେ ଏଭଳି ପରିସ୍ଥିତି ସୃଷ୍ଟି ନ ହେଉ ସେଥିପାଇଁ ହିଁ ଆମକୁ ନିରବଚ୍ଛିନ୍ନ ଭାବରେ ପ୍ରଚେଷ୍ଟା କରିବାକୁ ପଡ଼ିବ ।
ଆଉ ଜଣେ ଡାକ୍ତର ପୁଣେରୁ ଆମ ସହିତ ଯୋଡି ହୋଇଛନ୍ତି । ଡାକ୍ତର ଶ୍ରୀମାନ ୱରସେ ...
ଡାକ୍ତର ୱର୍ସେ : ନମସ୍ତେ । ନମସ୍ତେ ।
ମୋଦୀ ଜୀ : ନମସ୍ତେ! ଆପଣ ତ ସମ୍ପୂର୍ଣ୍ଣ ‘ମାନବ ସେବା ହିଁ ମାଧବ ସେବା’ର ମାନସିକତାର କାମରେ ଲାଗିଛନ୍ତି । ତେଣୁ ଆଜି ମୁଁ ଆପଣଙ୍କ ସହ କିଛି କଥା ହେବାକୁ ଚାହୁଁଛି ଯାହାକି ଦେଶବାସୀଙ୍କ ପାଇଁ ଆପଣଙ୍କ ବାର୍ତା ହେବ । ପ୍ରଥମ କଥା ହେଲା ଅନେକ ଲୋକଙ୍କ ମନରେ ଏ ପ୍ରଶ୍ନ ଥାଏ କି କେବେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା କଥା । ଆଉ କେବେ କରୋନା ଟେଷ୍ଟ କରାଇବା ଦରକାର? ଜଣେ ଚିକିତ୍ସକ ଭାବରେ ଆପଣ ତ ଆପଣଙ୍କୁ ଏହି କରୋନା ଆକ୍ରାନ୍ତଙ୍କ ପାଇଁ ସମର୍ପିତ କରିଦେଇଛନ୍ତି! ତେଣୁ ଆପଣଙ୍କ କଥାରେ ବେଶ୍ ଦମ୍ ଅଛି, ମୁଁ ସେସବୁ ଶୁଣିବାକୁ ଚାହୁଁଛି ।
ଡାକ୍ତର ୱର୍ସେ : ସାର୍! ଆମର ଏଠି ବି.ଜେ. ମେଡ଼ିକାଲ କଲେଜ, ପୁଣେରେ ଅଛି । ମୁଁ ସେଠି ପ୍ରଫେସର ଅଛି । ଆଉ ଆମର ପୁଣେ ମହାନଗର ନିଗମ ହସପିଟାଲ ରହିଛି, ନାଇଡୁ ହସପିଟାଲ୍ ନାଁରେ । ସେଠାରେ ଜାନୁୟାରୀ 2020ରୁ ଗୋଟିଏ ସ୍କ୍ରନିଂ ସେଣ୍ଟର ଆରମ୍ଭ ହୋଇଛି । ଆଜିପର୍ଯ୍ୟନ୍ତ ସେଠାରେ 16ଟି କୋଭିଡ-19 ପଜିଟିଭ ମାମଲା ବାହାରିଛି । ଆଉ ଯେଉଁ 16ଟି କୋଭିଡ-19 ପଜିଟିଭ କେସ ଜଣାପଡିଛି, ସେମାନଙ୍କୁ ଚିକିତ୍ସା କରି, କ୍ୱାରେଣ୍ଟାଇନ କରି, ଆଇସୋଲେସନରେ ରଖି 7 ଜଣଙ୍କୁ ଡିସଚାର୍ଜ କରିଦିଆଯାଇଛି ସାର୍ । ଆଉ ଯେଉଁ ବାକି 9 ଜଣ ଅଛନ୍ତି, ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ସେମାନେ ଭଲ ଅଛନ୍ତି । ଯଦିଓ ସେମାନଙ୍କ ଦେହରେ ଭୂତାଣୁ ଅଛି, ତଥାପି ସେମାନେ କରୋନା ଭୂତାଣୁ ମୁକ୍ତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି । ଆଉ ଏବେ ସେଠି ଯେଉଁ ନମୁନା ଆକାର ଅଛି ଏମିତିରେ ଛୋଟ ଅଛି ସାର୍ ମାତ୍ର 16ଟି ମାମଲା । କିନ୍ତୁ ଯାହା ଜଣାପଡୁଛି, ଯୁବବର୍ଗ ବି ଆକ୍ରାନ୍ତ ହେଉଛନ୍ତି । ଆଉ ଯୁବବର୍ଗ ଆକ୍ରାନ୍ତ ହେଲେ ବି ଇଏ ଯେଉଁ ପ୍ରକାରର ରୋଗ, ବେଶୀ ସିରିୟସ୍ ରୋଗ ନୁହେଁ ସାର୍ । ଇଏ ସାମାନ୍ୟ ରୋଗ ଆଉ ସେ ରୋଗୀମାନେ ବି ପୂରା ସୁସ୍ଥ ହେଉଛନ୍ତି । ଆଉ ଏବେ ଯେଉଁ 9 ଜଣ ବାକି ରହିଛନ୍ତି ସେଠାରେ ସେମାନେ ବି ଭଲ ହେବେ, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯେମିତି ଖରାପ ନ ହୁଏ, ତା’ଉପରେ ଆମେ ପ୍ରତିଦିନ ନଜର ରଖୁଛୁ । ସେମାନେ 4/5 ଦିନ ଭିତରେ ଭଲ ହୋଇଯିବେ । ଯେଉଁମାନେ କରୋନା ହୋଇଥିବାର ସନ୍ଦେହ କରି ଚିକିତ୍ସା ପାଇଁ ଏଠିକୁ ଆସୁଛନ୍ତି, ଆନ୍ତର୍ଜାତୀୟ ପର୍ଯ୍ୟଟକ ଆଉ ଯିଏ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେଭଳି ଲୋକମାନଙ୍କର ଆମେ ସ୍ୱାବ ନେଉଛୁ ପରୀକ୍ଷା ପାଇଁ । ଓରୋଫାରି ଓରୋଫେରିଞ୍ଜିଆଲ ସ୍ୱାବ ଏବଂ ନାଜାଲ ସ୍ୱାବ ନେଉଛୁ । ନାଜାଲ ସ୍ୱାବ ରିପୋର୍ଟ ଆସିବା ପରେ ଯଦି ପଜିଟିଭ ଜଣାପଡ଼ିଲା ତା’ହେଲେ ଆମେ ତାଙ୍କୁ ପଜିଟିଭ ୱାର୍ଡରେ ଭର୍ତି କରିଦେଉଛୁ । ଆଉ ଯାହାର ନେଗେଟିଭ ବାହାରିଲା, ତାଙ୍କୁ ନିଜ ଘରେ କେମିତି ହୋମ କ୍ୱାରେଣ୍ଟାଇନ ବା ସଙ୍ଗରୋଧରେ ରହିବେ ସେସବୁ ପରାମର୍ଶ ଦେଇ ତାଙ୍କୁ ଘରକୁ ପଠାଇଦେଉଛୁ ।
ମୋଦୀଜୀ : ଆପଣ ସେମାନଙ୍କୁ କ’ଣ ବୁଝାଉଛନ୍ତି? ଘରେ ରହିବା ପାଇଁ କ’ଣ ପରାମର୍ଶ ଦେଉଛନ୍ତି!!
ଡାକ୍ତର ୱର୍ସେ : ସାର୍, ଯଦି ଜଣେ ଘରେ ରହିବେ, ତା’ହେଲେ ଘରେ ବି ନିଜେ ନିଜକୁ କ୍ୱାରୋଣ୍ଟାଇନ କରିବାକୁ ପଡ଼ିବ । ପ୍ରଥମ କଥାହେଲା ଅତି କମ୍ରେ ପରିବାରର ପ୍ରତି ସଦସ୍ୟଙ୍କଠାରୁ ଛଅଫୁଟ୍ ବ୍ୟବଧାନ ରଖିବାକୁ ପଡ଼ିବ । ଦ୍ୱିତୀୟ କଥା ହେଲା, ମାସ୍କ ପିନ୍ଧିବାକୁ ପଡ଼ିବ ଏବଂ ବାରମ୍ବାର ହାତକୁ ସଫା କରିବାକୁ ହେବ । ଯଦି ଆପଣଙ୍କ ପାଖରେ ସାନିଟାଇଜର ନାହିଁ, ତା’ହେଲେ ସାଧାରଣ ସାବୁନ୍ରେ ହାତକୁ ବାରମ୍ବାର ଧୋଇବାକୁ ହେବ । କାଶ-ଛିଙ୍କ ଲାଗିଲେ, ସାଦା ରୁମାଲ୍ ମୁହଁରେ ଦେଇ ତା’ରି ଉପରେ ଛିଙ୍କିବେ କିମ୍ବା କାଶିବେ । ତା’ହେଲେ କାଶ ଛିଙ୍କରୁ ନିର୍ଗତ ହେଉଥିବା ଛେପ ଶିଙ୍ଘାଣି ବେଶୀ ଦୂରକୁ ଯିବନି ପୁଣି ଆଉ ମାଟିରେ ବି ପଡ଼ିବନି ଯାହାଯୋଗୁଁ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିବନି । ଆଉ ଗୋଟିଏ କଥା ହେଲା ସାର୍, ସେମାନଙ୍କୁ ଘରେ ସଂଗରୋଧରେ ରହିବାକୁ ହେବ । ସେମାନେ ଆଦୌ ଘରୁ ବାହାରକୁ ଯିବେନି । ଏବେ ତ ଲକଡାଉନ ହୋଇଯାଇଛି । ଏହି ଅବସ୍ଥାରେ, ସେମାନେ ଘର ଭିତରେ ସଂଗରୋଧ ହୋଇ ଏକାନ୍ତବାସରେ 14 ଦିନ ପାଇଁ ଲକ୍ଡାଉନ୍ ହୋଇ ରହିବା ଆବଶ୍ୟକ । ଏଇସବୁ କଥା ଆମେ ସେମାନଙ୍କୁ ପରାମର୍ଶ ଦେଇଥାଉ ସାର୍ ।
ମୋଦୀଜୀ : ଯାହାହେଉ, ଡକ୍ଟର, ଆପଣ ତ ବହୁତ ଭଲ ସେବା କରୁଛନ୍ତି ଆଉ ସମର୍ପଣ ଭାବରେ କରୁଛନ୍ତି, ଆଉ ଆପଣଙ୍କ ପୂରା ଟିମ ବି କାମରେ ଲାଗିଛି । ମୋର ବିଶ୍ୱାସ, ଆମର ଯେତେ ରୋଗୀ ଆସିଛନ୍ତି, ସମସ୍ତେ ଆରୋଗ୍ୟଲାଭ କରି ନିଜ ନିଜ ଘରକୁ ଯିବେ ଏବଂ ଆପଣ ସମସ୍ତଙ୍କ ସହଯୋଗରେ ଦେଶ ବି ଏ ଯୁଦ୍ଧ ଜିତିବ । ଡାକ୍ତର : ସାର୍ ମୋର ବିଶ୍ୱାସ ଯେ ଆମେ ଜିତିବୁ । ଏହି ଯୁଦ୍ଧ ଜିତିଯିବୁ ।
ମୋଦୀଜୀ : ବହୁତ ବହୁତ ଶୁଭକାମନା ଡାକ୍ତର - ଆପଣଙ୍କୁ ଧନ୍ୟବାଦ ଡକ୍ଟର ।
ଡାକ୍ତର : ଥ୍ୟାଙ୍କ୍ ୟୁ, ଥ୍ୟାଙ୍କ୍ ୟୁ ସାର୍ ।
ବନ୍ଧୁଗଣ!
ଆମର ଏ ସମସ୍ତ ସାଥୀ ପୂରା ଦେଶକୁ ଏଇ ବିପଦରୁ ମୁକୁଳାଇବାକୁ ଲାଗିପଡ଼ିଛନ୍ତି । ଏମାନେ ଯୋଉ କଥା ଆମକୁ କହୁଛନ୍ତି ଏହା କେବଳ ଶୁଣିବା ପାଇଁ ନୁହେଁ ବରଂ ନିଜ ଜୀବନରେ ପ୍ରୟୋଗ କରିବା କଥା । ଆଜି ଯେତେବେଳେ ମୁଁ ଡାକ୍ତରମାନଙ୍କ ତ୍ୟାଗ, ତପସ୍ୟା ଓ ସମର୍ପଣ ଦେଖୁଛି ସେତେବେଳେ ମୋତେ ଆଚାର୍ଯ୍ୟ ଚରକ କହିଥିବା କଥା ମନେପଡ଼ୁଛି । ଆଚାର୍ଯ୍ୟ ଚରକ ଡାକ୍ତରଙ୍କ ପାଇଁ ଉପଯୁକ୍ତ କଥା କହିଛନ୍ତି ଏବଂ ଆଜିବି ଆମେ ଡାକ୍ତରମାନଙ୍କ ଜୀବନରେ ତାହା ଦେଖୁଛେ - ଆଚାର୍ଯ୍ୟ ଚରକ କହିଥିଲେ – ନ ଆତ୍ମାର୍ଥମ୍ ନ ଅପି କାମାର୍ଥମ୍ ଅଦଭୁତ ଦୟାଂ ପ୍ରତି ବର୍ତତେ ୟତ୍ ଚିକିତ୍ସାୟାଂ ସ ସ୍ୱୟମ୍ ଇତି ବର୍ତତେ ..... ମାନେ ଧନ ବା କୌଣସି ବିଶେଷ କାମନାକୁ ନେଇ ନୁହେଁ ବରଂ ରୋଗୀର ସେବା କରି ଦୟାଭାବ ରଖି କାମ କରିବା ହିଁ ଶ୍ରେଷ୍ଠ ଚିକିତ୍ସକ ହୋଇଥାଏ ।
ବନ୍ଧୁଗଣ!
ମାନବତାରେ ପୂର୍ଣ୍ଣ ନର୍ସଙ୍କୁ ମୁଁ ଆଜି ପ୍ରଣାମ କରୁଛି - ଆପଣମାନେ ସମସ୍ତେ ଯେଉଁ ସେବାଭାବ ସହ କାମ କରୁଛନ୍ତି ତାହା ଅତୁଳନୀୟ – ଏଇଟା ବି ଗୋଟେ ସଂଯୋଗର କଥା ଏଇବର୍ଷ ଅର୍ଥାତ୍ 2020 ମସିହାକୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଓ ମିଡୱାଇଭସ ବର୍ଷର ଭାବେ ପାଳନ କରାଯାଉଛି – ଏହାର ସମ୍ବନ୍ଧ 200 ବର୍ଷ ପୂର୍ବେ 1820ରେ ଜନ୍ମ ନେଇଥିବା ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ସହ ଯୋଡ଼ି ହୋଇଛି - ଯିଏ ମାନବ ସେବା ଭାବରେ ନର୍ସିଂକୁ ଏକ ନୂଆ ପରିଚୟ ଦେଲେ – ଗୋଟିଏ ନୂଆ ଶିଖରକୁ ପହଁଚାଇଲେ - ଦୁନିଆରେ ପ୍ରତ୍ୟେକ ନର୍ସଙ୍କର ସେବାଭାବ ପ୍ରତି ସମର୍ପିତ ଏଇ ବର୍ଷକୁ ନିଶ୍ଚିତ ଭାବେ ପୁରା ନର୍ସିଂ ସମ୍ପ୍ରଦାୟ ପ୍ରତି ଏକ ବଡ଼ ପରୀକ୍ଷାର ସମୟ ଭାବେ ଉଭାହୋଇଛି – ମୋର ବିଶ୍ୱାସ କି ଆପଣମାନେ ସମସ୍ତେ ଏହି ପରୀକ୍ଷାରେ କେବଳ ସଫଳ ହେବେନି ବରଂ ଅନେକ ଜୀବନ ବି ବଞ୍ଚାଇବେ । ଆପଣମାନଙ୍କ ପରି ସାଥୀମାନଙ୍କର ମନୋବଳ ଓ ଉତ୍ସାହ କାରଣରୁ ହିଁ ଏତେବଡ଼ ଯୁଦ୍ଧ ଆମେ ଲଢ଼ିପାରୁଛୁ । ଆପଣମାନଙ୍କ ଭଳି ସାଥୀ ସିଏ ଡାକ୍ତର ହୁଅନ୍ତୁ, ନର୍ସ ହୁଅନ୍ତୁ, ପାରମେଡିକାଲ, ଆଶା, ଏଏନଏମ ବା ସଫେଇ କର୍ମଚାରୀ ଆପଣମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଦେଶ ଚିନ୍ତା କରୁଛି – ଏହାକୁ ଦୃଷ୍ଟିରେ ରଖି ଏଇଭଳି ପ୍ରାୟ 20 ଲକ୍ଷ ସାଥୀଙ୍କ ପାଇଁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମାର ଘୋଷଣା ସରକାର କରିଛନ୍ତି ଯାହାଦ୍ୱାରା ଆପଣମାନେ ଏ ଯୁଦ୍ଧରେ ଅଧିକ ଆତ୍ମବିଶ୍ୱାସର ସହ ଦେଶକୁ ନେତୃତ୍ୱ ଦେଇପାରିବେ।
ମୋର ପ୍ରିୟ ଦେଶବାସୀଗଣ,
କରୋନା ଭୂତାଣୁ ବିରୁଦ୍ଧରେ ଏହି ଯୁଦ୍ଧରେ ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସମାଜର ପ୍ରକୃତ ହିରୋ ଏବଂ ଏଇ ପରିସ୍ଥିତିରେ ମଧ୍ୟ ସେମାନେ ଆଗରେ ଠିଆ ହୋଇଛନ୍ତି । ମୋତେ ନରେନ୍ଦ୍ର ମୋଦୀ ଆପ୍ରେ, ନମୋ ଆପରେ ବେଙ୍ଗାଲୁରୁର ନିରଂଜନ ସୁଧାକର ହେବବାଲେ ଲେଖିଛନ୍ତି କି ଏହି ଲୋକମାନେ ହିଁ ଦୈନନ୍ଦିନ ଜୀବନର ହିରୋ । ଏକଥା ସମ୍ପୂର୍ଣ୍ଣ ଠିକ୍ – ଏହି ଲୋକମାନଙ୍କ ଯୋଗୁଁ ଆମର ନିତିଦିନିଆ ଜୀବନ ଆରାମରେ କଟୁଛି - ଆପଣମାନେ ଭାବନ୍ତୁ ତ! ଦିନଟିଏ ଆପଣଙ୍କ ଘର ନଳରେ ଯଦି ପାଣି ବନ୍ଦ ହୋଇଯାଏ ବା ଅଚାନକ ଯଦି ଆପଣଙ୍କ ଘରୁ ବିଜୁଳି କଟିଯାଏ, ତାହେଲେ ସେଠାରେ ଏଇ ଦୈନନ୍ଦିନ ଜୀବନର ହିରୋ ମାନ ହିଁ ଆମର ଏସବୁ ଅସୁବିଧା ଦୂର କରିଥାନ୍ତି । ଆପଣ ଟିକିଏ ଆପଣଙ୍କ ଘର ପାଖରେ ଥିବା ଛୋଟିଆ ତେଜରାତି ଦୋକାନ ସମ୍ପର୍କରେ ଚିନ୍ତା କରନ୍ତୁ ତ! ଆଜିର ଏଇ କଠିନ ସମୟରେ, ସେଇ ଦୋକାନୀ ବି ବିପଦ ମୁଣ୍ଡାଉଛି – କ’ଣ ପାଇଁ ....? ଏଇଥିପାଇଁ ଯେ ଆପଣମାନଙ୍କୁ ଜରୁରୀ ଜିନିଷପତ୍ର ମିଳିବାରେ ଯେମିତି କୌଣସି ପ୍ରକାର ଅସୁବିଧା ନ ହୁଏ । ଠିକ୍ ସେଇପରି, ସେଇ ଚାଳକମାନେ ସେଇ କର୍ମଚାରୀମାନଙ୍କ ସମ୍ପର୍କରେ ଭାବନ୍ତୁ, ଯେଉଁମାନେ ଅନବରତ ନିଜ କାମରେ ନିୟୋଜିତ ରହୁଛନ୍ତି । କାହିଁକିନା ସମ୍ପୂର୍ଣ୍ଣ ଦେଶରେ ଆବଶ୍ୟକ ଜିନିଷପତ୍ରର ଯୋଗାଣ ଶୃଙ୍ଖଳାରେ ଯେଭଳି କୌଣସି ପ୍ରତିବନ୍ଧକ ନ ଆସେ । ଆପଣମାନେ ଦେଖିଥିବେ, ବ୍ୟାଙ୍କିଙ୍ଗ ସେବାକୁ ସରକାର ଚାଲୁରଖିଛନ୍ତି । ଆଉ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଆମର ଲୋକେ ପୁରା ନିଷ୍ଠା, ପୂରା ଧ୍ୟାନ ଦେଇ ଏଇ ଯୁଦ୍ଧର ନେତୃତ୍ୱ ନେଇ ବ୍ୟାଙ୍କଗୁଡ଼ିକ ସମ୍ଭାଳୁଛନ୍ତି । ଆପଣଙ୍କ ସେବା କରୁଛନ୍ତି । ଆଜିର ସମୟରେ ସେବା କିଛି ଛୋଟ କଥା ନୁହେଁ । ସେଇ ବ୍ୟାଙ୍କ କର୍ମଚାରୀମାନଙ୍କୁ ଆମେ ଯେତେ ଧନ୍ୟବାଦ ଦେବା ତାହା ବି କମ୍ ହୋଇପାରେ । ଇ-କମର୍ସ ସହିତ ଜଡ଼ିତ କମ୍ପାନୀମାନଙ୍କର ଆମର ଅନେକ ସାଥୀ ଡେଲିଭରୀ ପର୍ସନ ଭାବେ କାମ କରୁଛନ୍ତି । ଏମାନେ ଏଇ କଠିନ ସମୟରେ ମଧ୍ୟ ତେଜରାତି ଜିନିଷ ପ୍ରଦାନ କରିବା କାମରେ ଲାଗିରହିଛନ୍ତି । ଟିକେ ଭାବନ୍ତୁ, ଆପଣମାନେ ଲକଡାଉନ ସମୟରେ ମଧ୍ୟ ଯେଉଁ ଟିଭି ଦେଖିପାରୁଛନ୍ତି; ଘର ଭିତରେ ରହି ଯେଉଁ ଫୋନ ବା ଇଣ୍ଟରନେଟ ବ୍ୟବହାର କରିପାରୁଛନ୍ତି ସେସବୁକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ କେହି ନା କେହି ନିଜ ଜୀବନକୁ ବାଜି ଲଗାଉଛି । ଏ ଭିତରେ ଆପଣମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ଯେଉଁ ଡିଜିଟାଲ ପେମେଣ୍ଟ ଅତି ସହଜରେ କରିପାରୁଛନ୍ତି ତା’ପଛରେ ମଧ୍ୟ ଅନେକ ଲୋକ କାମ କରୁଛନ୍ତି । ଲକଡାଉନ ସମୟରେ ଏମାନେ ସେହି ଲୋକ ଯିଏ ଏପରି କାମ ସବୁ ସମ୍ଭାଳିଛନ୍ତି । ଆଜି ସମସ୍ତ 18 ଦେଶବାସୀଙ୍କ ତରଫରୁ ମୁଁ ସେଇ ସମସ୍ତ ଲୋକଙ୍କ ପ୍ରତି ଧନ୍ୟବାଦ ଜ୍ଞାପନ କରୁଛି ଏବଂ ସେମାନଙ୍କୁ ଅନୁରୋଧ କରୁଛି କି ସେମାନେ ନିଜ ପାଇଁ ବି ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଅନ୍ତୁ । ନିଜର ଯତ୍ନ ନିଅନ୍ତୁ ଏବଂ ନିଜ ପରିବାରର ମଧ୍ୟ ଯତ୍ନ ନିଅନ୍ତୁ! ମୋର ପ୍ରିୟ ଦେଶବାସୀଗଣ! ମୋତେ ଏମିତି କିଛି ଘଟଣା ସମ୍ପର୍କରେ ସୂଚନା ମିଳୁଛି ଯେ ଯେଉଁମାନେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ବା ଯେଉଁମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି, ସେମାନଙ୍କ ସହିତ କିଛି ଲୋକ ଖରାପ ବ୍ୟବହାର କରୁଛନ୍ତି । ଏଭଳି କଥାଶୁଣି ମୋତେ ଖୁବ୍ ଦୁଃଖ ଲାଗିଲା । ଏହା ଅତିମାତ୍ରାରେ ଦୁର୍ଭାଗ୍ୟପୂର୍ଣ୍ଣ । ଆମକୁ ଏକଥା ବୁଝିବାକୁ ହେବ, ସାମ୍ପ୍ରତିକ ପରିସ୍ଥିତିରେ ଜଣେ ଜଣଙ୍କଠାରୁ ମାତ୍ର ସାମାଜିକ ଦୂରତା ପାଳନ କରିବ, କିନ୍ତୁ ଭାବଗତ ବା ମାନବୀୟ ଦୂରତା ନୁହେଁ । ଏମିତି ଲୋକ ଅପରାଧି ନୁହନ୍ତି, ବରଂ ଭୂତାଣୁ ଦ୍ୱାରା ସମ୍ଭାବିତ ପୀଡ଼ିତ ମାତ୍ର । ଏମାନେ ଏଇ ଭୂତାଣୁ ସଂକ୍ରମଣରୁ ଅନ୍ୟମାନଙ୍କୁ ବଂଚାଇ ରଖିବା ପାଇଁ ନିଜକୁ ଅଲଗା କରି ରଖିଛନ୍ତି ଏବଂ କ୍ୱାରେଣ୍ଟାଇନରେ ରହୁଛନ୍ତି । ଅନେକ ସ୍ଥାନରେ ଲୋକମାନେ ନିଜର ଦାୟିତ୍ୱକୁ ଗଭୀରତାର ସହିତ ନେଇଛନ୍ତି । ଏପରିକି ଭୂତାଣୁର କୌଣସି ଲକ୍ଷଣ ଦେଖାନଯିବା ସତ୍ତ୍ବେ ନିଜେ ନିଜକୁ କ୍ୱାରୋଂଟାଇନ କରିଛନ୍ତି । ଏହା ସେମାନେ ଏଥିପାଇଁ କରୁଛନ୍ତି କାହିଁକି ନା ସେମାନେ ବିଦେଶରୁ ଫେରିଛନ୍ତି ଏବଂ ଦୁଇଗୁଣ ସାବଧାନତା ଆପଣେଇଛନ୍ତି । ସେମାନେ ଏହା ସୁନିଶ୍ଚିତ କରିବାକୁ ଚାହାଁନ୍ତି ଯେ, କୌଣସି ବି ପରିସ୍ଥିତିରେ ଯେମିତି ଅନ୍ୟ କୌଣସି ଦ୍ୱିତୀୟ ବ୍ୟକ୍ତିକୁ ଏଇ ଭୂତାଣୁ ସଂକ୍ରମଣ ନ ହେଉ । ଏଥିପାଇଁ ଲୋକେ ଯେତେବେଳେ ନିଜର ଦାୟିତ୍ୱ ପ୍ରତି ଏତେ ପରିମାଣରେ ସଚେତନ ଅଛନ୍ତି ସେମାନଙ୍କ ପ୍ରତି ଖରାପ ବ୍ୟବହାର କରିବା ଆଦୌ ଉଚିତ ନୁହେଁ । ବରଂ ସେମାନଙ୍କ ସହିତ ସହାନୁଭୂତି ପୂର୍ବକ ସହଯୋଗ କରିବା ଆବଶ୍ୟକ । କରୋନା ଭୂତାଣୁ ସହ ଲଢ଼ିବାର ସର୍ବୋତମ ମାଧ୍ୟମ ହେଉଛି ସୋସିଆଲ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ୱ, କିନ୍ତୁ ଆମକୁ ବୁଝିବାକୁ ପଡ଼ିବ ଯେ, ସୋସିଆଲ ଡିଷ୍ଟାନ୍ସିଂ ମାନେ ସୋସିଆଲ ଇଣ୍ଟରଆକ୍ସନକୁ ସମାପ୍ତ କରିବା ନୁହେଁ, ବରଂ ବାସ୍ତବରେ ଏଇ ସମୟରେ ନିଜର ସମସ୍ତ ପୁରୁଣା ସାମାଜିକ ସମ୍ପର୍କକୁ ନବ-ଜୀବନ ଦେବା । ଏହା ଏକ ପ୍ରକାରର ସେଇ ସମସ୍ତ ସମ୍ପର୍କକୁ ପୁଣିଥରେ ଉଜ୍ଜୀବିତ କରିବାର ସମୟ । ଏ ସମୟ ଏକ ପ୍ରକାର ଆମକୁ ସୂଚାଇଦିଏ ଯେ ସୋସିଆଲ ଡିଷ୍ଟାନ୍ସିଂ ବଢ଼ାନ୍ତୁ ଏବଂ ଇମୋସନାଲ ଡିଷ୍ଟାନ୍ସ କମ୍ କରନ୍ତୁ । ମୁଁ ପୁଣି କହିରଖେ, ସୋସିଆଲ ଡିଷ୍ଟାନ୍ସିଂ ବଢ଼ାନ୍ତୁ ଏବଂ ଇମୋସନାଲ ଡିଷ୍ଟାନ୍ସକମାନ୍ତୁ ।
କୋଟାରୁ ୟଶବର୍ଦ୍ଧନ ନରେନ୍ଦ୍ର ମୋଦୀ ଆପରେ ଲେଖିଛନ୍ତି ଯେ ଲକଡାଉନ ପାରିବାରିକ ସମ୍ପର୍କକୁ ସୁଦୃଢ଼ କରିଛି । ପିଲାଙ୍କ ସହିତ ବୋର୍ଡ ଗେମ୍ସ ଏବଂ କ୍ରିକେଟ ଖେଳୁଛନ୍ତି । ରୋଷେଇ ଘରେ ନୂଆ ନୂଆ ଖାଇବା ପ୍ରସ୍ତୁତ କରୁଛନ୍ତି । ଜବଲପୁରର ନିରୂପମା ହର୍ଷେୟ ନରେନ୍ଦ୍ର ମୋଦୀ ଆପରେ ଲେଖିଛନ୍ତି ଯେ ତାଙ୍କୁ ପ୍ରଥମ ଥର ପାଇଁ ରେଜେଇ ତିଆରି କରିବାର ନିଜ ରୁଚି ପୂରା କରିବାର ସୁଯୋଗ ମିଳିଲା । ଖାଲି ଏତିକି ନୁହେଁ, ଏହାସହିତ ସେ ବଗିଚା କାମର ରୁଚି ମଧ୍ୟ ପୂରଣ କରିପାରୁଛନ୍ତି । ସେଇପରି ରାୟପୁରର ପରୀକ୍ଷିତ, ଗୁରୁଗ୍ରାମର ଆର୍ଯ୍ୟମନ୍ ଏବଂ ଝାଡ଼ଖଣ୍ଡର ସ୍ୱରଜୀଙ୍କର ପୋଷ୍ଟ ପଢ଼ିବାକୁ ମିଳିଲା ଯେଉଁଠି ସେମାନେ ନିଜର ବିଦ୍ୟାଳୟ ସାଥୀମାନଙ୍କର ଇ-ପୁନର୍ମିଳନ କରିବାର କଥା କହିଛନ୍ତି । ସେମାନଙ୍କର ଏଇ ଉପାୟ ଖୁବ୍ ରୋଚକପୂର୍ଣ୍ଣ । ହୁଏତ ଆପଣମାନଙ୍କୁ ମଧ୍ୟ ଅନେକ ବର୍ଷରୁ ସ୍କୁଲ କଲେଜର ପୁରୁଣା ସାଙ୍ଗସାଥୀଙ୍କ ସହିତ କଥାହେବାର ସୁଯୋଗ ମିଳି ନ ଥାଇପାରେ । ଆପଣମାନେ ବି ଏଇ ଉପାୟକୁ ବ୍ୟବହାର କରିପାରନ୍ତି । ଭୁବନେଶ୍ୱରର ପ୍ରତ୍ୟୁଷ ଏବଂ କଲିକତାର ବସୁଧା କହିଛନ୍ତି ଯେ, ସେମାନେ ସେହି ବହିଗୁଡ଼ିକ ପଢ଼ୁଛନ୍ତି ଯାହାକୁ ପୂର୍ବରୁ ପଢ଼ିପାରିନଥିଲେ । ସୋସିଆଲ ମିଡିଆରେ ମୁଁ ଦେଖିଛି ଯେ କିଛି ଲୋକ ଅନେକ ବର୍ଷରୁ ଘରେ ବନ୍ଦ ପଡ଼ିଥିବା ତବଲା, ବୀଣା ପରି ବାଦ୍ୟ ଯନ୍ତ୍ର ବାହାର କରି ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି । ଆପଣ ବି ଏମିତି କରିପାରିବେ । ଏଥିରେ ଆପଣ ସଙ୍ଗୀତର ଆନନ୍ଦ ଉଠାଇବା ସହ ଆପଣଙ୍କର କିଛି ପୁରୁଣା ସ୍ମୃତି ମଧ୍ୟ ସତେଜ ହୋଇଯିବ । ମାନେ ଅସୁବିଧାର ଏଇ କ୍ଷଣରେ ଆପଣଙ୍କୁ ଅସୁବିଧା ଭିତରୁ ଏମିତି କିଛି ମୁହୂର୍ତ ମିଳିଛି, ଯେଉଁଠି ଆପଣଙ୍କୁ ନିଜ ସହିତ ଯୋଡ଼ିହେବାର ସୁଯୋଗ କେବଳ ମିଳିବନି, ବରଂ ଆପଣ ନିଜର ରୁଚି ସହିତ ବି ଯୋଡ଼ି ହୋଇଯିବେ । ଆପଣ ନିଜର ପୁରୁଣା ବନ୍ଧୁ ତଥା ପରିବାର ସହ ମଧ୍ୟ ଯୋଡ଼ି ହେବାର ସୁଯୋଗ ପାଇଯିବେ ।
ନମୋ ଆପ୍ରେ ମତେ ରୁରକୀର ଶଶୀଜୀ ପଚାରିଛନ୍ତି ଯେ ଖକ୍ଟମଳୟକ୍ଟଙ୍ଗଦ୍ଭ ସମୟରେ ମୁଁ ନିଜର ଫିଟନେସ ପାଇଁ କ’ଣ କରୁଛି? ଏଇ ପରିସ୍ଥିତିରେ ମୁଁ ନବରାତ୍ରର ଉପାସ କେମିତି ରଖୁଛି? ମୁଁ ଆଉଥରେ ଆପଣମାନଙ୍କୁ କହୁଛି ଯେ ମୁଁ ଆପଣମାନଙ୍କୁ ବାହାରକୁ ବାହାରିବା ପାଇଁ ମନା କରିଛି କିନ୍ତୁ ଆପଣଙ୍କୁ ନିଜ ଭିତରେ ନିଜକୁ ଦେଖିବାର ସୁଯୋଗ ଦେଇଛି – ଏଇଟା ଗୋଟେ ସୁଯୋଗ । ବାହାରକୁ ବାହାରିବାନି, କିନ୍ତୁ ନିଜ ଭିତରେ ନିଜେ ପ୍ରବେଶ କରିବା, ନିଜକୁ ନିଜେ ଜାଣିବାର ଚେଷ୍ଟା କରିବା । ଆଉ ନବରାତ୍ରୀର ଉପବାସ କଥା, ଏଇଟା ମୋର ଶକ୍ତି ଓ ଭକ୍ତିର କଥା । ଆଉ ଫିଟନେଓ କଥା କହିଲେ ମୋତେ ଲାଗୁଛି କଥା ଲମ୍ବା ହୋଇଯିବ ତେଣୁ ମୁଁ ସୋସିଆଲ ମିଡିଆରେ ଏଇ ବିଷୟରେ କିଛି ଭିଡ଼ିଓ ଅପଲୋଡ କରୁଛି - ନରେନ୍ଦ୍ର ମୋଦୀ ଆପରେ ଆପଣ ନିଶ୍ଚୟ ଏହି ଭିଡ଼ିଓକୁ ଦେଖିବେ - ଯାହା ମୁଁ କରୁଛି ସମ୍ଭବତଃ ଏଥିରୁ କିଛି କଥା ଆପଣଙ୍କ କାମରେ ଆସିବ! କିନ୍ତୁ ଗୋଟେ କଥା ମନରେ ରଖିବେ ଯେ ମୁଁ ଫିଟନେଓ ବିଶେଷଜ୍ଞ ନୁହେଁ କି ମୁଁ ଯୋଗଶିକ୍ଷକ ନୁହେଁ – ମୁଁ କେବଳ ଜଣେ ଅଭ୍ୟାସକାରୀ । ହଁ ଏକଥା ମୁଁ ନିଶ୍ଚୟ ସ୍ୱୀକାର କରିବି ଯେ ଯୋଗର କେତେକ ଆସନରୁ ମୁଁ ବହୁତ ଲାଭ ପାଇଛି – ଲକଡାଉନ ସମୟରେ ହୁଏତ ଏକଥା ଆପଣଙ୍କ କାମରେ ଆସିପାରେ ।
ବନ୍ଧୁଗଣ,
କରୋନା ବିରୁଦ୍ଧରେ ଏଇ ଯୁଦ୍ଧ ଅଭୁତପୂର୍ବ ଏବଂ ଆହ୍ୱାନଭରା ମଧ୍ୟ । ଏଥିପାଇଁ ଏହି ସମୟରେ ଯେଉଁ ନିଷ୍ପତି ନିଆଯାଇଛି ତାହା ଦୁନିଆର ଇତିହାସରେ କେବେ ଦେଖାଯାଇନଥିଲା ବା ଶୁଣାଯାଇନଥିଲା – କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାହାସବୁ ପଦକ୍ଷେପ ଭାରତବାସୀ ନେଇଛନ୍ତି, ଯେଉଁ ଚେଷ୍ଟା ଆମେ କରୁଛେ ତାହା ଭାରତକୁ କରୋନା ମହାମାରୀ ଉପରେ ନିଶ୍ଚୟ ବିଜୟ ଦେବ – ଜଣେ ଜଣେ ଭାରତୀୟଙ୍କ ସଂଯମ ଓ ସଂକଳ୍ପ ମଧ୍ୟ ଆମକୁ ଏଇ ଅସୁବିଧାଜନକ ସ୍ଥିତିରୁ ବାହାରକୁ ବାହାର କରିପାରିବ । ଏଥିସହିତ ଗରିବଙ୍କ ପ୍ରତି ଆମର ସମବେଦନା ଆହୁରି ଅଧିକ ହେବା ଆବଶ୍ୟକ । ଆମ ମାନବିକତାର ସୁଗନ୍ଧ ଏଇ କଥାରେ ଅଛି ଯେ - କୋଉଠି ବି ଯଦି କୌଣସି ଗରିବ, ଦୁଃଖୀ, ଭୋକିଲା ଲୋକ ଦେଖାଯାନ୍ତି, ତା’ହେଲେ ଏଇ ସଂକଟର କ୍ଷଣରେ ସର୍ବପ୍ରଥମେ ଆମେ ସେମାନଙ୍କ ପେଟ ଭରିବା, ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ଚିନ୍ତା କରିବା ଆଉ ଏକଥା ହିନ୍ଦୁସ୍ତାନ କରିପାରିବ । କାହିଁକି ନା ଏହା ଆମର ସଂସ୍କାର ଏହା ଆମର ସଂସ୍କୃତି । ମୋର ପ୍ରିୟ ଦେଶବାସୀଗଣ! ଆଜି ପ୍ରତ୍ୟେକ ଭାରତୀୟ, ନିଜ ଜୀବନର ରକ୍ଷା ପାଇଁ ଘରେ ଭିତରେ ଆବଦ୍ଧ । କିନ୍ତୁ ଆଗାମୀ ସମୟରେ ଏହି ଭାରତବାସୀ ନିଜ ଦେଶର ବିକାଶ ପାଇଁ ସମସ୍ତ ପ୍ରକାର ଗତିରୋଧକୁ ଭାଙ୍ଗି ଆଗକୁ ବଢ଼ିବେ, ଦେଶକୁ ଆଗକୁ ନେଇଯିବେ । ଆପଣମାନେ ଆପଣମାନଙ୍କ ପରିବାର ସାଥୀରେ ଘରେ ରୁହନ୍ତୁ । ସୁରକ୍ଷିତ ଆଉ ସାବଧାନ ରୁହନ୍ତୁ, ଆମକୁ ଏ ଯୁଦ୍ଧ ଜିତିବାକୁ ପଡ଼ିବ । ନିଶ୍ଚୟ ଜିତିବା । ‘ମନ କି ବାତ୍’ ପାଇଁ ପୁଣି ଆସନ୍ତା ମାସରେ ଭେଟହେବା ଆଉ ସେତେବେଳକୁ ଏଇ ସଂକଟକୁ ଟାଳିବାକୁ ଆମେ ସଫଳ ବି ହୋଇଯିବା – ଏଇ କଳ୍ପନା ସହିତ, ଏହି ଏକମାତ୍ର ଶୁଭକାମନା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
**************

(Release ID: 1609108)
Visitor Counter : 218