ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19ର ମୁକାବିଲା ପାଇଁ ଜାତୀୟ ଦୂରଭାଷ ପରାମର୍ଶ କେନ୍ଦ୍ର (କନଟେକ)ର ଶୁଭାରମ୍ଭ କଲେ ଡଃ ହର୍ଷ ବର୍ଦ୍ଧନ

Posted On: 28 MAR 2020 10:42AM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଶନିବାର ଜାତୀୟ ଦୂରଭାଷ ପରାମର୍ଶ କେନ୍ଦ୍ର (କନଟେକ)ର ଶୁଭାରମ୍ଭ କରିଛନ୍ତି । ଏହା ସହିତ ରାଜ୍ୟର ମେଡିକାଲ କଲେଜ ଓ ଦେଶରେ ଥିବା ଅନ୍ୟ ଏମ୍ସଗୁଡିକର ନୋଡାଲ ଅଫିସରମାନଙ୍କ ସହ ଆଲୋଚନା କରିବା ସହ କୋଭିଡ-19 ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

କୋଭିଡ-19 ଜାତୀୟ ଦୂରଭାଷ ପରାମର୍ଶ କେନ୍ଦ୍ରର ସଂକ୍ଷିପ୍ତ ରୂପ ହେଉଛି କନଟେକ ପ୍ରକଳ୍ପ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହାର ପରିକଳ୍ପନା କରିଥିଲେ ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ, ନୂଆଦିଲ୍ଲୀ ଏହାର କାର୍ଯ୍ୟାନ୍ୱୟନ କରିଥିଲେ ।

ଏହି ଅବସରରେ ଡଃ ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଦେଶର ବିଭିନ୍ନ ସ୍ଥାନର ଡାକ୍ତରମାନେ କୋଭିଡ-19 ରୋଗୀଙ୍କ ଚିକିତ୍ସା ବେଳେ ଏମ୍ସ ସହ ଯୋଗାଯୋଗ କରିପାରିବା ଉଦ୍ଦେଶ୍ୟରେ ସିଓଏନଟିଇସିକୁ କାର୍ଯ୍ୟକ୍ଷମ କରାଯାଇଛି । ଡାକ୍ତରମାନେ 24 ଘଣ୍ଟା ଉପସ୍ଥିତ ରହିବେ ଓ ଏହା 24 ଘଣ୍ଟା କାର୍ଯ୍ୟକ୍ଷମ ରହିବ । କେନ୍ଦ୍ରରେ କାମ କରୁଥିବା ଡାକ୍ତରମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି ଛୋଟ ଛୋଟ ରାଜ୍ୟମାନେ ଯେପରି ଏମ୍ସ ଡାକ୍ତରମାନଙ୍କ ବିସ୍ତୃତ ଅଭିଜ୍ଞତାର ସୁଯୋଗ ନେଇ ପାରିବେ ସେଥିପାଇଁ କେନ୍ଦ୍ରକୁ ଏମ୍ସରେ ସ୍ଥାପନ କରାଯାଇଛି । କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ ସାରା ବିଶ୍ୱର ଡାକ୍ତରମାନେ ବିଭିନ୍ନ ପ୍ରୋଟୋକଲ ବ୍ୟବହାର କରୁଛନ୍ତି । ଏହି କେନ୍ଦ୍ରର ଲକ୍ଷ୍ୟ ହେଲା ସାରା ଦେଶର ଡାକ୍ତରମାନଙ୍କୁ ଯୋଡ଼ିବା । ଯାହାଦ୍ୱାରା ସେମାନେ ଏକାଠି ପ୍ରୋଟୋକଲ ସମ୍ପର୍କରେ ଆଲୋଚନା କରିପାରିବେ ଓ ତଦନୁଯାୟୀ ସର୍ବୋତ୍ତମ ଉପଚାର ପ୍ରଦାନ କରିପାରିବେ ।

ଟେଲି ମେଡିସିନ ସମ୍ପର୍କିତ ଦିଶାନିର୍ଦ୍ଦେଶ ମଧ୍ୟ ଭାରତ ସରକାରଙ୍କ ଦ୍ୱାରା ଅଧିସୂଚିତ କରାଯାଇଛି । ଡିଜିଟାଲ ପ୍ଲାଟଫର୍ମ ତଥା ପ୍ରଯୁକ୍ତି ସାହାଯ୍ୟରେ ଲୋକେ କେବଳ କୋଭିଡ-19 ନୁହେଁ ଅନ୍ୟ ରୋଗର ଉପଚାର ପାଇପାରିବେ । ସମ୍ମାନଜନକ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଏହି ସେବା ଆରମ୍ଭ କରିବାର ପ୍ରମୁଖ ଉଦ୍ଦେଶ୍ୟ ହେଲା ଦରିଦ୍ର୍ୟତମ ବ୍ୟକ୍ତିଙ୍କୁ ସର୍ବୋତମ ଉପଚାର ପ୍ରଦାନ ବୋଲି ଡଃ ହର୍ଷ ବର୍ଦ୍ଧନ କହିଛନ୍ତି ।

ଭାରତ ଏକ ବିଶାଳ ଦେଶ ଓ ଦରିଦ୍ରଙ୍କ ନିକଟରେ ପହଁଚିବା ପାଇଁ ପ୍ରଯୁକ୍ତି ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଦେଶର ଦରିଦ୍ର ରୋଗୀଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଗୁଣବତ୍ତା ସମ୍ପନ୍ନ ଚିକିତ୍ସାରୁ ବଞ୍ଚିତ କରା ଯାଇପାରିବ ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଦରିଦ୍ରମାନଙ୍କୁ ମଧ୍ୟ ଦେଶର ସର୍ବୋଚ୍ଚ ଡାକ୍ତରମାନଙ୍କ ସୁବିଧା ମିଳିପାରିବ ।

ଏବେ ସାରା ବିଶ୍ୱରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଓ ଏହି ସମୟରେ ବର୍ତ୍ତମାନ ସୁବିଧାଗୁଡିକୁ ସମୟ ସମୟରେ ସୃଷ୍ଟି ହେଉଥିବା ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ । ବିଦେଶରେ ମଧ୍ୟ ଏହି ସୁବିଧାକୁ ବିସ୍ତାର କରିବାର ଯୋଜନା ରହିଛି ବୋଲି ସେ କହିଛନ୍ତି ।

ଦେଶର ସମସ୍ତ ମେଡିକାଲ କଲେଜ ଓ ଏମ୍ସକୁ ଏକାଠି ଯୋଡିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ଦେଶ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୀତି କାର୍ଯ୍ୟାନ୍ୱୟନରେ ଅଧିକ ସାହାଯ୍ୟ ମିଳିପାରିବ । ଜିଲ୍ଲା ଡାକ୍ତରଖାନାଗୁଡ଼ିକ ସହ ପରାମର୍ଶ, ଟେଲିମେଡିସିନ, ଶିକ୍ଷା, ପ୍ରଶିକ୍ଷଣ, ଆଲୋଚନା ଓ ପ୍ରୋଟୋକଲ ଆଦାନ ପ୍ରଦାନ ଆଦି କ୍ଷେତ୍ରରେ ସମନ୍ୱୟ ରଖିବା ପାଇଁ ଏମ୍ସକୁ ମାନକ ଭାବେ ବ୍ୟବହାର କରା ଯାଇପାରିବ । ଡଃ ହର୍ଷ ବର୍ଦ୍ଧନ ପ୍ରଣାଳୀର ପ୍ରଭାବଶୀଳତା ଯାଞ୍ଚ ପାଇଁ ଟେଷ୍ଟ କଲରେ ମଧ୍ୟ ଭାଗ ନେଇଥିଲେ ।

ଏମ୍ସ, ନୂଆଦିଲ୍ଲୀ ଦ୍ୱାରା ସ୍ଥାପିତ କନଟେକ ଏକ ଟେଲି ମେଡିସିନ ହବ୍ । ଯେଉଁଠି ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ 24 ଘଂଟା ଉପଲବ୍ଧ ରହି ସାରା ଦେଶର ବିଶେଷଜ୍ଞମାନେ ପଚାରୁଥିବା ବହୁମୁଖୀ ପ୍ରଶ୍ନର ଉତ୍ତର ଦେବେ । ଏହା ଏକ ମଲ୍ଟି ମୋଡାଲ ଟେଲିକମ୍ୟୁନିକେସନ ହବ, ଯାହା ମାଧ୍ୟମରେ ଉଭୟ ଅଡିଓ-ଭିଡିଓ ଓ ବିଷୟବସ୍ତୁ ସଂଚାର ଦେଶ ତଥା ବିଶ୍ୱର ଯେକୌଣସି ସ୍ଥାନରୁ ହୋଇପାରିବ । ଯୋଗାଯୋଗ ମାଧ୍ୟମରେ ସାଧାରଣ ମୋବାଇଲ ବାର୍ତ୍ତାଳାପ ତଥା ଦ୍ୱିମୁଖୀ ଭିଡିଓ ଯୋଗାଯୋଗ, ହ୍ୱାଟସଆପ୍, ସ୍କାଇପ୍ ଓ ଗୁଗଲ ଡୁଓ ଆଦି ସାମିଲ ରହିଛି ।

ଜାତୀୟ ମେଡିକାଲ କଲେଜ ନେଟୱର୍କ (ଏନଏମସିଏନ) ସହିତ କନଟେକ ସଂପୂର୍ଣ୍ଣ ଏକୀକୃତ । ଏସଜିପିଜିଆଇ, ଲକ୍ଷ୍ନୌ ସ୍ଥିତ ଜାତୀୟ ରିସୋର୍ସ କେନ୍ଦ୍ର ଏନଏମସିଏନ ସହ ସଂଯୁକ୍ତ 50ଟି ମେଡିକାଲ କଲେଜ ସହିତ ସଂପୂର୍ଣ୍ଣ ଭିଡିଓ କନଫରେନ୍ସ କରିପାରିବ ।

ଏମ୍ସର ନିର୍ଦ୍ଦେଶକ ଚୟନ କରିଥିବା ଟିମ୍ ବିକଶିତ କରିଥିବା ଜାତୀୟ ଦିଶାନିର୍ଦ୍ଦେଶକୁ ନେଇ ପ୍ରସ୍ତୁତ ପ୍ରୋଟୋକଲ ଅନୁଯାୟୀ ମାନକ ରୋଗୀ ପ୍ରବନ୍ଧନ ଉପଦେଶ ଦିଆ ଯାଇପାରିବ ।

କନଟେକ ସହ ଯୋଗାଯୋଗ କରିବେ କିପରି?

ଗୋଟିଏ ମୋବାଇଲ ନମ୍ବର (+919115444155) କୁ କୋଭିଡ-19 ଚିକିତ୍ସା କରୁଥିବା ବିଶ୍ୱ/ଦେଶର ଡାକ୍ତରମାନେ କନଟେକ ସହ ଯୋଗାଯୋଗ କରିପାରିବେ ।  6ଟି ଲାଇନକୁ ଏକା ସାଙ୍ଗରେ ବ୍ୟବହାର କରା ଯାଇପାରିବ । ଭବିଷ୍ୟତରେ ଦରକାର ପଡିଲେ ଏହି ଲାଇନ ସଂଖ୍ୟା ବୃଦ୍ଧି କରାଯିବ । ଇନକମିଂ କଲଗୁଡିକ କନଟେକର ପ୍ରବନ୍ଧକମାନେ ଉଠାଇବା ପରେ ସେମାନେ କୋଭିଡ-19 ଚିକିତ୍ସା କରୁଥିବା ବିଶେଷଜ୍ଞ ଡାକ୍ତରଙ୍କ ଫୋନକୁ  ନିର୍ଦ୍ଦିଷ୍ଟ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସହ ସଂଯୁକ୍ତ କରାଇ ଦେବେ ।

ପ୍ରବନ୍ଧକମାନେ କଲରଙ୍କ ପସନ୍ଦ ଅନୁଯାୟୀ ହ୍ୱାଟସଆପ୍, ସ୍କାଇପ କିମ୍ବା ଗୁଗୁଲ ଡୁଓ ଦ୍ୱିମୁଖୀ ଭିଡିଓ କଲ୍ ପାଇଁ ପଥ ପ୍ରଦର୍ଶନ କରୁଛନ୍ତି । ଏନଏମସିଏନ ନେଟୱର୍କର କଲର୍ ଟେଲିମେଡିସିନ ଭିତିଭୂମି ବ୍ୟବହାର କରି ଯେକୌଣସି ସମୟରେ ଯୋଡି ହୋଇପାରିବ ।

 

***********



(Release ID: 1608949) Visitor Counter : 179


Read this release in: English