ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ପାଣ୍ଠି)ରେ ମୁକ୍ତହସ୍ତରେ ଦାନ କରିବା ନିମନ୍ତେ ନିବେଦନ

Posted On: 28 MAR 2020 6:26PM by PIB Bhubaneshwar

କୋଭିଡ-19 ମହାମାରୀ ସାରା ବିଶ୍ୱ ପାଇଁ ଗମ୍ଭୀର ଆହ୍ୱାନ ସୃଷ୍ଟି କରିଛି ଏବଂ ସାରାବିଶ୍ୱର ଲୋକମାନଙ୍କ ସ୍ୱାସ୍ଥ୍ୟ ଓ ଆର୍ଥିକ ନିରାପତା ବିପନ୍ନ ହୋଇଛି । ଭାରତରେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣର ସତର୍କ ଘଣ୍ଟି ବାଜିସାରିଲାଣି । ଏହା ଆମ ଦେଶ ପାଇଁ ଗୁରୁତର ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିଛି । ଏଭଳି ଜରୁରିକାଳୀନ ସ୍ଥିତିରେ ସରକାରଙ୍କୁ ସହାୟତା କରିବା ଲାଗି ଉଦାରତା ପୂର୍ବକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସଂଖ୍ୟାଧିକ ସ୍ୱତଃପ୍ରବୃତ ଅନୁରୋଧ ପ୍ରାପ୍ତ ହେଉଛି ।

ପ୍ରାକୃତିକ କିମ୍ବା କୃତ୍ରିମ ବିପର୍ଯ୍ୟୟ ସ୍ଥିତିରେ, ପ୍ରଭାବିତଙ୍କ କଷ୍ଟ ଲାଘବ କରିବା ଲାଗି ତ୍ୱରିତ ଓ ସମ୍ମିଳିତ ପ୍ରୟାସର ଆବଶ୍ୟକତା ରହିଥାଏ । ଭିତ୍ତିଭୂମି ଓ ସାମର୍ଥ୍ୟ ଆଦି ପ୍ରତି ପହଁଚିଥିବା କ୍ଷତି ଭରଣା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଜରୁରି ହୋଇଥାଏ । ତେଣୁ  ଜରୁରିକାଳୀନ ସ୍ଥିତିରେ ତୁରନ୍ତ ସହାୟତା ଯୋଗାଇ ଦେବା ଏବଂ ଭିତ୍ତିଭୂମି ଓ ସଂସ୍ଥାଗତ ସାମର୍ଥ୍ୟ ପୁନଃନିର୍ମାଣ ଏବଂ ସମ୍ପ୍ରସାରଣ ଜରିଆରେ ପ୍ରଭାବୀ ସାମୁଦାୟିକ ସୁରକ୍ଷା ମଧ୍ୟ କରିବାକୁ ହୋଇଥାଏ । ନୂତନ ପ୍ରଯୁକ୍ତିର ପ୍ରୟୋଗ ଏବଂ ଅତ୍ୟାଧୁନିକ ଗବେଷଣାର ଫଳାଫଳ ମଧ୍ୟ ଏଭଳି ଏକନିଷ୍ଠ ପଦକ୍ଷେପ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

କୋଭିଡ-19 ଭଳି ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଜରୁରିକାଳୀନ ଏବଂ ସଙ୍କଟପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବା ଏବଂ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେବାର ପ୍ରମୁଖ ଉଦ୍ଦେଶ୍ୟ ନେଇ ଏକ ସମର୍ପିତ ଜାତୀୟ ପାଣ୍ଠି ଗଠନର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ପାଣ୍ଠି) ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ଟ୍ରଷ୍ଟର ଅଧ୍ୟକ୍ଷ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଏହାର ସଦସ୍ୟ ଅଛନ୍ତି ।

ଯେକୌଣସି ସମସ୍ୟାର ସମାଧାନ କରିବା ଲାଗି ଜନ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ବିଶ୍ୱାସ କରି ଆସିଛନ୍ତି ଏବଂ ଏହା ତାଙ୍କ କାର୍ଯ୍ୟରେ ପ୍ରତିଫଳିତ ହୋଇଛି । ଏଠାରେ ମଧ୍ୟ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଏହି ପାଣ୍ଠିରେ ଅଳ୍ପ ଅର୍ଥ ଦାନ ମଧ୍ୟ ଗ୍ରହଣ କରାଯିବ । ଯାହାର ଫଳସ୍ୱରୂପ ବହୁସଂଖ୍ୟକ ଲୋକ ଚାହିଁଲେ ଅତି ସ୍ୱଳ୍ପ ପରିମାଣର ଅର୍ଥ ମଧ୍ୟ ଦାନ କରିପାରିବେ ।

pmindia.gov.in ୱେବସାଇଟକୁ ଯାଇ ନାଗରିକ ଓ ବିଭିନ୍ନ ସଂଗଠନ ନିମ୍ନୋକ୍ତ ବିବରଣୀକୁ ଉପଯୋଗ କରି ପିଏମ କେୟାର୍ସ ପାଣ୍ଠିରେ ଅର୍ଥଦାନ କରିପାରିବେ ।

ଆକାଉଣ୍ଟ ନାମ : PM CARES

ଆକାଉଣ୍ଟ ନମ୍ବର   : 2121PM20202                                                                               

ଆଇଏଫଏସସି କୋଡ : SBIN0000691                                                                       

ସ୍ୱିଫ୍ଟ କୋଡ : SBININBB104                                                                        

ବ୍ୟାଙ୍କ ନାମ ଓ ଶାଖା :  State Bank of India, New Delhi Main Branch                                        

ୟୁପିଆଇ ଆଇଡି  : pmcares@sbi

pmindia.gov.in ୱେବସାଇଟରେ ନିମ୍ନୋକ୍ତ ପଦ୍ଧତିରେ ଦାନ ବାବଦରେ ଅର୍ଥ ପଇଠ କରିବାର ସୁବିଧା ରହିଛି

ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ

ଇଂଟରନେଟ ବ୍ୟାଙ୍କିଙ୍ଗ

ୟୁପିଆଇ (ଭିମ, ଫୋନପେ, ଆମାଜନ ପେ, ଗୁଗଲ ପେ, ପେଟିଏମ, ମୋବିକ୍ୱିକ, ଆଦି)

ଆରଟିଜିଏସ/ଏନଇଏଫଟି

ଏହି ପାଣ୍ଠି ପାଇଁ କରାଯାଉଥିବା ଅର୍ଥଦାନ ଆୟକର ଆଇନର ଧାରା 80 (ଜି) ଅନୁଯାୟୀ ଆୟକରମୁକ୍ତ ହେବ ।

 

**********



(Release ID: 1608875) Visitor Counter : 261


Read this release in: English