ପ୍ରତିରକ୍ଷା ମନ୍ତ୍ରଣାଳୟ
କରୋନା ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା କଲେ ପ୍ରତିରକ୍ଷା ମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
26 MAR 2020 12:07PM by PIB Bhubaneshwar
ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ତାଙ୍କ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଗୁରୁବାର କରୋନା ମୁକାବିଲା ସଂକ୍ରାନ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ସେ କରୋନା ଆକ୍ରାନ୍ତ ଦେଶରୁ ଭାରତୀୟ ଓ ଅନ୍ୟାନ୍ୟ ରାଷ୍ଟ୍ରର ନାଗରିକମାନଙ୍କୁ ଉଦ୍ଧାର କରିବାରେ ପ୍ରତିରକ୍ଷାବାହିନୀ ଏବଂ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ତତ୍ପରତାପୂର୍ଣ୍ଣ କାର୍ଯ୍ୟ ଏବଂ ସଂପୃକ୍ତ ନାଗରିକମାନଙ୍କ ପାଇଁ କରାଯାଇଥିବା ସେବାଯତ୍ନ ତଥା କ୍ୱାରେଣ୍ଟାଇନ ବ୍ୟବସ୍ଥାରେ ସନ୍ତୋଷ ପ୍ରକଟ କରିଛନ୍ତି । ଏଇ ସଂକଟକ୍ଷଣରେ ବେସାମରିକ ପ୍ରଶାସନକୁ ସବୁ ସ୍ତରରେ ସହାୟତା ଯୋଗାଇ ଦେବାକୁ ସେନା ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ସବୁ ବିଭାଗ ପ୍ରସ୍ତୁତ ରହିବାକୁ ଶ୍ରୀ ସିଂହ ଆହ୍ୱାନ ଜଣାଇଛନ୍ତି ।
ଏହି ବୈଠକରେ ମନ୍ତ୍ରଣାୟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ସହାୟତା ସମ୍ପର୍କରେ ମନ୍ତ୍ରୀଙ୍କୁ ବରିଷ୍ଠ ଅଧିକାରୀମାନେ ଅବଗତ କରାଇଥିଲେ । ଭାରତୀୟ ବାୟୁସେନା ପକ୍ଷରୁ କରୋନା ସଂକ୍ରମିତ ଚୀନ, ଜାପାନ ଓ ଇରାନରୁ ଭାରତୀୟମାନଙ୍କୁ ଉଦ୍ଧାର କରାଯାଇଛି । ବାୟୁସେନା ପକ୍ଷରୁ ଉଦ୍ଧାର କରାଯାଇଥିôବା 1462 ଜଣ ନାଗରିକଙ୍କୁ ବିଭିନ୍ନ କ୍ୱାରେଣ୍ଟାଇନ କେନ୍ଦ୍ରରେ ଆବଶ୍ୟକ ସେବା ଓ ପରୀକ୍ଷାନିରୀକ୍ଷା ସୁବିଧା ଯୋଗାଇ ଦିଆଯାଉଛି । ସେମାନଙ୍କ ମଧ୍ୟରୁ 389 ଜଣଙ୍କୁ ଛାଡ଼ି ଦିଆଯାଇଥିବାବେଳେ ମାନେଶର ହିଣ୍ଡନ, ଜୟଶଲମାର, ଯୋଧପୁର ଏବଂ ମୁମ୍ବାଇସ୍ଥିତ ବାୟୁସେନାର କ୍ୱାରେଣ୍ଟାଇନ କେନ୍ଦ୍ରରେ ଏବେ 1073 ଜଣଙ୍କୁ ରଖାଯାଇଛି ।
ସମୀକ୍ଷାରୁ ପ୍ରକାଶ ଯେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ ଡିଆରଡିଓ ପକ୍ଷରୁ 20 ହଜାର ଲିଟର ସାନିଟାଇଜର ଓ 10 ହଜାର ମାସ୍କ ପ୍ରସ୍ତୁତ କରାଯାଇ ଦିଲ୍ଲୀ ପୁଲିସ ସମେତ ବିଭିନ୍ନ ସଂସ୍ଥା ଓ ସଂଗଠନକୁ ଯୋଗାଇ ଦିଆଯାଉଛି । ଭେଣ୍ଟିଲେଟର ଓ ବଡ଼ିଶୁଟ ତିଆରି କରିବାକୁ ଡିଆରଡିଓ ବିଭିନ୍ନ ଘରୋଇ ସଂସ୍ଥା ସହ ମିଶି କାମ କରୁଛି । ଭାରତୀୟ ଅସ୍ତ୍ରଶସ୍ତ୍ର ଉତ୍ପାଦନ ପରିଷଦ, ଭାରତୀୟ ଇଲେକ୍ଟ୍ରୋନିକ୍ସ ଲିମିଟେଡ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ ଯୋଗାଇ ଦେଉଛି । ମାଳଦ୍ୱୀପରେ ଭାରତୀୟ ସେନାର ଚିକିତ୍ସାଦଳ ସେବାଯୋଗାଇ ଫେରିଥିବାବେଳେ ପଡ଼ୋଶୀ ରାଷ୍ଟ୍ରଙ୍କୁ ଜରୁରୀ ସହାୟତା ଯୋଗାଇ ଦେବାକୁ ନୌବାହିନୀର ଦୁଇଟି ଜାହାଜକୁ ପ୍ରସ୍ତୁତ ରଖାଯାଇଛି ।
ଏହି ବୈଠକରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ, ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଆରକେଏସ୍ ଭଦୋରିଆ, ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରୱାଣେଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଗଣ ଯୋଗ ଦେଇଥିଲେ ।
**********
(ରିଲିଜ ଆଡି: 1608749)
ପରିଦର୍ଶକ କାଉଣ୍ଟର : 245