ରେଳ ମନ୍ତ୍ରଣାଳୟ

ବାଧାମୁକ୍ତ ମାଲ ପରିବହନ ସେବା ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରୁଛି ଭାରତୀୟ ରେଳବାଇ

• ଯୋଗାଣ ଶୃଙ୍ଖଳାକୁ ନିରନ୍ତର ଚାଲୁ ରଖିବା ଲାଗି ଗତ 4ଦିନ ମଧ୍ୟରେ 1.6 ଲକ୍ଷରୁ ଅଧିକ ୱାଗନ ଜରିଆରେ ହୋଇଛି ମାଲ ପରିବହନ; 1 ଲକ୍ଷରୁ ଅଧିକ ୱାଗନ ଜରିଆରେ କରାଯାଇଛି ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ
• ଖାଦ୍ୟଶସ୍ୟ, ଲୁଣ, ଚିନି, କ୍ଷୀର, ଖାଇବା ତେଲ, ପିଆଜ, ଫଳ ଓ ପନିପରିବା, ପେଟ୍ରୋଲିୟମ ଉତ୍ପାଦ, କୋଇଲା ଓ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଛି ଭାରତୀୟ ରେଳବାଇ

प्रविष्टि तिथि: 27 MAR 2020 11:55AM by PIB Bhubaneshwar

ସାରା ଦେଶ କରୋନା ଭୂତାଣୁ ମହାମାରୀ ସଂକ୍ରମଣ କାରଣରୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ ରହିଥିବା ସ୍ଥିତିରେ ଭାରତୀୟ ରେଳବାଇ ଦେଶବାସୀଙ୍କ କଲ୍ୟାଣ ନିମନ୍ତେ ସମ୍ପୂର୍ଣ୍ଣ ରୂପେ ସଂକଳ୍ପବଦ୍ଧ ରହିଛି । ନିଜର ବାଧାମୁକ୍ତ ମାଲ ପରିବହନ ସେବା ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଯଥାସମ୍ଭବ ପ୍ରୟାସ ଜାରି ରଖିଛି । ଗତ 4 ମାସରେ ପାଖାପାଖି 1.6 ଲକ୍ଷ ୱାଗନ ଜରିଆରେ ଯୋଗାଣ ଶୃଙ୍ଖଳାକୁ ନିରନ୍ତର ଚାଲୁ ରଖିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛି । ଏଥିମଧ୍ୟରୁ 1 ଲକ୍ଷରୁ ଅଧିକ ୱାଗନ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଭାରତୀୟ ରେଳବାଇ ଦ୍ୱାରା ସୁନିଶ୍ଚିତ କରାଯାଇଛି, ଫଳରେ ସାରା ଦେଶରେ କାମ କାର୍ଯ୍ୟ ସଠିକ ଢଙ୍ଗରେ ଜାରି ରହିବ ଏବଂ ଯୋଗାଣ ଶୃଙ୍ଖଳା ମଧ୍ୟ ନିରନ୍ତର ଚାଲୁ ରହିବ ।

ସବୁ ରାଜ୍ୟରେ ଲକଡାଉନ ସମୟରେ ଦେଶବ୍ୟାପୀ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଯେପରି ପ୍ରଭାବିତ ନହୁଏ ତାହା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ଗୁଡ୍ସ ଶେଡ, ଷ୍ଟେସନ ଓ ନିୟନ୍ତ୍ରଣ କାର୍ଯ୍ୟାଳୟରେ ନିୟୋଜିତ ଭାରତୀୟ ରେଳବାଇର କର୍ମଚାରୀ 24 ଘଣ୍ଟା କାମ କରୁଛନ୍ତି  ।

23 ମାର୍ଚ୍ଚ, 2020ରେ ମୋଟ 26,577 ୱାଗନରେ ଖାଦ୍ୟ ଶସ୍ୟ, ଲୁଣ, ଖାଇବା ତେଲ, ଚିନି, କ୍ଷୀର, ଫଳ ଓ ପନିପରିବା, ପିଆଜ, କୋଇଲା ଓ ପେଟ୍ରୋଲିୟମ ଉତ୍ପାଦ ଭଳି ଆବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା । ଏଥିରେ 1168 ୱାଗନ ଖାଦ୍ୟ ଶସ୍ୟ, 42 ୱାଗନ ଫଳ ଓ ପନିପରିବା, 42 ୱାଗନ ପିଆଜ, 42 ୱାଗନ ଚିନି, 168 ୱାଗନ ଲୁଣ, 20 ୱାଗନ କ୍ଷୀର, 22473 ୱାଗନ କୋଇଲା ଏବଂ 2322 ୱାଗନ ପେଟ୍ରୋଲିୟମ ଉତ୍ପାଦ ସାମିଲ ରହିଛି ।

24 ମାର୍ଚ୍ଚ 2020ରେ ମୋଟ 27,742 ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା । ଏଥିମଧ୍ୟରେ 1444 ୱାଗନ ଖାଦ୍ୟଶସ୍ୟ, 84 ୱାଗନ ଫଳ ଓ ପନିପରିବା, 168 ୱାଗନ ଲୁଣ, 15 ୱାଗନ କ୍ଷୀର, 50 ଟ୍ୟାଙ୍କ ଖାଇବା ତେଲ, 24,207 ୱାଗନ କୋଇଲା ଓ 1774 ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା ।

25 ମାର୍ଚ୍ଚ 2020ରେ  ମୋଟ 13,097 ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା । ଏଥିମଧ୍ୟରେ 876 ୱାଗନ ଖାଦ୍ୟଶସ୍ୟ, 42 ୱାଗନ ଲୁଣ, 42 ୱାଗନ ଚିନି,15 ୱାଗନ କ୍ଷୀର20418 ୱାଗନ କୋଇଲା ଓ 1704 ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା ।

26 ମାର୍ଚ୍ଚ 2020ରେ  ମୋଟ 24009 ୱାଗନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଇଥିଲା । ଏଥିମଧ୍ୟରେ 1417 ୱାଗନ ଖାଦ୍ୟଶସ୍ୟ, 42 ୱାଗନ ଲୁଣ, 42 ୱାଗନ ଚିନି20784 ୱାଗନ କୋଇଲା ଓ 1724 ୱାଗନ ପେଟ୍ରୋଲଜାତ ଉତ୍ପାଦ ସାମିଲ ରହିଥିଲା ।

କୋଭିଡ-19 ସଂକ୍ରମଣ ଯୋଗୁ ଲାଗୁ ହୋଇଥିବା କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ବିନା କୌଣସି ବାଧାରେ ସୁଚାରୁ ରୂପେ ସମ୍ପନ୍ନ କରିବା ଲାଗି ରାଜ୍ୟ ସରକାରଙ୍କ ସହିତ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ କରାଯାଉଛି ।

ଭାରତୀୟ ରେଳବାଇ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀର ବାଧାମୁକ୍ତ ପରିବହନ ଅନୁଧ୍ୟାନ ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରିକାଳୀନ ମାଲ ନିୟନ୍ତ୍ରଣ ପ୍ରକୋଷ୍ଠ କାର୍ଯ୍ୟକ୍ଷମ କରାଯାଇଛି । ଅତ୍ୟନ୍ତ ବରିଷ୍ଠ ସ୍ତରର ଅଧିକାରୀମାନେ ମାଲ ପରିବହନ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ।

ଏହି ସଂକଟ ସମୟରେ ଭାରତୀୟ ରେଳବାଇ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭଲ ଭାବେ ଜାଣିଛି । ଏହାର ସମସ୍ତ ଅଂଶୀଦାରମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ତ୍ୱରାନ୍ୱିତ କରିବା ଲାଗି ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟ ଦ୍ରୁତ ଗତିରେ କରିବା ଦିଗରେ ସହଯୋଗ କରନ୍ତୁ ।

 

**********

 


(रिलीज़ आईडी: 1608744) आगंतुक पटल : 162
इस विज्ञप्ति को इन भाषाओं में पढ़ें: English