ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଓ କତାରର ଅମିରଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
Posted On:
26 MAR 2020 11:04AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର ଦିନ) କତାର ରାଜ୍ୟର ଅମିର ମହାମହିମ ଶେଖ ତମିମ ବିନ ହମଦ ଅଲ ଥାନିଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ ।
ଦୁଇ ନେତା କୋଭିଡ-19 ବୈଶ୍ୱିକ ମହାମାରୀ ଏବଂ ଏହାର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ସଂପର୍କୀତ ସଂପ୍ରତି ଘଟଣାକ୍ରମ ଉପରେ ଆଲୋଚନା କରିଥିଲେ । ସେ ଏହି ଭୂତାଣୁର ପ୍ରସାରକୁ ରୋକିବା ପାଇଁ ନିଜ ନିଜ ଦେଶରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକ ଉପରେ ପରସ୍ପରକୁ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ମହାମହିମ ଅମିରଙ୍କୁ କିଛି ଦିନ ପୂର୍ବେ ସାର୍କ ଦେଶଗୁଡିକ ଦ୍ୱାରା ଆଂଚଳିକ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ । ଏଥିସହିତ ସେ ଜି-20 ଦେଶଗୁଡିକର ନେତାମାନଙ୍କର ଭିଡିଓ କନଫରେନ୍ସ ଜରିଆରେ ଶିଖର ସମ୍ମିଳନୀ ବିଷୟରେ ମଧ୍ୟ ଜଣାଇଥିଲେ ।
ଦୁଇ ନେତା ଆଶା ବ୍ୟକ୍ତ କରିଥିଲେ ଯେ ଏହି ମହାମାରୀର ପ୍ରସାରକୁ ରୋକିବା ପାଇଁ ପ୍ରଭାବିତ ଦେଶଗୁଡିକ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଏବଂ ଉପାୟଗୁଡିକର ଅତିଶୀଘ୍ର ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ । ସେମାନେ ଏହି ବୈଶ୍ୱିକ ମହାମାରୀ ବିରୋଧରେ ଆରମ୍ଭ ହୋଇଥିବା ଲଢେଇରେ ଅନ୍ତର୍ରାଷ୍ଟ୍ରୀୟ ଏକତା ଏବଂ ସୂଚନାଗୁଡିକର ଆଦାନ ପ୍ରଦାନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ପ୍ରଧାନମନ୍ତ୍ରୀ ମହାମହିମ ଶେଖ ତମିମ ବିନ ହମଦ ଅଲ ଥାନିଙ୍କୁ କତରରେ ରହୁଥିବା ଏବଂ ସେଠାରେ କାମ କରୁଥିବା ଭାରତୀୟ ନାଗରିକମାନଙ୍କ କଲ୍ୟାଣ ପାଇଁ ଖାସକରି ବର୍ତ୍ତମାନର ପରିସ୍ଥିତିରେ ବ୍ୟକ୍ତିଗତ ଭାବେ ଧ୍ୟାନ ଦେଇଥିବାରୁ ଧନ୍ୟବାଦ ଜଣାଇଥିଲେ । ମହାମହିମ ଅମିର ପ୍ରଧାନମନ୍ତ୍ରୀଙ୍କୁ କତାରରେ ରହୁଥିବା ସମସ୍ତ ଭାରତୀୟ ପ୍ରବାସୀମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ବିଷୟରେ ମଧ୍ୟ ଆଶ୍ୱସ୍ତ କରିଥିଲେ ।
ପ୍ରଧାନମନ୍ତ୍ରୀ ଏବଂ ମହାମହିମ ଅମିର ସଂପ୍ରତି ପରିସ୍ଥିତିକୁ ନେଇ ପରସ୍ପର ମଧ୍ୟରେ ନିରନ୍ତର ସଂପର୍କ ଏବଂ ଆଲୋଚନା ଜାରି ରଖିବା ପାଇଁ ସହମତି ଜଣାଇଥିଲେ ।
**********
(Release ID: 1608729)
Visitor Counter : 118