ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ସମ୍ପର୍କିତ ଭର୍ଚୁଆଲ ଜି20 ନେତୃବୃନ୍ଦ ସମ୍ମିଳନୀ

Posted On: 26 MAR 2020 9:34AM by PIB Bhubaneshwar

କୋଭିଡ୍-19 ସଂକ୍ରମଣ ଯୋଗୁ ଦେଖାଦେଇଥିବା ଆହ୍ୱାନ ତଥା ଏହାର ବିଶ୍ଵସ୍ତରୀୟ  ମୁକାବିଲା ସମ୍ପର୍କରେ ଆଲୋଚନା କରିବା ଉଦ୍ଦେଶ୍ୟରେ ଭର୍ଚୁଆଲ ଜି20 ନେତୃବୃନ୍ଦ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଏନେଇ ପ୍ରଧାନମନ୍ତ୍ରୀ ସାଉଦି ଆରବ ରାଜାଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ । କୋଭିଡ୍-19 ମହାମାରୀ ପରେ ଜି20 ସେରପାସ୍ ବୈଠକ ଏବଂ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୈଠକର ଫଳସ୍ୱରୂପ ଏହି ଜି20 ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ଜି20 ନେତୃବୃନ୍ଦ ଏହି ମହାମାରୀକୁ ରୋକିବା ସହ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସହମତ ହୋଇଥିଲେ । ଏହାସହ ମେଡିକାଲ ଯୋଗାଣ, ଡାଏଗ୍ନୋସିସ୍ ଟୁଲ, ଚିକିତ୍ସା, ଔଷଧ ଓ ଟୀକା ସମେତ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଡବ୍ଲୁଏଚ୍ଓର ଆଦେଶ ପାଳନକୁ ମଜବୁତ କରିବାକୁ ସେମାନେ ସମର୍ଥନ ଦେଇଥିଲେ ।

କରୋନା ଭୂତାଣୁ ମହାମାରୀର ଅର୍ଥନୈତିକ ଓ ସାମାଜିକ ପ୍ରଭାବକୁ କମ୍ କରିବା ସହ ବିଶ୍ୱ ଅଭିବୃଦ୍ଧିକୁ ପୁନରୁଦ୍ଧାର, ବଜାରରେ ସ୍ଥିରତା ତଥା ଅସ୍ଥିରତାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଉପଲବ୍ଧ ସମସ୍ତ ପ୍ରକାର ପଲିସି ଟୁଲର ବ୍ୟବହାର କରିବାକୁ ମଧ୍ୟ ନେତୃବୃନ୍ଦ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ବିଶ୍ୱ ଅର୍ଥନୀତି ଉପରେ କୋଭିଡ-19ର ପଡ଼ିବାକୁ ଥିବା ସାମାଜିକ ଓ ଅର୍ଥନୈତିକ ପ୍ରଭାବର ମୁକାବିଲା ପାଇଁ ଜି20 ରାଷ୍ଟ୍ରସମୂହ ବିଶ୍ୱ ଅର୍ଥନୀତିରେ 5 ଲକ୍ଷ କୋଟି ଡଲାର ପୁଞ୍ଜିନିବେଶ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ସେହିଭଳି ନେତୃବୃନ୍ଦ ଡବ୍ଲୁଏଚ୍ଓ ନେତୃତ୍ୱାଧୀନ କୋଭିଡ୍-19 ସଲିଡେଟାରି ରେସ୍ପନ୍ସ ଫଣ୍ଡକୁ ସ୍ୱେଚ୍ଛାକୃତ ଭାବେ ସହାୟତା କରିବାକୁ ମଧ୍ୟ ସହମତ ହୋଇଥିଲେ ।

ଜି20ର ଏହି ଅସାଧାରଣ ଅଧିବେଶନ ଡକାଇଥିବା କାରଣରୁ ପ୍ରଧାନମନ୍ତ୍ରୀ ସାଉଦି ଆରବ ରାଜାଙ୍କୁ ଧନ୍ୟବାଦ ଜଣାଇଥିଲେ । ମହାମାରୀ ଯୋଗୁ ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଉପରେ ପ୍ରଧାନମନ୍ତ୍ରୀ ଅବଗତ କରାଇ କହିଥିଲେ, ଯଦିଓ ବିଶ୍ୱ ଜିଡିପିରେ ଜି20 ରାଷ୍ଟ୍ରର 80% ଅବଦାନ ଓ ବିଶ୍ୱ ଜନସଂଖ୍ୟାରେ 60% ଅବଦାନ ରହିଛି, ତଥାପି 90% କୋଭିଡ-19 ମାମଲା ଓ 88% ମୃତ୍ୟୁ କେବଳ ଜି20 ରାଷ୍ଟ୍ରରେ ଦେଖାଦେଇଛି । ଏହି ବିଶ୍ୱ ମହାମାରୀର ମୁକାବିଲା କରିବା ଉଦ୍ଦେଶ୍ୟରେ ଜି20 ରାଷ୍ଟ୍ରସମୂହକୁ ଏକ ମଜବୁତ ଆକ୍ସନ ପ୍ଲାନ୍ ଆଣିବାକୁ ସେ ଆହ୍ୱାନ ଦେଇଥିଲେ ।

କୋଭିଡ୍-19 କାରଣରୁ ଅର୍ଥନୀତି ଗତି କରୁଥିବା କଷ୍ଟକର ପରିସ୍ଥିତିକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଆମର ବିଶ୍ୱ ସମୃଦ୍ଧି ଓ ସହଯୋଗିତା ପାଇଁ ଆମ ଲକ୍ଷ୍ୟର କେନ୍ଦ୍ରରେ ମାନବସମ୍ବଳକୁ ରଖି ଆମକୁ ମେଡିକାଲ ଗବେଷଣା ଓ ବିଶକାର ଫାଇଦାକୁ ଖୋଲାଖୋଲି ଭାବେ ଆଦାନ ପ୍ରଦାନ ସହ ଏକ ଗ୍ରହଣୀୟ, ପ୍ରତିକ୍ରିୟାଶୀଳ ଓ ମାନବୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିକାଶ, ଆନ୍ତଃସଂଯୋଗୀକରଣ ବିଶ୍ୱ ଗ୍ରାମ ପାଇଁ ନୂଆ ସଙ୍କଟ ପରିଚାଳନା ପ୍ରୋଟୋକଲ ଓ ପ୍ରୋସିଡ୍ୟୁରକୁ ପ୍ରୋତ୍ସାହନ, ଡବ୍ଲୁଏଚ୍ଓ ଭଳି ଆନ୍ତଃସରକାରୀ ସଂସ୍ଥାକୁ ମଜବୁତ କରିବା ଏବଂ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏକ ନୂଆ ଗ୍ଲୋବାଲାଇଜେସନ୍ ପାଇଁ ପଥପ୍ରଦର୍ଶନ, ମାନବଜାତିର ସାମଗ୍ରିକ ମଙ୍ଗଳ ଏବଂ ମାନବଜାତିର ମିଳିତ ସ୍ୱାର୍ଥ ପାଇଁ ବହୁମୁଖୀ ବିକାଶକୁ ପ୍ରୋତ୍ସାହନ ଦେବାକୁ ଜି20 ନେତୃବୃନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ସମ୍ମିଳନୀ ଶେଷରେ ଜି20 ନେତୃବୃନ୍ଦ ଏକ ବିବୃତ୍ତି ଜାରି କରି ମହାମାରୀକୁ ଲଢ଼େଇ କରିବା ଉଦ୍ଦେଶ୍ୟରେ ଏକ ସମନ୍ୱିତ ଗ୍ଲୋବାଲ  ପ୍ରଶମନ ବ୍ୟବସ୍ଥା ସହ ବିଶ୍ୱ ଅର୍ଥନୀତିର ନିରାପତ୍ତା ଓ ନିରବଚ୍ଛିନ୍ନ ବାଣିଜ୍ୟ କାରବାର ଉଦ୍ଦେଶ୍ୟରେ ଆଡପଟିଭ ପଦକ୍ଷେପ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ ।

 

**********



(Release ID: 1608712) Visitor Counter : 178


Read this release in: English