ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରମଣ ପ୍ରତିରୋଧ ପାଇଁ ଭାରତୀୟ ବାୟୁ ସେନାର ସହାୟତା ଜାରି

Posted On: 26 MAR 2020 8:46PM by PIB Bhubaneshwar

କୋଭିଡ-19 ସଂକ୍ରମଣ ପ୍ରତିରୋଧ ପାଇଁ ସାରା ଦେଶରେ ସାଧାରଣ ପ୍ରଶାସନକୁ ଯଥାସମ୍ଭବ ସହାୟତା ଦିଗରେ ଭାରତୀୟ ବାୟୁ ସେନାର ପ୍ରୟାସ ଜାରି ରହିଛି ।

ଦେଶବ୍ୟାପୀ ରହିଥିବା ଭାରତୀୟ ବାୟୁ ସେନା ଘାଟୀରେ 200ରୁ 300 ଲୋକଙ୍କ ରହିବା ଭଳି 9ଟି ସଙ୍ଗରୋଧ କେନ୍ଦ୍ର ନିର୍ମାଣ କରାଯାଇଛି ।

ବାୟୁ ସେନା ପକ୍ଷରୁ ପ୍ରଥମ ପରୀକ୍ଷାଗାର ଭାବେ ବାଙ୍ଗାଲୋରରେ ଥିବା ବାୟୁ ସେନାର କମାଣ୍ଡ ହସ୍ପିଟାଲରେ କୋଭିଡ-19 ପରୀକ୍ଷା ସମ୍ପାଦନ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ ସନ୍ଦିଗ୍ଧ ମାମଲାର ତୁରନ୍ତ ପରୀକ୍ଷା ଏବଂ ଆବଶ୍ୟକ ସ୍ଥଳେ ସମୟୋପଯୋଗୀ ହସ୍ତକ୍ଷେପ ଲାଗି ସୁବିଧା କରାଯାଇଛି ।

ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିବା ଏବଂ ତୁରନ୍ତ ହସ୍ତକ୍ଷେପ ଓ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ବାୟୁସେନା ମୁଖ୍ୟାଳୟ ଏବଂ ବିଭିନ୍ନ କମାଣ୍ଡ ମୁଖ୍ୟାଳୟରେ 24 ଘଣ୍ଟିଆ ବିପତ୍ତି ପରିଚାଳନା ସେଲ ପ୍ରତିଷ୍ଠା କରାଯାଇଛି । ଆଇଏଏଫ ବିମାନ ଜରିଆରେ ଡାକ୍ତର ଓ ସ୍ୱାସ୍ଥ୍ୟ ସାମଗ୍ରୀ ଲେହରେ ପହଞ୍ଚାଯାଇଛି ଏବଂ ସେଠାରୁ କୋଭିଡ ନମୁନା ପରୀକ୍ଷା ପାଇଁ ଚଣ୍ଡିଗଡ଼ ଓ ଦିଲ୍ଲୀ ଅଣାଯାଇଛି ।

କୋଭିଡ-19 ସଂକ୍ରମଣ ପ୍ରତିହତ ଲାଗି ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଦିଶାନିର୍ଦ୍ଦେଶ ଏବଂ ପଦକ୍ଷେପକୁ ସମସ୍ତ ବାୟୁସେନା କେନ୍ଦ୍ରରେ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।

କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ଭାରତୀୟ ବାୟୁସେନା ସରକାରଙ୍କ ସହିତ ରହିଛି ଏବଂ ଦେଶର ନାଗରିକମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯାଉଛି ।

 

**********



(Release ID: 1608421) Visitor Counter : 198


Read this release in: English