ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ଼–19 ବିପତ୍ତି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 24 MAR 2020 2:58PM by PIB Bhubaneshwar

ନମସ୍କାର,

ମୋର ପ୍ରିୟ ଦେଶବାସୀଗଣ,

ଆଜି, ପୁଣି ଥରେ, ମୁଁ ବୈଶ୍ୱିକ କରୋନା ମହାମାରୀ ସଂପର୍କରେ କିଛି ଆଲୋଚନା କରିବା ସକାଶେ ଆପଣମାନଙ୍କ ନିକଟରେ ଉପସ୍ଥିତ ହୋଇଛି ।

ମାର୍ଚ୍ଚ 22 ତାରିଖ ଦିନ, ଆମେ ଜନତା କର୍ଫ୍ୟୁ ସକାଶେ ଏକ ସଂକଳ୍ପ ଗ୍ରହଣ କରିଥିଲେ । ଏକ ରାଷ୍ଟ୍ର ଭାବେ, ଭାରତର ପ୍ରତ୍ୟେକ ନାଗରିକଙ୍କର ସେହି ଦାୟିତ୍ୱକୁ ସାକାର କରିବା ଏବଂ ଏହାର ସଫଳତାକୁ ସୁନିଶ୍ଚିତ କରିବା ସକାଶେ ସଭିଏଁ ସେମାନଙ୍କର ଭାବାବେଗ ପ୍ରକଟ କରିଥିଲେ ।

ଶିଶୁମାନଙ୍କ ଠାରୁ ନେଇ ବୟୋବୃଦ୍ଧଙ୍କ ପର୍ଯ୍ୟନ୍ତ, ବଡ଼ଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ପର୍ଯ୍ୟନ୍ତ, ଗରିବଙ୍କ ଠାରୁ ନେଇ ମଧ୍ୟମ ବର୍ଗ ଓ ଉଚ୍ଚ ବର୍ଗ, ପ୍ରତ୍ୟେକ ଭାରତବାସୀ ଏଭଳି ସଂକଟର ଘଡ଼ିରେ ଏକଜୁଟ ହୋଇ ଏହାକୁ ସାକାର କରିବା ନିମନ୍ତେ ଆଗେଇ ଆସିଥିଲେ ।

ପ୍ରତ୍ୟେକ ଭାରତୀୟ ଜନତା କର୍ଫ୍ୟୁକୁ ସଫଳତାରେ ପରିଣତ କରିଥିଲେ ।

ଏହି ଦିନିକିଆ ଜନତା କର୍ଫ୍ୟୁ ସମୟରେ, ଭାରତ ସାରା ବିଶ୍ୱକୁ ଦେଖାଇଦେଲାରେ ଆମ ଦେଶ ଉପରେ ଯେଉଁ ସଂକଟର କଳାବାଦଲ ଆସି ଦେଖା ଦେଇଛି, ମାନବ ସମାଜ ଉପରେ ଯେଉଁ ବିପଦ ଘୋଟି ଆସିଛି, ଏହାର ସାମ୍ନା କରିବା ସକାଶେ କିଭଳି ଭାବେ ପ୍ରତ୍ୟେକ ଭାରତୀୟ ହାତକୁ ହାତ ମିଳାଇ ଏହାର ମୁକାବିଲା କରିବା ନିମନ୍ତେ ଏକଜୁଟ ହୋଇ ଠିଆ ହୋଇଛନ୍ତି ।

ଜନତା କର୍ଫ୍ୟୁକୁ ସଂପୂର୍ଣ୍ଣ ରୂପେ ସଫଳ କରିଥିବା ହେତୁ ଆପଣମାନେ ସମସ୍ତେ ଧନ୍ୟବାଦର ପାତ୍ର ।

ବନ୍ଧୁଗଣ,

ସାରା ବିଶ୍ୱରେ ଏବେ ଆତଙ୍କ ଖେଳାଇଥିବା ବୈଶ୍ୱିକ କରୋନା ମହାମାରୀ ସଂପର୍କରେ ଆପଣମାନେ ସମସ୍ତେ ସବୁଦିନ ସମ୍ବାଦପତ୍ରମାନଙ୍କରେ ଖବରମାନ ପଢ଼ୁଛନ୍ତି ଏବଂ ଟେଲିଭିଜନ ପର୍ଦ୍ଦାରେ ଏହାକୁ ନେଇ କିଭଳି ସର୍ବତ୍ର କିଭଳି ପରିସ୍ଥିତି ସୃଷ୍ଟି ହୋଇଛି ତାହା ଦେଖି ଆସୁଛନ୍ତି ।

ଆପଣମାନେ ସମସ୍ତେ ଏହା ଉତ୍ତମ ରୂପେ ଦେଖିପାରୁଛନ୍ତି ଯେ ବିଶ୍ୱର ଅଧିକାଂଶ ଉନ୍ନତ ରାଷ୍ଟ୍ର ଏହି ମହାମାରୀର ପ୍ରଭାବରେ ଆସି କିଭଳି ଭାବେ ସଂପୂର୍ଣ୍ଣ ଅସହାୟ ଭାବେ ଦୁର୍ଦ୍ଦଶା ଭୋଗ କରୁଛନ୍ତି ।

ଏକଥା ନୁହେଁ ଯେ ସେହିସବୁ ରାଷ୍ଟ୍ରମାନେ ଏହାକୁ ପ୍ରତିହତ କରିବା ନିମନ୍ତେ କରୁଥିବା ପ୍ରୟାସରେ କିଛି ଊଣା ରହିଛି ଅବା ସେମାନଙ୍କ ନିକଟରେ ଏଥିପାଇଁ ସାଧନ ନାହିଁ ।

ସକଳ ପ୍ରକାର ପ୍ରସ୍ତୁତି ଓ ପ୍ରୟାସ ସତ୍ତ୍ୱେ କରୋନା ଭୂତାଣୁ ଏବେ ସେହିସବୁ ରାଷ୍ଟ୍ରଗୁଡ଼ିକରେ ଅତି ଦ୍ରୁତ ବେଗରେ ସର୍ବତ୍ର ବ୍ୟାପିବାରେ ଲାଗିଛି । ତେଣୁ, ଏଭଳି ବିପତ୍ତିର ମୁକାବିଲା କରିବା ସେହିସବୁ ରାଷ୍ଟ୍ରମାନଙ୍କ ସକାଶେ ଅତି କଷ୍ଟକର ହୋଇପଡ଼ିଛି ।

ଏହିସବୁ ରାଷ୍ଟ୍ରମାନଙ୍କରେ ଗତ ଦୁଇମାସ ଧରି ଯେଉଁଭଳି ଘଟଣାମାନ ଘଟିଚାଲିଛି ତାହାକୁ ବିଶ୍ଳେଷଣ କରାଯାଉଛି ଏବଂ ସେ ସଂପର୍କରେ ବିଶେଷଜ୍ଞମାନଙ୍କ ମତ ହେଲା ଏହାଯେ କରୋନା ଭୂତାଣୁକୁ ସଫଳତାର ସହ ମୁକାବିଲା କରିବାର ଏକମାତ୍ର ଉପାୟ ହେଲା –  ‘ସୋସିଆଲ୍‍ ଡିଷ୍ଟାନ୍ସିଂଅର୍ଥାତ୍‍, ସାମାଜିକ ଦୂରତା ରକ୍ଷା ।

ଏହା ମୁଖ୍ୟତଃ ଶାରୀରୀକ ଭାବେ ପରସ୍ପର ଠାରୁ ଦୂରତା ରକ୍ଷା ଏବଂ ନିଜ ଘରେ ନିଜକୁ ସୀମିତ କରି ରଖିବା ।

କରୋନା ଭୂତାଣୁ ଠାରୁ ରକ୍ଷା ପାଇବାର ଅନ୍ୟ କୌଣସି ଉପାୟ ଅବା ମାର୍ଗ ନାହିଁ ।

ଯଦି ଆମେ କରୋନା ଭୂତାଣୁର ପ୍ରସାରକୁ ରୋକିବାକୁ ଚାହୁଁ, ତେବେ ଏହାର ସଂକ୍ରମଣର ଚେନକୁ ଆମକୁ ତୁଟାଇବାକୁ ପଡ଼ିବ ।

କିଛି ଲୋକଙ୍କ ମନରେ ଏଭଳି ଭ୍ରାନ୍ତ ଧାରଣା ରହିଛି ଯେ ସାମାଜିକ ଦୂରତା ରକ୍ଷା କେବଳ ଅସୁସ୍ଥ ଲୋକଙ୍କ ପାଇଁ ଜରୁରି ।

ଏଭଳି ଧାରଣା ମନରେ ରଖିବା ସଂପୂର୍ଣ୍ଣ ଭୁଲ ।

ସାମାଜିକ ଦୂରତା ରକ୍ଷା ଦେଶର ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ପରିବାର ଏବଂ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଏକାନ୍ତ ଜରୁରି ।

ମାତ୍ର କେତେକ ଲୋକଙ୍କ ଏଭଳି ଅସାବଧାନତା ଯୋଗୁ ଏବଂ କିଛି ଲୋକଙ୍କ ମନରେ ଥିବା ଏଭଳି ଭୁଲ୍‍ ଚିନ୍ତାଧାରା ସକାଶେ, ଆପଣମାନଙ୍କ ସନ୍ତାନସନ୍ତତି, ଆପଣମାନଙ୍କ ମାତାପିତା, ଆପଣମାନଙ୍କ ପରିବାର, ଆପଣମାନଙ୍କ ପରିଜନ ଏବଂ ସମଗ୍ର ଦେଶ ଗଭୀର ଦୁର୍ଦ୍ଦଶା ଭିତରକୁ ଠେଲି ହୋଇ ଯାଇପାରେ ।

ଯଦି ଏଭଳି ଅସାବଧନତା ଜାରି ରହେ, ତେବେ ଭାରତକୁ କିଭଳି ମୂଲ୍ୟ ଦେବାକୁ ପଡ଼ିବ ତାହା ଆକଳନ କରିବା ମଧ୍ୟ ଅସମ୍ଭବ ।

ବନ୍ଧୁଗଣ,

ଗତ ଦୁଇ ଦିନ ଭିତରେ, ଦେଶର ଅନେକ ଭାଗକୁ ଲକ୍‍ ଡାଉନରେ ରଖାଯାଇଛି ।

ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ଆମେ ସର୍ବାଧିକ ନିଷ୍ଠାର ସହ ଗ୍ରହଣ କରିବା ଉଚିତ ।

ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞମାନଙ୍କ ମତ ତଥା ଅନ୍ୟାନ୍ୟ ରାଷ୍ଟ୍ରଙ୍କ ଅନୁଭୂତି ଅନୁସାରେ, ଆଜି ରାଷ୍ଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି ।

ଆଜି ମଧ୍ୟ ରାତ୍ର ଠାରୁ, ସମଗ୍ର ଦେଶ, ଦୟାକରି ମୋ କଥାକୁ ଧ୍ୟାନଦେଇ ଶୁଣନ୍ତୁ, ସମଗ୍ର ଦେଶକୁ ଲକ୍‍ ଡାଉନରେ ରଖାଯିବ ।

ଦେଶକୁ ରକ୍ଷା କରିବା ସକାଶେ, ଦେଶର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ନିମନ୍ତେ, ଆଜି ମଧ୍ୟ ରାତ୍ରରୁ, ଦେଶର ନାଗରିକଙ୍କ ଉପରେ ସେମାନଙ୍କ ଘରୁ ପଦାକୁ ବାହାରିବା ଉପରେ ନିଷେଧାଜ୍ଞା ଜାରି କରାଯାଉଛି ।

ଦେଶର ସମସ୍ତ ରାଜ୍ୟ, ସମସ୍ତ କେନ୍ଦ୍ରଶାସିତ କ୍ଷେତ୍ର, ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ପୌରପାଳିକା, ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ସ୍ଥାନରେ ଏହି ଲକ୍‍ ଡାଉନ୍‍ କାର୍ଯ୍ୟକାରୀ ହେବ ।

ଏହା ଏକ ପ୍ରକାର କର୍ଫ୍ୟୁ ବୋଲି କୁହାଯାଇପାରେ ।

ଜନତା କର୍ଫ୍ୟୁ ଠାରୁ ଏହା କେତେକ ସ୍ତରରେ ଅଧିକ ଏବଂ କଠୋର ମଧ୍ୟ ।

ବୈଶ୍ୱିକ କରୋନା ସଂକ୍ରମଣ ବିରୋଧରେ ନିର୍ଣ୍ଣାୟକ ସଂଘର୍ଷ ନିମନ୍ତେ ଏହା ଏକ ଅତ୍ୟାବଶ୍ୟକ ପଦକ୍ଷେପ ।

ଏଭଳି ଲକ୍‍ ଡାଉନ ଯୋଗୁ ଦେଶକୁ ଏହାର ଏକ ଆର୍ଥିକ ମୂଲ୍ୟ ମଧ୍ୟ ନିଶ୍ଚିତ ରୂପେ ଦେବାକୁ ପଡ଼ିବ ।

କିନ୍ତୁ, ମୋର ପ୍ରିୟ ଭାରତବର୍ଷର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ନିମନ୍ତେ, ଭାରତ ସରକାର, ପ୍ରତ୍ୟେକ ରାଜ୍ୟ ସରକାର, ତଥା ପ୍ରତ୍ୟେକ ସ୍ଥାୟୀୟ ୟୁନିଟ୍‍ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିବେ ।

ତେଣୁ, ଆପଣମାନଙ୍କୁ ମୋର ବିନମ୍ର ନିବେଦନ ଯେ ଆପଣମାନେ ନିଜ ନିଜ ଘରେ ଏହି ଅବଧିରେ ଅବସ୍ଥାନ କରନ୍ତୁ, ଆପଣମାନେ ଏବେ ଦେଶର ଯେଉଁ ସ୍ଥାନରେ ଥାଆନ୍ତୁନା କାହିଁକି, ସେହିଠାରେ ହିଁ ନିଜକୁ ନିରାପଦ ଭାବେ ସୁରକ୍ଷିତ ରଖନ୍ତୁ । ପଦାକୁ ବାହାରନ୍ତୁ ନାହିଁ ।

ବର୍ତ୍ତମାନର ପରିସ୍ଥିତିକୁ ବିଚାର କରି, ଏହି ଲକ୍‍ ଡାଉନ୍‍ ଆସନ୍ତା 21 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଆଗାମୀ 21 ଦିନ ଆମମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତ ଅନୁସାରେ, କରୋନା ଭୂତାଣୁର ଚେନକୁ ତୁଟାଇବା ସକାଶେ 21 ଦିନର ଅବଧି ଏକାନ୍ତ ସଂକଟର ଘଡ଼ି ।

ଯଦି ଏହି 21 ଦିନ ଭିତରେ ପରିସ୍ଥିତିକୁ ଉଚିତ ଭାବେ ମୁକାବିଲା କରାଯାଇ ନପାରେ, ତେବେ ଦେଶ ଏବଂ ଆପଣମାନଙ୍କ ପରିବାରକୁ 21 ବର୍ଷ ତଳକୁ ଫେରିଯିବାକୁ ପଡ଼ିପାରେ ।

ଯଦି ଏହି 21 ଦିନ ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରାଯାଇ ନପାରିଲା, ତେବେ ଅନେକ ପରିବାର ସବୁଦିନ ପାଇଁ ବରବାଦ ହୋଇଯିବେ ।

ତେଣୁ, ଆଗାମୀ 21 ଦିନ ପଦାକୁ ବାହାରିବାର ଅର୍ଥ କଣ ତାହା ଆପଣମାନେ କଦାପି ଭୁଲିଯିବା ଉଚିତ ନୁହେଁ ।

ମୋର ଆପଣମାନଙ୍କୁ ବିନମ୍ର ଅନୁରୋଧ, ଆପଣମାନେ ନିଜ ଘର ଭିତରେ ରହନ୍ତୁ, ଘର ଭିତରେ ରହନ୍ତୁ, ଏବଂ କେବଳ ଗୋଟିଏ କଥା କରନ୍ତୁ- ନିଜ ଘରେ ରହନ୍ତୁ ।

ବନ୍ଧୁଗଣ,

ଆଜି ନିଆଯାଇଥିବା ଦେଶବ୍ୟାପୀ ଲକ୍‍ ଡାଉନ୍‍ ନିଷ୍ପତ୍ତି ଆପଣମାନଙ୍କ ଦୁଆର ମୁହଁରେ ଏକ ଲକ୍ଷ୍ମଣ ରେଖାକାଟି ଦେଇଛି ।

ଆପଣମାନଙ୍କୁ ସମସ୍ତଙ୍କୁ ଏକଥା ସ୍ମରଣ ରଖିବାକୁ ପଡ଼ିବ ଯେବାହାରକୁ ଆପଣ ବଢ଼ାଉଥିବା ଗୋଟିଏ ପାହୁଣ୍ଡ ଆପଣଙ୍କ ଘରକୁ ବୈଶ୍ୱିକ ମହାମାରୀ କରୋନା ପ୍ରବେଶ କରାଇବାର କାରଣ ହୋଇପାରେ ।

ଆପଣମାନେ ମନେ ରଖିବା ଉଚିତ ଯେ ବେଳେବେଳେ, ଜଣେ କରୋନା ସଂକ୍ରମିତ ବ୍ୟକ୍ତି ହୁଏତ ପ୍ରଥମରୁ ସଂପୂର୍ଣ୍ଣ ସୁସ୍ଥ ସବଳ ଦେଖାଯାଉଥାଇ ପାରନ୍ତି, କାରଣ ସେତେବେଳେ ପର୍ଯ୍ୟନ୍ତ ସେ ସଂକ୍ରମିତ ହୋଇଛନ୍ତି ବୋଲି ଜଣା ପଡ଼ିନଥାଏ ।

ତେଣୁ, ଆପଣମାନେ ସମସ୍ତେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ଏବଂ ନିଜକୁ ଘରେ ଆବଦ୍ଧ କରି ରଖନ୍ତୁ ।

ହଁ, ଆଉ ଗୋଟିଏ କଥା,

ଯେଉଁ ଲୋକମାନେ ଘରେ ଆବଦ୍ଧ ରହୁଛନ୍ତି, ସେମାନେ ସାମାଜିକ ଗଣମାଧ୍ୟମରେ ଅଭିନବ ଉପାୟରେ ନାନା ପ୍ରକାର ସୂଚନା ଓ ନୂଆ ନୂଆ ପଦ୍ଧତିମାନେ ବାଣ୍ଟୁଛନ୍ତି ।

ଏହିଭଳି ଗୋଟିଏ ବ୍ୟାନର ମୁଁ ସାମାଜିକ ଗଣମାଧ୍ୟମରେ ଦେଖିଲି ଯାହା ମୋତେ ଖୁବ୍‍ ପସନ୍ଦ ଲାଗିଲା, ଏବଂ ତାହାକୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଦେଖାଇବାକୁ ମଧ୍ୟ ଚାହେଁ ।

କୋରେନା: ଅର୍ଥାତ୍‍, କୋଇ ରୋଡ଼ପେ ନା ନିକଲେ । (ସଡ଼କ ଉପରକୁ କେହି ଯାହାନ୍ତୁନାହିଁ) ।

ବନ୍ଧୁଗଣ,

ବିଶେଷଜ୍ଞମାନେ ଏକଥା ମଧ୍ୟ କହିଛନ୍ତି ଯେ ଯେତେବେଳେ କରୋନା ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ କରେ, ରୋଗୀର ଶରୀରରେ ତାହାର ଲକ୍ଷଣ ପ୍ରକାଶ ପାଇବାକୁ ଅନେକ ଦିନ ଲାଗିଯାଇପାରେ ।

ଏହି ସମୟ ଭିତରେ, ସେହି ବ୍ୟକ୍ତି ନିଜ ଅଜାଣତରେ ଅନ୍ୟ ଅନେକ ଲୋକଙ୍କୁ ସଂକ୍ରମିତ କରିସାରିଥାଏ ଯେଉଁମାନେ କି ତାଙ୍କର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଥାନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମତାନୁସାରେ, ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତି ମାତ୍ର 7ରୁ 10 ଦିନ ଭିତରେ ଶହ ଶହ ଲୋକଙ୍କୁ ସଂକ୍ରମିତ କରିପାରିବ ।

ଅର୍ଥାତ୍‍, ଏହା ବନାଗ୍ନି ଭଳି ଆଖି ପିଛୁଳାକେ ସଂପ୍ରସାରିତ ହୋଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଉ ଏକ ଆକଳନ ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ବନ୍ଧୁଗଣ,

ସାରା ବିଶ୍ୱରେ ଏକ ଲକ୍ଷ ଲୋକ କରୋନା ଦ୍ୱାରା ସଂକ୍ରମିତ ହେବାକୁ ପ୍ରଥମେ 67 ଦିନ ସମୟ ଲାଗିଥିଲା ।

ଏହା ପରେ, ମାତ୍ର 11 ଦିନ ଭିତରେ ଏହା ପ୍ରଭାବରେ ଆଉ ଏକ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାର ଜଣା ପଡ଼ିଥିଲା ।

ଆପଣମାନେ ଚିନ୍ତା କରନ୍ତୁ, ଲକ୍ଷେ ଲୋକ ସଂକ୍ରମିତ ହେବାକୁ 67 ଦିନ ସମୟ ଲାଗିଥିବା ବେଳେ ଦୁଇ ଲକ୍ଷ ଲୋକ ସଂକ୍ରମିତ ହେବାକୁ ମାତ୍ର 11 ଦିନ ସମୟ ଲାଗିଥିଲା ।

ଏହା ପୁଣି ଆହୁରି ଆତଙ୍କିତ କଥା ଯେ ମାତ୍ର 4 ଦିନ ଭିତରେ ଏହି ମହାମାରୀ ଦୁଇ ଲକ୍ଷରୁ ତିନି ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିଲା ।

ଆପଣମାନେ ଏଥିରୁ ସହଜରେ ଅନୁମାନ କରିପାରୁଥିବେ ଯେ କରୋନା ଭୂତାଣୁ କେଡ଼େ ବ୍ୟଗ୍ରତାର ସହ ସଂପ୍ରସାରିତ ହୋଇଚାଲିଛି ।

ଥରେ ଏହା ସଂକ୍ରମିତ ହେବା ଆରମ୍ଭ କଲାମାତ୍ରେ, ଏହାକୁ ନିୟନ୍ତ୍ରଣକୁ ଆଣିବା ଢେର୍‍ କଷ୍ଟସାଧ୍ୟ ।

ବନ୍ଧୁଗଣ,

ଏହା ହିଁ କାରଣ ଯେ ପରିସ୍ଥିତି ଏବେ ଅନିୟନ୍ତ୍ରିତ ଯେତେବେଳେ କି କରୋନା ଭୂତାଣୁ ଚୀନ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ସ୍ପେନ, ଇଟାଲୀ ଓ ଇରାନ ଭଳି ଦେଶରେ ଦ୍ରୁତ ବେଗରେ ସଂପ୍ରସାରିତ ହେବା ଆରମ୍ଭ କଲା ।

ଏକଥା ମଧ୍ୟ ଆପଣମାନେ ସ୍ମରଣ ରଖିବା ଉଚିତ ଯେ ତାହା ଇଟାଲୀ ହୋଇଥାଉ କିମ୍ବା ଆମେରିକା, ସେସବୁ ଦେଶରେ ସ୍ୱାସ୍ଥ୍ୟସେବା ବିଶ୍ୱର ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଇଥାଏ । ଏହା ସତ୍ତ୍ୱେ, ସେହିସବୁ ରାଷ୍ଟ୍ରମାନଙ୍କରେ କରୋନାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ ।

ତେଣୁ ଆମ ଆଗରେ ଏବେ ଥିବା ମୂଳ ପ୍ରଶ୍ନଟି ହେଲା, ଏଭଳି ପରିସ୍ଥିତିରେ ଆମ ନିକଟରେ ଥିବା ଆଶର କ୍ଷୀଣ ଆଲୋକବର୍ତ୍ତିକାଟି କ? ଏହାର ସମାଧାନ ପନ୍ଥା କ? ଣ ସବୁ ସମାଧାନ ସୂତ୍ର ଆମ ନିକଟରେ ଉପଲବ୍ଧ ଅଛି?

ବନ୍ଧୁଗଣ,

କରୋନା ଭୂତାଣୁକୁ ପ୍ରତିହତ କରିବାର ଆଶାର ସେହି କ୍ଷୀଣ ଆଲୋକରେଖାଟି ହେଲା, ଯେଉଁସବୁ ରାଷ୍ଟ୍ର ଏଥିରେ ଆକ୍ରାନ୍ତ ହୋଇଛନ୍ତି, ସେମାନେ କିଭଳି ଭାବେ ଏହାକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରିଛନ୍ତି ତାହାକୁ ଅନୁସରଣ କରିବା ।

ସେହିସବୁ ରାଷ୍ଟ୍ରର ନାଗରିକମାନେ ସପ୍ତାହ ସପ୍ତାହ ଧରି ନିଜ ନିଜ ଘରୁ ପଦାକୁ ଗୋଡ଼ କାଢ଼ି ନଥିଲେ । ସେହିସବୁ ଦେଶର ନାଗରିକମାନେ ସରକାର ଜାରି କରିଥିବା ନିୟମାବଳୀକୁ ନିଷ୍ଠାର ସହ ପାଳନ କରିଥିଲେ ଏବଂ ସେହି କାରଣରୁ, ସେହିସବୁ ରାଷ୍ଟ୍ର ବର୍ତ୍ତମାନ ଏଭଳି ବୈଶ୍ୱିକ ମହାମାରୀ କବଳରୁ ଉଦ୍ଧାର ପାଇବା ଆରମ୍ଭ କରିଛନ୍ତି ।

ଆମକୁ ଏକଥା ସ୍ୱୀକାର କରିବାକୁ ପଡ଼ିବ ଯେ ଆମମାନଙ୍କ ନିକଟରେ ଥିବା ଏକମାତ୍ର ଉପାୟଟି ହେଲା ଏଇଆ ।  ଆମେମାନେ ନିଜ ନିଜ ଘରୁ ପଦାକୁ ଗୋଡ଼ କାଢ଼ିବାନାହିଁ ।  ଯାହାକିଛି ଘଟିଯାଉ ପଛେ, ଆମକୁ ଘର ଭିତରେ ଆବଦ୍ଧ ହୋଇ ରହିବାକୁ ପଡ଼ିବ । ଆମେ ନିଜକୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରିପାରିବା ଯଦି ଆମେ ଘର ଆଗର ସେହି ଲକ୍ଷ୍ମଣ ରେଖା ଡେଇଁବାନାହିଁ । ଆମକୁ ଏହି ବୈଶ୍ୱିକ ମହାମାରୀର ବ୍ୟାପ୍ତିକୁ ରୋକିବାକୁ ପଡ଼ିବ ଏବଂ ସଂକ୍ରମଣର ଚେନକୁ ତୁଟାଇବାକୁ ହେବ ।

ବନ୍ଧୁଗଣ,

ବର୍ତ୍ତମାନ ଭାରତ ଏହି ପର୍ଯ୍ୟାୟରେ ରହିଛି ଯେତେବେଳେ ଆମର ସାମ୍ପ୍ରତିକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଧାଣ କରିବ ଆମେ ଏହି ବିପର୍ଯ୍ୟୟକୁ କେତେ ମାତ୍ରାରେ ସଂକୁଚିତ କରିପାରିବା ।

ତେଣୁ ଆମର ପ୍ରତିବଦ୍ଧତାକୁ ନିରବଚ୍ଛିନ୍ନ ଭାବେ ଆମକୁ ଆହୁରି ସୁଦୃଢ଼ କରିବାକୁ ହେବ । ଆମକୁ ପ୍ରତ୍ୟେକ ପଦକ୍ଷେପରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଆପଣମାନଙ୍କୁ ସ୍ମରଣ ରଖିବାକୁ ହେବ ଯେ ଜୀବନ ଅଛି ତ ସୁଖ ଅଛି ।

ବନ୍ଧୁଗଣ,

ତେଣୁ ଏବେ ଧୈର୍ଯ୍ୟ ଏବଂ ଶୃଙ୍ଖଳା ରକ୍ଷାର ଘଡ଼ି । ଲକ୍‍ ଡାଉନ ସ୍ଥିତି କାଏମ ରହିଥିବା ଯାଏ, ଆମକୁ ସଂକଳ୍ପ ନେବାକୁ ହେବ ଯେ ଆମେ ଆମର ପ୍ରତିଶ୍ରୁତି ନିଷ୍ଠାର ସହ ପାଳନ କରିବା ।

ଆପଣମାନଙ୍କ ସମସ୍ତଙ୍କୁ ମୋର ବିନମ୍ର ନିବେଦନ ଯେ ଆପଣମାନେ ଯେତେବେଳେ ଘରେ ରହୁଛନ୍ତି, ସେତେବେଳେ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଜନସାଧାରଣଙ୍କ କଲ୍ୟାଣ ସକାଶେ ସେମାନଙ୍କର କର୍ତ୍ତବ୍ୟ ସଂପାଦନ କରୁଛନ୍ତି, ଯେଉଁମାନେ ବିରାଟ ରିସ୍କ ମଧ୍ୟକୁ ନିଜକୁ ଠେଲି ଦେଉଛନ୍ତି, ଆପଣମାନେ ସେମାନଙ୍କ କଥା ମଧ୍ୟ ଚିନ୍ତା କରନ୍ତୁ ଏବଂ ସେମାନେ କିଭଳି ସୁସ୍ଥ ରହିବେ ସେକଥା ପ୍ରାର୍ଥନା କରନ୍ତୁ ।

ଥରେ ସେହିସବୁ ଡାକ୍ତର, ନର୍ସ, ପାରାମେଡ଼ିକାଲ ଷ୍ଟାଫ୍‍, ପାଥୋଲୋଜିଷ୍ଟମାନଙ୍କ କଥା ଚିନ୍ତା କରନ୍ତୁ ଯେଉଁମାନେ ଦିନ ରାତି ହସପିଟାଲମାନଙ୍କରେ ପ୍ରତ୍ୟେକ ଲୋକଙ୍କ ଜୀବନ ବଞ୍ଚାଇବା ସକାଶେ କାର୍ଯ୍ୟ କରୁଛନ୍ତି । ଚିନ୍ତା କରନ୍ତୁ ସେହିସବୁ ହସପିଟାଲଗୁଡ଼ିକର ପ୍ରଶାସନିକ କର୍ମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ୱାର୍ଡ଼ ବୟ, ସାନିଟେସନ୍‍ କର୍ମଚାରୀ ଯେଉଁମାନେ ଏଭଳି ଜଟିଳ ପରିସ୍ଥିତିରେ ଅନ୍ୟମାନଙ୍କର ସେବା କରୁଛନ୍ତି । ସେହିସବୁ ଲୋକମାନଙ୍କ କଥା ଥରେ ଚିନ୍ତା କରନ୍ତୁ ଯେଉଁମାନେ ଆପଣମାନଙ୍କ ସମାଜକୁ, ଅଞ୍ଚଳକୁ, ଆପଣମାନଙ୍କ ରାସ୍ତାକୁ, ଜନସାଧାରଣ ସ୍ଥାନଗୁଡ଼ିକୁ ସଂପୂର୍ଣ୍ଣ ସ୍ୱଚ୍ଛ ଓ ଜୀବାଣୁ ପ୍ରଦୂଷଣମୁକ୍ତ କରିବା ସକାଶେ କାର୍ଯ୍ୟ କରୁଛନ୍ତି ।

ଚିନ୍ତା କରନ୍ତୁ ସେହିସବୁ ଗଣମାଧ୍ୟମର ପ୍ରତିନିଧିମାନଙ୍କ କଥା ଏବଂ ଯେଉଁମାନେ ସେମାନଙ୍କର ଜୀବନକୁ ବାଜି ଲଗାଇ ସଂକ୍ରମଣକୁ ଖାତିର ନକରି ବିଭିନ୍ନ ଖବରମାନ ପ୍ରତି ଗଳିକନ୍ଦି, ସଡ଼କ ତଥା ହସପିଟାଲରୁ ଆଣି ଆପଣମାନଙ୍କ ନିକଟରେ ପହଞ୍ଚାଉଛନ୍ତି ।

ଚିନ୍ତା କରନ୍ତୁ ସେହିସବୁ ପୁଲିସ ବାହିନୀଙ୍କ କଥା ଯେଉଁମାନେ ଅହୋରାତ୍ର ଆପଣମାନଙ୍କ ଚତୁଃପାଶ୍ୱର୍ରେ ଅଛନ୍ତି, ଯେଉଁମାନେ ନିରନ୍ତର ଭାବେ ନିଜ କଥା କିମ୍ବା ନିଜ ପରିବାରର କଲ୍ୟଣ କଥା ଚିନ୍ତା ନକରି କର୍ତ୍ତବ୍ୟ କରିଚାଲିଛନ୍ତି । ସେମାନେ ଅହୋରାତ୍ର ଆପଣମାନଙ୍କ ଜୀବନ ରକ୍ଷା କରୁଛନ୍ତି ଏବଂ ଅନେକ କ୍ଷେତ୍ରରେ ଜନସାଧାରଣଙ୍କ କ୍ରୋଧର ଶିକାର ମଧ୍ୟ ହେଉଛନ୍ତି ।

ବନ୍ଧୁଗଣ,

ଏଭଳି ପରିସ୍ଥିତିରେ ଯେତେବେଳେ କରୋନା ଭୂତାଣୁ ସଂକ୍ରମଣ ବୈଶ୍ୱିକ ମହାମାରୀରେ ପରିଣତ ହୋଇଛି, ସେତେବେଳେ କେନ୍ଦ୍ର ଓ ଦେଶବ୍ୟାପୀ ରାଜ୍ୟ ସରକାରମାନେ କ୍ଷିପ୍ରତାର ସହ କାର୍ଯ୍ୟ କରୁଛନ୍ତି । ଆମେ ନିରବଚ୍ଛିନ୍ନ ଭାବେ ଏକଥା ସୁନିଶ୍ଚିତ କରୁଛୁ ଯେ ସେମାନଙ୍କର ଦୈନନ୍ଦିନ ଜୀବନରେ ଜନସାଧରଣ ଯେଭଳି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଅନ୍ତି । ତେଣୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଯେଭଳି ସ୍ୱାଭାବିକ ରହେ ଏବଂ ସହଜରେ ସମସ୍ତଙ୍କୁ ଉପଲବ୍ଧ ହୁଏ ତାହା ସୁନିଶ୍ଚିତ କରିବା ସକାଶେ ଆମେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଛୁ ।

ଏଭଳି ପରିସ୍ଥିତି ଗରିବ ଲୋକମାନଙ୍କ ପାଇଁ ଆହୁରି ସଂକଟର ପରିସ୍ଥିତି ସୃଷ୍ଟି କରିଛି ।

କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ସିଭିଲ ସୋସାଇଟିର ନାଗରିକ ଓ ବିଭିନ୍ନ ଅନୁଷ୍ଠାନମାନଙ୍କ ସହ ମିଶି ଗରିବ ଲୋକମାନଙ୍କ ସମସ୍ୟା ହ୍ରାସ କରିବା ଦିଗରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟରତ ଅଛନ୍ତି । ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ଅନେକ ଲୋକ ସେମାନଙ୍କ ସହ ସହଯୋଗର ହାତ ବଢ଼ାଇଛନ୍ତି ।

ବନ୍ଧୁଗଣ,

ଏଭଳି ମୌଳିକ ଆବଶ୍ୟକତା ବ୍ୟତୀତ, ଜୀବନ ରକ୍ଷାକାରୀ ଆବଶ୍ୟକତା ଉପରେ ମଧ୍ୟ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଉଛି ।

ନଭେଲ କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ସକାଶେ, କେନ୍ଦ୍ର ସରକାର ନିରବଚ୍ଛନ୍ନ ଭାବେ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ଉତ୍ତମ ସଂସାଧନଯୁକ୍ତ କରିବା ଦିଗରେ ପ୍ରୟାସ ଜାରି ରଖିଛନ୍ତି ।

ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠ. ଦେଶର ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନ ଏବଂ ଦେଶର ପ୍ରମୁଖ ମେଡ଼ିକାଲ ଓ ଗବେଷଣା ସଂସ୍ଥା ତଥା ବିଶିଷ୍ଟ ସ୍ୱାସ୍ଥ୍ୟ ବିଜ୍ଞାନୀମାନଙ୍କ ପରାମର୍ଶ କ୍ରମେ ଏଭଳି ନିଷ୍ପତ୍ତିମାନ ଗ୍ରହଣ କରିଚାଲିଛି ।

କେନ୍ଦ୍ର ସରକାର କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ତଥା ମେଡ଼ିକାଲ ସଂସାଧନର ସୁଦୃଢ଼ୀକରଣ  ସକାଶେ 15 ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ।

ଏହା କରୋନା ଭୂତାଣୁ ସଂକ୍ରମଣଙ୍କ ପରୀକ୍ଷା ବ୍ୟବସ୍ଥା, ପର୍ସନାଲ ପ୍ରୋଟେକ୍ଟିଭ୍‍ ଉପକରଣ (ପିପିଇ), ଆଇସୋଲେସନ ୱାର୍ଡ଼, ଆଇସିୟୁ ବେଡ଼୍‍, ଭେଣ୍ଟିଲେଟର ଓ ଅନ୍ୟାନ ଅତ୍ୟାବଶ୍ୟକ ଉପକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବ । ଏଥିସହିତ, ମେଡ଼ିକାଲ ଓ ପାରାମେଡ଼ିକାଲ କର୍ମଚାରୀଙ୍କୁ ମଧ୍ୟ ଉପଯୁକ୍ତ ତାଲିମ ପ୍ରଦାନ କରାଯିବ ।

ମୁଁ ଏହି ଦିଗରେ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିଛି ଯେ ସେମାନେ ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରନ୍ତୁ ।

ମୁଁ ଖୁସି ଯେ ଘରୋଇ ସେକ୍ଟର ମଧ୍ୟ ଏଭଳି ଜଟିଳ ପରିସ୍ଥିତିରେ ଦେଶର ନାଗରିକଙ୍କ ସହ ସେମାନଙ୍କର ସଂପୂର୍ଣ୍ଣ ସାମର୍ଥ୍ୟ ସହ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛନ୍ତି ।

ଘରୋଇ ପରୀକ୍ଷାଗାର ଓ ହସପିଟାଲ ଆଗ୍ରହର ସହ ସରକାରଙ୍କ ସହ ଏଭଳି ଆହ୍ଵାନଯୁକ୍ତ ପରିସ୍ଥିତିରେ କାର୍ଯ୍ୟ କରିବାକୁ ଆଗେଇ ଆସୁଛନ୍ତି ।

କିନ୍ତୁ, ବନ୍ଧୁଗଣ, ଏଭଳି ସମୟରେ ଆପଣମାନଙ୍କୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଜାଣତରେ ହେଉ ଅବା ଅଜାଣତରେ, ଅନେକ ଗୁଜବ ପ୍ରସାରିତ ହୋଇଚାଲିଛି । ମୁଁ ଆପଣମାନଙ୍କୁ ନିବେଦନ କରୁଛି ଯେ ଯେକୌଣସି ପ୍ରକାର ଗୁଜବ ଓ ଅନ୍ଧବିଶ୍ୱାସ ପ୍ରତି ସତର୍କ ରହନ୍ତୁ ।

ଏହା ଆପଣମାନଙ୍କ ପାଇଁ ଅତ୍ୟନ୍ତ ଜରୁରି ଯେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ତଥା ଅନ୍ୟ ମେଡ଼ିକାଲ ସଂସ୍ଥା ଦ୍ୱାରା ଦିଆଯାଉଥିବା ନିର୍ଦ୍ଦେଶାବଳୀକୁ ହିଁ ନିଷ୍ଠାର ସହ ପାଳନ କରନ୍ତୁ ।

ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଯଦି ଆପଣମାନଙ୍କ ଠାରେ କୌଣସି ପ୍ରକାର ସଂକ୍ରମଣର ସଂକେତ ଦେଖାଦେଇଛି ତେବେ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ପ୍ରକାର ଔଷଧ ସେବନ କରନ୍ତୁନାହିଁ । କୌଣସି ପ୍ରକାର ମେଡ଼ିକାଲ ପରୀକ୍ଷାନିରୀକ୍ଷା ଆପଣମାନଙ୍କ ଜୀବନକୁ ମହା ସଂକଟରେ ପକାଇ ଦେଇପାରେ ।

ବନ୍ଧୁଗଣ, ମୁଁ ଦୃଢ଼ନିଶ୍ଚିତ ଯେ ପ୍ରତ୍ୟେକ ଭାରତୀୟ ନାଗରିକ ସରକାର ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଏହି ନିର୍ଦ୍ଦେଶାବଳୀକୁ ଏଭଳି ଜଟିଳ ସମୟରେ ନିଷ୍ଠାର ସହ ପାଳନ କରିବେ ।

21 ଦିନର ଲକ୍‍ ଡାଉନ୍‍ ଏକ ଦୀର୍ଘ ସମୟ । କିନ୍ତୁ ଏହା ଆପଣମାନଙ୍କ ନିରାପତ୍ତା ଓ ଆପଣମାନଙ୍କ ପରିବାର ନିମନ୍ତେ ଏକାନ୍ତ ଜରୁରି ।

ମୋର ଦୃଢ଼ ବିଶ୍ୱାସ ଯେ ଭାରତର ପ୍ରତ୍ୟେକ ନାଗରିକ ସଫଳତାର ସହ ଏଭଳି କଠିନ ପରିସ୍ଥିତି ସହ ଲଢ଼େଇ କରିବେ ଏବଂ ନିଶ୍ଚିତ ସଫଳ ହେବେ ।

ଆପଣମାନେ ନିଜର ଏବଂ ନିଜର ପ୍ରିୟଜନମାନଙ୍କର ଯତ୍ନ ନିଅନ୍ତୁ ।

ଜୟ ହିନ୍ଦ୍‍!

 

**********



(Release ID: 1608073) Visitor Counter : 230


Read this release in: English