ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ନିରାକରଣ ଓ ନିବାରଣ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଓ ନିର୍ଦ୍ଦେଶାବଳୀ ଜାରି

• ରାଜ୍ୟ ସହ ସମନ୍ୱୟ ସ୍ଥାପନ ଲାଗି 30 ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି
• ଆଇସିଏମଆର ଗାଇଡଲାଇନ ଅନୁଯାୟୀ ଘରୋଇ ପରୀକ୍ଷାଗାରକୁ ନମୂନା ପରୀକ୍ଷଣ ଅନୁମତି
• ଆଫଗାନିସ୍ତାନ, ଫିଲିପାଇନ୍ସ ଓ ମାଲେସିଆ ଯାତ୍ରୀଙ୍କ ଭାରତ ପ୍ରବେଶ ନିଷେଧ
• ସରକାରୀ କାର୍ଯ୍ୟାଳୟରେ ଆଗନ୍ତୁକଙ୍କ ପ୍ରବେଶ ଉପରେ କଟକଣା

Posted On: 17 MAR 2020 9:23PM by PIB Bhubaneshwar

କରୋନା ଭୂତାଣୁ ସଂକ୍ରମଣ ନିରାକରଣ ଓ ନିବାରଣ ଲାଗି ଆଜି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନଙ୍କୁ ନେଇ କ୍ୟାବିନେଟ ସଚିବ ଏକ ଜରୁରୀ ବୈଠକ ଆୟୋଜନ କରିଛନ୍ତି । ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ସମାବେଶ ନିଷେଧ ଲାଗି ଜାରି ହୋଇଥିବା ନିର୍ଦ୍ଦେଶକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସାମାଜିକ ଦୂରତା ରକ୍ଷା କରିବା ଦ୍ୱାରା ରୋଗ ସଂକ୍ରମଣକୁ ନିବାରଣ କରିହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ । ସେହିପରି ବିଭିନ୍ନ ରାଜ୍ୟରେ ପୃଥକୀକରଣ ସୁବିଧା, ଡାକ୍ତରଖାନା ପରିଚାଳନା ଓ ସଚେତନତା ଅଭିଯାନର ସେ ସମୀକ୍ଷା କରିଥିଲେ ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି 30ଜଣ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଭାରତ ସରକାରଙ୍କ ଠାରୁ ରାଜ୍ୟଗୁଡିକ କୌଣସି ପ୍ରକାର ସହାୟତା ଆବଶ୍ୟକ କରୁଥିଲେ ଯୁଗ୍ମ ସଚିବ ସ୍ତରର ଏହି ଅଧିକାରୀମାନେ ପ୍ରଭାବୀ ଓ ବାଧାମୁକ୍ତ ସମନ୍ୱୟ ରକ୍ଷା କରିବେ । ଏମାନେ ବିଭିନ୍ନ ରାଜ୍ୟରେ ନିୟୋଜିତ ରହିବା ସହିତ କରୋନା ଭୂତାଣୂ ସଂକ୍ରମଣର ମୁକାବିଲା ଦିଗରେ ନିଆଯାଇଥିବା ପଦକ୍ଷେପରେ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବେ । ଏ ସମସ୍ତ ଅଧିକାରୀଙ୍କ ସହିତ ଆସନ୍ତାକାଲି ଏକ ବୈଠକ ଆୟୋଜନ କରାଯିବ । ଏଥିରେ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଯିବ ।

ସେହିପରି ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶୀକା ଓ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲାଗି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଚିବ ପତ୍ର ଲେଖିଛନ୍ତି । ସମସ୍ତ ନିର୍ଦ୍ଦେଶନାମାକୁ ମନ୍ତ୍ରଣାଳୟ ଓ ବିଭାଗ ଅଧିନରେ ଥିବା ସମସ୍ତ ପ୍ରତିଷ୍ଠାନରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

ପୂର୍ବରୁ 11 ଏବଂ 16 ମାର୍ଚ୍ଚ 2020ରେ ଜାରି କରାଯାଇଥିବା ଯାତ୍ରା ମାର୍ଗଦର୍ଶୀକା ସହିତ ଆଜି ନୂଆ ମାର୍ଗଦର୍ଶୀକା ଜାରି ହୋଇଛି । ଆଫଗାନିସ୍ତାନ, ଫିଲିପାଇନ୍ସ, ମାଲେସିଆରୁ ଆସୁଥିବା ଯାତ୍ରୀଙ୍କୁ ଭାରତରେ ପ୍ରବେଶକୁ ନିଷେଧ କରାଯାଇଛି । ଏହା ତ୍ୱରିତ ପ୍ରଭାବରେ ଲାଗୁ ହେବ । ସମସ୍ତ ବିମାନ ସେବା ପ୍ରଦାନକାରୀ ଏହାକୁ କାର୍ଯ୍ୟକାରୀ କରିବେ ଏବଂ ଏସବୁ ଦେଶରୁ କୌଣସି ବିମାନ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିପାରିବ ନାହିଁ । 31 ମାର୍ଚ୍ଚ 2020 ପର୍ଯ୍ୟନ୍ତ ଏହାକୁ ଅସ୍ଥାୟୀ ଭାବେ ଲାଗୁ କରାଯିବ ଏବଂ ପରବର୍ତ୍ତୀ ସମୟରେ ଏହାର ସମୀକ୍ଷା କରାଯିବ ।

•        କୋଭିଡ-19 ମୁକାବିଲା ଲାଗି ଚିକିତ୍ସା ପରିଚାଳନା ନିର୍ଦ୍ଦେଶାବଳୀ (ଆଗୁଆ ରୋଗୀ ଚିହ୍ନଟ), ସଂକ୍ରମଣ ନିବାରଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ ପାଇଁ ମାର୍ଗଦର୍ଶୀକାକୁ ସଂଶୋଧନ କରାଯାଇଛି ।

•        ମୃତଦେହ ପରିଚାଳନା କ୍ଷେତ୍ରରେ ସଂଶୋଧିତ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା, ସଂକ୍ରମଣ ରୋକିବା ଲାଗି ମୃତଦେହକୁ ସଠିକ ସ୍ଥାନରେ ରଖିବା ସହିତ ପରିବେଶକୁ ସଂକ୍ରମଣ ମୁକ୍ତ ରଖିବା ପାଇଁ କୁହାଯାଇଛି ।

•        କୋଭିଡ-19 ପରୀକ୍ଷା ପାଇଁ ମଞ୍ଜୁରିପ୍ରାପ୍ତ ଘରୋଇ ପରୀକ୍ଷାଗାରକୁ ଅନୁମତି ଦିଆଯିବା ସହିତ ଏମାନଙ୍କ ପାଇଁ ସ୍ୱତନ୍ତ୍ର ଦିଶାନିର୍ଦ୍ଦେଶ ଜାରି କରାଯାଇଛି ।

•        ଘରୋଇ ପରୀକ୍ଷାଗାରଗୁଡିକ ଆଇସିଏମଆରର ତତ୍ୱାବଧାନରେ ଯୋଗ୍ୟ ଡାକ୍ତରଙ୍କ ଦ୍ୱାରା ନମୂନା ପରୀକ୍ଷା କରିପାରିବେ । ତେବେ ଏଦିଗରେ ସେମାନେ ସଦ୍ୟ ଜାରି ହୋଇଥିବା ଦିଶାନିର୍ଦ୍ଦେଶକୁ ପାଳନ କରିବେ ।

•        ଘରୋଇ ପରୀକ୍ଷାଗାରଗୁଡିକ ପାଇଁ ଆଇସିଏମଆର ପକ୍ଷରୁ ନମୂନା ପରୀକ୍ଷଣର ପରିଚାଳନା ପଦ୍ଧତି ମାନକ (ଏସଓପି) ଜାରି କରାଯିବ । ଆଇସିଏମଆର ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ପୁଣେ ଦ୍ୱାରା ଅନୁମୋଦିତ କିଟରେ ପରୀକ୍ଷାଗାରଗୁଡିକ ନମୂନା ପରୀକ୍ଷା କରିବେ ।

•        ସଂକ୍ରମିତଙ୍କ ଠାରୁ ନମୂନା ସଂଗ୍ରହ କରିବା ସମୟରେ ଉପଯୁକ୍ତ ଜୈବସୁରକ୍ଷା ଓ ଜୈବନିରାପତ୍ତା ସତର୍କତା ଅବଲମ୍ବନ କରାଯିବ । ବିକଳ୍ପ ଭାବେ ଏହି ରୋଗ ପାଇଁ ଏକ ନିର୍ଦ୍ଦିଷ୍ଟ ନମୂନା କେନ୍ଦ୍ର ସ୍ଥାପନ କରାଯିବ ।

•        ଏହି ଘରୋଇ ପରୀକ୍ଷାଗାରଗୁଡିକ ତୁରନ୍ତ କୌଣସି ସୂଚନା ଭାରତ ସରକାରଙ୍କ ଆଇଡିଏସପି ରାଜ୍ୟ ଅଧିକାରୀ ଏବଂ ଆଇସିଏମଆର ମୁଖ୍ୟାଳୟକୁ ପ୍ରଦାନ କରିବାର ବ୍ୟବସ୍ଥା କରିବେ ।

ଏହାଛଡା ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର କର୍ମଚାରୀଙ୍କ ପାଇଁ କାର୍ମୀକ ଓ ତାଲିମ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶୀକା ଜାରି କରାଯାଇଛି । ଏହାକୁ ସମସ୍ତ ସରକାରୀ ପ୍ରତିଷ୍ଠାନରେ ପାଳନ କରାଯିବ ।

•        ସମସ୍ତ ସରକାରୀ ପ୍ରତିଷ୍ଠାନର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯିବ । ସରକାରୀ ଅଟ୍ଟାଳିକାକୁ ପ୍ରବେଶ ସ୍ଥାନରେ ହାତସଫା ସାନିଟାଇଜର ରଖାଯିବ । ଥଣ୍ଡା ଭଳି ଲକ୍ଷଣ ଥିଲେ ଉପଯୁକ୍ତ ଚିକିତ୍ସା ଏବଂ ପୃଥକୀକରଣ ପଦକ୍ଷେପ ଗ୍ରହଣ କରିବା ଲାଗି ପରାମର୍ଶ ଦିଆଯାଇଛି ।

•        ଅଫିସ ପରିସର ମଧ୍ୟକୁ ଅଧିକ ଆଗନ୍ତୁକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ତୁରନ୍ତ ପରିଦର୍ଶକ/ଅସ୍ଥାୟୀ ପାସ ଜାରି କରିବା ବ୍ୟବସ୍ଥାକୁ ବାତିଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । କେବଳ ଅଧିକାରୀଙ୍କ ଅନୁମତିକ୍ରମେ ଉପଯୁକ୍ତ ଭାବେ ଯାଞ୍ଚ କରାଯିବା ପରେ ଆଗନ୍ତୁକଙ୍କୁ ପ୍ରବେଶ ଅନୁମତି ମିଳିବ ।

•        ସମସ୍ତ ସରକାରୀ ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ କରାଯିବ । ବୈଠକ ଘୁଂଚାଇବା ଓ ଅଧିକ ଭିଡ ନ କରିବାକୁ ପରାମର୍ଶ ଦିଆଯାଇଛି ।

•        ଅଦରକାରୀ ସରକାରୀ ଗସ୍ତକୁ ଏଡାଇବା ପାଇଁ କୁହାଯାଇଛି ।  

•          ଅନ୍ୟ ଅଫିସକୁ ଫାଇଲ ଓ କାଗଜପତ୍ର ପଠାଇବା ବଦଳରେ ଇ-ମେଲ ମାଧ୍ୟମରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।

•        କାର୍ଯ୍ୟାଳୟର ପ୍ରବେଶ ପଥରେ ଡାକ ପଠାଇବା ଏବଂ ଗ୍ରହଣ କରିବାର ବ୍ୟବସ୍ଥା କରିବାକୁ କୁହାଯାଇଛି ।

•        ସରକାରୀ ଅଟ୍ଟାଳିକା ପରିସରରେ ଥିବା ସମସ୍ତ ଜିମ୍, କ୍ରେଚ, ଅବସର ବିନୋଦନ କେନ୍ଦ୍ରକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।

•        କାର୍ଯ୍ୟସ୍ଥଳୀକୁ ସ୍ୱଚ୍ଛ ରଖିବା ସହ ବାରମ୍ବାର ସ୍ପର୍ଶ କରାଯାଉଥିବା ସ୍ଥାନକୁ ନିୟମିତ ବ୍ୟବଧାନରେ ଜୀବାଣୁ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଅଫିସ ପରିସରରେ ଯଥେଷ୍ଟ ପରିମାଣରେ ସାନିଟାଇଜର, ସାବୁନ ଓ ୱାସ ରୁମରେ ଚାଲୁଥିବା ପାଣି ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

•        ଅଧିକାରୀମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ । ଶ୍ୱାସକ୍ରିୟାରେ ସମସ୍ୟା କିମ୍ବା ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟସ୍ଥଳୀରୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ସେମାନେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ନିଜକୁ ପୃଥକ ରଖି ଚିକିତ୍ସା କରାଇବେ ।

•        ଚିକିତ୍ସିତ କିମ୍ବା ପୃଥକ ରହିବାକୁ ଚାହୁଁଥିବା ସରକାରୀ କର୍ମଚାରୀଙ୍କୁ ଛୁଟି ମଞ୍ଜୁର କରିବା ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

•        ବୟସ୍କ, ଗର୍ଭବତୀ ଓ ଅସୁସ୍ଥ ଥିବା କର୍ମଚାରୀଙ୍କୁ ଅଧିକ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି । ଏପରି କର୍ମଚାରୀଙ୍କୁ ସିଧାସଳଖ ସର୍ବସାଧାରଣଙ୍କ ସଂସ୍ପର୍ଶରେ ଆସୁଥିବା କାର୍ଯ୍ୟଠାରୁ ଦୂରେଇ ରଖିବା ଦିଗରେ ମନ୍ତ୍ରଣାଳୟ ଓ ବିଭାଗଗୁଡିକ ପଦକ୍ଷେପ ନେବେ । 

 

**********

 



(Release ID: 1606845) Visitor Counter : 156


Read this release in: English