ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ମୁକାବିଲା ପାଇଁ ସାର୍କ ନେତାଙ୍କ ସହ ଭିଡିଓ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ

Posted On: 15 MAR 2020 7:56PM by PIB Bhubaneshwar

ମାନ୍ୟବର,

ଏତେ କମ ସମୟ ଅବଧିରେ ଏହି ବିଶେଷ ଆଲୋଚନାରେ ସାମିଲ ହୋଇଥିବାରୁ ଆପଣ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

ବିଶେଷ କରି ନିଜ ସର୍ଜରୀ ପରେ ଆମ ସହ ସାମିଲ ହୋଇଥିବାରୁ ଆମ ବନ୍ଧୁ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଧନ୍ୟବାଦ ଜଣାଉଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ରାଷ୍ଟ୍ରପତି ଅସରଫ ଘନିଙ୍କୁ ସଦ୍ୟ ସମାପ୍ତ ହୋଇଥିବା ପୁନଃ-ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଉଛି ।

ଆମ ସହ ଥିବା ସାର୍କର ନୂଆ ମହାସଚିବଙ୍କୁ ସ୍ୱାଗତ ଜଣାଉଛି । ଗାନ୍ଧିନଗର ସାର୍କ ବିପର୍ଯ୍ୟୟ ପ୍ରବନ୍ଧନ କେନ୍ଦ୍ର ନିର୍ଦ୍ଦେଶକଙ୍କ ଉପସ୍ଥିତିକୁ ସ୍ୱାଗତ ଜଣାଉଛି ।

ମାନ୍ୟବର,

ଆମେ ଜାଣିଛେ ଯେ, କୋଭିଡ-19କୁ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମହାମାରୀ ଭାବେ ବର୍ଗୀକୃତ କରାଯାଇଛି । ଏଯାବତ, ଆମ ଅଞ୍ଚଳରେ 150ରୁ କମ୍ ମାମଲା ପଞ୍ଜିକୃତ ହୋଇଛି । ତେବେ ସତର୍କ ରହିବାର ଆବଶ୍ୟକତା ରହିଛି । ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ପଞ୍ଚମାଂଶ ଆମ କ୍ଷେତ୍ରରେ ବସବାସ କରନ୍ତି । ଜନସଂଖ୍ୟାର ଘନତ୍ୱ ମଧ୍ୟ ଏଠାରେ ଅଧିକ । ବିକାଶଶୀଳ ଦେଶ ଭାବେ ସ୍ୱାସ୍ଥ୍ୟ ସୁବିଧା ଆମ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଆମ ଦେଶର ନାଗରିକଙ୍କ ମଧ୍ୟରେ ଥିବା ସମ୍ପର୍କ ବେଶ ପ୍ରାଚୀନ ଓ ଆମ ସମାଜ ପରସ୍ପର ସହ ଘନିଷ୍ଠ ଭାବେ ଜଡିତ । ତେଣୁ ଆମ ସମସ୍ତଙ୍କୁ ଏକାଠି ପ୍ରସ୍ତୁତ ରହିବା ସହ, ଏକାଠି କାମ କରିବାକୁ ପଡିବ ସଫଳ ହେବାକୁ ପଡିବ ।

ମାନ୍ୟବର,

ଏହି ଆହ୍ୱାନର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଥିବା ବେଳେ ଏହି ଭାଇରସ ବିସ୍ତାରର ମୁକାବିଲା କରିବାରେ ଭାରତର ଅଭିଜ୍ଞତା ଆପଣମାନଙ୍କ ସହ ସଂକ୍ଷେପରେ ବାଣ୍ଟିବାକୁ ଚାହୁଁଛି । ପ୍ରସ୍ତୁତ ହେବା, ହେଲେ ଆତଙ୍କିତ ହେବା ନାହିଁ ଆମର ମାର୍ଗଦର୍ଶୀ ମନ୍ତ୍ର ସାଜିଛି । ଏହି ସମସ୍ୟାକୁ ଛୋଟ ନଭାବିବା ପାଇଁ ସତର୍କ ଥିଲୁ ଓ ଏହାର ମୁକାବିଲା ପାଇଁ ଆଖିବୁଜା ପଦକ୍ଷେପ ନେଇ ନଥିଲୁ । ଶ୍ରେଣୀବଦ୍ଧ ପ୍ରତିକ୍ରିୟା ତନ୍ତ୍ର ସହ ସକ୍ରିୟ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲୁ । ଜାନୁୟାରୀ ମଧ୍ୟ ଭାଗରୁ ଭାରତକୁ ପ୍ରବେଶ ବେଳେ ସ୍କ୍ରିନିଂ ଆରମ୍ଭ କରିଥିବା ବେଳେ ଧୀରେ ଧୀରେ ଭ୍ରମଣ ଉପରେ ପ୍ରତିବନ୍ଧକ ଜାରି କରିଥିଲୁ । କ୍ରମାନ୍ୱୟରେ ପଦକ୍ଷେପ ନେଇଥିବାରୁ ଆମେ ଆତଙ୍କିତ ହେବାରୁ ବର୍ତ୍ତି ପାରିଥିଲୁ । ଟିଭି, ଛାପା ଓ ସାମାଜିକ ଗଣମାଧ୍ୟମରେ ଜନ ସଚେତନତା ଅଭିଯାନକୁ ପ୍ରୋତ୍ସାହନ ଦେଇଥିଲୁ । ସମ୍ବେଦନଶୀଳ ଗୋଷ୍ଠୀଙ୍କ ନିକଟରେ ପହଁଚିବାକୁ ପ୍ରୟାସ କରିଛୁ । ସାରା ଦେଶରେ ମେଡିକାଲ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରିବା ସହ ଭିତ୍ତିଭୂମି ମଜବୁତ କରିବାକୁ ଉଦ୍ୟମ କରିଥିଲୁ । ନିଦାନ ଦକ୍ଷତା ମଧ୍ୟ ବୃଦ୍ଧି କରିଛୁ । ଦୁଇ ମାସ ମଧ୍ୟରେ ଆମେ ସାରା ଦେଶରେ 60ରୁ ଅଧିକ ପ୍ରୟୋଗଶାଳାରେ ପରୀକ୍ଷଣ ବ୍ୟବସ୍ଥା କରିପାରିଛୁ । ଏହି ମହାମାରୀର ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ପ୍ରୋଟୋକଲ ତିଆରି କରିଛୁ । ଯେପରିକି ପ୍ରବେଶ ସ୍ଥାନରେ ଯାଞ୍ଚ, ସନ୍ଦିଗ୍ଧ ମାମଲା ସମ୍ପର୍କରେ ସନ୍ଧାନ, କ୍ୱାରାଣ୍ଟାଇନ ଓ ପୃଥକ ରହିବା ସୁବିଧା ବ୍ୟବସ୍ଥା ଓ ସନ୍ଦେହମୁକ୍ତ ମାମଲାରେ ଡିସଚାର୍ଜ କରିବା ଆଦି । ବିଦେଶରେ ଥିବା ଭାରତୀୟଙ୍କ ସମସ୍ୟା ଶୁଣିଥିଲୁ । ବିଭିନ୍ନ ଦେଶରେ ଥିବା ପ୍ରାୟ 1400 ଭାରତୀୟଙ୍କୁ ଉଦ୍ଧାର କରିଥିଲୁ । ପଡୋଶୀର ପ୍ରଥମ ନୀତି ଅନୁଯାୟୀ ଆମେ ଆପଣଙ୍କ ଦେଶର କିଛି ନାଗରିକଙ୍କୁ ସାହାଯ୍ୟ କରିଥିଲୁ । ଏବେ ଆମେ ଏ ପ୍ରକାର ଉଦ୍ଧାର କାର୍ଯ୍ୟ ପାଇଁ ଏକ ପ୍ରୋଟୋକଲ ତିଆରି କରିଛୁ, ଯେଉଁଥିରେ ବିଦେଶରେ ମୁତୟନ ମୋବାଇଲ ଟିମ୍ ଦ୍ୱାରା ଯାଞ୍ଚ ସାମିଲ ରହିଛି । ଭାରତରେ ଥିବା ବିଦେଶୀ ନାଗରିକଙ୍କ ପାଇଁ ସେହି ଦେଶଗୁଡିକ ଚିନ୍ତିତ ଥିବେ ବୋଲି ଭାବି ବିଦେଶୀ ରାଷ୍ଟ୍ରଦୂତମାନଙ୍କୁ ଆମେ ନେଉଥିବା ପଦକ୍ଷେପ ସମ୍ପର୍କରେ ଜଣାଇଛୁ ।

ମାନ୍ୟବର,

ଆମେ ସ୍ୱୀକାର କରୁଛୁ ଯେ, ଏବେ ଆମେ ଅଜଣା ସ୍ଥିତିରେ ଅଛୁ । ନିଶ୍ଚିତ ଭାବେ ଅନୁମାନ କରି ହେବ ନାହିଁ ଯେ, ସର୍ବୋତ୍ତମ ଉଦ୍ୟମ ସତ୍ତ୍ୱେ ବି ଆଗକୁ ସ୍ଥିତି କେମିତି ରହିବ । ଆପଣମାନେ ମଧ୍ୟ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବେ । ତେଣୁ ନିଜ ଦୃଷ୍ଟିକୋଣ ବାଣ୍ଟିବା ସମସ୍ତଙ୍କ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହେବ ।

ଆପଣମାନଙ୍କ ବକ୍ତବ୍ୟ ଶୁଣିବା ପାଇଁ ମୁଁ ଅପେକ୍ଷାରତ ।

ଧନ୍ୟବାଦ

 

***************



(Release ID: 1606643) Visitor Counter : 135


Read this release in: English