50% ଏସଟି ଜନସଂଖ୍ୟ ଏବଂ ଅନ୍ୟୁନ 20,000 ଜନଜାତିବହୁଳ ଦେଶର ପ୍ରତ୍ୟେକ ବ୍ଲକରେ 2022 ସୁଦ୍ଧା ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ : ଜୁଏଲ ଓରାମ
50% ଏସଟି ଜନସଂଖ୍ୟ ଏବଂ ଅନ୍ୟୁନ 20000 ଜନଜାତିବହୁଳ ଦେଶର ପ୍ରତ୍ୟେକ ବ୍ଲକରେ 2022 ସୁଦ୍ଧା ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ । ଆଜି ନୂଆଦିଲ୍ଲୀଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏହି ବିଷୟ ପ୍ରକାଶ କରିଛନ୍ତି । 2018-19 ବର୍ଷର ବଜେଟରେ କରାଯାଇଥିବା ଘୋଷଣା ଅନୁସାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ତା’ର ଡ଼ିସେମ୍ବର 17, 2018 ଦିନ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଛି ଯେ 50% ଏସଟି ଜନସଂଖ୍ୟ ଏବଂ ଅନ୍ୟୁନ 20000 ଜନଜାତିବହୁଳ ଦେଶର ପ୍ରତ୍ୟେକ ବ୍ଲକରେ 2022 ସୁଦ୍ଧା ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ । ଏହିସବୁ ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟ ନବୋଦୟ ବିଦ୍ୟାଳୟ ସହ ସବୁ ଦୃଷ୍ଟିରୁ ସମାନ ହେବ ଏବଂ ସେଥିରେ ବିଶେଷ ବ୍ୟବସ୍ଥା ଯଥା ସ୍ଥାନୀୟ କଳା ଓ ସଂସ୍କୃତିକୁ ସଂରକ୍ଷିତ କରିରଖିବା ଭଳି ବ୍ୟବସ୍ଥା ରହିବ । ପୁଣି ସେଠାରେ କ୍ରୀଡ଼ା ଓ କୌଶଳ ବିକାଶ ଭଳି ତାଲିମ ପ୍ରଦାନ କରାଯିବ । ଦେଶବ୍ୟାପୀ, 2011 ମସିହାର ଜନଗଣନା ତଥ୍ୟ ଆଧାରରେ, 564ଟି ଉପ- ଜିଲ୍ଲା ରହିଛି ଅର୍ଥାତ, ବ୍ଲକ୍/ ତାଲୁକ/ ତହସିଲ ଅଛି ଯେଉଁଥିରେ 50%ରୁ ଅଧିକ ତଫସିଲଭୁକ୍ତ ଜନଜାତି ବର୍ଗର ଲୋକ ଅଛନ୍ତି ଅଥବା ସେଠାରେ ଜନଜାତି ବର୍ଗର 20000 ଲୋକ ବସବାସ କରୁଛନ୍ତି । ସେହିସବୁ ଉପ ଜିଲ୍ଲାମାନଙ୍କ ମଧ୍ୟରୁ ଅଧୁନା 102ଟି ଉପ ଜିଲ୍ଲାରେ ଇଏମଆରଏସ ରହିଛି ।
ମନ୍ତ୍ରୀ ଶ୍ରୀ ଓରାମ ଆହୁରି କହିଛନ୍ତି ଯେ 2022 ମସିହା ସୁଦ୍ଧା ଅବଶିଷ୍ଟ 462ଟି ଉପ ଜିଲ୍ଲାରେ ପର୍ଯ୍ୟାୟକ୍ରମିକ ଯୋଜନା ଯାହାକି ନିମ୍ନରେ ପ୍ରଦାନ କରାଯାଇଛି ତଦନୁସାରେ ସେଠାରେ ଇଏମଆରଏସ ସ୍ଥାପନ କରାଯିବ:-
|
Year
|
2018-19
|
2019-20
|
2020-21
|
2021-22
|
Total
|
|
No. of EMRSs
|
50
|
100
|
150
|
162
|
462
|
ମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି ଯେ ପ୍ରସ୍ତାବିତ କାର୍ଯ୍ୟକ୍ରମ ସକାଶେ ଯେଉଁ ପଦକ୍ଷେପମାନ ଗ୍ରହଣ କରାଯିବ ତାହା ବର୍ଦ୍ଧିତ ରେକରିଂ ଏବଂ ଅଣ ରେକରିଂ ମୂଲ୍ୟ ଆଧାରରେ ଏକ ଯୁଗାନ୍ତକାରୀ ବ୍ୟବସ୍ଥା ହେବ । ଏହା ବିଶେଷ କରି ଦେଶର ସାଧାରଣ ଜନତା ଏବଂ ତଫସିଲଭୁକ୍ତ ଜନଜାତି ବର୍ଗ ମଧ୍ୟରେ ସାକ୍ଷରତା ହାରରେ ଥିବା ବିରାଟ ତଫାତକୁ ହ୍ରାସ କରିବାରେ ସହାୟକ ହେବ । ପୁନଶ୍ଚ ଏହିସବୁ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାଦାନକୁ ପ୍ରାଧାନ୍ୟ ଦିଆଯିବ ଯାହା ଜନନଜାତି ବର୍ଗର ପିଲାମାନଙ୍କ ସାମଗ୍ରିକ ବିକାଶ ଦିଗରେ ସହାୟକ ହେବ ।
1999 ମସିହାରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପ୍ରଥମ କରି ସୃଷ୍ଟି କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଲା ଅଧିକ ଗୁରୁତ୍ୱର ସହ ତଫସିଲଭୁକ୍ତ ଜନଜାତି ବର୍ଗ (ଏସଟି)ଙ୍କ ସାମାଜିକ ଆର୍ଥିକ ବିକାଶ ଦିଗରେ କାର୍ଯ୍ୟକରିବା । ଜନଜାତି ବର୍ଗ ଭାରତୀୟ ସମାଜର ସବୁଠାରୁ ଅବହେଳିତ ଓ ପଛୁଆ ବର୍ଗ ଭାବେ ସୁପରିଚିତ । ସେମାନଙ୍କୁ କିଭଳି ଭାବେ ସମନ୍ୱିତ ତଥା ଯୋଜନାବଦ୍ଧ ଭାବେ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ ସେଥିପାଇଁ ସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି । ସାମଗ୍ରିକ ଭାବେ ନୀତି, ଯୋଜନା ଓ ଏସଟି ବର୍ଗଙ୍କ ବିକାଶ ଯୋଜନାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସକାଶେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ହେଲା ନୋଡ଼ାଲ ମନ୍ତ୍ରଣାଳୟ । ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ଶିକ୍ଷା କାର୍ଯ୍ୟକ୍ରମ ହେଲା ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟ ସ୍ଥାପନ ମାଧ୍ୟମରେ ସରକାର ତଫସିଲଭୁକ୍ତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଶିକ୍ଷାର ବିଭିନ୍ନ ପର୍ଯ୍ୟାୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇପାରିବ । ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହ ଜନ୍ମିବ ଓ ସେମାନେ ସେଥିପାଇଁ ପ୍ରୋତ୍ସାହିତ ହେବେ । ତଫସିଲଭୁକ୍ତ ଜନଜାତି ବର୍ଗର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସକାଶେ ଇଏମଆରଏସ ଏକ ଉତ୍ତମ କାର୍ଯ୍ୟକ୍ରମ । ବିଦ୍ୟାଳୟ କୋଠା ବ୍ୟତୀତ ହଷ୍ଟେଲ ଓ ଷ୍ଟାଫ୍ କ୍ୱାଟର ନିର୍ମାଣ, ଖେଳପଡ଼ିଆ ପାଇଁ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର ଲାବ୍, ଶିକ୍ଷକମାନଙ୍କ ପାଇଁ ରିସୋର୍ସ ରୁମ୍ ଆଦି ବ୍ୟବସ୍ଥା ମଧ୍ୟ ଇଏମଆରଏସରେ କରାଯାଇଛି । ଅଦ୍ୟାବଧି ମୋଟ 284ଟି ଇଏମଆରଏସ ପାଇଁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି ଏବଂ ସେଥିରୁ 219ଟି ଇଏମଆରଏସ କାର୍ଯ୍ୟକାରୀ ହୋଇଥିବା ଜଣାଯାଏ ଏବଂ ସେଥିରେ ମୋଟ 65,231ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେଥିପାଇଁ ଅଧୁନା ଅଣ ରେକରିଂ ଖର୍ଚ୍ଚ 12.00 କୋଟି ଟଙ୍କା (16.00 କୋଟି ଟଙ୍କା ଉତ୍ତର ପୂର୍ବାଞ୍ଚଳ, ପାର୍ବତ୍ୟାଞ୍ଚଳ, ମରୁଭୂମି କ୍ଷେତ୍ର ଏବଂ ଦ୍ୱୀପ କ୍ଷେତ୍ର) ହୋଇଥିବା ଜଣାଯାଏ । 2018-19ଠାରୁ ଏହାର ରେକରିଂ ଖର୍ଚ୍ଚ 61500 ଟଙ୍କା ଧାର୍ଯ୍ୟ କରାଯାଇଛି ।
ଏହି ନିଷ୍ପତ୍ତିର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା:-
- 50% ଏସଟି ଜନସଂଖ୍ୟ ଏବଂ ଅନ୍ୟୁନ 20000 ଜନଜାତିବହୁଳ ଦେଶର ପ୍ରତ୍ୟେକ ବ୍ଲକରେ 2022 ସୁଦ୍ଧା ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟ ସ୍ଥାପନ କରାଯିବ ଏବଂ ସେଥିରେ 12ଟି ଏକଲବ୍ୟ ମଡ଼େଲ ଦିବା ବୋର୍ଡ଼ିଂ ବିଦ୍ୟାଳୟ ସାମିଲ । ଚିହ୍ନିତ ସବ୍ ଡ଼ିଭିଜନ/ ବ୍ଲକ (90% ଅବା ତଦୁର୍ଦ୍ଧ୍ଵ) ଯେଉଁଠାରେ କି ତଫସିଲଭୁକ୍ତ ଜନଜାତି ବର୍ଗର ଲୋକଙ୍କ ସାନ୍ଧ୍ରତା ଅଧିକ ହୋଇଥିବ ସେଠାରେ ଇଏମଡ଼ିବିଏସ ସ୍ଥାପନ କରାଯିବ । ଏହା ଦ୍ୱାରା ଆବାସିକ ସୁବିଧା ନଥାଇ ସୁଦ୍ଧା ତଫସିଲଭୁକ୍ତ ଜନଜାତି ବର୍ଗର ପିଲାମାନେ ଶିକ୍ଷାଲାଭର ଅତିରିକ୍ତ ସୁବିଧା ହାସଲ କରିପାରିବେ ।
- 2018-19 ଏବଂ 2019-20 ଆର୍ଥିକ ବର୍ଷରେ ଦେଶରେ 145ଟି ଇଏମଆରଏସ ଏବଂ 5ଟି ଇଏମଡ଼ିବିଏସ ପାଇଁ ଆର୍ଥିକ ବ୍ୟବସ୍ଥା କରାଯାଇଛି ।
- କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ନବୋଦୟ ବିଦ୍ୟାଳୟ ସମିତି ଭଳି ଇଏମଆରଏସକୁ ପରିଚାଳନା ସକାଶେ ଏକ ସ୍ୱୟଂଶାସିତ ସୋସାଇଟି ଗଠନ କରାଯିବ । (ଏହି ସୋସାଇଟି ଏକ କାର୍ଯ୍ୟକାରୀ କମିଟି ଦ୍ୱାରା ପରିଚାଳିତ ହେବ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ଏହାର ଅଧ୍ୟକ୍ଷ ରହିବେ । କାର୍ଯ୍ୟକାରୀ କମିଟି ପାଣ୍ଠି ଆବଣ୍ଟନ ଠାରୁ ନେଇ ଇଏମଆରଏସ ସ୍ଥାପନା ଆଦି ସକଳ ପ୍ରକାର କାର୍ଯ୍ୟର ପରିଚାଳନା ପାଇଁ ଦାୟୀ ରହିବେ । ଏହା ବ୍ୟତୀତ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ସ୍ୱୀକୃତି ସହ ଷ୍ଟିଅରିଂ କମିଟି ଗଠନ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ।
- ଇଏମଆରଏସ ନିର୍ମାଣ ପାଇଁ ପରିବର୍ଦ୍ଧିତ ମୂଲ୍ୟ (480 ଛାତ୍ର କ୍ଷମତା ବିଶିଷ୍ଟ)କୁ 20.00 କୋଟି ଟଙ୍କାକୁ ବୃଦ୍ଧି ଘଟାଯାଇଛି ।
- ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର, ପାର୍ବତ୍ୟାଞ୍ଚଳ, ଜଟିଳ କ୍ଷେତ୍ର ଏବଂ ବାମପନ୍ଥୀ ଉଗ୍ରବାଦ ଅଧ୍ୟୁସିତ କ୍ଷେତ୍ରରେ ଇଏମଆରଏସ ନିର୍ମାଣ ମୂଲ୍ୟ ସାଧାରଣ ମୂଲ୍ୟ ଠାରୁ 20% ଅଧିକ ହେବ ।
- ଛାତ୍ରଛାତ୍ରୀମାନଙ୍କ ପାଇଁ ବାର୍ଷିକ ମୁଣ୍ଡପିଛା ରେକରିଂ ଖର୍ଚ୍ଚକୁ 61,500 ଟଙ୍କାରୁ 1,09,000 ଟଙ୍କାକୁ ବୃଦ୍ଧି କରାଯାଇଛି ଯାହାକି 2019-20 ଆର୍ଥିକ ବର୍ଷ ଠାରୁ ଲାଗୁ କରାଯିବ ଏବଂ ଇଏମଡ଼ିବିଏସ କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବାର୍ଷିକ ମୁଣ୍ଡପିଛା ରେକରିଂ ଖର୍ଚ୍ଚକୁ 2019-20 ଆର୍ଥିକ ବର୍ଷ ଠାରୁ 85,000 ଟଙ୍କାକୁ ବଢ଼ାଇ ଦିଆଯାଇଛି ।
- ଏବେ ସୁଦ୍ଧା ମଞ୍ଜୁର କରାଯାଇଥିବା ଇଏମଆରଏସମାନଙ୍କ ଆବଶ୍ୟକତାଭିତ୍ତିକ ଉନ୍ନତିକରଣ ସକାଶେ ୟୁନିଟ ପିଛା ମୂଲ୍ୟ ସର୍ବାଧିକ ବିଦ୍ୟାଳୟ ପିଛା 5 କୋଟି ଟଙ୍କାକୁ ଧାର୍ଯ୍ୟ କରାଯାଇଛି ।
- କ୍ରୀଡ଼ା ପାଇଁ ସେଷ୍ଟର ଅଫ୍ ଏକ୍ସଲେନ୍ସ (ଉତ୍କର୍ଷ କେନ୍ଦ୍ର) ସ୍ଥାପନ ଯାହାକି ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ସ୍ଥାପନ କରାଯିବ ସେଥିରେ ସବୁପ୍ରକାର ସଂସାଧନ (ବିଲଡ଼ିଂ, ଉପକରଣ ଇତ୍ୟାଦି) ରହିବ । ଏଭଳି ଉତ୍କର୍ଷ କେନ୍ଦ୍ରରେ ଦୁଇଟି କ୍ରୀଡ଼ା ପାଇଁ ବିଶେଷ ଅତ୍ୟାଧୁନିକ ବ୍ୟବସ୍ଥା ରହିବ (ଯେଉଁଥିରେ ଗୋଟିଏ ଗ୍ରୁପ୍ କ୍ରୀଡ଼ା ଏବଂ ଅନ୍ୟ ଗୋଟିଏ ବ୍ୟକ୍ତିଗତ କ୍ରୀଡ଼ା ସାମିଲ)ଏବଂ ତାହା ସଂପୃକ୍ତ ରାଜ୍ୟ ସକାଶେ ସାଧାରଣ ହୋଇଥିବ ।
- ଏଭଳି କେନ୍ଦ୍ରଗୁଡ଼ିକର ରକ୍ଷଣାବେକ୍ଷଣ ଗ୍ରାଣ୍ଟର ରାଶି ବୃଦ୍ଧି କରାଯାଇଛି ଯାହାକି ପ୍ରତି ପାଞ୍ଚବର୍ଷରେ କାର୍ଯ୍ୟକାରୀ କରାଯିବ, ତାହାକୁ 10 ଲକ୍ଷରୁ 20 ଲକ୍ଷକୁ ବୃଦ୍ଧି ଘଟାଯାଇଛି ।
- ଏହି ବ୍ୟବସ୍ଥାକୁ 10% ଅଣ-ଏସଟି ଛାତ୍ରଛାତ୍ରୀ ଉପଯୋଗ କରିପାରିବେ । ଇଏମଆରଏସ କର୍ମଚାରୀ, ଯେଉଁ ପିଲାମାନେ ବାମପନ୍ଥୀ ଉଗ୍ରବାଦ ଓ ହିଂସାରେ ସେମାନଙ୍କର ମାତାପିତାଙ୍କୁ ହରାଇଥିବେ, କିମ୍ବା ବିଧବା ମହିଳାଙ୍କ ପିଲାମାନଙ୍କୁ ଏଥିପାଇଁ ଅଗ୍ରାଧିକାର ପ୍ରଦାନ କରାଯିବ ।
- କ୍ରୀଡ଼ା କୋଟାରେ ଯେଉଁମାନେ କି କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କର ଉତ୍କର୍ଷ ପ୍ରଦର୍ଶନ କରିଥିବେ, ସେପରି ସ୍ଥଳେ ଉପଯୁକ୍ତ ତଫସିଲଭୁକ୍ତ ଜନଜାତିର ପିଲାମାନଙ୍କ ସକାଶେ 20% ସିଟ୍ ସଂରକ୍ଷିତ ରହିବ ।
- 2018-19 ଏବଂ 2019-20 ଆର୍ଥିକ ବର୍ଷ ଠାରୁ 2238.47 କୋଟି ଟଙ୍କାର ରାଶି ସହ ଏଭଳି ପ୍ରସ୍ତାବିତ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି ।
- ଏଭଳି ପରିବର୍ଦ୍ଧିତ ରେକରିଂ ଏବଂ ଅଣ ରେକରିଂ ମୂଲ୍ୟ ମାଧ୍ୟମରେ ପ୍ରସ୍ତାବିତ ଆର୍ଥିକ ବ୍ୟୟ ବୃଦ୍ଧି ଏକ ଯୁଗାନ୍ତକାରୀ ଉପକ୍ରମ । ଏହା ତଫସିଲଭୁକ୍ତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଧାରଣ ବର୍ଗର ପିଲାମାନଙ୍କ ତୁଳନାରେ ଶିକ୍ଷା କ୍ଷେତ୍ରରେ ଥିବା ବୈଷମ୍ୟକୁ ଦୂର କରିବାରେ ବିଶେଷ ଭାବେ ସହାୟକ ହେବ । ଏହା ମାଧ୍ୟମରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଛି ଏବଂ ତାହା ଜନଜାତି ବର୍ଗର ପିଲାମାନଙ୍କ ସାମଗ୍ରିକ ବିକାଶ ଦିଗରେ ମଧ୍ୟ ଉପକାରସିଦ୍ଧ ହେବ ।
*************************