ଲୋକଙ୍କୁ ଉଗ୍ରବାଦ ମୁକ୍ତ କରିବା ଅଭିଯାନରେ ସାମାଜିକ ଓ ଧାର୍ମିକ ଗୋଷ୍ଠୀଙ୍କୁ ସାମିଲ କରାଯାଉ : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ସମାଜକୁ ଉଗ୍ରବାଦ ମୁକ୍ତ କରିବା ଅଭିଯାନରେ ସାମାଜିକ ଓ ଧର୍ମୀୟ ସଂସ୍ଥା, ବିଶେଷ କରି ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ମହିଳା ସଙ୍ଗଠନ ଗୁଡ଼ିକ ସକ୍ରିୟ ଭାବେ ଅଂଶ ଗହଣ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ । ଗୁରୁବାର ଅନୁଷ୍ଠିତ ନ୍ୟାସନାଲ ଫଉଣ୍ଡେସନ ଅଫ୍ କମ୍ୟୁନାଲ ହାରମୋନି (NFCH)ର 21ତମ ବୈଠକରେ ଅଧ୍ୟକ୍ଷତାରେ କରି ସେ କହିଥିଲେ ଯେ, ବିଶ୍ୱରେ ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଭାରତ ଖୁବ କମ୍ ପରିମାଣରେ ଉଗ୍ରବାଦରେ ପ୍ରଭାବିତ । ଏହାର ଶ୍ରେୟ ସଂଖ୍ୟାଲଘୁ ଗୋଷ୍ଠୀ, ସେମାନଙ୍କ ଧର୍ମୀୟ ନେତା ଏବଂ ଦେଶର ସଂମିଶ୍ରିତ ସଂସ୍କୃତି ଓ ପରମ୍ପରାକୁ ଯାଏ ।
ଶ୍ରୀ ରାଜନାଥ ସିଂହ କହିଥିଲେ, ସାମ୍ପ୍ରଦାୟିକ ସଦଭାବ କେବଳ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଚିନ୍ତା ନୁହେଁ ଏହା ସମଗ୍ର ରାଷ୍ଟ୍ରର ଏକ ଚରିତ୍ର । ସାମ୍ପ୍ରଦାୟିକ ସଦଭାବ ରକ୍ଷା ଦିଗରେ ଡିଜିଟାଲ ପ୍ଲାଟଫର୍ମ, ବିଶେଷ କରି ସୋସିଆଲ ମିଡିଆକୁ ବ୍ୟବହାର କରାଯିବା ଦରକାର । ସାମ୍ପ୍ରଦାୟିକ ସଦଭାବର ପ୍ରଚାର ତଥା ଏହାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସେ ଖୁବ ଶୀଘ୍ର ଏନଏଫସିଏଚ୍ ପରିଚାଳନା ପରିଷଦର ସଦସ୍ୟମାନଙ୍କ ସହ ମିଶି ଆଜମେର ସରିଫ୍ ଗସ୍ତରେ ଯିବେ ବୋଲି ରାଜନାଥ ପ୍ରତିଶ୍ରୁତି ଦେଇଥିଲେ ।
ସେ କହିଥିଲେ ଯେ, ଆମେ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଏବଂ ବିଶ୍ୱର ବୃହତ ଦଶଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇପାରିଛୁ । ଆମେ ଶ୍ରେଷ୍ଠ ପାଞ୍ଚଟି ତଥା ପ୍ରଥମ ତିନୋଟି ଅର୍ଥନୀତି ମଧ୍ୟରେ ସ୍ଥାନ ପାଇବାକୁ ପ୍ରଚେଷ୍ଟା କରୁଥିବାରୁ ଉଗ୍ରବାଦ ଦ୍ୱାରା ଆମ ଅର୍ଥନୀତି ପ୍ରଭାବିତ ହେବା ଅନୁଚିତ ।
କାର୍ଯ୍ୟକ୍ରମରେ କେନ୍ଦ୍ର ବୟନ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଈରାନୀ କହିଥିଲେ ଯେ, ଦେଶର ସାମ୍ପ୍ରଦାୟିକ ସ୍ଥିତି ସମ୍ପର୍କରେ କେତେକ ଶକ୍ତି ମିଥ୍ୟା ପ୍ରଚାର କରୁଥିଲେ ମଧ୍ୟ ସରକାର ସାମ୍ପ୍ରଦାୟିକ ସଦଭାବ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଏନବିଟି ଏବଂ ପବ୍ଲିକେସନ ଡିଭିଜନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦର୍ଶନୀ ଆୟୋଜନ କରାଯାଇ ଏ ସମ୍ପର୍କିତ ପୁସ୍ତକ ବିକ୍ରି କରାଯିବ ବୋଲି ସେ କହିଥିଲେ ।
ଏନଏଫସିଏଚର ପରିଚାଳନା ପରିଷଦର ସଦସ୍ୟ ଥିବା ସାମାଜିକ ଏବଂ ଧର୍ମୀୟ ନେତାମାନେ ମଧ୍ୟ ଦେଶର ସାମ୍ପ୍ରଦାୟିକ ସଦଭାବ ଉପରେ ସେମାନଙ୍କର ମୂଲ୍ୟବାନ ମତ ଦେଇଥିଲେ । ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷା ଦିଗରେ ଏନଏଫସିଏଚର ଭୂମିକା ଏବଂ ଏହାର ପୁନର୍ଗଠନ, ବଜେଟ ବୃଦ୍ଧି, ବିଶ୍ୱାସ ସୃଷ୍ଟିକାରୀ ଆଲୋଚନା ବଢ଼ାଇବା, ଆନ୍ତର୍ଜାତିକ କର୍ମଶାଳା/ଆଲୋଚନାଚକ୍ର ଆୟୋଜନ, ପୁସ୍ତକ ପ୍ରକାଶନ ଏବଂ ପ୍ରଦର୍ଶନୀ, ବୃତ୍ତଚିତ୍ର, ଟେଲିଭିଜନରେ କାର୍ଯ୍ୟକ୍ରମ ଏବଂ ସୋସିଆଲ ମିଡିଆରେ ପ୍ରଚାର ଉପରେ ସମସ୍ତେ ଗୁରୁତ୍ୱ ଦେଇଥିଲେ । ଏଥିସହ ବିଭିନ୍ନ ମନ୍ତ୍ରଣାଳୟର ଏ ସମ୍ପର୍କିତ କାର୍ଯ୍ୟକ୍ରମ, ଯଥା; ଅଧିବେଶନ ଆୟୋଜନ, ବିଶ୍ୱବିଦ୍ୟାଳୟ ଗୁଡିକରେ କବିତା ପାଠ ଏବଂ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ସ୍କୁଲ ପିଲା ଏବଂ ଅଧାରୁ ପାଠ ଛାଡ଼ୁଥିବା ପିଲାମାନଙ୍କୁ ମଧ୍ୟ ସାମ୍ପ୍ରଦାୟିକ ସଦଭାବ ରକ୍ଷା କାର୍ଯ୍ୟକ୍ରମରେ ସାମିଲ କରିବାକୁ ମତ ପ୍ରକାଶ ପାଇଥିଲା ।
ଏ ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ ଏବଂ ପରବର୍ତ୍ତୀ ପଦକ୍ଷେପ ନେବାକୁ ବିଭିନ୍ନ କମିଟି ଗଠନ ସକାଶେ ମଧ୍ୟ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ସହମତ ହୋଇଥିଲେ ।
***************