ଗ୍ରାମାଂଚଳରେ ମୌଳିକ ଭିତ୍ତିଭୂମି ଓ ଜୀବିକା ସମ୍ବଳ ସୃଷ୍ଟି ଲାଗି 14.34 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ;
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ ସାଧାରଣ ବଜେଟ 2018-19 ଉପସ୍ଥାପନ କରି ଘୋଷଣା କରିଛନ୍ତି ଯେ, ଗ୍ରାମାଂଚଳରେ ଜୀବିକା ସମ୍ବଳ, କୃଷି ଓ ତତସମ୍ବନ୍ଧୀୟ କାର୍ଯ୍ୟକଳାପ ଏବଂ ଗ୍ରାମାଂଚଳ ମୌଳିକ ଭିତ୍ତିଭୂମି ସୁବିଧାର ନିର୍ମାଣ ଉପରେ ସରକାର ଆହୁରି ଅଧିକ ଅର୍ଥ ବ୍ୟୟ କରିବେ । ଯାହାଦ୍ୱାରା ଗ୍ରାମାଂଚଳରେ ଅଧିକରୁ ଅଧିକ ଜୀବିକାନିର୍ବାହ ସୁଯୋଗ ଉପଲବ୍ଧ ହୋଇପାରିବ । 2018-19ରେ ଗ୍ରାମାଂଚଳ କ୍ଷେତ୍ରରେ ଜୀବିକା ଏବଂ ମୌଳିକ ଭିତ୍ତିଭୂମି ସୁଯୋଗ ସୃଷ୍ଟି ଲାଗି ମନ୍ତ୍ରଣାଳୟଗୁଡ଼ିକ ଦ୍ୱାରା 14.34 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରେ 11.98 ଲକ୍ଷ କୋଟି ଟଙ୍କା ଅତିରିକ୍ତ ବଜେଟ ଏବଂ ଅଣ ବଜେଟ ସମ୍ବଳ ସାମିଲ ରହିଛି । ଅର୍ଥମନ୍ତ୍ରୀ କହିଥିଲେ ଯେ କୃଷି ସହ ଜଡ଼ିତ କାର୍ଯ୍ୟକଳାପ ବ୍ୟତୀତ, ଏହି ଖର୍ଚ୍ଚରୁ 321 କୋଟି ମାନବ ଦିବସର ରୋଜଗାର ସୃଷ୍ଟି, 3.17 ଲକ୍ଷ କିଲୋମିଟର ଗ୍ରାମୀଣ ସଡ଼କ, 51 ଲକ୍ଷ ନୂଆ ଗ୍ରାମାଂଚଳ ବାସଗୃହ, 1.88 କୋଟି ଶୌଚାଳୟ ନିର୍ମାଣ କରାଯିବ । ସେ କହିଥିଲେ ଯେ ଏଥିରେ କୃଷିକୁ ପ୍ରୋତ୍ସାହନ ମିଳିବା ବ୍ୟତୀତ 1.75 କୋଟି ନୂଆ ପରିବାରକୁ ବିଦ୍ୟୁତ ସଂଯୋଗ ମିଳିପାରିବ ।
ଅର୍ଥମନ୍ତ୍ରୀ କହିଥିଲେ ଯେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମିଳୁଥିବା ଋଣ ପୂର୍ବ ବର୍ଷ ତୁଳନାରେ 37 ପ୍ରତିଶତ ବୃଦ୍ଧି କରାଇ 2016-17 ବର୍ଷରେ ପାଖାପାଖି 42,500 କୋଟି ଟଙ୍କା କରାଯାଇଥିଲା । ଅର୍ଥମନ୍ତ୍ରୀ କହିଥିଲେ ଯେ ସରକାର ଆଶା କରୁଛନ୍ତି ଯେ ମାର୍ଚ୍ଚ 2019 ସୁଦ୍ଧା ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକର ଋଣ ଅର୍ଥରାଶି ପରିମାଣ ବୃଦ୍ଧି କରାଯାଇ 75,000 କୋଟି ଟଙ୍କା କରିଦିଆଯିବ । 2018-19ରେ ଜାତୀୟ ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମର ଆବଂଟନକୁ ପର୍ଯ୍ୟାପ୍ତ ପରିମାଣରେ ବୃଦ୍ଧି କରାଯାଇ 5,750 କୋଟି ଟଙ୍କା କରିଦିଆଯାଇଛି ।
ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଅନ୍ତର୍ଗତ ଭୂ-ଜଳ ସେଚନ ଯୋଜନାକୁ ମଜଭୁତ କରିବା ଲାଗି ଜଳସେଚନ ସୁବିଧା ନଥିବା 96 ଜିଲ୍ଲାରେ ଜଳସେଚନ ଆରମ୍ଭ କରାଯିବ । ଏଥିପାଇଁ 26 ଶହ କୋଟି ଟଙ୍କା ଆବଂଟନ କରାଯାଇଛି ।
**********