ପୋଷ୍ଟ କରାଯିବା ଦିନାଙ୍କ:
27 NOV 2026 9:35PM by PIB Bhubaneswar
ବ୍ରିକ୍-ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ବ୍ରିକ୍-ଆଇଏଲ୍ଏସ୍)ର ଡିବିଟି-ଆଇଏଲଏସ୍ ବାୟୋଇନକ୍ୟୁବେଟର ପକ୍ଷରୁ ଭୁବନେଶ୍ୱରରେ 'ଓଡ଼ିଶା କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଗୋଲଟେବୁଲ ବୈଠକ' ଆୟୋଜିତ ହୋଇଯାଇଛି । ଏଥିରେ ବୈଜ୍ଞାନିକ, ଉଦ୍ୟୋଗୀ, କୃଷକ ଉତ୍ପାଦକ ସଂଗଠନ, ଶିଳ୍ପପତି ଏବଂ ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ।

ନବସୃଜନ, ଉଦ୍ୟମିତା, ପ୍ରଯୁକ୍ତିବିଦ୍ୟା ଏବଂ ବଜାର ସଂଯୋଗୀକରଣ ମାଧ୍ୟମରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ବିଷୟବସ୍ତୁ ଉପରେ ଆଧାରିତ ଏହି ଦିନିକିଆ କାର୍ଯ୍ୟକ୍ରମକୁ ବାଇରାକ୍ (BIRAC), ବାୟୋ-ନେଷ୍ଟ (Bio-NEST) ଏବଂ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା ।
ଡିବିଟି-ଆଇଏଲଏସ୍ ବାୟୋଇନକ୍ୟୁବେଟରର ସିଓଓ ଡଃ ନିବେଦିତା ଜେନା ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବା ସହ ବୈଜ୍ଞାନିକ ଏବଂ ଷ୍ଟାର୍ଟଅପ୍ଠାରୁ ଆରମ୍ଭ କରି ଏଫ୍ପିଓ, ଶିଳ୍ପ ଏବଂ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତ ଅଂଶୀଦାରମାନଙ୍କୁ ଗୋଟିଏ ମଞ୍ଚକୁ ଆଣିବାର ପ୍ରୟାସ ଉପରେ ଆଲୋକପାତ କରିଥିଲେ। ବ୍ରିକ୍-ଆଇଏଲଏସର ନିର୍ଦ୍ଦେଶକ ଡଃ ଦେବାଶିଷ ଦାଶ ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ ଉଦ୍ଭିଦ ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ସାମୁଦ୍ରିକ ଇକୋସିଷ୍ଟମ୍ କ୍ଷେତ୍ରରେ ଅନୁଷ୍ଠାନର ଗବେଷଣା ଓଡ଼ିଶାର କୃଷି କ୍ଷେତ୍ର ଏବଂ ସାମଗ୍ରିକ ଭାବେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍କୁ ସୁଦୃଢ଼ କରିବ । ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ରେ ଡିବିଟି-ଆଇଏଲଏସ୍ ବାୟୋଇନକ୍ୟୁବେଟରର ବଢ଼ୁଥିବା ଗୁରୁତ୍ୱ ଉପରେ ଡଃ ଦାଶ ଗୁରୁତ୍ୱ ଦେଇଥିଲେ। ଏହା ବିଜ୍ଞାନ-ଆଧାରିତ ଉଦ୍ୟୋଗଗୁଡ଼ିକୁ ପରିକଳ୍ପନା ସ୍ତରରୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟକ ହେଉଥିବା ସେ କହିଥିଲେ। ଆଲାଏନ୍ସ ବିଶ୍ୱବିଦ୍ୟାଳୟର ଶ୍ରୀ ନାଗା ପ୍ରକାଶମ୍ ଭାରତର କୃଷି ଏବଂ ଆନୁଷଙ୍ଗିକ ଅର୍ଥନୀତିରେ ପରିବର୍ତ୍ତନ ଆଣିବା ଉପରେ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । କନ୍ନୌଜସ୍ଥିତ ଫ୍ରାଗ୍ରାନ୍ସ ଆଣ୍ଡ୍ ଫ୍ଲେଭର ଡେଭଲପମେଣ୍ଟ ସେଣ୍ଟରର ନିର୍ଦ୍ଦେଶକ ଡଃ ଶକ୍ତି ବିନୟ ଶୁକ୍ଳା ଔଷଧୀୟ ଏବଂ ସୁଗନ୍ଧିତ ଉଦ୍ଭିଦ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା ଯୋଗ ଦେଇଥିଲେ।
ବୈଷୟିକ ଅଧିବେଶନଗୁଡ଼ିକରେ ଟିସୁ କଲଚର, ଛତୁ ଚାଷ, ମତ୍ସ୍ୟ ଚାଷ, ଦୁଗ୍ଧ ଉତ୍ପାଦନ, ମୂଲ୍ୟଯୁକ୍ତ ମାଛ ଉତ୍ପାଦ, ଖାଦ୍ୟ ପ୍ରକ୍ରିୟାକରଣ, ଶୀତଳ ଭଣ୍ଡାର ଶୃଙ୍ଖଳ, ବ୍ରାଣ୍ଡିଂ ଏବଂ ରପ୍ତାନି ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ଆଇସିଏଆର୍ ଅନୁଷ୍ଠାନ, ଏଫ୍ପିଓ, ମହିଳାଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ଏବଂ ଜାତୀୟ ଗବେଷଣା ବିକାଶ ନିଗମର ବକ୍ତାମାନେ ଲାବୋରେଟୋରୀ ଗବେଷଣାକୁ କିପରି ବାଣିଜ୍ୟିକ ଉଦ୍ୟୋଗରେ ପରିଣତ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ। ମଧ୍ୟାହ୍ନ ଭୋଜନ ସମୟରେ ଆୟୋଜିତ ଏକ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀରେ ଉଦ୍ୟୋଗୀମାନେ ସେମାନଙ୍କର ସମାଧାନଗୁଡ଼ିକୁ ସିଧାସଳଖ ସମ୍ଭାବ୍ୟ ଅଂଶୀଦାରମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ ।
ଏମ୍ଏସ୍ଏମ୍ଇ ବିଭାଗର ସୁଶ୍ରୀ ସମୁଚିତା ମଲ୍ଲିକ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଆପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରାଂଶୁ ମିଶ୍ର ନିଜ ଅଭିଭାଷଣରେ ସରକାରଙ୍କ ଦୃଷ୍ଟିକୋଣକୁ ଯୋଡ଼ିଥିଲେ। ନୀତି ଏବଂ ପୁଞ୍ଜିନିବେଶ ସୁଯୋଗ ଉପରେ ଆୟୋଜିତ ଉଦଯାପନୀ ଅଧିବେଶନରେ ଇଡିଆଇଆଇ, ଲାଇଭଲିହୁଡ୍ ଅଲ୍ଟରନେଟିଭ୍ସ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାର ପ୍ରତିନିଧିମାନେ ସାମିଲ ହୋଇଥିଲେ ।
ଓଡ଼ିଶାର ଏକ ବୃହତ ଜନସଂଖ୍ୟା ପାଇଁ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଜୀବିକାର ମୁଖ୍ୟ ଆଧାର ହୋଇ ରହିଛି, ତଥାପି କୃଷକ ଏବଂ କ୍ଷୁଦ୍ର ଉତ୍ପାଦକମାନେ ପ୍ରାୟତଃ ଅମଳ ପରବର୍ତ୍ତୀ କ୍ଷତି, ସୀମିତ ପ୍ରକ୍ରିୟାକରଣ କ୍ଷମତା, ଦୁର୍ବଳ ବଜାର ପ୍ରବେଶ ଏବଂ ପାଣ୍ଠିର ଅଭାବ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଗୋଲଟେବୁଲ ବୈଠକ ଭଳି ମଞ୍ଚଗୁଡ଼ିକ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କୁ ଏହାକୁ ବ୍ୟାପକ କରିପାରୁଥିବା, ପାଣ୍ଠି ଯୋଗାଇ ପାରୁଥିବା ଏବଂ ବିକ୍ରି କରିପାରୁଥିବା ବ୍ୟକ୍ତିମାନଙ୍କ ସହ ଯୋଡ଼ି ସେହି ଶୂନ୍ୟସ୍ଥାନଗୁଡ଼ିକୁ ପୂରଣ କରିଥାଏ ।
ଓଡ଼ିଶାର ବଢ଼ୁଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପାଇଁ, ଏହି କାର୍ଯ୍ୟକ୍ରମ କୃଷି-ଜୈବ ପ୍ରଯୁକ୍ତିବିଦ୍ୟା ନବସୃଜନକାରୀ, ଖାଦ୍ୟ ପ୍ରକ୍ରିୟାକରଣକାରୀ, ରପ୍ତାନିକାରୀ, ଏଫ୍ପିଓ ଏବଂ ନିବେଶକମାନଙ୍କ ପାଇଁ ଏକ ବିରଳ ମିଳନସ୍ଥଳୀ ପ୍ରଦାନ କରିଛି । ଏଭଳି ସଂଯୋଗ ପ୍ରଯୁକ୍ତିବିଦ୍ୟାର ବାଣିଜ୍ୟିକୀକରଣକୁ ତ୍ୱରାନ୍ୱିତ କରିପାରିବ, ଗ୍ରାମୀଣ ଉଦ୍ୟୋଗ ଏବଂ ନିଯୁକ୍ତି ସୃଷ୍ଟି କରିପାରିବ ଏବଂ ମତ୍ସ୍ୟ ଚାଷ ଓ ଦୁଗ୍ଧ ଉତ୍ପାଦନଠାରୁ ଆରମ୍ଭ କରି ପ୍ରକ୍ରିୟାକୃତ ଖାଦ୍ୟ ପର୍ଯ୍ୟନ୍ତ ମୂଲ୍ୟଯୁକ୍ତ କୃଷି କ୍ଷେତ୍ରରେ ପୁଞ୍ଜିନିବେଶକୁ ଆକର୍ଷିତ କରିପାରିବ ।
ଆୟୋଜକମାନେ କହିଛନ୍ତି ଯେ ସେମାନେ ଆଶା କରୁଛନ୍ତି ଏହି ଗୋଲଟେବୁଲ ବୈଠକରେ ଆରମ୍ଭ ହୋଇଥିବା ସହଭାଗୀତା ଏବଂ ଆଲୋଚନା ଆଗାମୀ ଦିନରେ ଏଭଳି ସହଯୋଗ ଏବଂ ପୁଞ୍ଜିନିବେଶରେ ପରିଣତ ହେବ ଯାହା ରାଜ୍ୟର କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ ।
/HP