ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

ଜଳାପୋଡ଼ା ଆଘାତ ଚିକିତ୍ସା ପ୍ରଶିକ୍ଷଣ କେନ୍ଦ୍ର ଭାବେ ମନୋନୀତ ଏମ୍ସ ଭୁବନେଶ୍ୱର; ଦେଶରେ ତୃତୀୟ

ପୋଷ୍ଟ କରାଯିବା ଦିନାଙ୍କ: 22 NOV 2026 8:48PM by PIB Bhubaneswar

ଦେଶରେ ଜଳାପୋଡ଼ା ଆଘାତର ଚିକିତ୍ସା ଓ ପରିଚାଳନା ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅନୁମୋଦନକ୍ରମେ, ଏମ୍ସ ଭୁବନେଶ୍ୱରର ବର୍ଣ୍ଣସ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ଜାତୀୟ ଆଘାତ ଓ ଜଳାପୋଡ଼ା ଆଘାତ ନିବାରଣ ଏବଂ ପରିଚାଳନା କାର୍ଯ୍ୟକ୍ରମ (ଏନପିପିଏମଟି ଆଣ୍ଡ ବିଆଇ)ଅଧୀନରେ ଜଳାପୋଡ଼ା ଆଘାତ ପରିଚାଳନା ଓ ନ୍ୟାସନାଲ୍ ଏମର୍ଜେନ୍ସି ଲାଇଫ୍ ସପୋର୍ଟ (ଏନଇଏଲଏସ) ପାଇଁ ତାଲିମ କେନ୍ଦ୍ର ଭାବେ ମନୋନୀତ କରାଯାଇଛି। ଏହି ମାନ୍ୟତା ହାସଲ କରିବାରେ ଏମ୍ସ ଭୁବନେଶ୍ୱର ଦେଶର ତୃତୀୟ ପ୍ରତିଷ୍ଠାନ।

ଏହି ସ୍ୱୀକୃତି ଏମ୍ସ ଭୁବନେଶ୍ୱରର ଜଳାପୋଡ଼ା ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞତା, ଉନ୍ନତ ଚିକିତ୍ସା ସୁବିଧା, କ୍ଲିନିକାଲ୍ ଉତ୍କର୍ଷତା ଓ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଏହାର ଅବଦାନକୁ ପ୍ରତିଫଳିତ କରୁଛି। ଚଳିତ ବର୍ଷ ବର୍ଣ୍ଣସ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଏହାର ୧୦ମ ବାର୍ଷିକୀ ପାଳନ କରୁଥିବା ବେଳେ ଏହି ମାନ୍ୟତା ବିଭାଗ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଭାବେ ପରିଗଣିତ ହୋଇଛି।

 

ଗତ ଏକ ଦଶନ୍ଧି ମଧ୍ୟରେ ବିଭାଗ ଜଳାପୋଡ଼ା ଆଘାତର ଚିକିତ୍ସା ଓ ପୁନର୍ବାସ ପାଇଁ ବ୍ୟାପକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବିକଶିତ କରିଛି। ଏହି କ୍ରମରେ ୩୬ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର ପ୍ରତିଷ୍ଠା ବିଭାଗର ଏକ ପ୍ରମୁଖ ଉପଲବ୍ଧି। ୨୦୨୩ରେ ଉଦ୍‌ଘାଟିତ ଏହି କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ ଜଳାପୋଡ଼ା ଆଘାତର ଚିକିତ୍ସା ପାଇଁ ସମର୍ପିତ। ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ଜଳାପୋଡ଼ା ଚିକିତ୍ସା କେନ୍ଦ୍ର ଭାବେ ଏହା ସ୍ୱୀକୃତି ଲାଭ କରିଛି। ଏଠାରେ ଜଳାପୋଡ଼ା ଆଘାତର ତୁରନ୍ତ ଚିକିତ୍ସା, ପୁନଃନିର୍ମାଣ ଅସ୍ତ୍ରୋପଚାର ଓ ପୁନର୍ବାସ ସମେତ ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ସେବା ଉପଲବ୍ଧ ହେଉଛି। ଏହି ବିଭାଗ ଏପର୍ଯ୍ୟନ୍ତ ୧,୫୦୦ରୁ ଅଧିକ ଜଳାପୋଡ଼ା ରୋଗୀଙ୍କୁ ସଫଳତାର ସହ ଚିକିତ୍ସା ପ୍ରଦାନ କରିଛି।

 

ତାଲିମ କେନ୍ଦ୍ର ଭାବେ ମନୋନୟନ ଏମ୍ସ ଭୁବନେଶ୍ୱରର ଉନ୍ନତ ଭିତ୍ତିଭୂମି, ବିଶେଷଜ୍ଞ ଡାକ୍ତରୀ ଦଳ ଏବଂ ଜଟିଳ ଜଳାପୋଡ଼ା ଆଘାତର ଚିକିତ୍ସା କ୍ଷେତ୍ରରେ ଏହାର ଅଭିଜ୍ଞତାକୁ ସ୍ୱୀକୃତି ପ୍ରଦାନ କରୁଛି। ଏହି କେନ୍ଦ୍ରରେ ସଂରଚିତ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଜଳାପୋଡ଼ା ଆଘାତ ପରିଚାଳନା ଓ ଜରୁରୀକାଳୀନ ଚିକିତ୍ସା ସେବାରେ ନିୟୋଜିତ ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ଜ୍ଞାନ, ଦକ୍ଷତା ଓ ବ୍ୟବହାରିକ ଅଭିଜ୍ଞତା ବୃଦ୍ଧି କରାଯିବ।

 

ଜାତୀୟ ଆଘାତ ଓ ଜଳାପୋଡ଼ା ଆଘାତ ନିବାରଣ ଏବଂ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ଭାରତ ସରକାର ସାରା ଦେଶରେ ୧୯୬ଟି ଟ୍ରମା କେୟାର ସୁବିଧା ଏବଂ ୪୭ଟି ବର୍ଣ୍ଣ ୟୁନିଟ୍‌କୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଦୁର୍ଘଟଣା ଓ ଜଳାପୋଡ଼ା ଆଘାତର ଶିକାର ରୋଗୀଙ୍କୁ ସମୟୋଚିତ, ପ୍ରଭାବଶାଳୀ ଓ ଗୁଣାତ୍ମକ ଚିକିତ୍ସା ଯୋଗାଇଦେବା ସହ ଦେଶରେ ଏହି ସେବାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଥିବା ତାଲିମ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଦକ୍ଷତା ବିକାଶ ସହ ଜଳାପୋଡ଼ା ଆଘାତ ପରିଚାଳନାରେ ମାନକ ଚିକିତ୍ସା ପଦ୍ଧତିର ପ୍ରସାରରେ ସହାୟକ ହେବ।

 

ଏହି ସଫଳତା ପାଇଁ ବିଭାଗକୁ ଅଭିନନ୍ଦନ ଜଣାଇ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି, “ଏହି ସ୍ୱୀକୃତି ଏମ୍ସ ଭୁବନେଶ୍ୱର ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ବିଶେଷଜ୍ଞ ସ୍ୱାସ୍ଥ୍ୟସେବା, ଚିକିତ୍ସା ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ଏହି ମାନ୍ୟତା ଅନୁଷ୍ଠାନର ବର୍ଦ୍ଧିତ କ୍ଷମତା ଏବଂ ଜାତୀୟ ସ୍ୱାସ୍ଥ୍ୟସେବାର ପ୍ରାଥମିକତା ପୂରଣ ଦିଗରେ ଏହାର ଅବଦାନକୁ ପ୍ରତିଫଳିତ କରୁଛି। ଦେଶରେ ଆଘାତ ଓ ଜଳାପୋଡ଼ା ଚିକିତ୍ସା ସେବାକୁ ସୁଦୃଢ଼ କରିବା ସହ ଗୁଣାତ୍ମକ ଜରୁରୀକାଳୀନ ଓ ବିଶେଷଜ୍ଞ ଚିକିତ୍ସା ପ୍ରଦାନ କରିବାରେ ସକ୍ଷମ ଏକ ଦକ୍ଷ ସ୍ୱାସ୍ଥ୍ୟସେବା କର୍ମୀବଳ ଗଠନ ପାଇଁ ଆମେ ଭାରତ ସରକାରଙ୍କ ପ୍ରୟାସକୁ ସମର୍ଥନ କରିବାକୁ ପ୍ରତିବଦ୍ଧ।”

 

ଏହି ଉପଲବ୍ଧି ସମ୍ପର୍କରେ ମତବ୍ୟକ୍ତ କରି ବର୍ଣ୍ଣସ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ମୁଖ୍ୟ ଡ. ସଞ୍ଜୟ କୁମାର ଗିରି କହିଛନ୍ତି, “ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆମ ବିଭାଗକୁ ମନୋନୀତ କରାଯିବା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ବିଭାଗର ୧୦ମ ବାର୍ଷିକୀ ପାଳନ ଅବସରରେ ମିଳିଥିବା ଏହି ସ୍ୱୀକୃତି ଆମ ଦଳର ନିଷ୍ଠା ଓ ବିଶେଷଜ୍ଞ ଜଳାପୋଡ଼ା ଚିକିତ୍ସା ସେବାର ବିକାଶ ପାଇଁ ନିରନ୍ତର ପ୍ରୟାସର ପ୍ରତିଫଳନ। ଅତ୍ୟାଧୁନିକ ଭିତ୍ତିଭୂମି ଓ ୧,୫୦୦ରୁ ଅଧିକ ଜଳାପୋଡ଼ା ରୋଗୀଙ୍କ ଚିକିତ୍ସାର ଅଭିଜ୍ଞତାକୁ ଆଧାର କରି ଆମେ ଏହି ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଜ୍ଞାନ ଓ ଅଭିଜ୍ଞତା ବାଣ୍ଟିବା ସହ ଦେଶବ୍ୟାପୀ ଦକ୍ଷ ସ୍ୱାସ୍ଥ୍ୟସେବା ବୃତ୍ତିଗତ ସୃଷ୍ଟି କରିବା ଦିଗରେ ଅବଦାନ ରଖିବାକୁ ପ୍ରତିବଦ୍ଧ।”

 

ଏହି ପରିପ୍ରେକ୍ଷୀରେ, ତାଲିମ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯୋଗ୍ୟ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ନାମ ସୁପାରିସ କରିବାକୁ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଅନୁରୋଧ କରାଯାଇଛି। ଏହି ପଦକ୍ଷେପ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଜଳାପୋଡ଼ା ଜନିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ଜଳାପୋଡ଼ା ଆଘାତ ପରିଚାଳନାରେ ଏକରୂପ ଓ ପ୍ରମାଣଭିତ୍ତିକ ଚିକିତ୍ସା ପଦ୍ଧତିର ପ୍ରସାରକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି।


(ରିଲିଜ ଆଡି: 2340062) ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ : English