ପୋଷ୍ଟ କରାଯିବା ଦିନାଙ୍କ:
02 NOV 2026 9:17PM by PIB Bhubaneswar
ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍ସିଇଆର୍ଟି)ର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନୀ ୨୦୨୬ ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍ଆଇଇ) ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ଅନୁଷ୍ଠାନର ବିଭିନ୍ନ ସଂସ୍ଥାଗତ, ଶୈକ୍ଷିକ ଓ ପରିବେଶ ସମ୍ବନ୍ଧୀୟ କାର୍ଯ୍ୟକଳାପର ସମୀକ୍ଷା କରିଥିଲେ। ଏଥିସହ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ପିଏମ୍ଶ୍ରୀ ଡିଏମ୍ ବିଦ୍ୟାଳୟର ଶିକ୍ଷକମାନଙ୍କ ସହ ଆଲୋଚନା କରି ଶିକ୍ଷାର ଗୁଣବତ୍ତା ଓ ଅନୁଷ୍ଠାନର କାର୍ଯ୍ୟଧାରା ସମ୍ପର୍କରେ ମତ ବିନିମୟ କରିଥିଲେ। ଏହାସହ ଆର୍ଆଇଇରେ ଚାଲିଥିବା ବିଭିନ୍ନ ଭିତ୍ତିଭୂମି ବିକାଶ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।।


ରାଷ୍ଟ୍ରୀୟ ଏକତା ଦିବସରେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ, ପ୍ରଫେସର ସକଲାନୀ ସ୍ୱଚ୍ଛତା ଦୌଡ ୭.୦ ଏବଂ ରନ୍ ଫର୍ ୟୁନିଟିର ଉଦଘାଟନ କରିଥିଲେ। ଏହି ପଦକ୍ଷେପ ଜାତୀୟ ଏକତା, ଅଖଣ୍ଡତା, ସ୍ୱଚ୍ଛତା, ଶାରୀରିକ ସୁସ୍ଥତା ଏବଂ ସାମୂହିକ ଦାୟିତ୍ୱର ଗୁରୁତ୍ୱକୁ ରେଖାଙ୍କିତ କରିଥିଲା। ଏହାର ପରିବେଶଗତ ସ୍ଥିରତା ପଦକ୍ଷେପର ଅଂଶବିଶେଷ ସ୍ୱରୂପ ସେ ଅନୁଷ୍ଠାନ ପରିସରରେ ଏକ ଚାରା ମଧ୍ୟ ରୋପଣ କରିଥିଲେ।
ଜାତୀୟ ଶିକ୍ଷା ସଂସ୍କାରକୁ କାର୍ଯ୍ୟକାରୀ କରିବାରେ ଅଧ୍ୟାପକମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଫେସର ସକଲାନୀ ଏକାଡେମିକ୍ ଆଲୋଚନା ସମୟରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦, ମୂଳ ପର୍ଯ୍ୟାୟ ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ-ଏଫଏସ) ୨୦୨୨ ଏବଂ ବିଦ୍ୟାଳୟ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫଏସଇ) ୨୦୨୩ କୁ ପ୍ରଭାବଶାଳୀ ଏକାଡେମିକ୍ ଅଭ୍ୟାସରେ ପରିଣତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏନଇପି ୨୦୨୦ର କାର୍ଯ୍ୟାନ୍ୱୟନରେ ସେମାନଙ୍କ ଏକାଡେମିକ୍ ଏବଂ ସଂସ୍ଥାଗତ ଦାୟିତ୍ୱ ନିର୍ବାହରେ ଦୃଢ଼ ମାଲିକାନା ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ସେ ଅଧ୍ୟାପକ ସଦସ୍ୟମାନଙ୍କୁ ଆହ୍ୱାନ କରିଥିଲେ।
ପିଏମ୍ଶ୍ରୀ ଡିଏମ୍ ବିଦ୍ୟାଳୟ, ଆର୍ଆଇଇ ଭୁବନେଶ୍ୱରର ଶିକ୍ଷକମାନଙ୍କ ସହ ଆଲୋଚନା କରି ଏନ୍ସିଇଆର୍ଟି ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନୀ ଏନ୍ଇପି ୨୦୨୦ ଓ ଏନ୍ସିଏଫ୍ଏସ୍ଇ ୨୦୨୩ର ପରିକଳ୍ପନାକୁ ଶ୍ରେଣୀଗୃହ ଶିକ୍ଷାଦାନରେ କାର୍ଯ୍ୟକାରୀ କରିବା ସହ ପାଠ୍ୟପୁସ୍ତକ ଓ ଶିକ୍ଷଣ ସାମଗ୍ରୀର ପ୍ରଭାବଶାଳୀ ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରଫେସର ସକଲାନୀ ମଧ୍ୟ କେନ୍ଦ୍ରୀୟ ପୂର୍ତ୍ତ ବିଭାଗ (ସିପିଡବ୍ଲ୍ୟୁଡି) ର ଅଧିକାରୀମାନଙ୍କ ସହ ଏକ ବୈଠକ କରି ଅନୁଷ୍ଠାନରେ ଚାଲିଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ପରେ ସେ ନିର୍ମାଣ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।
ଆଲୋଚନା ସଭାର ପ୍ରାରମ୍ଭରେ ଆର୍ଆଇଇ ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀଧର ବେହେରା ଏନ୍ସିଇଆର୍ଟି ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନୀଙ୍କୁ ସ୍ୱାଗତ କରିବା ସହ ଏନ୍ସିଇଆର୍ଟି ଓ ଏହାର ଆଞ୍ଚଳିକ ଅନୁଷ୍ଠାନଗୁଡ଼ିକର ଶୈକ୍ଷିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ତାଙ୍କ ନେତୃତ୍ୱ ଓ ମାର୍ଗଦର୍ଶନର ପ୍ରଶଂସା କରିଥିଲେ। ଏହି ସଭାରେ ସିଆଇଇଟି, ଏନ୍ସିଇଆର୍ଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପ୍ରସାଦ ବେହେରା, ଡିଇଇର ମୁଖ୍ୟ ପ୍ରଫେସର ରିତାଞ୍ଜଳି ଦାସ, ବିଭିନ୍ନ ବିଭାଗର ମୁଖ୍ୟ, ପିଏମ୍ଶ୍ରୀ ଡିଏମ୍ ସ୍କୁଲର ମୁଖ୍ୟଶିକ୍ଷକ, ପ୍ରଶାସନିକ ଅଧିକାରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ।
HS