ଯୋଗାଯୋଗ ମନ୍ତ୍ରଣାଳୟ
azadi ka amrit mahotsav

ବିଏସଏନଏଲ ଏବଂ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ କର୍କଟ ଓ ଏଚପିଭି ସ୍କ୍ରିନିଂ ଶିବିର

ପୋଷ୍ଟ କରାଯିବା ଦିନାଙ୍କ: 31 OCT 2026 8:12PM by PIB Bhubaneswar

ସ୍ତନ କର୍କଟ ସଚେତନତା ମାସ ("ପିଙ୍କ୍ ଅକ୍ଟୋବର") ଉପଲକ୍ଷେ ଭୁବନେଶ୍ୱରସ୍ଥିତ ବିଏସଏନଏଲ ଓଡ଼ିଶା ସର୍କଲ ମୁଖ୍ୟ କାର୍ଯ୍ୟାଳୟରେ କ୍ରିୟା ଫାଉଣ୍ଡେସନ୍, ବିଏସଏନଏଲ ଏବଂ ଓଡ଼ିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ର ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ କର୍କଟ ସଚେତନତା ତଥା ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରକୁ ବିଏସଏନଏଲ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଡି. କେ. ବେହେରା, ଉତ୍କଳ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ ମିଶ୍ର ଏବଂ କ୍ରିୟା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଲିଲି ଜେନାମଣି ମିଳିତ ଭାବେ ଉଦଘାଟନ କରିଥିଲେ। ବିଏସଏନଏଲର ବରିଷ୍ଠ ପଦାଧିକାରୀ, କର୍ମଚାରୀ ଏବଂ କ୍ରିୟା ଫାଉଣ୍ଡେସନର ସଦସ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

​ଅପରାହ୍ଣରେ ଆୟୋଜିତ ସଚେତନତା ଅଧିବେଶନରେ ଯୋଗଦେଇ କ୍ରିୟା ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଜେନାମଣି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସଚେତନତା ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ନିରୂପଣ ହିଁ କର୍କଟ ରୋଗର ସଫଳ ନିରାକରଣ ଓ ଉପଚାରର ମୂଳଦୁଆ ବୋଲି ସେ ପ୍ରକାଶ କରିଥିଲେ।

​ଏହି ସଚେତନତା କାର୍ଯ୍ୟକ୍ରମରେ ବିଶିଷ୍ଟ ଚିକିତ୍ସା ବିଶେଷଜ୍ଞମାନେ ସ୍ୱତନ୍ତ୍ର ଅଧିବେଶନ ପରିଚାଳନା କରିଥିଲେ: ସ୍ପର୍ଶ ହସ୍ପିଟାଲ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ​ଡାକ୍ତର ଘନଶ୍ୟାମ ବିଶ୍ୱାସ ସ୍ତନ କର୍କଟର ପ୍ରାଥମିକ ଲକ୍ଷଣ, ସମ୍ଭାବ୍ୟ କାରଣ ଏବଂ ଆଧୁନିକ ଚିକିତ୍ସା ପଦ୍ଧତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ​ଡାକ୍ତର ସୋନି ନନ୍ଦ, ସହକାରୀ ପ୍ରଫେସର, ସ୍ତ୍ରୀରୋଗ ବିଭାଗ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ – ଏଏଚପିଜିଆଇସି କଟକ) ମହିଳାମାନଙ୍କ ଜରାୟୁ କର୍କଟ ନିରାକରଣ, ପ୍ରଜନନ ସ୍ୱାସ୍ଥ୍ୟ ଏବଂ ଏଚପିଭି ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ।

​ଆଲୋଚନା ଚକ୍ର ପରେ ଡାକ୍ତର ସଞ୍ଜୟ ମିଶ୍ର ଏବଂ ଡାକ୍ତର ଶ୍ୱେତାଲିନା ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଶେଷଜ୍ଞ ପରାମର୍ଶ, କ୍ଲିନିକାଲ୍ କର୍କଟ ଯାଞ୍ଚ ଏବଂ ଏଚ୍.ପି.ଭି ସ୍କ୍ରିନିଂ କରାଯାଇଥିଲା। ବିଏସଏନଏଲର କର୍ମଚାରୀ, ଟେଲିକମ୍ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ଏବଂ ସେମାନଙ୍କ ପରିବାରବର୍ଗଙ୍କ ସମେତ ପାଖାପାଖି ୧୦୦ ଜଣ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ସୁବିଧାର ଲାଭ ଉଠାଇଥିଲେ।

​ଏକ ପ୍ରଶ୍ନୋତ୍ତର ପର୍ଯ୍ୟାୟ ପରେ ବିଏସଏନଏଲ ଓଡ଼ିଶା ସର୍କଲର ସିଜିଏମ, ଟି.ଡବ୍ଲୁ.ଡବ୍ଲୁ.ଓ ର ସଭାପତି ମମତା ବେହେରା, ସମ୍ପାଦିକା ଗାୟତ୍ରୀ ମଲ୍ଲିକ ଏବଂ ଆୟୋଜକ ଦଳଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା। ସରକାରୀ ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟରେ ଏଭଳି ସହଭାଗିତା ରାଜ୍ୟରେ ପ୍ରତିଷେଧକ ସ୍ୱାସ୍ଥ୍ୟସେବାକୁ ଆଗେଇ ନେବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା।

*****


(ରିଲିଜ ଆଡି: 2331001) ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ : English