ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କ ସହଯୋଗରେ ଚଳିତ ସପ୍ତାହରେ ଭୁବନେଶ୍ୱରରେ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ।
ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୨୩ ଏବଂ ୨୪ ତାରିଖରେ ଉନବିଂଶତମ 'ଅର୍ବାନ୍ ମୋବିଲିଟି ଇଣ୍ଡିଆ' (ୟୁଏମଆଇ) ସମ୍ମିଳନୀ ଓ ପ୍ରଦର୍ଶନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଏହା ପରେ ଆସନ୍ତା ୨୪ ଓ ୨୫ ତାରିଖରେ ଜାତୀୟ ସହରାଞ୍ଚଳ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ମଧ୍ୟ ଭୁବନେଶ୍ୱରରେ ଆୟୋଜିତ ହେବ।
ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସତୀନ୍ଦର ପାଲ ସିଂହ ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୬ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେହିପରି, ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀର କୁମାର 'ଅର୍ବାନ୍ ମୋବିଲିଟି ଇଣ୍ଡିଆ' ସମ୍ମିଳନୀ ଓ ପ୍ରଦର୍ଶନୀ ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିଥିଲେ।
ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟ ସରକାରଙ୍କ ସହଯୋଗ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏହି ଅବସରରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ ଯୋଗେଶ ଅନ୍ତିଲ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।

ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୬
ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୬ ବିଷୟରେ ସୂଚନା ଦେଇ ସତୀନ୍ଦର ପାଲ ସିଂହ କହିଥିଲେ, ସମ୍ମିଳନୀର ଦ୍ୱିତୀୟ ସଂସ୍କରଣ ୨୪-୨୫ ଅକ୍ଟୋବରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶା ସରକାରଙ୍କ ସହାୟତାରେ, ହୁଡ଼କୋ ଏବଂ ଏନବିସିସିର ସହାୟତାରେ ଆୟୋଜିତ ହେଉଛି। ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନ (ଏନଆଇୟୁଏ) ବୌଦ୍ଧିକ ଅଂଶୀଦାର ଭାବରେ କାର୍ଯ୍ୟ କରୁଛି ଏବଂ ହୁଡ଼କୋ ଓ ଏନବିସିସିର ପ୍ରମୁଖ ପ୍ରାୟୋଜକ ଦାୟିତ୍ୱ ନିର୍ବାହ କରୁଛି ।
ସେ କହିଛନ୍ତି, ଚଳିତ ବର୍ଷର ସମ୍ମିଳନୀ 'ସହରାଞ୍ଚଳ ବିକାଶ - ସହରାଞ୍ଚଳ ବ୍ୟବସ୍ଥା, ସମାଧାନ ଏବଂ ସେବା ପ୍ରଦାନ ପ୍ରକ୍ରିୟାର ପୁନର୍ବିଚାର’ ବିଷୟବସ୍ତୁ ଉପରେ ଧ୍ୟାନ ଦେବ। ଭାରତୀୟ ସହରଗୁଡ଼ିକର ପରିଚାଳନାରେ ଉନ୍ନତି ଆଣିବା ପାଇଁ ସହରାଞ୍ଚଳ ବ୍ୟବସ୍ଥା, ଅନୁଷ୍ଠାନ ଏବଂ କାର୍ଯ୍ୟକାରିତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଆଲୋଚନା ହେବ ।
ସତୀନ୍ଦର ପାଲ ସିଂହ ଆଲୋକପାତ କରି କହିଥିଲେ ଯେ ଜାତୀୟ ସହରାଞ୍ଚଳ ସମ୍ମିଳନୀ ନୀତି ନିର୍ଦ୍ଧାରକ, ସହରାଞ୍ଚଳ ପ୍ରଶାସକ, ବୈଷୟିକ ବିଶେଷଜ୍ଞ, ଶିଳ୍ପ ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ପରିବର୍ତ୍ତିତ ସହରାଞ୍ଚଳ ଆହ୍ୱାନ ବିଷୟରେ ଆଲୋଚନା କରିବା ତଥା ବ୍ୟବହାରିକ ସମାଧାନ ଖୋଜିବା ପାଇଁ ଏକ ମଞ୍ଚ ପ୍ରଦାନ କରେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ, ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଏହି ସମ୍ମିଳନୀର ଉଦ୍ଘାଟନ କରିବେ। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରାଗ ଜୈନ ଏବଂ ସଦସ୍ୟ ରାଜୀବ ଗୌବା ମଧ୍ୟ ଏଥିରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ।
ଭାରତରେ ସହରାଞ୍ଚଳ ବିକାଶର ଭବିଷ୍ୟତ ଉପରେ ଆଲୋଚନା କରିବା ପାଇଁ ଏକ ବାର୍ଷିକ ମଞ୍ଚ ଭାବରେ 'ଜାତୀୟ ସହରାଞ୍ଚଳ ସମ୍ମିଳନୀ' ଆରମ୍ଭ କରାଯାଇଥିଲା। ଏହାର ପ୍ରଥମ ସଂସ୍କରଣ ୨୦୨୫ ମସିହା ନଭେମ୍ବର ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ସେହି ପ୍ରଥମ ସଂସ୍କରଣରେ ସହରାଞ୍ଚଳ ବିକାଶର ବିଭିନ୍ନ ପ୍ରମୁଖ କ୍ଷେତ୍ର ଉପରେ ବିଚାରବିମର୍ଶ କରିବା ପାଇଁ ବିଭିନ୍ନ ସମ୍ପୃକ୍ତ ଅଂଶୀଦାରମାନେ ଏକତ୍ରିତ ହୋଇଥିଲେ।
ଏହି ସମ୍ମିଳନୀ ସାତୋଟି ମୁଖ୍ୟ ବିଷୟବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିବ:
୧. ‘ଚାଲିବାର ଅଧିକାର’ ଶୀର୍ଷକ ଅଧିବେଶନଟି ଆମ ସହରଗୁଡ଼ିକର ଏକ ଦୈନନ୍ଦିନ ସମସ୍ୟା ଉପରେ ଆଲୋକପାତ କରିବ । କିପରି ବାଧାମୁକ୍ତ ପାଦଚଲା ରାସ୍ତା (ଫୁଟପାଥ), ବିଦ୍ୟାଳୟ ପାଇଁ ସୁରକ୍ଷିତ କ୍ଷେତ୍ର, ପଦଚାରୀଙ୍କ ପାଇଁ ଉନ୍ନତ ରାସ୍ତା ପାର ହେବା ବ୍ୟବସ୍ଥା ଏବଂ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚିବାର ଉନ୍ନତ ସୁବିଧା ମାଧ୍ୟମରେ ରାସ୍ତାଘାଟକୁ ଅଧିକ ସୁରକ୍ଷିତ ଓ ସୁଗମ କରାଯାଇପାରିବ ସେ ବିଷୟରେ ଏହି ଅଧିବେଶନରେ ବିଚାରବିମର୍ଶ କରାଯିବ ।
୨. ‘ଜଳ, ବର୍ଜ୍ୟବସ୍ତୁ ଏବଂ ସମ୍ବଳ ଦକ୍ଷତା’ ଶୀର୍ଷକ ଅଧିବେଶନ ଅଧୀନରେ, କେବଳ ଭିତ୍ତିଭୂମି ନିର୍ମାଣ ଉପରେ ସୀମିତ ନ ରହି, ସେବା ପ୍ରଦାନର ଦକ୍ଷତା ବୃଦ୍ଧି, ଜଳ ଅପଚୟ ହ୍ରାସ, ବିଶୋଧିତ ଜଳର ପୁନଃ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ବର୍ଜ୍ୟବସ୍ତୁରୁ ମୂଲ୍ୟବାନ ସମ୍ପଦ ଉଦ୍ଧାର କରିବା ଉପରେ ଗୁରୁତ୍ୱ ଦିଆଯିବ।
୩. ‘ସୁଲଭ ଆବାସ’’ ଶୀର୍ଷକ ଅଧିବେଶନରେ ଭଡ଼ା ଘରର ବର୍ଦ୍ଧିତ ଆବଶ୍ୟକତା, ନିୟାମକ ଅନୁମୋଦନ ପ୍ରକ୍ରିୟାର ସରଳୀକରଣ, ଜମି ଓ ଆର୍ଥିକ ସହାୟତା ପାଇବାର ଉନ୍ନତ ସୁଯୋଗ, ଏବଂ ସୁଲଭ ତଥା ଜଳବାୟୁ ପରିବର୍ତ୍ତନକୁ ସହ୍ୟ କରିପାରିବା ଭଳି ନିର୍ମାଣ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ଗ୍ରହଣୀୟତା ଉପରେ ଧ୍ୟାନ ଆକର୍ଷଣ କରାଯିବ।
୪. ‘ସମନ୍ୱିତ ସହରୀ ବିକାଶ ଏବଂ ଭିତ୍ତିଭୂମି ଯୋଗାଣ’ ଅଧିବେଶନରେ ବିଭିନ୍ନ ସଂସ୍ଥା ମଧ୍ୟରେ ଉନ୍ନତ ସମନ୍ୱୟ, ସମନ୍ୱିତ ଉପଯୋଗିତା ଯୋଜନା ଓ ଜିଆଇଏସ-ଆଧାରିତ ବ୍ୟବସ୍ଥା କିପରି କାର୍ଯ୍ୟର ପୁନରାବୃତ୍ତିକୁ ହ୍ରାସ କରାଯାଇପାରିବ ଏବଂ ସହରାଞ୍ଚଳ ଭିତ୍ତିଭୂମିର ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତାକୁ ଉନ୍ନତ କରିପାରିବ, ସେ ବିଷୟରେ ଆଲୋଚନା କରାଯିବ।
୫. ‘ସହରୀ ସେବା ପ୍ରଦାନ ପାଇଁ ନୂତନ ମଡେଲ୍ ବା ଧାରା’ ବିଷୟବସ୍ତୁ ଅଧୀନରେ ଏକ ମୁଖ୍ୟ ପ୍ରଶ୍ନ ହେଉଛି—ପୌର ସଂସ୍ଥାଗୁଡ଼ିକ କିପରି ସ୍ପଷ୍ଟ ସଂସ୍ଥାଗତ ଦାୟିତ୍ୱ, ସୁଦୃଢ଼ ଆର୍ଥିକ ସ୍ଥିତି, କ୍ରୟ ପ୍ରକ୍ରିୟାରେ ସଂସ୍କାର, ବୈଷୟିକ ଦକ୍ଷତା ଏବଂ ଘରୋଇ କ୍ଷେତ୍ର ସହ ସହଭାଗିତା ମାଧ୍ୟମରେ ଉନ୍ନତ ସେବା ପ୍ରଦାନ କରିପାରିବେ, ସେସବୁ ବିଷୟରେ ଆଲୋଚନା କରାଯିବ ।
୬. 'ମଡେଲ ନିର୍ମାଣ ଉପ-ଆଇନ' ଉପରେ ଆଧାରିତ ଅଧିବେଶନରେ କୋଠା ଅନୁମୋଦନକୁ ସରଳ କରିବା, ସୁରକ୍ଷା ଏବଂ ସୁଗମତାକୁ ସୁଦୃଢ଼ କରିବା ଏବଂ ଜଳବାୟୁ ସ୍ଥିରତା ଏବଂ ଉଦୀୟମାନ ନିର୍ମାଣ ପ୍ରଯୁକ୍ତିବିଦ୍ୟା ପ୍ରତି ପ୍ରତିକ୍ରିୟା ଦେବା ପାଇଁ ବିଦ୍ୟମାନ ନିୟାମକ ଢାଞ୍ଚାକୁ କିପରି ସଂଶୋଧନ କରାଯାଇପାରିବ ତାହା ଉପରେ ବିଚାରବିମର୍ଶ କରାଯିବ।
୭. ଶେଷରେ, 'ମଡେଲ ପୌର ଆଇନ' ଶୀର୍ଷକ ଅଧିବେଶନରେ ପୌର ସଂସ୍ଥାଗୁଡ଼ିକର ସ୍ୱାୟତ୍ତତାକୁ ସୁଦୃଢ଼ କରିବା, ନିର୍ବାଚିତ ପ୍ରତିନିଧି ଏବଂ କାର୍ଯ୍ୟନିର୍ବାହୀ କର୍ତ୍ତୃପକ୍ଷଙ୍କ କ୍ଷମତା ସ୍ପଷ୍ଟ କରିବା ଏବଂ ସହରାଞ୍ଚଳ ଶାସନରେ ସଂସ୍ଥାଗତ କ୍ଷମତା ଏବଂ ଉତ୍ତରଦାୟିତ୍ୱକୁ ଉନ୍ନତ କରିବା ପାଇଁ ଆବଶ୍ୟକ ଆଇନଗତ ସଂସ୍କାରଗୁଡ଼ିକୁ ପରୀକ୍ଷା କରିବା ଉପରେ ଆଲୋଚନା କରାଯିବ।
ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ନଗର ଉନ୍ନୟନ ମନ୍ତ୍ରୀମାନଙ୍କର ଏକ ବୈଠକ ମଧ୍ୟ ସାମିଲ ରହିଛି । ଏହା ପୂର୍ବ ଜାତୀୟ ଓ ନଗର ଉନ୍ନୟନ ମନ୍ତ୍ରୀମାନଙ୍କ ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗଗୁଡ଼ିକର ପ୍ରଗତି ସମୀକ୍ଷା କରିବା ଏବଂ ଅଧିକ କାର୍ଯ୍ୟ ଓ ସମନ୍ୱୟ ଆବଶ୍ୟକ କରୁଥିବା ପ୍ରାଥମିକତା ଚିହ୍ନଟ କରିବାର ସୁଯୋଗ ପ୍ରଦାନ କରିବ ।
ଉନବିଂଶତମ 'ଅର୍ବାନ୍ ମୋବିଲିଟି ଇଣ୍ଡିଆ' ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬
ଉନବିଂଶତମ 'ଅର୍ବାନ୍ ମୋବିଲିଟି ଇଣ୍ଡିଆ' ସମ୍ମିଳନୀ ଓ ପ୍ରଦର୍ଶନୀ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଆବାସ ଓ ସହର ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀର କୁମାର କହିଛନ୍ତି, ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଠାରୁ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଓଡ଼ିଶା ସରକାରଙ୍କ ସହଯୋଗରେ, ମନ୍ତ୍ରଣାଳୟ ଅଧୀନ 'ଇନଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ଇଣ୍ଡିଆ)' ଦ୍ୱାରା ଏହି ସମ୍ମିଳନୀ ଆୟୋଜିତ ହେଉଛି ।
ସେ କହିଛନ୍ତି, ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ହେଉଛି 'ଡିଜିଟାଲ୍ ଯୁଗରେ ସହରୀ ସୁଗମତା ଓ ଜୀବନଧାରଣର ମାନ'। ଏଥିରେ ଉଦୀୟମାନ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସହରୀ ସୁଗମତା, ସମନ୍ୱିତ ପରିବହନ ଭିତ୍ତିଭୂମି ଏବଂ ସହରୀ ଜୀବନଯାପନର ମାନରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯିବ। ସମ୍ମିଳନୀରେ ଦୀର୍ଘସ୍ଥାୟୀ ତଥା ପ୍ରଦୂଷଣମୁକ୍ତ ସାର୍ବଜନୀନ ପରିବହନ ବ୍ୟବସ୍ଥା, ବିଭିନ୍ନ ପରିବହନ ମାଧ୍ୟମର ସମନ୍ୱୟ, ଯାତ୍ରାର ଆରମ୍ଭ ଓ ଶେଷ ପର୍ଯ୍ୟାୟ ସଂଯୋଗ ଏବଂ ସହରୀ ପରିବହନରେ ଉନ୍ନତି ଆଣିବାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଉପରେ ଆଲୋଚନା କରାଯିବ। ଏହା ସହିତ, ନିରବଚ୍ଛିନ୍ନ ଓ ଦକ୍ଷ ପରିବହନ ସେବା ଯୋଗାଇବାରେ 'ମୋବିଲିଟି ଆଜ୍ ଏ ସର୍ଭିସ୍' (ମାସ୍) ଏବଂ ରିଅଲ୍-ଟାଇମ୍ ଜିପିଏସ୍ ଆଧାରିତ ସମାଧାନଗୁଡ଼ିକର ସମ୍ଭାବନା ଉପରେ ମଧ୍ୟ ସମୀକ୍ଷା କରାଯିବ।
ସେ ଆହୁରି ମଧ୍ୟ କହିଛନ୍ତି, ୟୁଏମଆଇ ସମ୍ମିଳନୀ ଓ ପ୍ରଦର୍ଶନୀରେ ଦେଶ ତଥା ଦେଶ ବାହାରୁ ବହୁ ବକ୍ତାଙ୍କ ସମେତ ପ୍ରାୟ ୧୫୦୦ ପ୍ରତିନିଧି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ସମ୍ମିଳନୀକୁ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆବାସ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବେ। ଯୁବ ଗବେଷକ ଏବଂ ପିଏଚଡି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଗବେଷଣା କାର୍ଯ୍ୟ ଉପସ୍ଥାପନ କରିବାକୁ ଉତ୍ସାହିତ କରିବା ପାଇଁ ଚାରୋଟି ଅଧିବେଶନରେ ଗବେଷଣା ସିମ୍ପୋଜିୟମ ଅନୁଷ୍ଠିତ ହେଉଛି। ପିଅର ଗ୍ରୁପ ଦ୍ୱାରା ମୋଟ ୪୬ଟି ଗବେଷଣାପତ୍ର ଉପସ୍ଥାପନ ଲାଗି ଚୟନ କରାଯାଇଛି । ୨୦ ଜଣ ପ୍ରାର୍ଥୀ ଏବଂ ବାକି ୨୬ଟି ପୋଷ୍ଟର ମାଧ୍ୟମରେ ଉପସ୍ଥାପନ କରାଯିବ । ବିଚାରକମାନଙ୍କ ଦ୍ୱାରା ମନୋନୀତ ଶ୍ରେଷ୍ଠ ତିନୋଟି ଗବେଷଣା ପତ୍ରକୁ ୨୫ ହଜାର ଟଙ୍କାର ନଗଦ ପୁରସ୍କାର ଏବଂ ସମସ୍ତ ଉପସ୍ଥାପକଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ।
ସର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ହେଉଛି ଜାତୀୟ ସହରାଞ୍ଚଳ ପରିବହନ ନୀତି (ଏନୟୁଟିପି), ୨୦୦୬ ଅନ୍ତର୍ଗତ କେନ୍ଦ୍ର ଆବାସର ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଏକ ବାର୍ଷିକ ଉପକ୍ରମ । ଏହି ନୀତି ରାଜ୍ୟ ଏବଂ ସହର ସ୍ତରରେ କ୍ଷମତା ନିର୍ମାଣ ଉପରେ ଗୁରୁତ୍ୱ ଦିଏ ଏବଂ ସମାନ ଓ ଦୀର୍ଘସ୍ଥାୟୀ ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରେ। ଏହି ସମ୍ମିଳନୀ ଭାରତ ଏବଂ ସାରା ବିଶ୍ୱରୁ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଜ୍ଞାନ, ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ଆଦାନପ୍ରଦାନକୁ ସହଜ କରିଥାଏ।
ଓଡ଼ିଶା ସରକାରଙ୍କ ଅଂଶଗ୍ରହଣ
ଏହି ଅବସରରେ, ଓଡ଼ିଶା ସରକାରଙ୍କ ଅ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ ଦୀର୍ଘସ୍ଥାୟୀ ସହରାଞ୍ଚଳ ବିକାଶ, ଉନ୍ନତ ସହରାଞ୍ଚଳ ପରିବହନ ଏବଂ ସହରାଞ୍ଚଳ ସେବାର ଦକ୍ଷ ଯୋଗାଣ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଭୁବନେଶ୍ୱରରେ ୟୁଏମଆଇ ସମ୍ମିଳନୀ ଓ ପ୍ରଦର୍ଶନୀ ଏବଂ ଜାତୀୟ ସହରାଞ୍ଚଳ ସମ୍ମିଳନୀ ଆୟୋଜନ ସହରୀ ପରିବର୍ତ୍ତନ ଉପରେ ଜାତୀୟ ସ୍ତରର ଚର୍ଚ୍ଚାରେ ଓଡ଼ିଶାର ବର୍ଦ୍ଧିତ ଯୋଗଦାନକୁ ପ୍ରତିଫଳିତ କରେ। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପ୍ରଯୁକ୍ତିବିଦ୍ୟା-ଚାଳିତ ପରିବହନ ସମାଧାନକୁ ପ୍ରୋତ୍ସାହିତ କରିବା, ସୁଗମତା ଓ ବାସଯୋଗ୍ୟ ସ୍ଥିତିରେ ଉନ୍ନତି ଆଣିବା ଏବଂ ସମାବେଶୀ, ଦୀର୍ଘସ୍ଥାୟୀ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହର ନିର୍ମାଣ ପାଇଁ ଅଂଶୀଦାରମାନଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଓଡ଼ିଶା ଧ୍ୟାନ ଦେଉଛି ବୋଲି ସେ କହିଥିଲେ ।
ଏହି ଦୁଇଟି କାର୍ଯ୍ୟକ୍ରମ ବିଚାର ଆଦାନପ୍ରଦାନ, ଅଭିଜ୍ଞତା ବାଣ୍ଟିବା ଏବଂ ସମସାମୟିକ ସହରାଞ୍ଚଳ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିବା ପାଇଁ ଏକ ସାଧାରଣ ମଞ୍ଚ ପ୍ରଦାନ କରିବ। ଦୀର୍ଘସ୍ଥାୟୀ ସହରାଞ୍ଚଳ ପରିବହନ, ଉନ୍ନତ ସୁଗମତା, ପ୍ରଭାବଶାଳୀ ସହରାଞ୍ଚଳ ଶାସନ ଏବଂ ସହରାଞ୍ଚଳ ସେବାର ଉନ୍ନତ ବିତରଣ ଉପରେ ବିଚାରବିମର୍ଶ କରିବା ପାଇଁ ପ୍ରମୁଖ ଅଂଶୀଦାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ।
କାର୍ଯ୍ୟକ୍ରମ ପାଇଁ ଓଡିଶା ପ୍ରସ୍ତୁତି ଏବଂ ପଦକ୍ଷେପ:
• ପ୍ରଧାନମନ୍ତ୍ରୀ ଇ ବସ୍ ସେବା ଶୁଭାରମ୍ଭ: ଏହି କାର୍ଯ୍ୟକ୍ରମ ସମୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଶୁଭାରମ୍ଭର ଯୋଜନା କରାଯାଇଛି, ଯାହା ସ୍ୱଚ୍ଛ ସାର୍ବଜନୀନ ପରିବହନ ଏବଂ ଉନ୍ନତ ସହରାଞ୍ଚଳ ସଂଯୋଗୀକରଣକୁ ଆଗକୁ ବଢାଇବ।
• ଓଡ଼ିଶାର ବିଭିନ୍ନ ପଦକ୍ଷେପ ଆରମ୍ଭ ଏବଂ ପ୍ରକାଶିତ ହେବ: କାର୍ଯ୍ୟକ୍ରମରେ ଅଙ୍କୁର ହ୍ୟାଣ୍ଡବୁକ୍, ଓଡ଼ିଶା ସହର ଯୋଜନା ହ୍ୟାଣ୍ଡବୁକ୍ ଏବଂ ଓଡ଼ିଶା ପାଇଁ ସରକାରୀ ଏବଂ ଘରୋଇ ମାଲିକାନାରେ ଥିବା ସାର୍ବଜନୀନ ସ୍ଥାନ ନୀତି ଅନ୍ତର୍ଭୁକ୍ତ, ଯାହା ସହରାଞ୍ଚଳ କ୍ଷମତା ନିର୍ମାଣ, ଯୋଜନାବଦ୍ଧ ଅଭିବୃଦ୍ଧି ଏବଂ ସୁଗମ ସାର୍ବଜନୀନ ସ୍ଥାନ ଉପରେ ରାଜ୍ୟର କାର୍ଯ୍ୟକୁ ପ୍ରଦର୍ଶନ କରିବ ।
• କ୍ରୁଟ୍ ପାଭିଲିଅନ୍: ଏକ ଉତ୍ସର୍ଗୀକୃତ କ୍ରୁଟ୍ ପାଭିଲିଅନ୍ ଆମ ବସ୍, ବୈଦ୍ୟୁତିକ ଗତିଶୀଳତା, ଫିଡର ସେବା, ମହିଳା ଅଂଶଗ୍ରହଣ ଏବଂ ପ୍ରଯୁକ୍ତିବିଦ୍ୟା-ସକ୍ଷମ ଯାତ୍ରୀ ସୁବିଧା ଏବଂ ସୁରକ୍ଷା ମାଧ୍ୟମରେ ଓଡ଼ିଶାର ସାର୍ବଜନୀନ ପରିବହନ ଯାତ୍ରାକୁ ପ୍ରଦର୍ଶିତ କରିବ।
• ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକା କଳା: ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ବାଲୁକା କଳା ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ଦୀର୍ଘସ୍ଥାୟୀ ଓ ସମାବେଶୀ ପରିବହନ ସହିତ ଯୋଡ଼ିବାର ଯୋଜନାକୁ ଦର୍ଶାଇବ । ଏଥିରେ ପଦଯାତ୍ରୀ, ସାଇକେଲ ଚାଳକ ଏବଂ ସମସ୍ତଙ୍କ ପାଇଁ ସୁଗମ ରାସ୍ତା ପ୍ରଦର୍ଶିତ ହେବ ।
• ବିଏମସିର ପ୍ରସ୍ତୁତି: ଭୁବନେଶ୍ୱର ମହାନଗର ନିଗମ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ପାଇଁ ସହର ସ୍ୱଚ୍ଛତା, ପରିମଳ, ସୌନ୍ଦର୍ଯ୍ୟକରଣ ଓ ସାର୍ବଜନୀନ ସ୍ଥଳୀର ଉନ୍ନତି କରୁଛି। ଏଥିରେ ଏକ୍ସପୋଜର ପରିଦର୍ଶନରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଓ ସମ୍ପଦ ପୁନରୁଦ୍ଧାର, ଆଶ୍ରୟସ୍ଥଳ ଓ ପୁନର୍ବାସ, ସମାବେଶୀ ପାରିପାର୍ଶ୍ବିକ ବିକାଶ, ସହରାଞ୍ଚଳ ସବୁଜିମା ଏବଂ ନାଗରିକ ସେବା କ୍ଷେତ୍ରରେ ପଦକ୍ଷେପଗୁଡ଼ିକୁ ପ୍ରଦର୍ଶିତ କରାଯିବ ।
• ବିଡିଏର ପ୍ରସ୍ତୁତି: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଯୋଜନାବଦ୍ଧ ସହରାଞ୍ଚଳ ବିକାଶ, ଆବାସ ନିର୍ମାଣ, ନଗର ଯୋଜନା ପ୍ରସ୍ତୁତି, ସାର୍ବଜନୀନ ପରିବହନ ଭିତ୍ତିଭୂମି, ପାର୍କ ଏବଂ ପୁନରୁଦ୍ଧାର ହୋଇଥିବା ସାର୍ବଜନୀନ ସ୍ଥାନଗୁଡ଼ିକୁ ପ୍ରଦର୍ଶନ କରିବ ।
• ଐତିହ୍ୟ ପଦଯାତ୍ରା ଏବଂ ସାଇକେଲ ଚାଳନା କାର୍ଯ୍ୟକ୍ରମ: ସ୍ୱତନ୍ତ୍ର ଏକାମ୍ର ପଦଯାତ୍ରା ଏବଂ ଏକ ସାଇକେଲ ଟ୍ରେଲ୍ ପ୍ରତିନିଧିମାନଙ୍କୁ ପଦଯାତ୍ରା, ସାଇକେଲ ଚାଳନା ଓ ଅଣ-ମୋଟରଚାଳିତ ପରିବହନର ପ୍ରୋତ୍ସାହନ ସମ୍ପର୍କରେ ଅବଗତ କରାଇବା ସହ ଭୁବନେଶ୍ୱରର ଐତିହ୍ୟ ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକୁ ଦେଖିବାର ସୁଯୋଗ ପ୍ରଦାନ କରିବ।
• ଓଡ଼ିଶା ଅଭିଜ୍ଞତା: ବସ୍ ଆଧୁନିକୀକରଣ, ଆଞ୍ଚଳିକ ପରିବହନ ଯୋଜନା ଏବଂ ସହରାଞ୍ଚଳ ସେବା ପ୍ରଦାନରେ ଓଡ଼ିଶା ଏହାର ଅଭିଜ୍ଞତା ବାଣ୍ଟିବ । ଏହା ଜାତୀୟ ଆଲୋଚନାକୁ ସ୍ଥାନୀୟ କାର୍ଯ୍ୟକାରିତା ଏବଂ ନାଗରିକଙ୍କ ଆବଶ୍ୟକତା ସହିତ ଯୋଡ଼ିବ ।
• ମିଶନ ଶକ୍ତି: ମିଶନ ଶକ୍ତିର ଅଂଶଗ୍ରହଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ କରିବ । ଏହା ଓଡ଼ିଶାରେ ମହିଳା ଉଦ୍ୟୋଗ ବିକାଶ ଏବଂ ଗୋଷ୍ଠୀ-ନେତୃତ୍ୱାଧୀନ ଜୀବିକାକୁ ଉଜ୍ଜ୍ୱଳ କରିବ ।
********
PS/Swadhin/Manoj